Unknown

 

 

 

 

 

 

 

 

 

 

 

ବିଷବୃକ୍ଷ

କୃପାସିନ୍ଧୁ ବିଶ୍ଵାଳ

 

ଉତ୍ସର୍ଗ

 

ବଡ଼ଭାଇ ଶ୍ରୀଯୁକ୍ତ ଦୀନବନ୍ଧୁ ବିଶ୍ଵାଳ ଓ ବଡ଼ ଭାଉଜ

ଶ୍ରୀମତୀ ଶାରଦାମଣୀ ବିଶ୍ଵାଳଙ୍କ କରକମଳରେ

ଏ ଲଘୁ କୃତିଟିକୁ ଅର୍ପଣ କଲି ।

 

। ଇତି ।

ସିନ୍ଧୁଆ

 

 

ରାତିଅଧକୁ ବଳେଇ ପଡ଼ିଲାଣି ।

 

ଆକାଶ ଛାତିରେ ତାରାଫୁଲମାନେ ନୃତ୍ୟ କରୁଥିଲେ । ସୀମାହୀନ ଆକାଶଟା ଅତ୍ୟନ୍ତ ମାୟାମୟ ବୋଧ ହେଉଥିଲା । ରାତିଅଧିଆ ବିଲୁଆମାନେ ପ୍ରାଣ ବିକଳିଆ ରଡ଼ି ଦେଉଥିଲେ ହୁକେହୋ ହୁକେହୋ । ନଗରୀର ଆଲୋକ ସଜ୍ଜାକୁ ଆହୁରି ମନୋରମ କରି ପକାଇଲା ଚନ୍ଦ୍ର କିରଣ । ଆକାଶ ରୂପକ ମହାସାଗରରେ ମନ୍ଥର ଗତିରେ ଭାସି ଭାସି ଯାଉଥିଲା ଚନ୍ଦ୍ର ନଉକା । କେତେବେଳେ ଲୁଚି ଯାଉଥିଲା ଭାସମାନ ବାଦଲର ଅନ୍ତରାଳେ ତ କେତେବେଳେ ବାଦଲର ଉହାଡ଼ରୁ ବାହାରିପଡ଼ି ମୁହଁ ଦେଖେଇ ହସୁଥିଲା ଖିଲିଖିଲି ହୋଇ ।

 

ମହାନଗରୀ କାଲିକଟ । ଆରବସାଗରକୂଳରେ ତା’ର ଅବସ୍ଥିତି । ନଡ଼ିଆ ଗଛରେ ଭରପୂର । ଯୁଆଡ଼େ ଚାହିଁବ ମାଳମାଳ ନଡ଼ିଆ ଗଛ ମୁଣ୍ଡଟେକି, ଉପରକୁ ଚାହିଁ ହାତଠାରି ଡାକୁଛନ୍ତି ଆଗନ୍ତୁକଙ୍କୁ ।

 

ଆସିବାର ପନ୍ଦର ଦିନ ହୋଇଗଲା । କିଛି ଭଲ ଲାଗୁନି । ସବୁ ଖାଁ ଖାଁ । ଭାଷାର ତାରତମ୍ୟ । ଖାଦ୍ୟର ତାରତମ୍ୟ । ସବୁ କିଛିର ତାରତମ୍ୟ ଏଠାରେ । ସବୁ ନୂଆ ନୂଆ । ନୂଆ ଭୂଇଁ । ନୂଆ ଭାଷା । ନୂଆ ଖାଦ୍ୟ । ନୂଆ ପୋଷାକ ପରିଚ୍ଛଦ । ମନେପଡ଼ୁଛି ଗାଁ ମାଟି । ଚା ଦୋକାନ । ନଈକୂଳ । ଆମ୍ବତୋଟା । ଆଉ ଗାଁର ସେଇ ଝିଅଟି । ଆଖି ଆଗରେ ନାଚୁଛି ଥେଇଥେଇ ହୋଇ ତା’ର ରୂପ । ଗୋଟିଏ ଚାଉଳରେ ଗଢ଼ା । ବ୍ରହ୍ମା ତାକୁ କେତେଦିନ ବସି ଗଢ଼ିଥିଲେ କେଜାଣି ? ସାକ୍ଷାତ ଲକ୍ଷ୍ମୀ । ତା’ ବୋଉ ବାଛି ବାଛି ନାଆଁ ଦେଇଛନ୍ତି ଲକ୍ଷ୍ମୀ । ଲକ୍ଷ୍ମୀ ଲକ୍ଷ୍ମୀଙ୍କ ଶୋଭାକୁ ବଳେଇ ପଡ଼ିବ । ଚନ୍ଦ୍ର ଦେହରେ କଳଙ୍କ ଅଛି; ହେଲେ ଲକ୍ଷ୍ମୀଠାରେ କଳଙ୍କ ନାହିଁ । ଅକଳଙ୍କ । ମଲ୍ଲୀଫୁଲ ପରି ତୋଫା । କଥାଗୁଡ଼ିକ କୋକିଳର କଣ୍ଠକୁ ବଳେଇ ପଡ଼ିଛି ।

 

ଠନ୍ ଠନ୍ ହୋଇ ଫ୍ଲୋରିକାନ୍ ହିଲରେ ଥିବା ପରିବାର କଲ୍ୟାଣ ତାଲିମ କେନ୍ଦ୍ର ଘଣ୍ଟାରେ ବାଜିଲା ଦୁଇଟା । କଡ଼ ଲେଉଟାଇଲା ମାନସ । ନିଦ ଲାଗିଲା ନାହିଁ । ହୃଦୟରେ ଘାଣ୍ଟିଚକଟି ହେଲା ଲକ୍ଷ୍ମୀର ସବୁକିଛି ।

 

ସେ ଅଭାଗୀନି । ଦୁନିଆ ବକ୍ଷରେ ପଡ଼ିବା ପୂର୍ବରୁ ବାପା ତା’ର ଇହଧାମ ଛାଡ଼ି ଯାଇଥିଲେ ଆରପୁରକୁ । କେହି ତା’ର ନଥିଲେ ନିଜର ବୋଲି ବୋଉ ବ୍ୟତୀତ । ବୋଉ ତା’ର ସର୍ବସ୍ଵ । କ’ଣ ନଥିଲା ତା’ ବାପାଙ୍କର । ସବୁ ଥିଲା । ଜମିବାଡ଼ି ଘରଦ୍ଵାର ସବୁକିଛି । ଏବେବି ଅଛି-। ଥାଇ ନଥିଲା ପରି ।

 

ଭାଗ୍ୟ ପଥର ତଳେ, ନହେଲେ ପତର ତଳେ ।

 

ଲକ୍ଷ୍ମୀ ଆଉ ତା’ ବୋଉର ଭାଗ୍ୟ ପଥର ତଳେ ଚାପି ହୋଇପଡ଼ିଥିଲା । ରାଣ୍ଡମାଇପ । ରାଣ୍ଡମାଇପ ସମସ୍ତଙ୍କର ଶାଳୀ । ତାଙ୍କର କେହି ନଥିଲେ ତାଙ୍କ ଭାଗ୍ୟ ଉପରୁ ପଥରଟାକୁ କାଢ଼ିଦେବାକୁ । ବରଂ ଯିଏ ପାଉଥିଲା ପଥର ମୂଳେ ମାଟି କୋଡ଼ିଏ କୋଡ଼ିଏ ପକାଇ ଦେଇ ମଜଭୁତ କରି ଦେଉଥିଲେ ।

 

ଦଇବର ବିଚାର ବଡ଼ ବିଚିତ୍ର । ତାଙ୍କଠାରୁ ବିଚାର ସହଜରେ ମିଳେନି । ବହୁଦିନ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼େ ।

 

ଦିନେ ନୁହେଁ, ମାସେ ନୁହେଁ, ବରଷ ବରଷ । ସେତେବେଳକୁ ସବୁକିଛି ସରିଯାଇଥାଏ-। ଶେଷକୁ ଆତ୍ମସନ୍ତୋଷ ପାଇ ଘରେ ରହିବାକୁ ପଡ଼େ । ଘର ନଥିଲେ ଅଇରି ଖପରା ବଇରୀ ବା’ ହୋଇ ଦୁନିଆର ବଡ଼ଦାଣ୍ଡରେ ଭିକ ମାଗେ । ନତୁବା ଧୈର୍ଯ୍ୟହରା ହୋଇ କୂଅରେ ପଡ଼େ-। ଦଉଡ଼ି ଦିଏ । ବିଷ ଖାଇ ଆତ୍ମହତ୍ୟା କରେ । ଏ ହେଉଛି ଆମ ସମାଜର ନ୍ୟାୟ-

ପାପ ବଢ଼ୁଥିଲାବେଳେ ବଢ଼େ । ଆକାଶକୁ ଛୁଇଁଯାଏ । ଯେତେବେଳେ ଛିଡ଼େ ଚେର ଛିଡ଼ିଯାଏ । ମୂଳ ଉଡ଼ିଯାଏ ।

ଲକ୍ଷ୍ମୀ ବୋଉ କିଛି କରିନି । ବିଷ ଖାଇନି । କୂଅରେ ପଡ଼ିନି । କି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିନି । ଅପେକ୍ଷା କରିଛି ଧର୍ମକୁ । ତା’ର ବିଶ୍ଵାସ ଧର୍ମ ତା’ କଥା ବୁଝିବ । ଧର୍ମ ବ୍ୟତୀତ ଆଉ କେହି ତା’ କଥା ବୁଝିପାରିବେ ନାହିଁ । ସମସ୍ତେ ସ୍ଵାର୍ଥପର । ଦୁଇହାତ ପ୍ରସାରଣ କରି ଅନେଇ ବସିଛନ୍ତି ପରର ଧନ ସମ୍ପଦ ଲୁଟି କରିବାକୁ । ଦରକାର ପଡ଼ିଲେ ତଣ୍ଟି ଚିପି ଗରିବ ଲୋକଙ୍କ ରକ୍ତ ପିଇବାକୁ ପଛେଇବେ ନାହିଁ ।

ଅଭାବ ଅଭାବରେ ପେଟରେ ଓଦାକନା ପକାଇ ଲକ୍ଷ୍ମୀ ବୋଉ ଲକ୍ଷ୍ମୀକୁ ପାଳିଛି । ଅଭାବ ଯୋଗୁଁ ସ୍ଵଭାବ ନଷ୍ଟ । ଠୋଠୋ ମଦନଗୋପାଳ । ଚାରି ଦିନରେ ଢୋକେ ଖାଏ । ଇଜ୍ଜତ ମହତ ସବୁକୁ ପାଦରେ ଦଳି ଦେଇ ଦୁନିଆର ଚଲାପଥରେ ସେ ସଂଗ୍ରାମ କରିଛି । ବଞ୍ଚି ରହିବାକୁ । ତା’ବି ଏ ସମାଜ କରେଇ ଦେବାକୁ ସୁଯୋଗ ଦେଇନି । ପଛେ ପଛେ ତା’ର ଗୋଡ଼ାଇ ଥାନ୍ତି ନିନ୍ଦା ଅପବାଦ ଗାଳିଗୁଲଜ । କାହାକୁ କହିବ ? କହିଲେ କୁଳକୁଟୁମ୍ବକୁ ଲାଜ ନ କହିଲେ କୁଳ ଭାସି ଯାଉଛି । କହିନି କ’ଣ ଲକ୍ଷ୍ମୀ ବୋଉ କାହାକୁ ? ଅନେକଙ୍କୁ କହିଛି । ଜାଣୁ ଜାଣୁ କିଏ ସାହସ କରି କାମୁଡ଼ା ଘୋଡ଼ା ମୁହଁରେ ଚୁମ୍ବନ ଦେବ । ହାଣମୁହଁରେ ବେକ ଦେଖାଇବ । ପର କଳି ଆଣି ଘରେ ପୂରାଇବ ।

ଲକ୍ଷ୍ମୀ ବୋଉର କାହାଣୀ ଦିନିକିଆ କାହାଣୀ ନୁହେଁ, ନିତିଦିନିଆ କାହାଣୀ । ସେ ଅଞ୍ଚଳର ପ୍ରତିଦିନିଆ ଆଲୋଚନାରେ ଏହା ଥିଲା ଗୋଟିଏ ମୁଖ୍ୟ ବିଷୟବସ୍ତୁ । ଏପରି ଗୋଟିଏ ଦିନ ସେଇପରି କଟିଯାଇନି, ଯେଉଁଦିନ କି ଲକ୍ଷ୍ମୀ ବୋଉ ଇତିହାସରେ ସେ ଦିନଟି ଲିପିବଦ୍ଧ ହୋଇନି । ଯିଏ ଶୁଣେ ଲକ୍ଷ୍ମୀ ବୋଉ ପ୍ରତି ସମବେଦନା ଜ୍ଞାପନ କରେ । ଆଖିରୁ ଲୁହ ଗଡ଼ାଏ । ଦଇବର କି ବିଚାର ! କହି ତା’ ବାଟରେ ସେ ଯାଏଁ । କିନ୍ତୁ କେହି ଦିନେ ତାକୁ ବିପଦରୁ ଉଦ୍ଧାର କରିବାପାଇଁ ଚେଷ୍ଟା କରି ନାହାଁନ୍ତି । ଏହା ଅର୍ଥ କେହି କାହା ହୃଦୟରେ ଲକ୍ଷ୍ମୀ ବୋଉକୁ ଉଦ୍ଧାର କରିବାପାଇଁ ଭାବି ନାହାନ୍ତି ତା’ ନୁହେଁ । ଅନେକ ଭାବିଛନ୍ତି । ସେ ଭାବିବାର କିଛି ମାନେ ନଥାଏ । ଭାବନ୍ତି, ଟୁପୁଟୁପୁ ହୋଇ କାନକୁ କାନ କୁହାକୁହି ହୁଅନ୍ତି, କିନ୍ତୁ ସାହସର ସହିତ ଅଣ୍ଟାଭିଡ଼ି ବାହାରନ୍ତି ନାହିଁ ।

ମଣିଷ ଜଙ୍ଗଲକୁ ଗଲେ ଭୟକରେ ବଣଜନ୍ତୁଙ୍କୁ । ଜଙ୍ଗଲ ପଥରେ ପଥ ଅତିକ୍ରମ କଲାବେଳେ ବଣଜନ୍ତୁଙ୍କ ଭୟରେ ଛାନିଆ ହୋଇ ଡଗଡ଼ଗ ହୋଇ ଚାଲୁଥାଏ ଜଙ୍ଗଲ ପାରିହେବାକୁ । ଯାଉ ଯାଉ ବାଘ କି ସିଂହ ହାବୁଡ଼େ ପଡ଼ିଗଲେ ପ୍ରାଣ ବିକଳରେ ବଡ଼ ବୃକ୍ଷ ଦେଖି ଚଢ଼ିଗଲେ ରକ୍ଷା ମିଳିଯାଏ । ଦିନେ କି ଦିଦିନ ପରେ ମଣିଷ ଗଛରୁ ଓହ୍ଲାଇ ଘରକୁ ଫେରେ ।

ରକ୍ଷା ମିଳେନି ମଣିଷ ବାଘଠୁ । ମହାଭୟଙ୍କର, ହିଂସ୍ରୁକ । ଗୋଡ଼େଇ ଗୋଡ଼େଇ ତଣ୍ଟିକଣା କରି ରକ୍ତ ନ ପିଇବା ପର୍ଯ୍ୟନ୍ତ ଛାଡ଼େନି । ଜଙ୍ଗଲର ହିଂସ୍ର ଜନ୍ତୁଙ୍କ ପାଖରେ ଦୟା ଅଛି । ବିଚାର ଅଛି । ପୁରାଣରେ ଦେଇଛି ସନ୍ଧ୍ୟାହେଲେ ବଣ୍ୟ ଜନ୍ତୁମାନେ ଶିକାର କରନ୍ତି ନାହିଁ । ଏ ଭାବ ସମ୍ପୂର୍ଣ୍ଣ ଅଭାବ ମଣିଷ ବାଘଠି । ଏ ଚାହେଁ ଗରିବ, ମୂଲିଆ, ଶ୍ରମିକଙ୍କ ତାଜା ରକ୍ତରେ ହୋରି ଖେଳି ତା’ର ଅମାର ପୂରଣ କରିବାକୁ । କୋଠା ଉପରେ କୋଠା, କିଆରି ପାଖରେ କିଆରି କିଣି ବଡ଼ କିଆରି କରିବାକୁ ।

ଭାଦ୍ରବ ଆଉ ଶ୍ରାବଣ । ଭାଦ୍ରବ ମାସର ଟାଣ ଖରାଠାରୁ ବଳି ଖରା ନାହିଁକି, ଶ୍ରାବଣ ମାସର ବର୍ଷକୁ ବଳି ବର୍ଷା ନାହିଁ । ମଣିଷର ଜୀବନ ଠିକ୍ ଏହିଭଳି ଖରା ଓ ବର୍ଷା ଦେଇ ଗତିକରେ-। ଏହା ବାଧେନି ଧନୀ, ଜମିଦାର ଓ କୋଟିପତିଙ୍କୁ । ବାଧେ ଯେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଲହୁକୁ ଲୁହ କରି ମାଟି ମା’ ସାଙ୍ଗରେ ଲଢ଼ି ଲଢ଼ି ମାଟିରେ ସୁନା ଫଳାଏ । ତାକୁହିଁ ବାଧେ । ତା’ରିପାଇଁ ଏ ଭାଦ୍ରବ ଆଉ ଶ୍ରାବଣର ସୃଷ୍ଟି ।

ଶ୍ରାବଣର ପ୍ରଥମ ଦିବସ ଧରାପୃଷ୍ଠରେ ପାଦ ନ ଦେଉଣୁ ଝିପିଝିପି ବର୍ଷା ଲିପିଲିପି ହୋଇ ବରଷୁଥିଲା । ରାତି ନ ପାହୁଣୁ ରାମେଶ୍ଵରିଆ ମେଘଟା ଆକାଶ ଛାତିରେ ଘୋଟେଇ ଆସି ଦୁଲୁଦୁଲୁ କରି କଚାଡ଼ି ଦେଲା କାହିଁରୁ କେତେ । ରାତି ପାହି ସକାଳ ହେଲା । ସୂର୍ଯ୍ୟ ଉଇଁଲେ ନାହିଁ ପୂ୍ର୍ବଦିଗରେ । ଅନ୍ଧାର, ଘୋର ଅନ୍ଧାର । ମେଘ ଅନ୍ଧାର । ମୁହଁକୁ ମୁହଁ ଦେଖାଗଲାନି । ମାଠିଆରୁ ପାଣି ଢାଳିଲା ପରି ଆକାଶରୁ ଗଳୁଛି ମାଠିଆ ମାଠିଆ ପାଣି । ଯିଏ ଯୁଆଡ଼େ କତରାଲଗା ହୋଇ ଶୋଇଛନ୍ତି । ଗାଈଗୋରୁମାନେ ରୁମ ମାରି ଛିଡ଼ା ହୋଇଛନ୍ତି ଗୁହାଳେ । ହମ୍ବାରଡ଼ିରେ ଗୁହାଳ ଫାଟି ପଡ଼ୁଛି । ପକ୍ଷୀମାନେ ନୀଡ଼ରୁ ଜୀବନ ଭୟରେ ବାହାରୁ ନାହାନ୍ତି । ଯେତେବେଳେ ପବନ ଝଙ୍କାରକୁ ଝଙ୍କାର ଦେଇ ବୃକ୍ଷର ସର୍ବାଙ୍ଗ ଶରୀରକୁ କୋଚିଆ ଭଳି ମୋଡ଼ିମାଡ଼ି ଆଣି ତଳେ ଲଗାଇ ଦେଉଛି ସେତେବେଳେ ପକ୍ଷୀଶାବକମାନେ ଭୟପାଇ କିଚିରି ମିଚିରି ଶବ୍ଦ କରି ମା’ କୋଳରେ ପଶି ଯାଉଛନ୍ତି । ତୁହାକୁ ତୁହା ବିଜୁଳି ଆଲୋକରେ ଆଖପାଖ ଗାଁ ଓ ବିଲମାଳ କେତେବେଳେ କେମିତି ଟିକିଏ ଟିକିଏ ଦେଖାଯାଉଛି । ବରଷା ପାଣିରେ ଗହୀର ବୁଡ଼ିଗଲାଣି ।

 

ଚୁଲିରେ ଚୁଲିଏ ପାଣି । ଦି’ଫେଡ଼ା ଘସିଥିଲା ସକାଳୁ ଚା’ କପେ କରିବାକୁ । ବରଷା ପାଣିରେ ସିଏବି ତିନ୍ତି ସୁଡ଼ୁବୁଡ଼ୁ ହୋଇ ଯାଇଛି । ପଖାଳ ଗଣ୍ଡେବି ହାଣ୍ଡିରେ ନାହିଁ । ସବୁ ଦେଖି ଆସିଲା ଦାଶିଆକା । ତା’ ପକ୍ଷେ ଇଏ ନଥିଲା ନୂଆ କଥା । ସବୁଦିନ ତ ଏଇପରି । କାହିଁକି ସେ ମନରେ ଦୁଃଖ କରିବ । ଅନେଇ ଦେଲେ ଆକାଶକୁ । ମେଘଟା ଟିକିଏ ଥମିଗଲାଣି । ଆକାଶ ପରିଷ୍କାର ଦେଖା ଯାଉଛି । ମେଘମାନେ ବାଡ଼ିଆପିଟା ହୋଇ ବରୁଣେଇ ପାହାଡ଼ ଆଡ଼େ ଧାଇଁଛନ୍ତି-। ଦାଶିଆକା ଭାବିଲା ଏ ହେଉଛି ଧାନର ପ୍ରକୃତ ବେଉଷଣ ସମୟ । ଚଷାପୁଅ ଏ ସୁଯୋଗ ଛାଡ଼ିଲେ ପାଇବ ନାହିଁ ।

 

ଘର ଭିତରେ ପଶିଲା । ଘର ଅଛପର ଯୋଗୁଁ ପୂରୁବପଟ କାନ୍ଥରେ ପାଣି ପଡ଼ି ଦୁଲଦାଲ ହୋଇ କାନ୍ଥ ଛିଡ଼ୁଛି । ଅନେଇଲା ଘଡ଼ିଏ । ଆଖିରୁ ଗଡ଼ି ପଡ଼ିଲା ଦୁଇଟୋପା ଲୁହ । ଲୁହକୁ ବାଁ ହାତରେ ପୋଛି ଦେଇ, ଡାହାଣ ହାତରେ କାନ୍ଥ ଖୁରାରୁ ଆଣିଲା ଦୋକତା କରାଟ-। ଟିକିଏ ଦୋକତା ଟିପରେ ଦଳି ପାଟିରେ ପକେଇ ଦେଇ କରାଟକୁ ଖୋସିଲା ଅଣ୍ଟାରେ-

 

ମୁଣ୍ଡରେ ଜବର ଠେକା । ଦି’ମାସ ତଳେ ଖୋରଧା ଗଣପତି ଦୋକାନରୁ କିଣି ଆଣିଥିଲା ପାଞ୍ଚହାତି ଗାମୁଛା ହଳେ । ସେଇଆକୁ ଧୋଇ ଶୁଖେଇ ପିନ୍ଧୁଛି । ଖଣ୍ଡେ ପିନ୍ଧୁଛି ଖଣ୍ଡେ ମୁଣ୍ଡରେ ଭିଡ଼ୁଛି । ପିଲାକବିଲା କେହି ନାହାନ୍ତି ଏକାଏକା ।

 

ଗାଁଯାକର କକା ଦାଶିଆକା । ଟୋକାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଡାକନ୍ତି କକା । ଯାହା ବାପ ଡାକେ କକା, ତା’ ପୁଅ ଡାକେ କକା, ତା’ ନାତିବି ଡାକେ କକା । ଦାଶିଆକାର ଯୁଆନ ସମୟରେ ନେତି ଖୁଡ଼ୀ ହାତ ଧରି ବାହା ହୋଇଥିଲା । ସେତେବେଳକୁ ବୟସମାତ୍ର କୋଡ଼ିଏ । ନେତିଖୁଡ଼ୀକୁ ଷୋହଳ । ବାପ ମା’ ବଡ଼ ଗେଲବସରରେ ପୁଅକୁ ବାହା କରିଥିଲେ ନେତି ସାଙ୍ଗରେ-। ହେଲେ କ’ଣ ହେବ ଦଇବ କ’ଣ ସମ୍ଭାଳିଲା ? ଦାଶିଆକାର ସବୁ ସୁଖଶରଧାକୁ ପୋଡ଼ିଜାଳି ପାଉଁଶ କରିଦେଲା । ବଂଶ ବୁଡ଼ିଗଲା । ଖାଲି ଦାଶିଆକାର ନୁହେଁ ଆହୁରି ଅନେକ ଲୋକଙ୍କର-

ଗାଁଟାସାରା ହାଲହୁଲଳି ପଡ଼ିଗଲା । ତାଟିକବାଟ ଦେଇ ଲୋକେ ଘରେ ପଶିଲେ । କେହି ବାହାରକୁ ବାହାରିଲେ ନାହିଁ । ଲୋକମାନଙ୍କର ଅନ୍ଧବିଶ୍ୱାସ ମା’ ଠାକୁରାଣୀ ବିଜେ କରିଛନ୍ତି-। ତା’ କାଳସୀକୁ ସପନେଇ କହିଛି ତାକୁ କାହିଁକି ବୋଦା ବଳି ଦେଲନି, ପଣା ଦେଲନି, ତେଣୁ ସେ ଗାଁରୁ ଛ’କୋଡ଼ି ମୁଣ୍ଡ ନ ନେଲେ ଛାଡ଼ିବ ନାହିଁ ।

ମାଛି ଭାରି ବଦମାସ ।

ଗାଁରେ ଏକୁଟିଆ ପତିଆ ପରିଡ଼ାକୁ ହଇଜା ଧରିଥିଲା । ମା’ ଠାକୁରାଣୀ ବୁଢ଼ୀ ବିଜେ କରିଛନ୍ତି ବୋଲି ଲୋକେ ଧୂପ, ଦୀପ, ପଣାରେ ଠାକୁରଙ୍କ ଆସ୍ଥାନ ପୋତି ପକାଇଲେ । ସଂକୀର୍ତ୍ତନ ନଦିଆରେ ଗାଁ ଭୂଇଁ କମ୍ପି ଉଠିଲା । ଓଡ଼ିଆରେ ଗୋଟିଏ କଥନ ଅଛି, “କିଏ ବା ଅଛି କେଉଁମତେ, ତାହା ମୁଁ ଜାଣିବି କେମତେ ।” ଗାଁ ଲୋକେ ଚାଲିଲେ ଗୋଟାଏ ବାଟରେ । ମାଛି ଚାଲିଲା ତା’ ବାଟରେ । ହଇଜା ରୋଗୀର ମଳରେ ବସି ହଇଜା ଜୀବାଣୁ ବହନ କରି ଘରେ ଘରେ ନେଇ ବୀଜ ବୁଣିଦେଲା । ସତକୁସତ ଦୁଇଦିନ ମଧ୍ୟରେ ଗାଁରୁ ଛ’କୋଡ଼ି ମୁଣ୍ଡ ଅକାଳରେ କୋଳି ଗଛରୁ ଫୋପାଡ଼ ମାରି କୋଳି ଝାଡ଼ିଲା ପରି ଝଡ଼ି ପଡ଼ିଲା । ସ୍ଵାମୀ, ପୁତ୍ରକୁ ହରାଇ କାହା ଆଖିରୁ ଲୋତକର ବାରିଧାରା ଅହରହ ଗଡ଼ିଲାତ କିଏ ବାପ, ମା’ ସ୍ତ୍ରୀକୁ ହରାଇ ମନସ୍ତାପରେ କାଳ କଟେଇଲେ । ଏହି ଭେଦାରେ ପଡ଼ିଗଲା ଦାଶିଆକା । ଦାଶିଆକା ତା’ ଆତ୍ମୀୟସ୍ଵଜନଙ୍କୁ ହରାଇ ଏକୁଟିଆ ରହିଲା । କୁଳରେ ପାଣି ଦେବାକୁ ତା’ର କେହି ଜଣେ ରହିଲେ ନାହିଁ ।

ସେଇଦିନଠୁ ସେ ବିପତ୍ନୀକ । ବହୁତ ଲୋକ କହିଛନ୍ତି ତାକୁ ପୁନର୍ବିବାହ କରିବାକୁ । କିନ୍ତୁ ସେ ମନାକରି କୁହେ, ଆଜିକାଲି ଦୁନିଆରେ କିଏ କାହାର ? ମିଛ ମାୟା ସଂସାର । ଯାହାକୁ ତ ଶଙ୍ଖା ସିନ୍ଦୂର ଦେଇ ପହିଲି ପାଳି ବାହା ହୋଇଥିଲି ସେତ ମୋର ହେଲାନି । ଆଉ ବାହା ହୋଇ କି ଲାଭ ? ପୋଡ଼ା ତିଉଣରେ ଆଉ କି ସୁଆଦ ଥାଏ ?

ସୁଦ୍ଧିକ୍ରିୟା ସାରି ଏକୁଟିଆ ଏକୁଟିଆ କିଛିଦିନ କଟାଇ ଦେବା ପରେ ଦିନେ ଦାଶିଆକା ଅନାଇଲା ତା’ର ବୃଶାଳ ବୃଶାଳ ଦୁଇ ବାହୁକୁ । ଭାବିଲା ଏ ସମ୍ପତ୍ତି ଥାଇ କ’ଣ ହେବ ? କିଏ ଖାଇବ ? ପରୋପକାର ସ୍ୱର୍ଗୀୟା । ଚାରିବାହା ଭଲ ତ ସବୁ ଭଲ । ସେଇଦିନ ସବୁ ସମ୍ପତ୍ତି ଗାଁ ସ୍କୁଲ୍‍ପାଇଁ ଦାନ କରି ଦେଇଥିଲା । କୋଠିରେ ଯାହାସବୁ ଧାନ ଥିଲା ବିକିବାକି ଶିବ ମନ୍ଦିର ମରାମତି କରିଦେଲା । ତିନିପୁରୁଷର ସମ୍ପତ୍ତି କେତୁଟା ଘଣ୍ଟା ଭିତରେ ଏପଟ ସେପଟ ହେଇଗଲା । ଦାଶିଆକା କାନ୍ଧରୁ ଲକ୍ଷ୍ମୀ ଛାଡ଼ିଗଲେ । ଶେଷକୁ ମାଣ ପେଡ଼ିବି ରହିଲା ନାହିଁ ।

ଦାଶିଆକା ମାଟିରେ ମାଟି ହୋଇ ହରି ମିଶ୍ରଙ୍କର ନାଗୁଆ ପାଇଟିଆଳ ହୋଇ ପେଟ ପୋଷିଲା । ଦିନକୁ ତିନିଟଙ୍କା ମଜୁରୀ । ଦି’ଟଙ୍କାରେ ତେଲ, ଲୁଣ, ଚାଉଳ, ପରିବା କିଣି ଖାଇପିଇ ସୁସା । ଟଙ୍କାଟେ ବଳେ । ସେ ଟଙ୍କାଟିକୁ ଦାଶିଆକା ଛୋଟ ଛୋଟପିଲାଙ୍କ ପିଛା ଖର୍ଚ୍ଚ କରିଦିଏ ।

 

ଚାରିହାତିଆ ମରଦ, ଯୁଆନ ସମୟରେ ଭୁଆସୁଣୀ ଝିଅମାନେ ଆଖିଟେକି ଚାହିଁ ପାରନ୍ତି ନାହିଁ । ଟିକିଏ କଣେଇ ଚାହିଁ ଆଡ଼ଲୁଚା ଦିଅନ୍ତି । ସମସ୍ତେ ନିଜର ବୋଲି ଭାବନ୍ତି । ଓଷା ପରବରେ ସମସ୍ତଙ୍କ ଘରେ ସେ କୁଣିଆ । ଯାହା ଘରକୁ ସେ ନ ଯାଏଁ, ତା’ର ଏଡ଼େ ମୁହଁ । ସକାଳୁ ଦାଶିଆକାକୁ ଦେଖିଲେ କହନ୍ତି–ଦାଶିଆକା ଆମ ଉପରେ ଅଭିମାନ କରିଛି । ଆମ ଘରକୁ କାହିଁକି ଆସିବ ?

 

ଦାଶିଆକା କଥାକୁ ବାଆଁରେଇ ଦେଇ ସମାଧାନ କରିଦିଏ । ମୁହଁରେ ମନଫୁଲାଣିଆ ହସଟାଏ ହସି ଦେଇ କହେ–ଆଲୋ ଝିଆରୀ ! କହିଲୁ ଦେଖି ତୁମ ବିନା ଦାଶିଆକାର ଏ ସଂସାରରେ କିଏ ଅଛି ? କାହାକୁ ନେଇ ସେ ତୁମ ଉପରେ ଅଭିମାନ କରିବ ? ତୁମ ନିଆଁଲୁଣ୍ଡାକୁ ପରା ମୋର ଆଶା । ତୁମ ଦୁଃଖରେ ଦୁଃଖୀ, ତୁମ ସୁଖରେ ସୁଖୀ ମୁଁ ।

 

ତୁମେ ମୋତେ ପଚାରି ନପାର । ମୋର କେହି ନାହାନ୍ତି । କିଛି ନାହିଁ, ମୁଁ ତୁମକୁ ନ ପଚାରି ଚଳି ପାରିବି ତ ? ମୋତେ ଠାବ ମିଳିବ ତ ?

 

ବରଷା ଥମି ଆସିଲା । ଦାଣ୍ଡଦୁଆର ବାରଣ୍ଡାରେ ଛିଡ଼ା ହୋଇ ଦାଶିଆକା ରଡ଼ି ଛାଡ଼ିଲା, ଆରେ ନବଘନ, ସୁନିଆ, ମାନିଆ । କାହିଁ ଘରେ ପଶିଛ କିରେ ? ତୁମେ ଚଷା ପିଲାଟି ? ଚଷା ପିଲା ହୋଇ ଘରେ ପଶିଛ ? ଏ ପାଗ ଛାଡ଼ିଲେ ଆଉ ତୁମକୁ ବେଉଷଣ ପାଗ ମିଳିବଟି ? ଦେଖୁଛ ମେଘର ଘର ନାହିଁ । କେତେବେଳେ କୋଉ କଥା । ମେଘ ଛାଡ଼ିଗଲେ ଆମ ଅବସ୍ଥା କହିଲେ ସରିବ ନାହିଁ । ଚାହାଳିକି ତ ଗଲନି । ସ୍କୁଲ୍‍ ଦୁଆର ମାଡ଼ିଲନି । ଭଲମନ୍ଦ ପାଞ୍ଚଲୋକଙ୍କ ପାଖରେ ତ ବସିଲ ନାହିଁ । କଥା ଜାଣିବ କୁଆଡ଼ୁ ? କଥାରେ ପରା କହିଛି, ‘‘ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚଷା ହୁଡ଼ିଲେ ବରଷେ’’ । କଥାକୁ ସିନା ଜ୍ଞାନ କଲେ ହୁଅନ୍ତା । ସବୁ ତ ଦଇବ ଜଳାରେ ପଶି ଭଣ୍ଡାରୀ ଜଳାରେ ବାହାରି ଯାଉଛି । ମଣିଷ ପିଲା ଜାଣିବେ କୁଆଡ଼ୁ ?

 

କେଳାର ପଦ୍ମତୋଳା ଶୁଣି ସାପମାନେ ଗାତରୁ ଖଡ଼ଖାଡ଼ ବାହାରି ପଡ଼ିଲା ପରି ଦାଶିଆକାର ପାଟିରେ ନବଘନ, ମାନିଆ, ସୁନିଆ, ସଦେଇ ଇତ୍ୟାଦି ଗାଁ ଗୋଟାକର ଚାଷୀପୁଅମାନେ ଗୋଜିଲଙ୍ଗଳ, ମହିକୁ ନାଠିଆ ଉପରୁ କାଢ଼ି ଲଣ୍ଡା ବଉଳା ବେକରେ ଯୁଆଳି ଯୋଚି ବାହାରି ପଡ଼ିଲେ ଧାନ ବେଉଷଣ କରିବାକୁ । ହହ ଡିଡ଼ି ଗହୀରସାରା । ଲଙ୍ଗଳମରା ମହିଦିଆ ଧମାଧମ୍ ଚାଲିଛି । ଦାଶିଆକା ପାଟିରେ ଗହୀର ଫାଟି ପଡ଼ୁଥାଏ–

 

ରାମତ ବିଭାକାଳେରେ ଲକ୍ଷ୍ମଣ ବରଯାତ୍ରୀ,

କନକ ବେଦୀ ତଳେରେ ଟାଣିତ ଦେଲେ ଛତି ।

ଛତି ତ ଚାରିପଟରେ ମୁକୁତା ଟୋପି ଟୋପି,

ଆହା...ହା ମୋ ବଉଳାଲୋ ।

 

ଅନବରତ ଗାଇ ଚାଲିଛି ହଳୁଆ ଗୀତ । ମହି ଉପରେ ଛିଡ଼ା ହୋଇଛି ଦାଶିଆକା । ଚିତାଏ ଲେଖା ଉଚ୍ଚର ଦାମୁଡ଼ା ଦାମୁଡ଼ା ବଳଦ ଯୋଡ଼ାକ ମାଟିକି ଦି’ଭାଗ କରି କାଦୁଅରେ ମାଡ଼ି ଚାଲିଛନ୍ତି ଆଗକୁ ଆଗକୁ । ସେଠାରେ ପହଞ୍ଚି କଣା ବୁରୁନ୍ଦା ଦାଶିଆକାକୁ କହିଲା, ରାଣ୍ଡୀପିଲାର ଚାତୁରୀ ଦେଖ । ପର ପୋଇତିରେ ପୋଇତି, ଯଶୋଦା ବଡ଼ ଭାଗ୍ୟବତୀ । ହଉରେ ଦାଶିଆକା ତୁଅର ଆଜି କ’ଣ ହୋଇଛି କିରେ ? କ’ଣ ଆନନ୍ଦରେ ଫାଟି ପଡ଼ୁଛୁ । କୁଆଡ଼ୁ କିଛି ପାଇଲୁ କି ? କ’ଣ ବୁରୁନ୍ଦା କଥାଶୁଣି ଦାଶୀଆକା’ କହିଲା, କ’ଣ ପାଇବି କିରେ ବୁରୁନ୍ଦା ? ପାଇଲେ କେତେ ନପାଇଲେ କେତେ ? ପାଇଲେ ତୁମରିମାନଙ୍କ ପାଇଁ ପାଇବି, ନପାଇଲେ ଚିନ୍ତା ନାହିଁ । ତୁମ ପରି ମୁଅହାଣ୍ଡିତ ମାଙ୍କଡ଼ ଚିତ୍ତି ମାରୁନି ।

 

ହଁ ଦାଶିଆକା, କଥାଟା ସତ ଯେ ତୁଅହାଣ୍ଡି ମାଙ୍କଡ଼ ଚିତ୍ତି ମାରୁନାହିଁ, ହେଲେ କୋଠିରୁ ଧାନ କାଢ଼ି ଗଉଣିରେ ମାପି ଦେଲାଭଳି ଦିନକେ ବେଉଷଣ କାମ ସାରି ଦେବାକୁ କାଉଳା କାହିଁକି-? ଆରେ ଏଇ ବିଲରେ ପରା ଗଲାବର୍ଷ ସାତଜଣ ମଜୁରିଆ ପକାଇ ବିଲ ବେଉଷଣ କରିଥିଲି-। ତୁ ଏଡ଼େ କାଢ଼ୁଆ ହଳିଆ ବାହାରି ପଡ଼ିଲ ଯେ ଆଜି ସାରିଦେଇ ପଳାଇବୁ ? ହଉ ହଉ ଯାହା କରିବାର ତ କରି ସାରିଲୁଣି ବଳଦ ଫିଟା ଘରକୁ ଯିବା ।

 

ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳପାଇଁ । କିମିତିକା ତମକୁ ଧରମ ସହୁଛି କିରେ-? ପରଧନକୁ ଲୁଟିକରି ନବାପାଇଁ । ଏଇଆ କରିତ ଆଖିରେ ପରଳ ମାଡ଼ିଗଲା, ଜଣାହେଲୁ, ପୁଣି ପରଧନରୁ ମନ ଛାଡ଼ୁନି । ହରି ମିଶ୍ରର, କଉଡ଼ିରେ କ’ଣ ସନ ନାହିଁ ? ସେ କ’ଣ କୁଆଡ଼ୁ ମୋଫତ୍‍ ଧନ ପାଇ ତୁମକୁ ଗଉଣି କରି ମାପି ଦଉଛି ।

 

ବୁଝି ବୁଝି କହିଲା ସୈନ୍ଧବ ଲବଣ । ଦେଉଳରେ କିଏ ନା ମୁଁ କଦଳୀ ଖାଇନି । ତୁ ତ କାଲିକା ଯୋଗୀ ନାମ ପାଇନୁ । ଧର୍ମ ଚରଚା କରୁଛୁ କାହିଁକି ? କଥାରେ ପରା ଅଛି, ଅଧର୍ମବିତ ବଢ଼େ ବହୁତ, ଗଲାବେଳେ ଯାଏଁ ମୂଳ ସହିତ । ହରି ମିଶ୍ର ଯେଉଁ ଅନିଆ କରି ଧନ ରୋଜଗାର କରୁଛି ସେ ଧନ କାହାପାଇଁ । ଭୂତ ଚିରଗୁଣୀ ନହେଲେ ଆମପାଇଁ । ମାରିଲା ଘରେ ଭୂତ ନାହିଁ । ଏ ସାଧୁ ରୂପ ଛାଡ଼ି କିଛି ଧନ ରୋଜଗାର କରିବାର ପନ୍ଥା ଧରେ ନହେଲେ ବେଳରେ ଭାବୁଥିବୁ । ସେତେବେଳକୁ ଲେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିବ ।

 

ହଁରେ ବାପ । କଳିକାଳରେ ଉଜୁତି ଆଉ କାହାର ହେବ ? ଯେ ଅନ୍ୟାୟ କରିବ ତୋ’ର ନ ହୋଇ କ’ଣ ମୋର ହେବ ? ତୁ ଗୋଟାଏ ମଜୁରିଆ ସ୍ଥାନରେ ସାତୁଟା ମଜୁରିଆ ଲଗାଉଛୁ ବୋଲି ଆଜି ପର୍ଯ୍ୟନ୍ତ ହରିମିଶ୍ରଙ୍କ ଘରେ ନାଗୁଆ ପାଇଟିଆଳ ହୋଇ ରହିଅଛୁ । ଆମେ ହାଡ଼ ଭାଙ୍ଗି ଖଟୁଛୁ ବୋଲି ମିଶ୍ରେ ତିନିଥର ତାଗିଦ କରି ସାରିଲେଣି । ଅବୁଝାମଣା ରାଇଜକୁ ପାଳଚୁଣ୍ଟା ମନ୍ତ୍ରୀ । ମିଶ୍ରେ ଯେପରି ତା’ ନାଗୁଆ ପାଇଟିଆଳ କଣାବୁରୁନ୍ଦା ସେପରି । ଏ ଯୁଗ ପରା ଖରାପ । ଧର୍ମ ଥିଲା ଲୋକର ବଡ଼ପୁଅ ଆଗେ ମରିବ ।

 

ହେ ହେ ଦାଶିଆକା, ତୁଅ ମୁହଁତ ବହପି ଗଲାଣି । ନକହି ନକହି କେଡ଼େକଥା କହିଗଲାଣୁ । କଣା ବୁରୁନ୍ଦା କ’ଣରେ ? ତୋ ବୋପାର ମୁଁ ଖାଏନା ଧାରେ । କିଏ ଜାଣିନାହିଁ ମୁଁ କଣା ବୋଲି । ମୋ ଭାଗ୍ୟରେ ଥିଲା ମୁଁ ଭୋଗୁଛି । ତୋତେ କାହିଁକି ଏତେ ବାଧୁଛି । ଆଉ ଦିନେ କଣାବୁରୁନ୍ଦା କହିଲେ, ସେଇଦିନ ମୋତେ ଚିହ୍ନିବୁ ।

 

ମୁଁ ଆସିଲା ଦିନଠୁ ତୋତେ ଚିହ୍ନିଛି । ତୁଅ ରୂପ, ଚେହେରା ଓ ଆଖିକୁ ଦେଖୁଦେଖୁ ମୋର ମନେ ପଡ଼ିଯାଏ ନୀତି ବାକ୍ୟରୁ ପଦେ–

 

“ମୁରୁକି ହସା, ମାଗୁର ନିଶା,

ହିଆରେ ନଥାଏ ବାଳ ।

ଏକ ଆଖିଆକୁ ପରତେ ନଯିବ,

ଜିଇଥିବ ଯେତେକାଳ ।”

 

ସେଦିନ ଆଖି ହଳକ ମୋର ତୁଅ ଦିହମୁଣ୍ଡ ସର୍ବାଙ୍ଗ ଶରୀରକୁ ଦର୍ଶନ କରିସାରିବା ପରେ, ମୋ ମସ୍ତିଷ୍କକୁ ଜଣାଇ ଦେଲା, ଏ ହେଉଛି ଗୋଟିଏ ବିଷବୃକ୍ଷର ଫଳ । ବୃକ୍ଷରୁ ଏ ଫଳକୁ ତୋଳିବା ପୂର୍ବରୁ ଭାବିଚିନ୍ତି ତୋଳିବ । ନହେଲେ ଅଖା ଧୋଉଥିବ, ଗୁଣ ଗାଉଥିବ । ଭାତହାଣ୍ଡିରୁ ଗୋଟାଏ ଭାତ ଚିପିଲେ ହାଣ୍ଡିଏଯାକର ଭାତ ହେବା ନ ହେବା ଜାଣି ହୋଇଯିବ । ବାଗବାଇଶରୁ ଯାହା ଜାଣିଲାଣି କେତେବେଳେ ହରମିଶ୍ରଙ୍କ ଦିଅଁଙ୍କୁ ଖାଇ ଖଟୁଲି ଖାଇଦେବୁ । କାଲି ପରା ତୁଅ ବୋପା ମୋ ଘରେ ମୂଲ ଲାଗୁଥିଲା । ତୁ ପରା କେତେଥର ଯାଇ ମୋ ହାତରୁ ମଜୁରୀ ଆଣିଛୁ । କ’ଣ ଇନ୍ଦ୍ର ପାଲଟି ଗଲୁଣି କି ହରିମିଶ୍ର ଘର ପେଜ ଖାଇ । ହଇରେ ଡରିବି କାହିଁକି ହକ୍ କଥା କହିବାକୁ । ବେକ କଟିଯାଉ । ଜୀବନ ଚାଲିଯାଉ । କଥାହିଁ କଥା । ମୋ ବୋପା ଶିଖାଇ ନାହିଁ କି କହିଯାଇନି କାହା ଧନ ଉପରେ ଆଖି ପକାଇବାକୁ । କହିଯାଇନି କାହାର ଖୋସାମତଗିରି କରିବାକୁ । ମୁଁ ବାଘର ପିଲା ବାଘ । ବିଲୁଆ ପରି ହେବି କାହିଁକି ? ତୋତେ କଣା ବୁରୁନ୍ଦା ନ କହି କହିବି ଭଲ ବୁରୁନ୍ଦା ? ତୁ କିଏକି ? ଜିଲା ମାଜିଷ୍ଟ୍ରେଟ ? ଅଦାଲତ ମୋ କୋଟ୍‍ର ଜଜ୍ । ଆମ ରାଜ୍ୟର ଲାଟ । ଯା ଯା ତୋ ସାଆନ୍ତଙ୍କୁ ତୋ ଜାଲିଆତି ଦେଖାଇଲେ ସେ ତୋତେ ଭୟ କରିବ । ଜାଲିଆତି ଜାଲ ପକାଇ ଧରିନେବୁ ତାକୁ । ମୋ ଆଗରେ ସେଗୁରା ଦେଖାଇଲେ ମୁଥମାରି ଦାନ୍ତ ଭାଙ୍ଗିଦେବି । କୋଉ ବୋପାଶଳା ପିଠିରେ ପଡ଼ିବ ଦେଖିବି ?

 

କଙ୍କଡ଼ାବିଛା କାମୁଡ଼ିଲା ପରି ଦାଶିଆକାର ବାକ୍ୟଗୁଡ଼ିକ କଣା ବୁରୁନ୍ଦା ମରମକୁ ବିନ୍ଧି ପକାଇଲା । ରାଗରେ ଜଳିଗଲା ଦେହମୁଣ୍ଡ । ମନର ରାଗ ମନରେ ରଖି ଯାକିଯୁକି ହୋଇ ରହିଲା-। ମନରେ ଶାନ୍ତି ନଥାଏ । ଦାଶିଆକା’ ପ୍ରତି କଣା ବୁରୁନ୍ଦା ହୃଦୟରେ ଅଶାନ୍ତିର ବହ୍ନି କୁହୁଳି କୁହୁଳି ଭୀଷଣ ଆକାର ଧାରଣ କଲା । ଯେପରି ଗଛକୁ ଗଛ ଘସି ହୋଇ ଅଗ୍ନିର ଉଦ୍ଭବ ହୁଏ-। ସେହି ଅଗ୍ନିରେ ଶୁଖିଲା ପତ୍ର ଓ ଛୋଟ ଛୋଟ କାଠକୁଟାରେ ଲାଗି ଲାଗି ସାରା ଜଙ୍ଗଲକୁ ଜାଳି ନଷ୍ଟଭ୍ରଷ୍ଟ କରିଦିଏ । ଠିକ୍ ସେହିପରି କଣାବୁରୁନ୍ଦା ହୃଦୟରେ ରାଗର ଜମାଟି ବାନ୍ଧି ହୋଇ ରହିଲା, ସୁଯୋଗ ପାଇଲେ ତାହାର ସଦୁପଯୋଗ କରିବାକୁ ।

 

ଦାଶିଆକା’ ରାଜାର ପରଜା ନୁହେଁ କି ସାହୁର ଖାତକ ନୁହେଁ । ପାପର ଧାର ଧାରେନି କି ଦେଉଳକୁ ଯାଇ ଦିଅଁଦେବତାଙ୍କୁ ପୂଜାକରି ଧରମ ଅର୍ଜନ କରେନି । ସେ ଜାଣେ ନିଜ ଦେହରେ ଦୁଇଟି ଦେବତା ଅଛନ୍ତି । ତାଙ୍କୁ ପୂଜି ନିଜ ଆୟତ୍ତରେ ରଖି ପାରିଲେ ଦୁନିଆରେ ଯେତେ ଅସାଧ୍ୟ କାର୍ଯ୍ୟ ଥିଲେ ମଧ୍ୟ ସାଧ୍ୟ କରିପାରିବ । ଗୋଟିଏ ହେଲା ମନ, ଅନ୍ୟଟି ହେଲା ବିବେକ । ବିବେକ ହେଲା ମନୁଷ୍ୟର ପରମ ମିତ । ଘୋଡ଼ାର ଲଗାମ ଧରି ଘୋଡ଼ା ସଇସ ଘୋଡ଼ାକୁ ଠିକ୍ ବାଟରେ ନେଲା ପରି, ବିବେକ ମନର ଲଗାମକୁ ଧରି ମନୁଷ୍ୟକୁ ପ୍ରକୃତ ପଥରେ ଅଗ୍ରସର କରାଏ । ଯେଉଁଦିନ ଯେଉଁ ମୁହୂର୍ତ୍ତରେ ବିବେକ ଟିକିଏ କୋହଳ କରିଦିଏ ମନର ଲଗାମକୁ ସେତେବେଳେ ମନ, ମନୁଷ୍ୟକୁ କରିଦିଏ ବିପଥଗାମୀ । ମନୁଷ୍ୟ ଜ୍ଞାନ ହରାଏ । ବୁଦ୍ଧି ଶୂନ୍ୟ ହୁଏ; ପାପ ଅର୍ଜନ କରି ଅହି ନର୍କରେ ପଡ଼େ ।

 

ମନରେ ହଜାର ପାପକୁ ଆଶ୍ରୟ ଦେଇ ଗଙ୍ଗାରେ ସ୍ନାନ କରି ସବୁତୀର୍ଥ ବୁଲି ପାପ ଛଡ଼ାଇଲେ ସେ ପାପ କେବେ ଲିଭି ଯାଏନି । ମନର ପାପ ମନକୁ ସନ୍ତୁଳି ଖାଇପକାଏ । ସେଇଥିପାଇଁ ଦାଶିଆକା ବିରାଡ଼ି ବୈଷ୍ଣବମାନଙ୍କୁ କୁହେଁ; ‘ମନଜାଣେ ପାପ, ମାଆ ଜାଣେ ବାପ’ । ତୁମେ ମୁଣ୍ଡରେ ଚିତାକାଟି, ବେକରେ ତୁଳସୀ ମାଳ ପକାଇ ହରିନାମ ଜପିଲେ କ’ଣ ପାପଛାଡ଼ି ପଳାଇବ ? କେବେ ନୁହେଁ । ଟିକିଏ ନିରୋଳାରେ ବସି ମନକୁ ସ୍ଥିର କରି ବିବେକକୁ କୁହ ମନକୁ ପଚାରିବ, ଦିନରେ ଧର୍ମବକ ସାଜି ରାତିରେ କେତେ ନାରୀଙ୍କୁ ବିପଥଗାମୀ କରାଇଛୁ, କେତେ ଲୋକଙ୍କ ଘରୁ ଧନ ଦରବ ଲୁଟି କରି ନେଇଛୁ ? ନିରାମିଷାଶୀ ଦୁନିଆ ଆଖିରେ ଚିହ୍ନା ଦେଇ ରାତି ବାରଟା ପରେ ମଦ ମାଉଁସ ଖାଇ ମାତାଲ ହୋଇଛୁ । ସବୁ ମିଛ, ଡାହାମିଛ । ମିଛର ଦ୍ଵାହି ଦେଇ ନିରୀହ ଲୋକଙ୍କ ରକ୍ତକୁ ପଳ ପଳ କରି ପିଇଛୁ । ଏଇଆ ତୁମର କାମ । ଏଇଆ ତୁମର ବେଉସା-। ଦିଅଁଦେବତାଙ୍କ ନାଁରେ ସଂସାରଟାକୁ ରସାତଳଗାମୀ କରି ସାରିଲଣି । ଦିଅଁଙ୍କୁ ମୁଣ୍ଡିଆ ମାରିବାକୁ ଆଗ । କିନ୍ତୁ ଦେଉଳ ତୋଳାକୁ ପଇସାଟିଏ ଦେବାକୁ ନାରାଜ । ଦିଅଁଙ୍କ ଯାନିଯାତ୍ରା ହେଲେ ପାଇକିଆ ଯାହାଦେବ, ମାଣିକିଆ ସେଇଆ ଦେବ ଓ ଦଶବାଟିଆବି ସେଇଆ ଦେବ । ଭୋଗବଣ୍ଟା ହେଲାବେଳକୁ ଦଶବାଟିଆର ଅଧିକ ଡାଲାଏ । ତା’ ପୁଅ ହାତରେ ହତାଏ, ଝିଅ ହାତରେ ହତାଏ, ପୁଣି ଅଣ୍ଟିରେ ଆଉ ଯାହାବଳେ । କିନ୍ତୁ ପାଇକିଆକୁ କିଏ ପଚାରେ ? ତା’ ଭାଗବି ପାଇବାକୁ ହକ୍‍ଦାର ହୁଏନି । ଭୋଗ ବଣ୍ଟାବେଳେ ପାଇକିଆ ପିଲା ଆଟୁମାଟି କରି ଢେଗା ଢେଗା ଆଖିରେ ଚାହୁଁଥିବାବେଳେ, ଦଶବାଟିଆର ପୁଅଝିଅ ଖାଉଥାନ୍ତି ଗାଉଁ ଗାଉଁ କରି । ଏହା କିପରି ନ ହେବ ? ତାଙ୍କର ସବୁ ଅଛି । ନାଁ ଚାରିଆଡ଼େ ପଡ଼ୁଛି । ଚାରିପାଖେ ଜଣାଶୁଣା । ଏମାନେ ତାଙ୍କର ମୂଲିଆ । ତାଙ୍କ ତୋରାଣି ପାଣିକୁ ଏମାନଙ୍କର ଆଶା । ଡାଳ ଭାଙ୍ଗିଲେ ମୂଳରେ ପଡ଼ିବ-। ଭଲ କରନ୍ତୁ କିମ୍ବା ମନ୍ଦ କରନ୍ତୁ କିଏ କହିବ ବଡ଼ବଡ଼ିଆଙ୍କୁ । ଅଗାଡ଼ି ମିଶା ଧାନ କରଜ ଦେଇ, ନେଲାବେଳକୁ ଧାନକୁ ଉଡ଼ାଇ ବଡ଼ ଗଉଣିରେ ମାପି ନିଅନ୍ତି । କେହି କହିବେ ନାହିଁ-। କାହାର ବହପ ହେବନି କହିବାକୁ । ସେ’ବା ନ ନେବେ କିପରି ? ଅସମୟରେ ଏମାନେ ତାଙ୍କ ଦୁଆରେ ପହଞ୍ଚିବେ । ଅଖା ପଟି ଧରି କାକୁତି ମିନତି ହେବେ । ସୁଧରେ ସୁଧ ନେଲେ କେତେ-। ଗଉଣିକେ ଗଉଣିଏ ନେଲେ କେତେ । ଆମ ସୁନାତ ଭେଣ୍ଡି । ଆମେ ଯଦି ଏକ ହୁଅନ୍ତୁ ଏତେକଥା କାହିଁକି ହୁଅନ୍ତା ?

 

ତିଥି ଚୈତ୍ରମାସ, ପଞ୍ଚମୀ । ଠାକୁରମାନେ ଖୁଣ୍ଠି ଲାଗି ହୋଇ ସାରିଛନ୍ତି । ରାତି ପାହିଲେ ଷଷ୍ଠୀ । କେତେକୁଆଡ଼ୁ ଲୋକ ଆସିବେ । ଦିଅଁଙ୍କୁ ମୁଣ୍ଡିଆ ମାରିବାଟା ହେଉ ବା ନ ହେଉ-। ଯାତରା ଦେଖିବାଟା ହେବ । ପଞ୍ଚୁଦୋଳକୁ ଯେତେ ଲୋକ ଦିଅଁଙ୍କୁ ଦେଖିବାକୁ ଆସନ୍ତି, ତା’ଠାରୁ ବେଶୀ ଲୋକ ଆସନ୍ତି ଯାତରା ଦେଖିବାକୁ ଯେଉଁଠି ଯାତରା ନାହିଁ ସେ କି ପଞ୍ଚୁଦୋଳ-। ସମସ୍ତଙ୍କ ମୁଣ୍ଡରେ ଚିନ୍ତା ଘାରିଲା । ଦାଶିଆକା’ବି ବାଦେ ଗଲାନି । ହରିମିଶ୍ରେ କାହିଁକି ଏପରି କଲେ-? ତାଙ୍କୁ ତ କେହି କିଛି କହି ନାହାନ୍ତି । ଗୋଟିଏ ଯୋଡ଼ିଏ କଉଡ଼ି ନୁହେଁ । ତିନିଶ ଟଙ୍କା । ସେଇ ଟଙ୍କାରେ ଭଲ ଯାତରା ଦଳ ହୋଇଯିବେ । ପ୍ରତିବର୍ଷତ ଆଠ ଦିନରୁ ଦେଇ ଦିଅନ୍ତି । ଏ ବର୍ଷ କ’ଣ ହେଲା-? ତୁଣ୍ଡକୁ ତୁଣ୍ଡ ହୋଇ କଥା ଗାଁସାରା ଖେଳିଗଲା । କେତେଜଣ ପଚାରିବାକୁ ଗଲେ ହରି ମିଶ୍ରଙ୍କୁ-। ଗାଁର ମୁଖିଆ ମୁଖିଆ ବ୍ୟକ୍ତିଙ୍କୁ ଦେଖିବା ପରେ ହରିମିଶ୍ରେ ମଧୁର ବଚନରେ ଆପ୍ୟାୟିତ କରି-। ବସିବାରୁ କହିଲେ । ନିଜେ ବସି ଢିଙ୍କିଶାଳଠାରୁ ଆରମ୍ଭକରି ଢେଙ୍କାନାଳ ପର୍ଯ୍ୟନ୍ତ ଗପିଗଲେ କିନ୍ତୁ କେହି ତାଙ୍କ କଥାକୁ ଶୁଣୁ ନଥାନ୍ତି । ଶେଷକୁ ଏମାନଙ୍କ ମଧ୍ୟରୁ ଜଣେ ତାଙ୍କ କଥାରେ ବାଧା ଦେଇ କହିଲେ, ଆଜ୍ଞା ! ଆମମାନଙ୍କ ଦୁଃଖ ଟିକିଏ ଶୁଣିଦେଲେ ଆମେମାନେ ଯିବୁ । କେତେ ଆଶାଭରସା ନେଇ ଆପଣଙ୍କ ପାଖକୁ ଆସିଛୁ । ଏମାନଙ୍କ ଆସିବାଟା ମିଶ୍ରଙ୍କୁ ବେଶ୍ ଜଣା-। ଛେପ ଢୋକି ଢୋକି କହିଲେ, କୁହ ! ବସିଛ କାହିଁକି ? ଯାହା କହିବାର କୁହ । ମୋ କରିବା ଆୟତ୍ତରେ ଥିଲେ ନିଶ୍ଚିତ କରିବି । ଗାଁରେ ଚାଳବାନ୍ଧି ପଡ଼ିଥାଏ । ତୁମେ ମୋ କାମ କରିବ । ମୁଁ ତୁମ କାମ କରିବି । ପରସ୍ପରକୁ ସାହାଯ୍ୟ ନ କଲେ କିପରି ଚଳିବା ? କୁହ ! ବସିଲ କାହିଁକି ?

 

ଘରସାରା ନୀରବର ରାଜୁତି ବିସ୍ତାର କଲା । କେହି କହିବାକୁ ସାହସ କଲେ ନାହିଁ । ପରସ୍ପର ପରସ୍ପରଙ୍କ ମୁହଁକୁ ଅନାଇଲେ । ନୀରବ ନୀରବରେ କିଛି ସମୟ କଟିଲା ପରେ ଜଣେ କହିଲେ, ଆଜ୍ଞା ! କଥାଟା କ’ଣ କି, ଆମେ ଆସିବାଟା ଆପଣତ ଜାଣିପାରୁଥିବେ । ଆପଣଙ୍କୁ ସବୁ ଗୋଚର । ରାତି ପାହିଲେ ଷଷ୍ଠୀ । ଯାତରା ବେଳ ଠିକ୍ ହେଲାନି । କିପରି କ’ଣ କରାଯିବ ?

 

ହରି ମିଶ୍ରେ ଭାବିଲେ, ମାଛ ଗଡ଼ି ଗଡ଼ି ଆସି ଗଡ଼ାଭିତରେ ପଶିଛନ୍ତି । ଏତିକିବେଳେ ଗଡ଼ା ମୁହଁକୁ ନବନ୍ଧାଇଲେ ହେବନି । ହେଳାକଲେ ଘେଉଡ଼ା ହୋଇଯିବେ । କାନ୍ଦୁଥିବ, ଯାହା ପାଉଥିବ ତାହା ବାନ୍ଧୁଥିବ । ଅତି ଲେମ୍ବୁ ଚିପୁଡ଼ିଲେ ପିତା । ପ୍ରଜାମେଳିକି ରଜା ମେଳି ପାଏନି । ଏମାନଙ୍କୁ ଏତିକିବେଳେ ମନ ମନାଇ ଛାଡ଼ିଦେବା ଉଚିତ ।

 

ମିଶ୍ରେ କିଛି ସମୟ ନୀରବ ରହିବା ଦେଖି ଜଣେ କହିଲେ, କ’ଣ ମିଶ୍ରେ ଆପଣେ ଆମ କଥା ବୁଝିବେ ନାହିଁ ? ଆମେ ଆପଣଙ୍କୁ କେତେ ଆଶା କରିଆସିଛୁ ।

 

ଆରେ କାହିଁକି ଆସିଛ କହୁନା । ଖାଲି ଆସିଛୁ । ଆମ କଥା ବୁଝ । କି କଥା ବୁଝିବି ତୁମର ? କୋଉ କଥା ତୁମର ନ ବୁଝିଛି । ଏପରିତ କିଛି ନାହିଁ । ଯେତେବେଳେ ଆସିଛ କୋଠିରୁ ଧାନ କାଢ଼ି ଦେଇଛି । ପେଡ଼ିରୁ ଟଙ୍କା କାଢ଼ି ଦେଇଛି । ନ ଦେଇଛି କ’ଣ ତୁମକୁ, ସବୁ ଦେଇଛି ।

 

ହଁ ଆଜ୍ଞା ! ସବୁ ଦେଇଛନ୍ତି । ଆମେ ଆସିଲୁ ଆମପାଇଁ । ଆମେ ଆସିଛୁ ଗ୍ରାମର ସମୂହ କାର୍ଯ୍ୟପାଇଁ । ଆପଣ ପ୍ରତିବର୍ଷ ଦେଉଥିବା ତିନିଶହ ଟଙ୍କାରେ ଗାଁ ମେଲଣ ସୁରୁଖୁରୁରେ ହୋଇଯାଏ । ଆପଣ ଏ ବର୍ଷ ଟଙ୍କା ବନ୍ଦ କରିଦେଲେ । ଟଙ୍କା ଅଭାବରୁ ଯାତରା ଦଳ ଆସି ପାରୁନାହାନ୍ତି । ବଡ଼ ସରମ କଥା ଇଏ । କେତେ ଆଡ଼ୁ କେତେ ଲୋକ ଯାତରା ଦେଖିବାକୁ ଆସିବେ । ସେମାନେ କ’ଣ କହିବେ ? ଶେଷରେ ତାଳିମାରି ଘରକୁ ଯିବେ । ଗାଁର ନିନ୍ଦା ହେବ । ତା’ ପରଦିନ ସକାଳୁ ଆମେ ମୁହଁ ଦେଖାଇ ଚାଲିପାରିବାନି ।

 

ଗରଜି ଉଠିଲେ ହରି ମିଶ୍ରେ ।

 

ଗଳାର ଶିରାପ୍ରଶିରା ଟାଣିହୋଇ ବାହାରକୁ ଦେଖାଗଲା । ଆଖିଲାଲ ହୋଇଗଲା । ଚଷମାଟିକୁ ଆଖିରୁ କାଢ଼ି ଗାରଢ଼େଇ ଚାହିଁ କହିଲେ, ହଇରେ ! ଆଜି ମେଲଣରେ ଅପେରା ପାର୍ଟିବାଲା ଗାଣ୍ଡି ନ ହଲେଇଲେ କାଲି ଗାଁକୁ ନିନ୍ଦାହୋଇଯିବ ଏ କଥା ଭାବି ପାରୁଚଟି ? ଟିକିଏ ଭାବି କହିଲ ମୋ ଟଙ୍କାର କ’ଣ ସନ ନାହିଁ ? ମୋ ଘରେ ସେଗୁରା ମୋଫତ୍ ଥୁଆହୋଇଛି ? ସବୁର କିଛି ମୂଲ୍ୟ ଥାଏ । ତୁମେତ ମୂଲ୍ୟ ଦେବାକୁ ନାରାଜ, ମୁଁ କାହିଁକି ଟଙ୍କା ଦେବି । ଯା ଯା ଯୋଉ ବୋପା ବୁଦ୍ଧିରେ ପଡ଼ି ମୋ ଭୋଗ ଡାଲାକ ଗଲାବର୍ଷ ବନ୍ଦ କରି ଦେଇଛି, ସେ ବୋପାଠାରୁ ଟଙ୍କା ନେବ । ଏଠାକୁ କାହିଁକି ପଳାଇ ଆସିଛ ? ଉଠ ମୋ ଘରୁ । ତୁମର କୌଣସି କଥା ଶୁଣିବାକୁ ମୁଁ ଚାହେଁନି । ଯା’ ଯା’ ଏଠୁ ଗଲ ।

 

ରାଗ ତମତମ ହୋଇ ହରି ମିଶ୍ରେ ଘର ଭିତରୁ ଉଠି ପଳାଇଲେ । ଏମାନେବି ଫେରି ଆସିଲେ । ମିଶ୍ରେ ଭାବିଥିଲେ ଏମାନେ ବୋଧେ ଆସିଛନ୍ତି କିଛି କରଜ ନେବାକୁ, କିନ୍ତୁ କଥାଟା ତା’ ନୁହେଁ ।

 

ମିଶ୍ରେ ରହିଲେ ଘରେ । ଗ୍ରାମବାସୀ ଝଡ଼ାପିଟା ଡକାଡ଼କି ହୋଇ ମେଲଣ ପଡ଼ିଆରେ ରାତିଅଧିଆ ବୈଠକ କଲେ । ବୈଠକରେ କିଏ କେତେ କଥା କହିଲେ । ଦଳେ ମିଶ୍ରଙ୍କୁ ସମର୍ଥନ କଲେତ ଦଳେ ମିଶ୍ରଙ୍କୁ ବିରୋଧ କଲେ । ଏହିପରି ବୁହେ ସମୟ ଭିଡ଼ାଓଟରା ପରେ ଦାଶିଆକା ଠିଆ ହୋଇ ଠିକ୍ ଠିକ୍ କଥା କେଇ ପଦ କହି ଦେଇ ବସିପଡ଼ିବା ପରେ ତା’ରି କଥାହିଁ ସାର ହେଲା-। ହରି ମିଶ୍ରେ ଭୋଗ ଡାଲାଏ ତ ପାଇବେ ନାହିଁ ତିନିଶହ ଟଙ୍କା ଦେବେ କାହିଁକି ? ଏହା ଠିକ୍-। ତାଙ୍କଠାରୁ ଟଙ୍କା ନ ଆଣି ମେଲଣ ପଡ଼ିଆରେ ଯେଉଁ ବ୍ୟବସାୟୀମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କଠାରୁ ପାଉଣା ଆଦାୟ କରାଯାଉ ! ଲାଗିପଡ଼ି ବ୍ୟବସାୟୀଙ୍କଠାରୁ ସେଇ ରାତିରେ ପାଖାପାଖି ହଜାରେ ଟଙ୍କା ଆଦାୟ ହୋଇଗଲା । ଦାଶିଆକା ମୁରବି ସାଜି ପଳାଇଲା ସାତଶଙ୍ଖ-। ଷଷ୍ଠୀ ଦିନ ସନ୍ଧ୍ୟା ନ ହେବା ପୂର୍ବରୁ ସାତଶଙ୍ଖ ଅପେରା ପାର୍ଟିକୁ ସାଙ୍ଗରେ ଧରି ଆସି ପହଞ୍ଚିଲା ଗାଁରେ । ସାତ ଶଙ୍ଖ ଅପେରା ପାର୍ଟି ଆସିବା ଶୁଣି ଆଖପାଖ ଗାଁମାନଙ୍କରୁ ଲୋକେ ଧାଡ଼ି ଲଗାଇଲେ ଜନ୍ଦାପିମ୍ପୁଡ଼ି ପରି । ମେଳଣ ପଡ଼ିଆରେ ଲୋକେ ଚୁଣ୍ଟି ହୋଇଗଲେ । କଡ଼ ଆଡ଼େଇ ହେଲାନି ।

 

ବାହାଘର ସରିଲେ ବେଦି ମୁହଁ ପୋଡ଼ା ।

 

ଯାତରା ସରିଲା ଯାହା ଘରେ ଯିଏ ରହିଲେ । ଶାଗୁଣା ଉଡ଼ିଲା ଦାଶିଆକା ମୁଣ୍ଡ ଉପରେ । ବାଜପକ୍ଷୀର ତୀକ୍ଷ୍ଣଦୃଷ୍ଟି ଲାଗି ରହିଲା ତା’ରିଠେଇ । ବାଗପଡ଼ିଲେ ଝାମ୍ପି ଉଡ଼େଇ ନେବ ଆକାଶ ମାର୍ଗକୁ । ତଣ୍ଟିକଣାକରି ରକ୍ତପିଇ ଫୋପାଡ଼ି ଦେବାକୁ ମହାସମୁଦ୍ର ବକ୍ଷରେ ।

 

କଣା ବୁରୁନ୍ଦାର କଚେପୁଅ ବାର । ଉଣ୍ଡି ବସିଥିଲା ସୁଯୋଗକୁ । ଠିକ୍ ବେଳରେ ନେଇ କଥା କେଇପଦ ଯୁଟେଇ ଦେଲା ମିଶ୍ରଙ୍କ କାନରେ । ମିଶ୍ରେ ଶୁଣି ନିଆଁବାଣ । ଠିକ୍ ଝୋଟରେ ଅଗ୍ନିସଂଯୋଗ ହେଲା ପରି, ପଡ଼ିଲେ ଉଠିଲେ । ମନ ତାଙ୍କର ଥୟ ଧରିଲାନି । ଘରର ଚାରିଆଡ଼େ ପଦଚାରଣ କରି ବୁଲୁ ବୁଲୁ ପଚାରିଲେ, ଆରେ ବୁରୁନ୍ଦା ! ତୁ ଯାହା କହୁଛୁ ସବୁ ସତତ ?

 

କି କଥା କହୁଛନ୍ତି ହଜୁର ! ଆପଣଙ୍କ ଦାନା ଖାଇ ପିଲାଦିନରୁ ପଡ଼ି ରହିଛି । ମିଛ କହିବି ? ପୁଣି ଆପଣଙ୍କ ଆଗରେ । ଏ ଜିଭ ମୋର ଲେଉଟିବ ମିଛ କହିବାକୁ ? ଆଜି ପର୍ଯ୍ୟନ୍ତ ତାକୁ ଚଳାଇ ଚଳାଇ ଆଣିଲି । ବହୁତଥର ତାଗିଦ କରିଛି ଦାଶିଆକା’କୁ ଏଥିରେ ମୁଣ୍ଡ ଭରତି ନ କରିବାକୁ । ସିଏ କ’ଣ ମୋ କଥା ମାନିଲା ? ସବୁବେଳେ ଖାଲି କହିଲା, ଧନୀ ଜମିଦାର କାହିଁ ରହିବେ ? ତାଙ୍କଠାରୁ ଜମି ଆଣି ମୂଲିଆମାନଙ୍କୁ ଦିଆଯାଉ । ଏଇପରି କେତେ କଥା । କିଏ କହୁଛି ମୁଁ କମ୍ୟୁନିଷ୍ଟ ହେବି । ଗରିବମାନଙ୍କ ଦୁଃଖ ଦୂର କରିବି । ଏଇ ରାଗରେ ଗଲା ବରଷ ବିଲଗୁରା କେମିତି ଚାଷ କଲା କେଜାଣି ସବୁ ବିଲରୁ ଅମଳ କମିଲା ।

 

ଠିକ୍ କହଛୁ ବୁରୁନ୍ଦା ! ଦାଶିଆକା କମ୍ୟୁନିଷ୍ଟ ହୋଇଛି । ଲାଲ ଧଣ୍ଡା ଆଣି ସେଇ ମୋ ଚାଳରେ ଖୋସିଛି । ରାଣ୍ଡୀ ପିଲାରତ କମ୍‌ ସାହାସ ନୁହେଁ । ମୋରି ଘରେ ମୂଲଲାଗି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର ।

 

ଦୁଃଖ ଆଉ ସୁଖ । ଦୁହେଁ ଦୁହିଁଙ୍କ ଠାରୁ ବହୁଦୂରରେ ଅବସ୍ଥିତ ଏବଂ ବିପରୀତ ଧର୍ମୀ । ମନୁଷ୍ୟ ସୁଖପାଇଁ ସର୍ବଦା ଆଶାବାଦୀ । ସୁଖକୁ ହାତମୁଠାରେ ରଖି ବିଳାସ ବାସନରେ ଦିନଗୁଡ଼ାକ ବିତାଇବାକୁ । କାହା ଭାଗ୍ୟରେ ଜୁଟେ ? କାହା ଭାଗ୍ୟରେ ଜୁଟେନି । କିଏ ପାଇ ନିଜର ଅପକର୍ମ ଯୋଗୁଁ ହରାଇ ବସେତ କିଏ ପାଇବାକୁ ଡହକବିକଳ ହୋଇ ବାଡ଼େଇ ଛାଟି ହୁଏ । କିନ୍ତୁ ଏହା ସୁଯୋଗ । କିଏ କେବେ ଚେଷ୍ଟାକରି ସୁଖକୁ ନିଜର କରିନି । ଏହି ସୁଯୋଗ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ ।

 

ବାହାବେଦୀରେ ଲକ୍ଷ୍ମୀବୋଉ ହାତ ଉପରେ ଲକ୍ଷ୍ମୀ ବାପାର ହାତ ଥୋଇ ବ୍ରାହ୍ମଣ ଶ୍ଳୋକ ପଢ଼ି ହାତଗଣ୍ଠି ପକାଇଲାବେଳେ ଲକ୍ଷ୍ମୀ ବୋଉର ମନ ଆନନ୍ଦ ସାଗରରେ ଭାସୁଥିଲା । ତା’ ଆଖିରୁ ବୋହି ପଡ଼ିଥିଲା ଦୁଇଧାର ଆନନ୍ଦାଶ୍ରୁ । ଆନନ୍ଦରେ ବିଭୋର ହୋଇ ବାପା ମାଆଙ୍କୁ ଭୁଲିଯାଇ ରହିଲା ଲକ୍ଷ୍ମୀ ବାପାଙ୍କ ପାଖରେ ।

 

ଡାକ୍ତର ନାରାୟଣ ମିଶ୍ର । କଟକ ବଡ଼ ଡାକ୍ତରଖାନାର ସିଭିଲ ସର୍ଜନ । ମାସକୁ ଦରମା ବାରଶହ ଟଙ୍କା । ବୟସମାତ୍ର ଛବିଶ । ବଳିଷ୍ଠ ଯୁବକ । ଗୋରା ତକତକ ଦେହକୁ ପରଜାପତିଆ ନିଶହଳକ ଭାରିମାନେ । ରାଜାପୁଅ ପରି ଚେହେରା । ଡାହାଣୀ ଦେଖିଲେ ଲୋଭାଇ ଯିବେ । ରୂପ ଯେପରି, ଗୁଣ ସେପରି । ରୋଗୀଙ୍କ ଦେହରେ ହାତ ଦେଇଦେଲେ ରୋଗ ଭଲ ଯାଏଁ । ମଣିଷ ନୁହଁନ୍ତି ସେ ସାକ୍ଷାତ ଦେବତା ।

 

ଭାଗ୍ୟକୁ ନେଇ ମଣିଷ ଖେଳ । ଭାଗ୍ୟ ଖରାପ ପଡ଼ିବାରୁ ନଳରାଜା ଘୋଡ଼ାପାଇଁ ଘାସ କାଟିଥିଲେ । ରାମଚନ୍ଦ୍ର ଚଉଦ ବରଷ ବନବାସ କରିଥିଲେ । ଦାନବୀର ହରିଶ୍ଚନ୍ଦ୍ର ଶ୍ମଶାନରେ ମଡ଼ା ଜଗିଥିଲେ ଦଇବ ସହିଲା ନାହିଁ l ବିଭାଘରର ଠିକ୍ ବର୍ଷକ ପରେ ନାରାୟଣବାବୁ ଅକାଳରେ ଝଡ଼ି ପଡ଼ିଲେ । ଲକ୍ଷ୍ମୀ ଥାଏ ପେଟରେ । ଲକ୍ଷ୍ମୀ ବୋଉ ହାତରୁ ତୁଟିଗଲା ହାତ ଚୁଡ଼ି । ମଥାରୁ ଲିଭିଗଲା ସଧବା ନାରୀର ଚିହ୍ନ । ଏଣେ ଆସନ୍ନପ୍ରସବା । ତେଣେ ସ୍ଵାମୀ ବିଚ୍ଛେଦ । ଦୁଃଖର ଦାବାନଳରେ ସିଝି ସିଝି ଦେହରେ କଣ୍ଟା ଦୋହଲିଲା । ଦେଢ଼ଶୁର ହରିମିଶ୍ରଙ୍କ କଠୋର ତାଗିଦା । ଭୂତ, ଚିରଗୁଣୀ, ଡାହାଣୀ, ଗୋସାଣୀ ଲକ୍ଷ୍ମୀ ବୋଉର ଚାରିପଟେ ଘେରି ରହିଲେ । ଯେତେ ସେ ଚେଷ୍ଟା କରିଛି ଦୁଃଖ ରାଜ୍ୟରୁ ବାହାରି ଯାଇ ସୁଖ ରାଜ୍ୟରେ ଘର କରିବ, ତାହା ସମାଜ କରେଇ ଦେଲାନି । ପେଟର ପିଲାକୁ ନେଇ କୁଆଡ଼େ ଯିବ ? କିଏ ତାକୁ ଗ୍ରହଣ କରିବ ।

 

ନାରାୟଣବାବୁଙ୍କ ମୃତ୍ୟୁର ମାସକପରେ ଲକ୍ଷ୍ମୀର ଜନ୍ମ । ବାପା ବଞ୍ଚିଥିଲେ କେତେକଅଣ ହୋଇଥାନ୍ତା । ଖୁସିବାସିରେ ଘର ହସି ଉଠୁଥାନ୍ତା । ଭୋଜିଭାତରେ କେତେ ଲୋକ ଆପ୍ୟାୟିତ ହୋଇଥାନ୍ତେ । ସେ ସବୁଥିରୁ ବଞ୍ଚିତ ଲକ୍ଷ୍ମୀ । ବାପା ନଥିବା ସନ୍ତାନର ଭାଗ୍ୟରେ ସୌଭାଗ୍ୟ ଖୁବ୍ କ୍ୱଚିତ୍ ଦେଖାଯାଏ । ତା’ ଜନ୍ମବେଳ କଥା ଲକ୍ଷ୍ମୀବୋଉର ମନେ ପଡ଼ିଲେ, ଦେହ ତା’ର ଶୀତେଇ ଉଠେ । ଆଖିରୁ ଝରିପଡ଼େ ଶ୍ରାବଣର ଅବାରିତ ବାରିଧାରା । ଗଲା ଦୁଃଖକୁ ମନରେ ନ ଧରି ପାଦରେ ଦଳିଚକଟି ଚାଲୁଛି ଆଗକୁ ଆଗକୁ । ଆସୁ ଝଡ଼, ଆସୁ ଝଞ୍ଜା । କାହାକୁ ତା’ର ଖାତିରି ନାହିଁ । ତା’ ପେଟର ପିଲାକୁ ବଞ୍ଚାଇ ରଖିବ ସ୍ଵାମୀଙ୍କ ସନ୍ତକସ୍ଵରୂପ ଲକ୍ଷ୍ମୀ ବୋଉ ମନରେ ଅହରହ ଗୋଟିଏ ଚିନ୍ତା, କର୍ପୂରତ ଉଡ଼ିଯାଇଛି, କନା ହେଲେ ପଡ଼ିଥାଉ ।

 

ଘଣ୍ଟାକଣ୍ଟା ଟିକ୍‍ଟିକ୍ ଚାଲିଲା ପରି ଦିନଗୁଡ଼ାକ ପାଣି ଭଳି ବୋହି ଯାଉଛି । ହେଲେ ଲକ୍ଷ୍ମୀ ବୋଉର ଦୁଃଖ ପ୍ରଶମିତ ହେଉନାହିଁ । ବରଂ ବେଶୀ ମାଡ଼ି ମାଡ଼ି ପଡ଼ୁଛି ତା’ ଉପରେ । ରାଶି ରାଶି ଦୁଃଖର ଭାରାକ୍ରାନ୍ତରେ ସେ ଆକ୍ରାନ୍ତ ହୋଇ ଅଣନିଃଶ୍ଵାସୀ ହୋଇ ପଡ଼ୁଛି । ତା’ ଦୁଃଖ କେହି ବୁଝୁନାହାନ୍ତି । ବୁଝିବ ବା କିଏ ? ତା’ର ଯିଏ, ସିଏ ଆରପୁରକୁ ଗଲେ । ଆଉ ଯିଏ ରହିଲେ ତାଙ୍କୁ ପଡ଼ିଗଲା ପଞ୍ଚମ । କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ପରି ନାରାୟଣ ମିଶ୍ରଙ୍କ ମୃତ୍ୟୁ ହରିମିଶ୍ରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । କଳେବଳେ କୌଶଳେ ରାଣ୍ଡମାଇପଟାକୁ ବାଡ଼େଇପିଟି ଘରୁ ବାହାର କରିଦେଲେ କାମ ଫତେ । କଚେପୁଅ ବାର । ବିନାବାଧାରେ ଗୋଟିଏ ଭାଗର ସ୍ଥାବର ଅସ୍ଥାବର ସମ୍ପତ୍ତି କରାୟତ କରି ନେଇ ହେବ ।

 

କିନ୍ତୁ–

 

ଯେତେଦିନ ପର୍ଯ୍ୟନ୍ତ ଲକ୍ଷ୍ମୀବୋଉ ମିଶ୍ରଙ୍କ ପରିବାର ଭିତରେ ରହିଛି, ସେତେଦିନ ପର୍ଯ୍ୟନ୍ତ ହରି ମିଶ୍ରେ ସମ୍ପତ୍ତି ସବୁ ପାଇବା କଷ୍ଟକର ବ୍ୟାପାର ହେବ । ତେଣୁ ଆଜହୁଁ ଉପାୟ କରିବା ନିହାତି ଆବଶ୍ୟକ । ନହେଲେ ସବୁ ଅକାରଣ । ଉପାୟ ଚିନ୍ତା କରି କରି ଆଖିକୁ ନିଦ ହେଲା ନାହିଁକି ପେଟକୁ ଭାତ ଗଲାନାହିଁ । ଦିନକୁଦିନ ଶୁଖିବାକୁ ଲାଗିଲେ । ବନ୍ଧୁବାନ୍ଧବ ସାଙ୍ଗସାଥୀ ଯିଏ ପଚାରନ୍ତି, କିଓ, ମିଶ୍ରେ ! କ’ଣ ଶୁଖି କଳାକାଠ ପଡ଼ିଗଲଣି ? ମିଶ୍ରେ ଆଖିରୁ ଲୁହ ଅସରାଏ ଗଡ଼େଇଦେଇ କହନ୍ତି–

 

ଲକ୍ଷ୍ମଣ ଭଳିଆ ଭାଇ ଯେତେବେଳେ ମୋର ଦୁନିଆରୁ ଚାଲିଗଲା, ସେତେବେଳେ ଏ ଦୁନିଆରେ ମୋର କ’ଣ ଅଛି ? ହେଲେ ମିଶ୍ରଙ୍କର ଅସଲ ରୂପଟା ବା କିଏ ନ ଜାଣିଛି ? କେତେ ଛୁଆ ଖାଇ ସେ ଭୁଆ । କଅଁଳିଆ କଥା କହି ମନକୁ କିଣିନେଇ କାହାକୁ ସେ ଅସଲ ବେଳାରେ ପାନେ ନ ଦେଇଛନ୍ତି ! ଏ କୁମ୍ଭୀର କାନ୍ଦଣାକୁ କିଏ ବା ବିଶ୍ଵାସ କରିବ ? ମିଶ୍ରଙ୍କୁ ଦୂରୁ ଜୁହାର । ସର୍ବଦା ଭୟ । କାଳେ କେତେବେଳେ କୋଉକଥା କରି ପକାଇବେ ଏଇ ଭୟରେ ତାଙ୍କୁ ସବୁବେଳେ ସବୁ ସ୍ଥାନରେ ସମସ୍ତେ ଲମ୍ବା ଚଉଡ଼ା ଦଣ୍ଡବତଟିଏ ପକାଇ ସରୁ ସରୁ ଗଳାରେ ଆପଣ ଭଲ, ଆପଣଙ୍କର ସବୁ ଭଲ କହି ତାଙ୍କ ମନକୁ ତୋଷ କରାନ୍ତି । ତାଙ୍କ ପକ୍ଷେ ଏ ଘଟଣା ଅସମ୍ଭବ ନୁହେଁ । କେବେ କୋଉ କଥା ତାଙ୍କ ଜୀବନରେ ଅସମ୍ଭବବି ହୋଇନି । କିଞ୍ଚିତ୍ ପ୍ରାୟ ସେ ଅସମ୍ଭବକୁ ସମ୍ଭବ କରିପକାନ୍ତି । ଯୁଗ ବଦଳିବା ସଙ୍ଗେ ସଙ୍ଗେ ଲୋକଚରିତ୍ରବି ବଦଳି ଯାଇଛି । ହରିନାମକୁ ଧକାଏ । ଗାଣ୍ଡି ହଲାକୁ ଟଙ୍କାଏ ନ୍ୟାୟରେ ହରି ମିଶ୍ରଙ୍କୁ କିଏ ନ ଡରିବ ?

 

ବେଶୀ ଦିନର ନୁହେଁ । ଅଳ୍ପ ଦିନର କଥା । ପୋଖରୀ ହୁଡ଼ାରେ ମିଶ୍ରଙ୍କ ମାଣ କିଆରି ପାଖକୁ ଲାଗି ଦି’ପା ଜମି ବିନା ଭୋଇର । ଜମି ବୋଲି ସେତିକି । ଆଉ କୁଆଡ଼େ ହେଲେ ଗୁଣ୍ଠେ କି ଚେନାଏ ନାହିଁ । ବିନା ଦିନଯାକ ଇଆ ତା’ ବିଲରେ ମୂଲ ଲାଗି ସନ୍ଧ୍ୟାବେଳକୁ ଯୋଉ ମୂଲ ମଜୁରୀ ଆଣେ ସେଥିରେ ସେ ଚଳେ । ଦୁନିଆରେ ତା’ର ବୋଲି କେହି ନାହାନ୍ତି । ସେ ଏକୁଟିଆ ।

 

ଭୋଦୁଅ ମାସରେ ଏ ଦି’ପା ଜମିରୁ ଯୋଉ ଲଘୁଧାନ ପାଏ ସେତକ ଅଭାବ ଅସୁବିଧାରେ ଗୁଜୁରାଣ ମେଣ୍ଟାଏ l ବେଳେବେଳେ ତଳି ପକାଇ ବିକ୍ରି କରିଦିଏ l ଲଘୁଧାନ କାଟିସାରି କୋଳଥ ସହିତ ସୋରିଷ ଦି’ ମୁଠା ପକାଇଦେଲେ ଦୋଳ ଘଣ୍ଟ ବାଜିବା ପୂର୍ବରୁ ବେଶ୍ ପରିମାଣର ଫସଲ ଅମଳ ହୋଇଯାଏ l

 

ଚଢ଼େଇ, ଚିରଗୁଣୀଙ୍କର ବସା ଅଛି । ଦିନଯାକ ବାରଆଡ଼େ ଚରିବୁଲି ସନ୍ଧ୍ୟାହେଲେ ବସାକୁ ଫେରୁଛନ୍ତି । ବିନାର ସେତକ ନାହିଁ । ବାଡ଼ି ଗୋବରେ ଗୋବେ ଘରଡ଼ିହ ନାହିଁ । ଯାହା ଘରେ ଯେଉଁ ଦିନ ମୂଲ ଲାଗିଲା, ତା’ ଦାଣ୍ଡଘର ସେଦିନ ତା’ର ଘର । ଆପଣାର ବୋଲି କେହି ନଥାଇ ବେଶ୍ ଖୁସିରେ ସେ ଚଳେ । ଶାନ୍ତିରେ ସେ ଜୀବନ ବିତାଏ ।

 

ସେ ରଜାର ପ୍ରଜା ନୁହେଁ କି ସାହୁର ଖାତକ ନୁହେଁ ।

 

ମୁହଁ ଯୁଆଡ଼େ ଅନୁକୂଳ ସିଆଡ଼େ ।

 

ଆକାଶରୁ ଝରୁଥିଲା ଝରଝର ବରଷା । ଧରଣୀ ରାଣୀ ଘାସ ବର୍ଣ୍ଣରେ ସୁଶୋଭିତା । ଚାଷୀପୁଅର ମନରେ ନୂତନ ଉନ୍ମାଦନା । ବରଷା ଦିନ ଉପସ୍ଥିତ ହେବାରୁ ଅକୁଣ୍ଠିତ ଚିତ୍ତରେ ଇନ୍ଦ୍ରଦେବତା ଜଳ ପ୍ରଦାନ କରୁଛନ୍ତି ଧରଣୀ ବାସୀଙ୍କୁ l ମା’ ବସୁଧା ଇନ୍ଦ୍ରଦେବଙ୍କ ପ୍ରଦତ୍ତ ଜଳକୁ ପାନ କରି ତା’ର ବକ୍ଷ ଶସ୍ୟଶ୍ୟାମଳା ହୋଇ ହସି ଉଠିବ । ସେ ନିଜେ ହସିବା ସଙ୍ଗେ ସଙ୍ଗେ ହସାଇବ ଦେଶର ଅଗଣିତ ଚାଷୀ କୁଳକୁ l ଚାଷୀପୁଅ କାନ୍ଧରେ ଲକ୍ଷ୍ମୀ ରହିଲେ, ସେ ଦେଶର ଆବାଳବୃଦ୍ଧବନିତାଙ୍କ ତୁଣ୍ଡରେ ମୁଠାଏ ଅନ୍ନ ଦେବାକୁ ସକ୍ଷମ ହୁଏ । ତା’ କାନ୍ଧରୁ ଲକ୍ଷ୍ମୀ ଛାଡ଼ିଲେ ଦେଶରେ ଦୁର୍ଭିକ୍ଷ ପଡ଼େ କୁଢ଼କୁଢ଼ ମଡ଼ା ଗଦେଇ ହୋଇ ପଡ଼େ ଦେଶର ଗଳିକନ୍ଦିରେ । କୁକୁର ବିଲୁଆଙ୍କର ମାଂସ ଝୁଣା ଶବ୍ଦ ସାଙ୍ଗକୁ ଶୁଭେ ଭୋକିଲା ଲୋକଙ୍କର ଅନ୍ନ ଦେହି ଅନ୍ନ ଦେହି ଆର୍ତ୍ତ ଚିତ୍କାର ।

 

ହାଟୁଆ ହୁଡ଼ିଲେ ହାଟ ପାଳିଏ ଚାଷୀ ହୁଡ଼ିଲେ ବରଷେ ।

 

ଏଇ ସମୟରେ ଏଇବେଳରେ ଲଘୁଧାନ ନ ରୋଇଲେ ଚାଷୀପୁଅ ହଟି ଯିବ । ଅବେଳାରେ ଅଭାବ ସମୟରେ ପାଉଥିବା ଲଘୁଧାନ ପୁଞ୍ଜିକ ପାଇବ ନାହିଁ । ସେ ମାଟିରେ ଖଟି ମାଟି ନହେଲେ ଖାଇବ କ’ଣ ? ପିନ୍ଧିବାକୁ ଲୁଗା କିଣିବାପାଇଁ ପଇସା ପାଇବ କୁଆଡ଼ୁ ।

 

ଚାଷ ତରତର, ବଣିଜ ମଠ ।

 

ତରତର ହୋଇ କିଏ କାହା ବିଲରେ କାଦୁଅ କରୁଛିତ କିଏ କାହା ବିଲରେ ମହି ଦଉଛି, କେଉଁମାନେ ତଳି ପୋତିବାରେ ଲାଗି ପଡ଼ିଛନ୍ତି । ତାଙ୍କ ମନରେ ଅପୂର୍ବ ଆନନ୍ଦ । ଆନନ୍ଦ କୋଳାହଳ ମଧ୍ୟରେ କେତେବେଳେ କେମିତି ବଳଦଙ୍କୁ ଡାଆଁଶ କାମୁଡ଼ିଥିବାରୁ ତାଙ୍କ ଉପରେ ହେଉଥିବା ପିଁଛ ମାଛି ସମସ୍ତଙ୍କ ଦୃଷ୍ଟିକୁ ଏପଟ ସେପଟ କରିପକାଉଛି ।

 

ବିନା ଭୋଇବି ତଳି ପୋତିବାରେ ବ୍ୟସ୍ତ । ସେ ଏକାଏକା ବିଲ ଉଠିଆ କରିବାରେ ଧୁରନ୍ଧର । ଅନ୍ୟର ବିନା ସାହାଯ୍ୟରେ ତା’ କାମରେ ସେ ଲାଗି ପଡ଼ିଛି ।

 

ପଛରୁ ହରିମିଶ୍ର ଯାଇ ହିଡ଼ ଉପରେ ଛିଡ଼ାହୋଇ ପଚାରିଲେ–

 

କିରେ ବିନା ! ଆଜି ରୁଆ ସରିଯିବ ।

 

ହଁ ଆଜ୍ଞା ! ସନ୍ଧ୍ୟା ପୂର୍ବରୁ ସରିଯିବ ।

 

ରୁଆ ସାରି ଆମ ଘରକୁ ଏଣୁ ଏଣୁ ଯିବୁ । ଆମ ଘରେ ଖିଆପିଆ କରି ଆଜି ଦିନକ ରହିବୁ ।

 

ଅନ୍ତରର ନିଭୃତ କୋଣରେ ଉଙ୍କି ମାରୁଥିବା ଚଞ୍ଚକତା ହରିମିଶ୍ରଙ୍କୁ ଅଥୟ କରି ପକାଇଲା । ପାଇଟିଆଳଙ୍କ ପାଖରେ ଆଉ ବେଶୀ ସମୟ ନ ରହି, ଆରେ ରଘୁଆ ! ଆରେ ଜଗୁଆ, କାମ ସାରି ଘରକୁ ଯିବ । କାମ ସବୁ ଶେଷ କରି ବିଲରୁ ଉଠିବ । ହେଇଟି କାମ ଛାଡ଼ି କେବେ ବିଲରୁ ଉଠିବନି ।

 

ମିଶ୍ରେ ଘରକୁ ପଳାଇଲେ । ଘରେ ପହଞ୍ଚି ଲୁଗା ଚୁପୁଡ଼ୁ ଚୁପୁଡ଼ୁ, ସୁହାଗ ଭରା ଗଳାରେ ଡାକିଲେ ତାଙ୍କର ଧର୍ମପତ୍ନୀଙ୍କୁ ।

 

ହୟେ ଗେଲିବୋଉ ! କୁଆଡ଼େ ଗଲମ । ଟିକିଏ ସଅଳ ସଅଳ ଆସ । ପଦେ ଶୁଣି ଯାଅ ।

 

ଗେଲିବୋଉ ବାରିଆଡ଼ କୂଅମୂଳେ ଖଡ଼ା ଦି’ ଗଛ, ଲଙ୍କାମରିଚ ଗଛ ପୁଞ୍ଜାଏ, ଆଉ ବିଲ ଉଜୁଡ଼ା ହୋଇ ଆସିଥିବା ବାଇଗଣ ଗଛରୁ କିଛି ହାଣିମାରି ଲଗାଇବାରେ ବ୍ୟସ୍ତ । ମିଶ୍ରଙ୍କର ଅଦିନିଆ ସୁହାଗବୋଳା ଡାକ ଶୁଣି ଗେଲିବୋଉ ଉତ୍ତର ଦେଲେ–

 

ଆହେ ! ଏତେ ସଅଳ ସଅଳ ଫେରି ଆଇଲ କାହିଁକିମ ! ପରଲୋକ ଉପରେ କେଉଁ ବିଶ୍ଵାସ ଅଛି । ବୁଢ଼ା ହେଲ । ମୁଣ୍ଡର ବାଳ ପାଚିଲା । ପୁଅ ଝିଅର ବାପ ହେଲ । ଏଇକଥା ଜାଣି ପାରିଲ ନାହିଁ । ଘରେ କ’ଣ ଗୁଡ଼ଘଡ଼ିରେ ପିମ୍ପୁଡ଼ି ଲାଗି ଯାଉଥିଲା । ଘରେତ ଭାତହାଣ୍ଡି ମନେ ପଡ଼ୁଛି, ବିଲରେ ମନ ଲାଗିବ କୁଆଡ଼ୁ । ଏ ସୁହାଗିଆ ଡାକ ପରେ ଡାକିବ । ତୁମେ ଗଲ ଆଗ ବିଲଆଡ଼େ ।

 

ଆଗୋ ଶୁଣଗୋ ଶୁଣ । ଧନ୍ଦାରେ ଅଛ କି ଫନ୍ଦାରେ ଅଛ, ପୁଅଝିଅଙ୍କୁ କି ଗେଲ କରୁଛ-। ମୁଁ କ’ଣ କହୁଛି, କ’ଣ କରୁଛି ନ ଶୁଣି, ନଈ ନ ଦେଖୁଣୁ ଲଙ୍ଗଳା ହୋଇ ପଡ଼ୁଛ । ଆସ ଆସ-। ତୁରନ୍ତ ଆସ । ବନିଶି ପକାଇଛି ରୋହି ମାରିବାପାଇଁ ।

 

ବାରିଆଡ଼େ କାହିଁକି ମିଛଟାରେ ଘଡ଼ର ଘଡ଼ର ହଉଚ ।

 

ଏଣିକି ଆସି, ପାଖରେ ବସି, ମୋ କଥା ଶୁଣି, ତା’ପରେ ସିନା ତୁମେ ତୁମ କୋମଳ ବଚନର ସ୍ଵର ମେଲାଇଲେ ଶୋଭା ପାଇବ । ମିଛଟାରେ ପବନକୁ ଏତେ ନାତ ଛାଡ଼ୁଛ କାହିଁକି ?

 

ଗେଲିବୋଉ କେତେ ଛୁଆ ଖାଇ ଭୁଆ । କେତେ ତୁଠରେ ସେ ପାଣି ନ ପିଇଛି ଏପରି କିଛି ନାହିଁ । ସବୁ ତା’ର ଗନ୍ଧ ବାସନା ଛପି ଯାଇଛି ଶଙ୍ଖା ସିନ୍ଦୂର ଦେଇ ହରିମିଶ୍ରେ ତାକୁ ଘରକୁ ଆଣିବା ଦିନଠାରୁ । ଇଏ ଯଦ୍‌ବତ୍‌କୁ ସିଏ ତବ୍‌ବତ୍ । ଯେଝା ହାତରେ ଯିଏ ଚଉଦ ପା । ମିଶ୍ରଙ୍କର ଟିକିଏ ଆଇଁଷିଆ ଢଙ୍ଗଥିବାରୁ ଗେଲିବୋଉ ଘୋଡ଼ା ଚଢ଼େ ମିଶ୍ରଙ୍କ ଉପରେ । କିଏ କାହାକୁ ଡରିବ, କାହିଁକି ବା ଡରିବ ।

 

ଗେଲିବୋଉ ଅଣ୍ଟାରେ ଲୁଗାଭିଡ଼ି କୂଅମୂଳେ ବାଡ଼ିରେ ହାଣୁଥିଲେ । ୟାଙ୍କର ବାରମ୍ଵାର ଡାକଶୁଣି ମାଟି ବଲବଲ ହାତରେ ଝପଟି ଆସିଲେ । ସଁସଁ ଧଁଧଁ । ନାକର ଖରଶ୍ଵାସରୁ ବିରାଟ ଏକ ଶବ୍ଦ ଉଦ୍ଭବ ହେଉଛି । ସାକ୍ଷାତ ରାକ୍ଷାସୁଣୀ । ସତେ କାହାକୁ ଗିଳିପକାଇବ ।

 

: କହିବଟି କ’ଣ କହୁଛ ?

 

: ଶୁଣିବ ! ଟିକିଏ ଧୁଆଧୋଇ ହୋଇ ଆସ ।

 

: ନାଇଁ, ନାଇଁ, ଧୁଆଧୋଇ କାହିଁକି ହେବି ? ଠିଆରେ ଠିଆରେ କ’ଣ ତୁମ କଥା ମୋ କାନରେ ପଶିବ ନାହିଁ ?

 

: ଆଗେ ଜାଣିଲଣି ?

 

: କୋଉ କଥା ?

 

: ବିନା ଭୋଇର ଯେଉଁ ପାଇକିଆ କିଆରି ଖଣ୍ଡକ ଆମ ମାଣ କିଆରି ପାଖେ ଅଛି, ସେଇ କଥା ।

 

: ଦବ ?

 

: ଦବନି ! ଏ ହରିମିଶ୍ରର ଗଦ ଶୁଙ୍ଘି କିଏ କେବେ ତ୍ରାହି ପାଇ ନାହାଁନ୍ତି କି ପାଇବେ ନାହିଁ ।

 

ମୁଁ ତାକୁ ବିଲରୁ ସିଆଡ଼ୁ ସିଆଡ଼ୁ ଇଆଡ଼େ ଆସିବାକୁ କହିଛି । ଭଲ କରି ଯୋଡ଼ାଏ ତା’ପାଇଁ ଖାଇବାକୁ ଯୋଗାଡ଼ କର । ତା’ ପର କଥା ମୁଁ ବୁଝିବି ।

 

ସ୍ଵାମୀ ଯେମନ୍ତକୁ ସ୍ତ୍ରୀ ତେମନ୍ତ ।

 

ଇଏ ଡାଳେ ଡାଳେ ଗଲେ, ସିଏ ପତ୍ରେ ପତ୍ରେ ଯିବା ଲୋକ । କେହି କାହାଠାରୁ ରତିଏ ହେଲେ ଊଣା ଅଧିକ ନୁହଁନ୍ତି । ନିଜର ଟିକିଏ ସ୍ଵାର୍ଥତ୍ୟାଗ କଲେ ଯଦି କାହାର ମହାନ୍ ଉପକାର ହୁଏ, ତାହାହେଲେ ସେ କରିବାକୁ ନାରାଜ । କିନ୍ତୁ ପାଞ୍ଚ ହଜାର ଲୋକଙ୍କୁ ମାରି ନିଜର ଟିକିଏ ସ୍ଵାର୍ଥ ହାସଲ କରିବାକୁ ଥିଲେ, ସେ ସେଥିରୁ ବିରତ ହେବେ ନାହିଁ ।

 

ଗେଲିବୋଉଙ୍କ ଗୋଡ଼ ତଳେ ଲାଗିଲା ନାହିଁ । ଆର ଓଳିର ବାସିପଖାଳ ଥିଲା ନିଜର କୄତ୍ୟ ଚଳାଇଦେବାକୁ ଫେଡ଼ା ଫେଡ଼ା ଆମ୍ବ ଆମ୍ଵୁଲରେ ।

 

ବାଳିଆ ମାଛ ଧରିବାକୁ ହେଲେ ବନିଶିରେ କରାଣ୍ଡି ଜାଆଁଳ ନ ଗୁନ୍ଥିଲେ ନହୁଏ । ଜଣକଠାରୁ କିଛି କାର୍ଯ୍ୟ ହାସଲ କରିବାକୁ ହେଲେ ତା’ ମନକୁ ମଙ୍ଗେଇ ଚିତ୍ତକୁ ରଞ୍ଜେଇବାକୁ ପଡ଼େ । ତେଣୁ ଗେଲିବୋଉ ନହୁନୁହାଣ ହୋଇ ଲାଗି ପଡ଼ିଲେ ତାଙ୍କ କାର୍ଯ୍ୟରେ ।

 

ନାଁ ଭାରିମଲ୍ଲ ପିଠିରେ କୁଜ ।

 

ମିଶ୍ର ଘର କହିଲେ କାହିଁରୁ କ’ଣ ? ବଡ଼ କୁହାଳିଆଙ୍କ ଘର ଅଛପର ହେଲା ପରି ଘରେ ଅଜସ୍ର ଅର୍ଥ ରଖିବାବେଳେ ଜାଳ ଜାଳିବାକୁ ଖଣ୍ଡେ ଦାନ୍ତକାଠି ମିଳେନି । ଜାଳ ବା କାହିଁକି କିଣିବେ ? ପାଖାପାଖି ପନ୍ଦର ଖଣ୍ଡ ଗାଁର ପାଞ୍ଚ ଶହ ଘର ଗଉଡ଼ ମିଶ୍ରଙ୍କଠାରୁ ଟଙ୍କାପଇସା କରଜ ନିଅନ୍ତି । ଟଙ୍କା ଫେରସ୍ତ କରିବାର ସମୟ ଦିନେ କି ଦିଦିନ ଗଡ଼ିଗଲେ ମିଶ୍ରେ କ’ଣ ବୋଲି କ’ଣ କରିପାରିବେ । ସେଇ ଭୟରେ କିଏ କେତେବେଳେ ଠେକିରେ ଠେକିଏ କ୍ଷୀର ଓ ଦୁଇ ଚାରି ବୋଝ ଶୁଖିଲା ଘଷି ଦେଇଯାନ୍ତି ଜାଳ ଜାଳିବାକୁ । ଏ ମହରଗକାଳରେ କାଠ କିଣିବାର କି ଆବଶ୍ୟକତା ଅଛି ।

 

ଗେଲିବୋଉ ଦରାଣ୍ଡିହେଲେ ଜାଳପାଇଁ । ଚାରିଆଡ଼କୁ ଅନାଇଲେ । ଘର ବାହାର ବୁଲିଗଲେ । କେଉଁଠୁଁ ହେଲେ ମିଳିଲାନି ଜାଳ । ଛ’ ସାତ ଘର ଛାଡ଼ି ମୂରଲିଆ ଗଉଡ଼ ଘରକୁ ପଠାଇଦେଲେ ଗେଲିକୁ । ଗେଲି ବୋଝରେ ବୋଝେ ଶୁଖିଲା ଘଷିଧରି ଘରକୁ ଫେରିଲା । କାଳ ବିଳମ୍ବ ନ କରି ଚୁଲି ଉପରେ ହାଣ୍ଡି ବସେଇ ମୁଠେ ଚାଉଳ ଫୁଟେଇ ଦେବା ସଙ୍ଗେ ସଙ୍ଗେ ଓଲୁଅ ସଙ୍ଗେ ସାରୁ ଘାଣ୍ଟଟାଏ କରି ଖଟାଟିକିଏ ସେଥିରେ ପକାଇଦେଲେ । ସାରୁ ବାଡ଼ିରୁ କଅଁଳିଆ ସାରୁପତ୍ର ଆଣି ସେଥିରେ ଭାତ ମୁଠାଏ ପକାଇ ଖରଡ଼ାଟିଏ କରିଦେଲେ । ଇଏ ହେଉଛି ମିଶ୍ରଘରର ସବୁଠାରୁ ଆନନ୍ଦଦାୟକ ଖାଦ୍ୟ ।

 

ହରି ମିଶ୍ରେ ଏକା ନିଘାରେ ବସିଲେ ବିନା ଭୋଇ ଅପେକ୍ଷାରେ । ମଧ୍ୟାହ୍ନ ଗଲା । ଅପରାହ୍ନ ହୋଇ ଅସ୍ତ ସୂର୍ଯ୍ୟଙ୍କର ହସ ପଶ୍ଚିମ ଦିଗ୍‌ବଳୟ ତଳେ ଉଙ୍କି ମାରିଲା । ତଥାପି ବିନା ଆସିଲା ନାହିଁ । ସେ ଗଲା କୁଆଡ଼େ ? କ’ଣ ଆଉ କୁଆଡ଼େ ଦିଗେଇ ଦେଲା କି ? ମନର ଭାବନା ମନରୁ ସରୁ ନ ସରୁ କ’ଣ ବୁରୁନ୍ଦା ଓ ବିନାଭୋଇ ଦାଣ୍ଡଦୁଆର ଏରୁଣ୍ଡିବନ୍ଧ ଡେଇଁ ଘର ଭିତରେ ପଶୁ ପଶୁ ହରି ମିଶ୍ରେ ବହୁତ ବହୁତ ଆଶୀର୍ବାଦ କରି ବିନାଭୋଇକୁ ଘର ଭିତରକୁ ଡାକି ନେଇଗଲେ । ଗୋଟାଏ ବୁଢ଼ିଆଣୀ ଜାଲପରି କରିଆଟାଏ ଦେଇ କହିଲେ–

 

ଆରେ ପୁଅ ! ଓଦା ଲୁଗାଟା ପିନ୍ଧି ଛିଡ଼ା ହୋଇଛୁ କାହିଁକିମ ? ନେ, ଏ ଲୁଗାଟା ବଦଳେଇପକା ।

 

ଗେଲିବୋଉ କୋଉଠେଇ ଥିଲେ କେଜାଣି ବିଜୁଳି ପ୍ରାୟ ପଳାଇ ଆସି କହିଲେ–

 

ହଇରେ ବିନା ! ଏ ଦୁଆରେ କ’ଣ କଣ୍ଟା ପଡ଼ିଛି ? ତୋ’ର ଏତେ ଦିନକେ ଆମ କଥା ମନେ ପଡ଼ିଲା ? ହଁ, ତୁ କାହିଁ ଆମ ଦୁଆରକୁ ଆସିବୁ ! ଆମେ ତୁଅର କିଏ ଯେ ? ଭଗବାନ ଏଇଆ କଲେ, ନିଜର ବୋଲି କେହି ହେଲେ ଜଣେ ପାଖରେ ରହିଲେ ନାହିଁ । କି ନାରଖାର ହଉ ନଥିବୁରେ ତୁ ? ଗଲା କଥା ତ ଗଲାଣି । ଆଉ ଏଣେତେଣେ ନ ହୋଇ ମୋ ଘରଦୁଆର କଥା, ଦାଣ୍ଡପିଣ୍ଡାରେ ବସି ବୁଝିଲୁ । ହଉ ହଉ । ଆ ଆ । ଢୋକେ ତୋରାଣି ପିଇଦେ, ତା’ପରେ ଯାହା କଥା ହେବା ।

 

ଗେଲିବୋଉ ଥାଳିଏ ଗରମ ଭାତରେ ବେଲାଏ କୋଳଥ ଡାଲି ଅଜାଡ଼ି ଦେଇ ବିନା ଆଗରେ ଆଣି ଥୋଇ ଦେଲା । ଭାତ ଡାଲି ସାଙ୍ଗକୁ ସାରୁ ଓଲୁଅ ଘଣ୍ଟାଘଣ୍ଟି ତରକାରୀ ଥାଳିଆରେ ଥାଳିଆଏ । ତେନ୍ତୁଳି ଖଟାରୁ ମେଞ୍ଚାଏ । ବିନା ଦହଡ଼ ଦହଡ଼ ଭାତ ଥାଳିକ ଖାଇସାରି ହାତ ଧୋଉ ନ ଧୋଉ ଗେଲିବୋଉ ବାରିଘରଆଡ଼େ ଡାକି ନେଇଗଲା । ଖତରା ଗୁଆରେ ଦୋକତା ମିଶାଇ ପାନ ଦିଖଣ୍ଡ ଦେଲା ଖାଇବାକୁ ।

 

ସନ୍ଧ୍ୟା ନଇଁ ଆସୁଥିଲା ଗାଁ ସେପଟେ ପାହାଡ଼ ଉହାଡ଼ର ଅନ୍ତରାଳରେ । ମେଞ୍ଚାମେଞ୍ଚା ଅନ୍ଧାର ଖୁନ୍ଦି ହୋଇଗଲାଣି ଆସି ଘରେ ଘରେ । ଅନ୍ଧାରଟାରେ ବସି ବିନା ଓ ଗେଲିବୋଉ ଦୁଃଖସୁଖ ହେଉଛନ୍ତି । ବାହାର ଅଗଣାରୁ ଡାକି ଡାକି ଯାଇ ତାଙ୍କ ପାଖରେ ପହଞ୍ଚିଲେ ହରିମିଶ୍ରେ । ଗଳାକୁ ଝାଡ଼ି ମନକୁ ମାରି କହିଲେ–

 

ହଇଓ ଗେଲିବୋଉ ! କ’ଣ ସେ ଚଗଲାଟା ସାଙ୍ଗରେ କଥାବାର୍ତ୍ତା ହେଉଛ ? ବିନା ତ ତୁମ ସାଙ୍ଗରେ କଥା ହେଉଛି । କେତେ କଥା କୁହାକୁହି ହେଲଣି । ତାକୁ କହୁନ, ବୁରୁନ୍ଦା ଏକୁଟିଆ କାମକୁ ପାରୁନାହିଁ, ଆମର ନାଗୁଆ ପାଇଟିଆଳ ହୋଇ ରହିବ । ବିନା ! ତୁ ଆମର ନାଗୁଆ ପାଇଟିଆଳ ହୋଇ ରହିଲେ କିଛି ଅସୁବିଧା ହେବ ତୋ’ର ?

 

ବିନା ମୁଣ୍ଡ କୁଣ୍ଡେଇ କୁଣ୍ଡେଇ କହିଲା–

 

ନାହିଁ ଆଜ୍ଞା, ଅସୁବିଧା ହେବ କାହିଁକି ? ତୁମେ ତ ଆମର ମା’ ବାପ । ଆପଣ ମୋ ପ୍ରତି ସଦୟ ହେଲେ, ଅସୁବିଧା ମୋର କିଛି ରହିବନି ।

 

ବିନା ତୁଣ୍ଡରୁ କଥା ଛଡ଼େଇ ନେଇ ଗେଲିବୋଉ କହିଲେ–ହଇରେ ବିନା ! ତତେ ଆମେ କ’ଣ ସଦୟ ହେବୁ ? ଏ ଘର ତୁଅର । ତୁ ସବୁ ଏ ଘରେ । ଚାବିକାଠି ନେଇ ଏ ଘରର ଭଲମନ୍ଦ ତୁ ବୁଝିଲୁ ।

 

ଗେଲିବୋଉର ସୁହାଗ ବୋଳା ବାକ୍ୟବାଣରେ ନରମିଗଲା ବିନା ।

 

ହରିମିଶ୍ରେ ଜାଣିଲେ ଠିକ୍ ବେଳାରେ କଥାଟା ପଡ଼ିଛି । କଳେବଳେ କୌଶଳେ ଏତିକିବେଳେ ବିନାଠାରୁ କାମଟା ହାସଲ କରିନେବା ଉଚିତ । ପାଖକୁ ଡାକି କହିଲେ–

 

ବିନା ! ତୁ ଯେତେବେଳେ ଆମ ଘରେ ରହିବୁ, କାମ କରିବୁ, ତୋତେ ଆମକୁ ବର୍ଷକୁ ବେତନ କିଛି ଦେବାକୁ ପଡ଼ିବ । କହ ବର୍ଷକୁ କେତେ ଟଙ୍କା ନେଲେ ରହିବୁ ।

 

: ଆଜ୍ଞା ! ଆପଣ ଯାହା ଦେବେ, ମୋତେ କ’ଣ ପଚାରୁଛନ୍ତି ।

 

: ତଥାପି ତୁ କହିବୁନି, କିପରି ହେବ ।

 

ଖାଇପିଇ ଛ’ କୋଡ଼ି ଦେବି ।

 

ହଉ ହେଲା । ସେୟା ହେଉ । କିନ୍ତୁ ତୋ ଆମ ମଧ୍ୟରେ ଲେଖାପଢ଼ାଟା ହୋଇଯିବା ଉଚିତ ।

 

ଆଖିର ଇସାରାରେ ଗେଲି ବୋଉକୁ ଠାରିଦେଲେ ହରି ମିଶ୍ରେ । ଗେଲିବୋଉ କାଗଜପତ୍ର ବସ୍ତାନିଟି ଆଣି ଥୋଇଦେଲେ ମିଶ୍ରଙ୍କ ପାଖରେ ।

 

ଡିବିରି ଆଲୁଅ ଦିକ୍ ଦିକ୍ ହୋଇ ଜଳୁଥିଲା । ବସ୍ତାନିଟି ଫିଟାଇ ଫମ୍ପା ଏଗ୍ରିମେଣ୍ଟ କାଗଜଟିଏ କାଢ଼ି କହିଲେ, ପୁଅ ! ଆଉ ବସିଲ କାହିଁକି ? ନିଅ କଲମ ଦସ୍ତଖତ କର । କାଗଜପତ୍ରରେ ବିବରଣୀ ସବୁ ଲେଖିଦେଇଥାନ୍ତି, ଏ ଆଲୁଅଟାରେ ଭଲ ଭାବରେ ଦୃଶ୍ୟ ହେଉନି । ଭୁଲ୍‍ଭାଲ୍ ହୋଇପାରେ । ତୁ ଏଇ କାଗଜରେ ତଳକୁ ଦସ୍ତଖତ କରିଦିଏ । କାଲି ମୁଁ ବିବରଣୀ କାଗଜରେ ପୂରଣ କରିଦେବି ।

 

ବିନା ସବୁ ଭାବିଲା, ଚିନ୍ତାକଲା, କିନ୍ତୁ ନିରୁପାୟ ।

 

କରତକୁ ଭିଡ଼ିଲେ କାଟୁଛି । ପେଲିଲେ କାଟୁଛି ।

 

ବାଘ ହାବୁଡ଼େ ପଡ଼ିଛି । ରକ୍ଷା ପାଉଛି କେଉଁଠି ?

 

ଅବସ୍ଥାର ଚକ୍ରରେ ପଡ଼ି ଅନିଚ୍ଛୁକ ମନରେ କଲମକୁ ହାତରେ ଧରିଲା ବିନା । ଦିକ୍ ଦିକ୍ ଡିବିରି ଆଲୋକରେ ଅସ୍ପଷ୍ଟ ଦେଖା ଯାଉଥିଲା କଲମର ଅଗ୍ରଭାଗ ।

 

ଅଜସ୍ର କୁହେଳି । ଅଜସ୍ର ଅସନ୍ତୋଷର ଅଗ୍ନିରେ ଦଗ୍ଧ ହେବାକୁ ଲାଗିଲା ବିନାର ହୃଦୟ-। କରତି ହୋଇଗଲା ସାରା ଶରୀର । ଦୁଃଖସୁଖର ବାର୍ତ୍ତାବହର ଦଣ୍ଡଧର ଏଇ କଲମ-। ଇଆ ପେଟରେ ସ୍ୟାହିକୁ କିଏ ଭୟ ନ କରେ ? ଭୟ କରନ୍ତି ଯାହାଙ୍କ ନାମରେ ରାଜ୍ୟତଳେ ଆଉ ଯିଏ ମୂଲ ଲାଗି ପାଞ୍ଚପ୍ରାଣୀ କୁଟୁମ୍ବ ପୋଷେ । ଆଜିକାଲିର ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଚାହିଁ ରହନ୍ତି ବାର୍ତ୍ତାବହ ଦଣ୍ଡଧରଙ୍କ ସୁଦୟା ଆଉ କୁଦୟାକୁ ।

 

ହେଲେ ମଣ୍ଡପ କୋଣ । ନହେଲେ ଦାଣ୍ଡର ଭିକାରି ।

 

ଦୁଇ ଚକ୍ଷୁର ଆଦ୍ୟ ଭାଗରୁ ଟପ୍‍କିନା ଗଡ଼ି ପଡ଼ିଲା ଦୁଇ ଟୋପା ଲୁହ । ଲୁହତ ନୁହେଁ, ଅନ୍ତରର ଅକୁହା ଲହୁ । କଲମ ଧରିଲା ବିନା । ଢୁଙ୍ଗା ଢୁଙ୍ଗା ଅକ୍ଷରରେ ନିଜର ସ୍ଵାକ୍ଷର କରି, ଆଜ୍ଞା ନିଅନ୍ତୁ କହି, କାଗଜ ଏବଂ କଲମକୁ ବଢ଼େଇଦେଲା ହରି ମିଶ୍ରଙ୍କ ହାତକୁ ।

 

ବିନାକୁ ବେଶୀଦିନ ଅଛପା ରହିଲା ନାହିଁ, ହରି ମିଶ୍ରଙ୍କ କୁଟିଳ ଅନ୍ତରରେ ପୋତା ମାରି ରହିଥିବା କୁଳବୁଡ଼ା ଅଭିପ୍ରାୟର ଚକ୍ରାନ୍ତ । ମାତ୍ର ପରିସ୍ଥିତିର ଚକ୍ରରୁ ତିଷ୍ଠିବା ବିନା ପକ୍ଷେ ସମ୍ଭବ ହୋଇ ନ ପାରିବାରୁ, ଶେଷରେ ତା’ର ସାରା ଶରୀର ଭସ୍ମ ହୋଇଗଲା । ଏକ ଦୀର୍ଘକାୟ ଟ୍ରକ୍‍ର ଦୁର୍ଦ୍ଦାନ୍ତ ଚାପାରେ ।

 

ଟ୍ରକ୍ ମାଡ଼ିଗଲା । କୁଳ ବୁଡ଼ିଗଲା ବିନାର ।

 

ରମଣୀୟ ପ୍ରଭାତ । ପ୍ରଭାତର ନରମ ସୂର୍ଯ୍ୟ କିରଣ ଓ ଘରର ପୋଷା ପୁଷି ବିଲେଇ କାହାର ଅପେକ୍ଷାରେ ଅପେକ୍ଷା କରି କରି ଯନ୍ତ୍ରଣାରେ ଦହି ହୋଇ ଯାଉଥିଲା । ଅଭ୍ୟାସଗତ କାର୍ଯ୍ୟ ମନୁଷ୍ୟ ପକ୍ଷେ ଏକ ଶୃଙ୍ଖଳିତ ଜୀବନ । ଅଭ୍ୟାସ ଅନଭ୍ୟାସ ହେଲେ ଭାରି ଅଡ଼ୁଆ ଅଡ଼ୁଆ ଲାଗେ । ଆଦୌ ସୁଖ ଲାଗେନି । ସକାଳର ସୂର୍ଯ୍ୟ କିରଣ କାହା ଅପେକ୍ଷାରେ ରହି ରହି ଲକ୍ଷ୍ମୀଘର ଅଗଣାରୁ ଚାଲିଗଲାଣି ଗାଁ ଦାଣ୍ଡକୁ । ପୁଷି ବିଲେଇଟା ମ୍ୟାଉଁ ମ୍ୟାଉଁ ହୋଇ ଲୁଚିଗଲାଣି ଘରର ଭାଡ଼ିତଳେ କିମ୍ବା ଉଷୁମୁ ଟାଣୁଛି ମୁହଁ ଭରତି କରି କେଉଁ ଅପରିଚ୍ଛନ୍ନିଆ ମୁନ୍ଦୁରାର ଗୁନ୍ଦି ଭିତରେ ।

 

ବିବସ୍ତ୍ର ଦେହ ଓ ନୁଖୁରା କେଶକୁ ଧରି ଲକ୍ଷ୍ମୀ କୁଆଡ଼େ ନ ଯାଇ ସେଇପରି ଅପେକ୍ଷା କରି ରହିଛି ମାନସର ଆଗମନକୁ ।

 

ଲକ୍ଷ୍ମୀର ଶୃଙ୍ଖଳିତ ଜୀବନକୁ ବିଶୃଙ୍ଖଳିତ କରି ଦେଇଛି ମାନସ । ମହାସମୁଦ୍ରରେ ଭାସି ଯାଉଥିବାବେଳେ ମାନସ ଉଦ୍ଧାର କରିଛି ଲକ୍ଷ୍ମୀକୁ ।

 

କେତକୀଝରର କାନ୍ଦ କେନ୍ଦୁପରି ଅକାତକାତ ନିର୍ମଳ ଜଳ । ନେଳି ଚକଚକ । ଭଅଁର ଭଳି ନେଳି । ଝରଝର ହୋଇ ବୋହି ଯାଉଛି ତଳକୁ ତଳକୁ । ସେଇ ଜଳରାଶିରେ ନିଜର ତନୁକୁ ଅନାଇ ଅନାଇ ନିରୀକ୍ଷଣ କରି ଭାବନାରେ ଦ୍ଵାରକୁ ଶିକୁଳି ଦେଇ ଏକାକିନୀଭାବେ ଫେରିଆସେ ଘରକୁ । ସବୁ ଅସାର । ବେକାର ।

 

ଅପେକ୍ଷା ଅପେକ୍ଷାରେ ବିତିଗଲା ମାସେ ପାଞ୍ଚ ଦିନ । ଖବର ନାହିଁକି ଅନ୍ତର ନାହିଁ ।

 

ସେଦିନର ଅନ୍ଧାର ଗାଢ଼ ନଥିଲା, ଥିଲା ପାଣିଚିଆ । ଦିଶୁଥିଲା ଝାପ୍‍ସା ଝାପ୍‍ସା । ଗଲାବେଳେ କହିଦେଇଗଲେ, ଲକ୍ଷ୍ମୀ ! ବ୍ୟସ୍ତ ହେବୁନି । ଯେତେ ଶୀଘ୍ର ପାରିବି ଫେରି ଆସିବି । ସେଦିନର ପାଣିଚିଆ ପାଣିଚିଆ ଝାପ୍‍ସା ଅନ୍ଧାରରେ ଲକ୍ଷ୍ମୀ ତା’ର ଚର୍ମଚକ୍ଷୁରେ ମାନସର ମୁଖମଣ୍ଡଳକୁ ଦେଖି ପାରିନଥିଲେ ମଧ୍ୟ ହୃଦୟର ମାନସ-ଚକ୍ଷୁରେ ବେଶ୍ ଦେଖି ପାରିଥିଲା । ଏବଂ ମାନସ ଭଲରେ ଯାଇ ଭଲରେ ଫେରି ଆସିବାକୁ କେଉଁ ଏକ ଦେବତାଙ୍କ ପଦପ୍ରାନ୍ତରେ ଆକୁଳ ନିବେଦନ ବାଢ଼ିଥିଲା । କିନ୍ତୁ ମାନସକୁ ପଚାରି ନଥିଲା କୁଆଡ଼େ ଏବଂ କାହିଁକି ଯିବ । କାରଣ ସେ ଦୁହିଁଙ୍କୁ ସମାଜ ସ୍ଵୀକୃତି ଦେଇନଥିଲା ଅବାଧ ମିଳାମିଶା ପାଇଁ । ବେଶୀ ବାରଣ କରିଥିଲା ହରି ମିଶ୍ରଙ୍କ ଆଖି ଦୁଇଟି । ମାନସ ଲକ୍ଷ୍ମୀର ଭଲମନ୍ଦ ବୁଝିବାପାଇଁ କେତେବେଳେ କାଁଭାଁ କଥାବାର୍ତ୍ତାର ସୁଯୋଗ ସୃଷ୍ଟି କରାଉଥିଲେ ସୁଲି ମାଧ୍ୟମରେ ।

 

ମାଗି ଆଣିଲା ତିଉଣ ହାପୁଡ଼ାଏ ପରି, ମାନସର ବିଦାୟକାଳୀନ ସାକ୍ଷାତ ସାକ୍ଷାତ ପରି ନ ହୋଇ ହୋଇଥିଲା ମାୟାମୟ ଓ ବେଦନାଦାୟକ । ଲକ୍ଷ୍ମୀ ଆଖିରେ ଥରଥର ଜଳ, ଶୋକାର୍ତ୍ତ ମାନସର ପ୍ରସ୍ଥାନକୁ ବିଦ୍ରୂପ କରି ତଳକୁ ଗଡ଼ି ପଡ଼ୁଥିଲେ ବିମୂଢ଼, ନିର୍ବାକ୍‍ଭାବେ ।

 

ଜଣେ ଜଣକୁ ଭଲ ପାଇବା ତୀବ୍ରରୁ ତୀବ୍ରତର ହୋଇଗଲେ, ଜଣେ ଜଣକପାଇଁ ହୋଇଯାଏ ଦେବତା । ମାନସକୁ ଭଲ ପାଇବା ଲକ୍ଷ୍ମୀ ଜୀବନର ମୂଳ ବ୍ରତ । ମାନସ, ଲକ୍ଷ୍ମୀପାଇଁ ମନୁଷ୍ୟ ନୁହେଁ ଦେବତା । ସେଇ ଦେବତାପାଇଁ ସେ ହିଂସ୍ର ପ୍ରକୃତି ପ୍ରକାଶ କରିବା ସ୍ଵାଭାବିକ । ଯେପରି ପ୍ରେମ ମାନେନା ଲୋକାଚାର, ସମାଜର ନୀତିନିୟମ । ଶେଷକୁ କିଛି ନ ପାଇଲେ ବନ୍ଧ ବାଡ଼ ଭାଙ୍ଗି ନଦୀ ପରି ସମୁଦ୍ରରେ ନିଜର ସତ୍ତା ହରାଏ ।

 

ସାମୟିକ ମିଳନ ପରେ ଲକ୍ଷ୍ମୀର ବିବର୍ଣ୍ଣ ମୁହଁ ଫିକା ପଡ଼ିଗଲା । ପୂର୍ଣ୍ଣିମା ଚାନ୍ଦର ଆଉ ଉଭେଇ ଗଲା କଳାମେଘ ଘୋଟେଇ ଆସିବା ପରେ । ଯେଉଁ ଆଖିରେ ତରଳ ନିଆଁ ଚହଟି ଉଠିଥିଲା, ସେଇ ଆଖିର ନିଆଁ, କିଏ ପାଣି ପକେଇଦେଲା ପରି ଲିଭିଗଲା । ପେଟ ଭିତରୁ ଉବୁକି ଉଠୁଥାଏ ପ୍ରୀତି କୋହର ନିଦର୍ଶନ । ଲକ୍ଷ୍ମୀ ପ୍ରେମ ବ୍ୟାପାରରେ ସମ୍ପୂର୍ଣ୍ଣ ଅନଭିଜ୍ଞା । ସରଳମତୀ ନବଯୁବତୀ । ହୃଦୟରେ ପ୍ରିୟ ମୁଖ ସନ୍ଦର୍ଶନ କରିବାପାଇଁ ପ୍ରବଳ ତୃଷ୍ଣା, ମିଳନ ଆକାଂକ୍ଷା, ଅଥଚ ନିଜର ଅବ୍ୟକ୍ତ ଭାଷାର ରୂପରେଖ ଦେବାପାଇଁ ସେ ପୂରାମାତ୍ରାରେ ଭୀରୁ । ସେ ମାନସର ନିକଟରୁ ନିକଟତର ହେବାରୁ ଚାହୁଁଛି । କିନ୍ତୁ ଏକ ହେବାପାଇଁ ସମୟ ସୁଯୋଗ ଦେଉନି ।

 

ବିରହ ପରେ ବିରହ । ମନର ଓରିମାନ ଶୋଷିଲା ଭୋକିଲା ହୋଇ ସତୃଷ୍ଣ ନୟନରେ ଖୋଜିବୁଲେ କାହାର ଅନୁସନ୍ଧାନରେ । ଲକ୍ଷ୍ମୀ କାହା ଆଗରେ କହିବ ତା’ ମନର କଥା । କାହା ଆଗରେ ପଢ଼ାଇ ଶୁଝାଇବ ତା’ କୁଆଁରୀ ଜୀବନର ଅସରନ୍ତି ଅକୁହା କାହାଣୀର ପୃଷ୍ଠା । କାହାରିକୁ ତ କହି ହେଉନି, କହି ପାରୁନି । ତା’ ମନ କାହାର ହୃଦୟ ସିନ୍ଦୁକର ସୁନା ଫରୁଆ ଭିତରେ ବନ୍ଧା ପଡ଼ିଛି ।

 

ମ୍ୟାଉଁ ମ୍ୟାଉଁ ଶବ୍ଦରେ ଲକ୍ଷ୍ମୀକୁ ସମବେଦନା ଜଣାଏ ତା’ର ପୋଷା ପୁଷି ବିଲେଇ । ଘଷିହୁଏ ତା’ର ସାରା ସର୍ବାଙ୍ଗରେ । ଜିଭରେ ଚାଟିଲାଗେ କେତେବେଳେ କେମିତି ତା’ ପାଦକୁ । ଲକ୍ଷ୍ମୀ ପୁଷି ବିଲେଇକୁ ଛାତି ଭିତରେ ବାନ୍ଧି ରଖି ବ୍ୟସ୍ତଭାବେ କହିଉଠେ, ତୋତେ ଦୁଧ ଦେବି । ତୋତେ ମାଛ ଦେବି । କହଲୋ କହ ମୋ ପୁଷି । ମୋ ସୁନା ପୁଷିଟା ପରା କହ କହ, ମୋର ସିଏ କେବେ ଫେରି ଆସିବେ ?

 

ଲକ୍ଷ୍ମୀ ଛାତିରେ ମୁହଁ ଘଷେ ପୁଷି । କିଛି କୁହେନି ପ୍ରଚୁର ହତାଶା, ବିଷଣ୍ଣତା, ଅସହାୟତାରେ ଭାଙ୍ଗିପଡ଼େ ଲକ୍ଷ୍ମୀ ।

 

ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି । ମନ ପୋଡ଼ିଗଲେ ଜାଣିବ କିଏ ? ଏ ଅକୁହା କଥା କାହା ଆଗେ କହିବ । ଜନ୍ମଦାତ୍ରୀ ମା’କୁବି କହିବାକୁ ସେ ଉଚିତ ମଣୁନି । କାରଣ ସେ ଜାଣିଛି ସେ ଯାହା କିଛି ଭୁଲ କରୁଛି । ତଥାପି ସେ ପଥହୁଡ଼ି ଅପଥରେ ଅଗ୍ରସର ହେଉଛି । ତା’ ଶରୀରର ଶୋଭାରେ ଆନନ୍ଦବଜାରର ଫୁଟିଲା ଭିଡ଼ ଭିତରେ ଠେଲାଠେଲି ଧସ୍ତାଧସ୍ତି ହେଉଥିବା ଯୌବନକୁ ଶାନ୍ତ କରିବାପାଇଁ ।

 

ଲକ୍ଷ୍ମୀ ଏକ ରଙ୍ଗବେରଙ୍ଗର ଦୁଷ୍ଟ ପ୍ରଜାପତି । ଖୁବ୍ ଶୋଭାବତୀ । ଦେଖିଲେ ଲେଖକର କଲମ ଜଡ଼ ପାଲଟିଯାଏ । ଦର୍ଶକର ଚକ୍ଷୁ ଅଜଣାଭାବେ ଲାଖିଯାଏ ଲକ୍ଷ୍ମୀର କମନୀୟ ଯୌବନର ରଙ୍ଗବେରଙ୍ଗର କୁସୁମ କଳିରେ । ଭାବୁକର ହୃଦୟ ଭାବବିହ୍ୱଳିତ ହୋଇ ସେ ଭାବନାରେ ସତ୍ତା ହରାଇ ବସେ ।

 

ସକାଳର ସୂର୍ଯ୍ୟଙ୍କ ତେଜରୁ ଦିନଯାକର ପାଗ ସହଜରେ ଜାଣିହୋଇଗଲା ପରି, ମଣିଷର ମୁହଁରୁ ତା’ର ମନର କଥା ସହଜରେ ଜାଣି ହୋଇଯାଏ । ଲକ୍ଷ୍ମୀ ବୋଉ, ଲକ୍ଷ୍ମୀର ହାବଭାବରୁ କ’ଣ କିଛି ବୁଝିପାରି ବହୁତ ବୁଝାଏ ତାକୁ । ମା’ ଝିଅ ଦେଉଳକୁ ଯାଇ, ଯାହା କଥା ଯିଏ ମନାସିଲା ପରି, ଲକ୍ଷ୍ମୀ ଯାହା ଭାବୁଛି, ସମ୍ପୂର୍ଣ୍ଣ ବିପରୀତଭାବେ ବୁଝାଉଛି ତା’ ବୋଉ । ଲକ୍ଷ୍ମୀର ମନ ତା’ ବୋଉ କଥାରେ ବୁଝୁନି । ବୋଉ ଉପରେ ଗରଗର ସରସର ହୋଇ କେତେବେଳେ କେତେ କଥା କହି ଯାଉଛି । ମାଆବି ନୀରବ । ଗୋଟିଏ ବୋଲି ଝିଅ । ପୁଣି ବାପଛେଉଣ୍ଡୀ । ଯାହା କହୁଛି ପଛେ କହୁ । ଯାହା କରୁଛି ପଛେ କରୁ ।

 

ଲକ୍ଷ୍ମୀର ଭାବନା ଛୁଟୁଥାଏ ଅନାବନା ପଥରେ । ଲକ୍ଷ୍ମୀ ବୋଉର ଏକମାତ୍ର ଚିନ୍ତା, ଲକ୍ଷ୍ମୀକି କିପରି ହାତକୁ ଦି’ ହାତ କରି ପରପୁଅ ହାତରେ ଛନ୍ଦି ଦେବାକୁ ।

 

କିନ୍ତୁ ମିଶ୍ରେ ପବନକୁ ବାନ୍ଧିଦେବା ଲୋକ । ଘରେ ବସି ଠାସ୍‍କୁ ମାରି ଦୁନିଆଯାକର କଥା କହିଦେବେ । ତାଳ ଗଛକୁ ଲକ୍ଷ୍ୟକରି ଫୋପାଡ଼ ମାରୁ ମାରୁ ବାଜୁ ନହେଲେ ନ ବାଜୁ । ପାଖରେ ବସି ତାଙ୍କର ଗୁଣଗାନ କରୁଥିବା ଚାମଚାମାନେ ହଁକୁ ହଁ । ନାହିଁକିବି ହଁ କହିବାକୁ ପଛେଇବେ ନାହିଁ । ସତ ହେଉ ବା ମିଛ ହେଉ ଘଟଣାଟା ଘଟି ଥାଉ ଅବା ନ ଘଟି ଥାଉ । ମିଶ୍ରଙ୍କର ଜିହ୍ୱା ଅବେଇଖବେଇ ହୁଏ ଭାଇବୋହୂ ଆଉ ଝିଆରୀ ନାଆଁରେ ଏଣୁତେଣୁ ଦିପଦ କହୁ କଳଙ୍କିନୀ କରାଇବାକୁ ।

 

ବେଳରେ ହେଉ ବା ଅବେଳରେ ହେଉ ଲକ୍ଷ୍ମୀ ବିଛଣାଟା ଉପରେ ଚେକେଇ ହୋଇ ପଡ଼େ । ଆଖିରୁ ବୋହିଯାଏ ଧାର ଧାର ନୟନାଶ୍ରୁ । କୁଆଁରୀ ଜୀବନରେ ତା’ର ସୁନେଲି ସ୍ଵପ୍ନ ଅକାରଣ ହେବାକୁ ବସିଛି ।

 

ତୁଣ୍ଡରୁ କାନ । କାନରୁ ତୁଣ୍ଡ ହୋଇ କଥା ଅନେକ ଦୂର ବ୍ୟାପିଯାଏ ।

 

ମାନସ ହରି ମିଶ୍ରଙ୍କର ଧରମପୁଅ । ହରିମିଶ୍ରଙ୍କର ଯେଉଁ କୁତ୍ସାରଟନା ଲକ୍ଷ୍ମୀ ବିରୁଦ୍ଧରେ, କିପରି ସେ ଏ ଗାଁରେ କାହାକୁ ମୁହଁ ଦେଖାଇବ ? କିପରି ସେ ଏ ଗାଁ ଦାଣ୍ଡରେ ଚାଲିବ-। ନଈ କିମ୍ବା ପୋଖରୀ ତୁଠରେ ସଭିଙ୍କ ସାଙ୍ଗରେ ମେଳ ହୋଇ ମନଖୁସିରେ ଗାଧୋଇବ-?

 

ରାତି ବଢ଼ି ବଢ଼ି ଯାଇଛି ।

 

ଲକ୍ଷ୍ମୀର ନିଦ ଭାଙ୍ଗି ଯାଇଛି ।

 

ଆଖିରୁ ନିଦର ନିଶା ଛାଡ଼ିଯାଇଛି ।

 

ମନରେ ଲାଗି ରହିଛି କିଛି ସମୟ ପୂର୍ବେ ଦେଖିଥିବା ସପନ । ତା’ ନାଁରେ ଡିବିଡିବି ଗାଁସାରା ବାଜୁଛି । ଗାଁ ଲୋକେ କେତେ ପ୍ରକାର ଛିଛାକର କରୁଛନ୍ତି । ସବୁ ତା’ କାନରେ ବାଜୁଛି ।

 

କେତେ ସହିବ ସେ କାହା କଥା ?

 

ଛାତିକୁ ପଥର କଲା ଲକ୍ଷ୍ମୀ । ସବୁ ମିଛ ଭଣ୍ଡାମି । ସ୍ଵପ୍ନ କେବେ କ’ଣ ସତ୍ୟ ହୁଏ ।

 

ହଠାତ୍ ବ୍ରେକ୍ ପଡ଼ିଲା ଲକ୍ଷ୍ମୀର କଳ୍ପନାଜଳ୍ପନାରେ ।

 

ସେ ଚମକି ପଡ଼ିଲା । ବାହାରର କବାଟରେ କାହାର କରାଙ୍ଗୁଳିର ଟିପା ଶବ୍ଦ । ସକାଳ ହେବାକୁ ଆଉ ମାତ୍ର ଦିଘଡ଼ି ରାତି ଥାଏ । ଠିକ୍ ଏଇବେଳ । ଏଇ ସମୟରେ ମାନସ ଆସେ ଲକ୍ଷ୍ମୀ ପାଖକୁ । ଲକ୍ଷ୍ମୀର ପୂର୍ବାଭ୍ୟାସ ପାସୋର ଯାଇନି ମନରୁ । ହେଲେ ମାନସ ତ ଅନୁପସ୍ଥିତ । ଇଏ ଅନ୍ୟ କେହି ନୁହତ । ଅନ୍ୟ କାହାର କିଛି କାମ ନାହିଁ ଯେ ଏତେ ରାତିରେ ଆସି ଅଯଥା ଧନ୍ଦା ଯୋଡ଼ିବ । ଲକ୍ଷ୍ମୀର ମନ ବୁଝିଲା ନାହିଁ । ଅବୁଝା ମନ ତା’ର ଧାଇଁ ଆସିଲା କବାଟ ପର୍ଯ୍ୟନ୍ତ । ଦୁଆର ଖୋଲିବାକୁ ମନ ଡହଳବିକଳ ହେଉଥିଲେବି ଥାଥା ମାମା ହୋଇ କିଏ ସେ ବୋଲି ପଚାରିଲା । ଯାହା ଉତ୍ତର ମିଳିଲା, ଲକ୍ଷ୍ମୀର ବୟସର ନଈରେ ଯେଉଁ ସ୍ରୋତ ପ୍ରବାହିତ ହେଉଥିଲା, ସେ ସ୍ରୋତ ଆପେଆପେ ଉଭାନ ହୋଇଗଲା, ନିଦାଘର ଖରାଠାରୁ ଆହୁରି ପ୍ରଚଣ୍ଡ ହୃଦୟର ନିଆଁ ତାତିରେ ପାଣି ପଡ଼ିଲା ପରି ।

 

ମା’ କାନ୍ଦୁଛୁ ? କାନ୍ଦନା । ଜୀବନରେ ବଞ୍ଚିଥିଲେ ଅପନ୍ତରା, ଅନ୍ଧାରିଆ ଆବୁଡ଼ାଖାବୁଡ଼ା ଚଲାପଥରେ ଚାଲିବାକୁ ହେବହିଁ ହେବ । ଆସିବ କେତେ ଦୁଃଖ କେତେ ଝଡ଼ଝଞ୍ଜା । ସବୁକୁ ନିଜର କରି ଛାତିକି ପଥର କରି ଆଗକୁ ଆଗକୁ ଆଗେଇଚାଲ, ଦେଖିବୁ ଏ ସଂସାରର ମାୟାରେ ତୁ ଦିନେନା ଦିନେ ଭୁଲିଯିବୁ । କିନ୍ତୁ ତୋତେ ମନେରଖିବାକୁ ହେବ, ସଂସାରର ଚଲାପଥ ଆକାଶର ଲମ୍ବା ଛାୟାପଥ ଠାରୁ ଆହୁରି ବ୍ୟାପକ । ଯନ୍ତ୍ରଣାଦାୟକ I ଯନ୍ତ୍ରଣାର ମୁକୁଟ ଶିରରେ ପିନ୍ଧି ଷୋଳଶ’ ରାଗକୁ ଏକତ୍ର କରି ପଦୁଟିଏ ଗୀତ ଗାଇ ଦେଲେ ତୁ ସଭିଙ୍କପାଇଁ ଅଭୁଲା ହୋଇ ରହିବୁ-। ଅଜୟ ଦୁର୍ଗରେ ଜୟ ନିଶାଣ ବାନ୍ଧିବୁ ।

 

ମା’ ତୁ ଆଉ କାନ୍ଦନା । ତୋର ହସଶୂନ୍ୟ ମୁଖମଣ୍ଡଳକୁ ଚାହିଁଲେ ମୋ ହୃଦୟ ଆକାଶରେ ଘୋଟେଇ ଆସୁଛି ବିଷାକ୍ତ ଧୂମ୍ରର ମେଘ । ମେଘର ବଜ୍ରନାଦରେ କମ୍ପି ଉଠୁଛି ମୋର ସାରା ଦେହ । ଅହଂକାରର ସୁଉଚ୍ଚ ପ୍ରାଚୀର ଗଢ଼ିଥିବା ବ୍ୟକ୍ତି ବିଶେଷଙ୍କ ଯୋଗୁଁ ମୁଁ ହୋଇଯାଇଛି ଆଜି ବିପ୍ଳବୀ । ସେମାନଙ୍କର ନିଷ୍ଠୁର କରତାଳିର ଇଙ୍ଗିତରେ ତୁମେମାନେ ଧ୍ଵଂସ ପାଇଯିବ । ଚିହ୍ନ ରହିବନି । ସେଇ ନିଷ୍ଠୁରମାନଙ୍କ କ୍ରୁଦ୍ଧ ରଡ଼ିରେ ଗଛର ବୁଢ଼ାପତ୍ର ପରି ଝଡ଼ି ଉଡ଼ି ଉଡ଼ି ପଡ଼ିବ ତଳେ-

 

ମୋତେ ଆଉ ସମୟ ନାହିଁ । ଡେରି ହୋଇ ଯାଉଛି । କୁହ ମା’ ବୋଉ କାହିଁ ? ବୋଉ-

 

କିଳିଣୀ ଖୋଲି ଦେଇ ଲକ୍ଷ୍ମୀ ଠିଆ ହୋଇ କେବଳ କାନ୍ଦୁଥିଲା ତୁହାକୁ ତୁହା ।

 

ଅଗଣାରେ ଠିଆ ହୋଇଥିବା ଭଙ୍ଗାଘରର ପଥର ଖୁଣ୍ଟକୁ ଆଉଜି ଲକ୍ଷ୍ମୀ ବୋଉ ସବୁ ଶୁଣୁଥିଲା । ଭୟରେ ତା’ର ହାତ କମ୍ପୁଥିଲା । କଥାବାର୍ତ୍ତା ପରିବେଶକୁ ଭଙ୍ଗ କରି ପଚାରିଲା, କିଏ-? ଦାଶିଆକା ।

 

ଦୂରରେ ଠିଆ ହୋଇଥିବା ଦାଶିଆକା ଦେଖିନେଲା ଲକ୍ଷ୍ମୀ ବୋଉକୁ । ତା’ ଦେହ ଚଞ୍ଚଳ ହୋଇ ପଡ଼ିଥିଲା, ତା’ପରେ ସେ ସ୍ଵାଭାବିକ ଅବସ୍ଥାକୁ ଫେରି ଆସି ଲକ୍ଷ୍ମୀ ବୋଉକୁ ଡାକି କହିଲା, ଲକ୍ଷ୍ମୀ ବୋଉ ! ଅବସ୍ଥା ବଡ଼ ଅସମ୍ଭାଳ । ତୁମ ଦେଢ଼ଶୁରଙ୍କର କ୍ରୂର ଦୃଷ୍ଟି ତୁମ ପଛେ ପଛେ ଅନୁଧ୍ୟାନ କରୁଛି ତୁମକୁ । ତାଙ୍କର ଇଚ୍ଛା ତୁମକୁ ଏବଂ ଲକ୍ଷ୍ମୀକୁ ଏ ସଂସାରରୁ ବିଦାୟ କରିଦେଇ ତୁମର ସମସ୍ତ ସମ୍ପତ୍ତିକୁ ତାଙ୍କର କରିନେବେ । ତାଙ୍କର ଖେଳ କେଉଁ ମୁହୂର୍ତ୍ତରେ ଦେଖାଇଦେବେ ତାହା ସହଜରେ ଜଣା ପଡ଼ୁନି । ତଥାପି ତୁମେ ସତର୍କ ରୁହ ।

 

ସତର୍କ ?

 

ହଁ ହଁ ଲକ୍ଷ୍ମୀ ବୋଉ । ତୁମକୁ ସତର୍କ ରହିବାକୁ ପଡ଼ିବ । ଜାନୁଆରର ମୁହଁଟାକୁ ଭାଙ୍ଗିବାକୁ ପଡ଼ିବ । ଉଠିଲା ସାପର ଫଣାକୁ ପାହାରେ ନ ପକାଇଲେ, ବେଳରେ ତୁମରିପାଇଁହିଁ ସେ କାଳ ହେବ । ହରି ମିଶ୍ର ମଣିଷ ନୁହ । ଗୋଟାଏ ପଶୁ । ନରଭକ୍ଷୀ ବାଘ । ତା’ର ହିଂସ୍ରୁକ ପ୍ରାଣ ଆବଶ୍ୟକ କରୁଛି ତୁମର ତାଜା ରକ୍ତ । ତୁମ ତାଜାରକ୍ତରେ ସେ ହୋରି ଖୋଳିବ । ସଉଧ ଉପରେ ସଉଧ ନିର୍ମାଣ କରିବ । ଅହଂକାରରେ ଫାଟି ପଡ଼ିବ । ବଡ଼େଇ କରି ମୂଳରୁ ଯିବ ।

 

ଥୟ ଧର । ପ୍ରକୃତି ସହିତ ସଂଗ୍ରାମ କର । କହି କହି ପାହାନ୍ତି ପ୍ରହରର ସୁଲୁସୁଲିଆ ପବନରେ କୁଆଡ଼େ ମିଳେଇଗଲା ଦାଶିଆକା ।

 

ଦୁଇଟି ପ୍ରାଣର କଳା କଳା ଡୋଳା ଦି’ ହଳ ଦାଶିଆକାକୁ ଅନାଇଥିଲେ ନିର୍ବାକ୍‍ଭାବେ ।

 

ଲିପାପୋଛା ନିଚିପର ମାଟିଘରେ ଜୀବନର ସବୁଜ ବୃକ୍ଷରେ ଦୁଇଟି ଅର୍ଦ୍ଧଦଗ୍ଧ ପୁଷ୍ପ ଦୋହଲୁଥିଲେ ଅବେଳରେ ସୁଲୁସୁଲିଆ ପବନର ସ୍ପର୍ଶରେ ତଳକୁ ଝଡ଼ି ପଡ଼ିବା ଆଶଙ୍କାରେ । ସଂଗ୍ରାମ ତାଙ୍କୁ ଛାଡ଼ୁଛି କେଉଁଠି । ସଂଗ୍ରାମର ସୀମା ସରହଦ ବଢ଼ି ବଢ଼ି ଲାଗି ଯାଇଛି ଏ ଦିଗ୍‌ବଳୟକୁ । ରାସ୍ତା ବନ୍ଦ । ନାଲି ନିଶାଣ ଉଡ଼ୁଛି ଫରଫର ହୋଇ । ଆଗରେ ଅଗ୍ନିହୁଳ । ପଛରେ ଜାଲ ବାଡ଼ । ଡାହାଣେ ଡାହାଳ କୁକୁର । ବାମରେ ନିଜେ ବ୍ୟାଧ । ହାତରେ ଧନୁଶର । ହୃଦୟରେ ଅହମିକା ।

 

ଅହମିକାର ଶୀର୍ଷ ପାହାଚକୁ ଉଠି ଯାଇଛନ୍ତି ହରିମିଶ୍ରେ । ମତ୍ତ ଗର୍ବରେ କୁତୁକୁତୁ । ପର ସମ୍ପତ୍ତି ପାଇବାପାଇଁ ପାଗଳ । ମସ୍‍ଗୁଲ । ଧର୍ମର ପଥ ବହୁତ ଦୂର ।

 

ନ୍ୟାୟରେ ହେଉ ବା ଅନ୍ୟାୟରେ ହେଉ ଯଦି କେଉଁ କାର୍ଯ୍ୟ ସଫଳ ହୋଇଗଲା, ବହୁତ ପଥ ଅତିକ୍ରମ କରି କେହି କେବେ ନ୍ୟାୟରେ ଧନ ରୋଜଗାର କରିବାକୁ ଚାହାଁନ୍ତି ନାହିଁ ।

 

କ୍ଷୁଦ୍ରକ୍ଷୁଦ୍ର ନାଳର ପାଣି ନଦୀରେ । ନଦୀର ପାଣି ଗଡ଼ି ଗଡ଼ି ଯାଇ ସାଗରରେ ଏବଂ ସାଗରମାନଙ୍କ ସମ୍ମିଶ୍ରଣରେ ସୃଷ୍ଟିହୁଏ ମହାସାଗର । ମୁକ୍ତି ପାଇବାପାଇଁ ମହାସାଗରର ଅତଳ ଗର୍ଭରେ ସତ୍ତା ହରାନ୍ତି ନଦୀ ନାଳର ଅଜସ୍ର ଜଳରାଶି ।

 

ହରି ମିଶ୍ରଙ୍କ ପାଖରେ ଆଶ୍ରୟ ନେବା ବିନା ଉମାଶଙ୍କର ରାୟଙ୍କର କୌଣସି ଉପାୟ ନଥିଲା ।

 

ଉମାଶଙ୍କର ରାୟ କହିଲେ ମଉଜାରେ ସବୁ କିଛି । ତଥାପି ତାଙ୍କର ପ୍ରାଣର ଭୟ ହରି ମିଶ୍ରଙ୍କୁ । ମିଶ୍ରେ ତାଙ୍କର ମନ୍ତ୍ରଣାଦାତା ।

 

ଉମାଶଙ୍କରବାବୁବି କମ୍ ଲୋକ ନୁହନ୍ତି । ନାଁ କୁଆଡ଼େ ବୋଲି କୁଆଡ଼େ ପଡ଼ୁଛି । ପାଇକପଡ଼ା ଇଷ୍ଟେଟ୍‍ର ନାଏବ ତହସିଲଦାର । ଜମିବାଡ଼ିର ମାଲିକ । ସେ ଅଞ୍ଚଳ ଋଷିମାନଙ୍କର ଯମ । ତାଙ୍କ କରୁଣାରୁ କାଣିଚାଏ ମିଳିଗଲେ ଭିକାରି ହୁଏ ବାଟି ବାଟି କିଆରିର ମାଲିକ । ବିଷଦୃଷ୍ଟିରେ ପଡ଼ିଗଲେ ରାତାରାତି ଡେଙ୍ଗୁରା ପିଟି କ୍ଷେତ ଉପରେ ପୋତି ଦିଅନ୍ତି ଲାଲ ପତାକା । ସକାଳୁ ସକାଳୁ ନିଲାମ ନୋଟିସ୍‍ ହାଜର ହୁଏ ଦୁଆରେ । ଢୁଙ୍ଗୁଢ଼ୁଙ୍ଗୁ ହୁଏ ଡେଙ୍ଗୁରା । ଡେଙ୍ଗୁରାଦାର ପାଟି କରି କରି ଯାଏଁ । ପାଇକପଡ଼ା ଇଷ୍ଟେଟ୍‍ର ନାଏବ ତହସିଲଦାରଙ୍କର ହୁକୁମ ଅମୁକ ଜମିର ଖଜଣା ଠିକ୍ ସମୟରେ ଦେଇ ନ ପାରିବାରୁ ଏବଂ ଇଷ୍ଟେଟ୍‍ର ନୋଟିସ୍‍କୁ ଅବଜ୍ଞା କରିଥିବାରୁ ତାଙ୍କର ସମସ୍ତ ଜମିକୁ ବାଜ୍ୟାପ୍ତି କରାଗଲା ।

 

ଆପତ୍ତି ଓଜର କିଛି ଉମାଶଙ୍କରବାବୁଙ୍କ ମନକୁ ଛୁଏଁନି । ଦଣ୍ଡଦେଇ ସାରିବା ପରେ କ୍ଷମା ଦେବା ତାଙ୍କ ଜାତକରେ ନାହିଁ ।

 

ଆଗରୁ କାହାକୁ କିପରି କେଉଁ ଦଣ୍ଡରୁ କୋହଳ କରି ଦେଉଥିଲେ, ମାତ୍ର ହରି ମିଶ୍ରଙ୍କ ଠାରୁ କର୍ଣ୍ଣମନ୍ତ୍ର ପାଇବାଠାରୁ ସବୁ ବନ୍ଦ । ମଶ୍ରେ ମନ୍ତ୍ର ଫୁଙ୍କି ଉମାଶଙ୍କରବାବୁଙ୍କଠାରୁ ଉଡ଼େଇ ଦେଇଛନ୍ତି ଦୟା, ଧର୍ମ, କ୍ଷମା ।

 

ଏକା ଯୋଡ଼ି । ଏକା ଅନ୍ତର । ଟୁପୁଟୁପୁ ଫୁସୁଫୁସୁ । ଦୁହିଁଙ୍କ ଟୁପୁଟୁପୁ ଫୁସ୍‍ଫୁସ୍ ଦେଖିବା ଲୋକ ପକ୍ଷେ ଭୀଷଣ ଯନ୍ତ୍ରଣାଦାୟକ । ହାଲୁକ ଶୁଖିଯାଏ । ଖାଇବାକୁ ଅନ୍ନ ରୁଚେନି । ଉମାଶଙ୍କରବାବୁ ଯମରାଜାଙ୍କ ଦ୍ଵିତୀୟ ଅବତାର । ତାଙ୍କ ହାତର କୋରଡ଼ା ଗୋଡ଼ର ଚପଲ ମାଡ଼କୁ ଦେଖିଲେ ଥରି ଉଠନ୍ତି ପ୍ରଜାମାନେ ।

 

ବିନା ଦୋଷରେ ତାଙ୍କ କୋରଡ଼ା ଚୁମ୍ବନଦିଏ ପ୍ରଜାଙ୍କ ପିଠିରେ । କୋରଡ଼ା ମାଡ଼ର ନିର୍ଘାତ ରଡ଼ି, ପଠପଟା ନିଗିଡ଼ାରକ୍ତ ହରି ମିଶ୍ରଙ୍କ ମନକୁ ଉଲ୍ଲସିତ କରେ । ଖୁସି ହୋଇ ଉମାଶଙ୍କରବାବୁଙ୍କୁ ପ୍ରଶଂସା ନ କରି ରହିପାରନ୍ତି ନାହିଁ । ଖୁବ୍ ମନ ତରଳା ବାଣୀ ଶୁଣାନ୍ତି । ହାତକୁ ହାତ ମିଳାଇ କାନକୁ ପାଟି ଯୋଡ଼ି ଦେଇ କହନ୍ତି, ଜାଣିଲ ଉମାବାବୁ ! କୋହଳ ହେଲେ କଥା ସରିଯିବ । ବିରାଡ଼ିକି କେବେ ହାତକାମୁଡ଼ା ଶିଖାଇବ ନାହିଁ । ୟାଙ୍କ ପିଠିରେ ଯେତେ ଯେତେ କୋରଡ଼ାମାଡ଼ ଆଉ ଗାଲରେ ଜୋତା ସେକ ଦେଉଥିବ, ଏମାନେ ସେତିକି ତୁମର ହେବେ । ଆଜ୍ଞା ଆଜ୍ଞା କହି ଚାରିହାତ ଦୂରରୁ ସଲାମ ପକାଇବେ । ନହେଲେ କେତେବେଳେ ତୁମ ମୁଣ୍ଡରେ ପେଡ଼ିପୁଟୁଳା ଥୋଇ ଏଠାରୁ ବିଦାୟ କରିଦେବେ, ତାହା ଜାଣିବା ମୁସ୍କିଲ୍‍ ହୋଇପଡ଼ିବ । ଏ ଶଳାଙ୍କୁ ବ୍ରିଟିସ ସରକାର ପାରିଲା ନାହିଁଟି । ତୁମେ ସାବଧାନ ନ ରହିଲେ ତୁମର ଚେରମୂଳ ଉଡ଼େଇଦେବେ ।

 

ଉମାଶଙ୍କରବାବୁଙ୍କ ମନକୁ ହରି ମିଶ୍ରଙ୍କ କଥାଗୁଡ଼ାକ ଭଲଭାବେ ଛୁଇଁ ଯାଏଁ । ଠିକ୍ ଯେପରି କଙ୍କଡ଼ାକୁ ଗୋଳି ପାଣି । କ୍ଷୀର ସଙ୍ଗେ ନୀର । ଲୁହାକୁ ଚୁମ୍ବକ ।

 

ଆଲୋ ମାଉସୀ ଯାହାପାଇଁକି ଯିଏ ଧାଇଁଛି । ବିନା ଲାଭରେ ମିଶ୍ରେ ଉମାଶଙ୍କରବାବୁଙ୍କୁ ଘରକୁ ତିନି ପ୍ରହର ଡକାଉ ନାହାନ୍ତି । ବେଳେବେଳେବି ବାବୁଙ୍କ କଚେରିରେ ହାଜର ହୋଇ ଯାଆନ୍ତି । ମିଶ୍ରଙ୍କ ହାତମୁଠାରୁ ଖସିବାର କୌଣସି ଉପାୟ ନଥାଏ ଉମାଶଙ୍କରବାବୁଙ୍କର ।

 

ବାବୁଙ୍କର ତିନି ପୁଅ, ଗୋଟିଏ ଝିଅ । ମିଶ୍ରଙ୍କର ମାତ୍ର ଦୁଇଟି ଝିଅ । ମିଶ୍ରେ ଉମାଶଙ୍କରବାବୁଙ୍କ ମନ କିଣିନେବା ପାଇଁ ଦିନେ ବସାଉଠାବେଳେ ପ୍ରସ୍ତାବଟିଏ ପକାଇବାକୁ ଯାଇ କହିଲେ, ହୟେ ନାଏବବାବୁ ! ତୁମ ଆମ ଭିତରେ ଆଉ କ’ଣ ଅଭିନ୍ନ ଅଛି ? ଏପରି ବନ୍ଧୁ, ଭାବ ବା କେତେଦିନ ରହିବ ? ଏପରି ଗୋଟିଏ ବନ୍ଧୁତ୍ୱ ଭାବ ସ୍ଥାପନ କରିବା ଯେପରି ଆମର ନାତି, ନାତୁଣୀ, ପଣନାତି ଅମଳ ପର୍ଯ୍ୟନ୍ତ ସମ୍ପର୍କ ଅତୁଟ ରହିବ ।

 

ତାହାହିଁ ହେଉ ବୋଲି ଉମାଶଙ୍କରବାବୁ ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରଦାନ କଲେ ।

 

ଏଇମିତି ଏଇମିତି କେତେଦିନ କଟିଗଲା । ଦିନେ ପୁରସ୍ତମ କ୍ଷେତ୍ରରେ ମିଶ୍ରେ ଓ ଉମାଶଙ୍କରବାବୁ ବଡ଼ଠାକୁରଙ୍କ ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ କରୁଥାନ୍ତି, ଗୋଟିଏ ଭିକାରି ବାଳକ ତାଙ୍କ ପାଖରେ କିଛିଦୂର ଛାଡ଼ି ଆର୍ତ୍ତ କଣ୍ଠରେ ବଡ଼ଦେଉଳର ହଳିଆଙ୍କୁ ଡାକି ଡାକି କହୁଥାଏ–

 

କହ ହଳିଆରେ !

କାହିଁକି କନ୍ଦାଇ ମାରେ ତୋ ଭାଇ କାଳିଆରେ ? (ଘୋଷା)

ଡାକିଲି ମୁଁ ଯେତେଥର,

ମୋପାଇଁ ହେଲା ପଥର ।

ନୀଳାଚଳୁ ପଳାଇଲା, ସେ ନିଳାଚଳିଆରେ ? (୧)

ଏଡ଼େ ଏଡ଼େ ଚକ୍ଷୁ ପାଇ,

କ୍ଷଣେ ସେ ଚାହିଁଲା ନାହିଁ ।

ଚକ୍ଷୁରେ କେ ବାନ୍ଧିଦେଲା, ଅନ୍ଧପୁଟୁଳିରେ ? (୨)

ବଳିରାଜା, ହରିଶ୍ଚନ୍ଦ୍ର,

କର୍ଣ୍ଣରାଜା, ରାମଦାସ ।

ମଣିଦାସ ତରିଗଲେ, ତା’ର ନାମ ଗାଇ କିରେ ? (୩)

ରଘୁ ଅରକ୍ଷିତ କଥା,

ବନ୍ଧୁ ମହାନ୍ତି ଚରଚା ।

ଦାସିଆ ହାତୁ ଶ୍ରୀଫଳ ଖାଇ ନାହିଁ କିରେ ? (୪)

କରିଥିଲି ଆଶା କେତେ,

ଜନମ ହୋଇ ମରତେ ।

ପାରହେବି ଭବଘାଟ, ତା’ର ନାମ ଜପି କିରେ ? (୫)

ତା’ର ବଳେ ବଳୀୟାନ,

ଅଜ୍ଞାନ ମୁଁ ପାଇ ଜ୍ଞାନ ।

ମୁକ୍ତିପାଇଁ ନିବେଦନ, କରିଥାନ୍ତି ତା’ ଚରଣେ ? (୬)

ଏଡ଼େ ବଡ଼ ପ୍ରଭୁ ହୋଇ,

କାହିଁ କେଡ଼େ ନାମ ବହି ।

ଡାକିଲେ ସେ ଶୁଣୁନାହିଁ, କେଡ଼େ କାଲାଟାରେ ? (୭)

କହେ କୃପାସିନ୍ଧୁ ଛାର,

ହଳିଆ କାଳିଆ ମୋର ।

ତାଙ୍କ ନାମ ହୃଦେ ଧ୍ୟାୟୀ ଚାଲି ଯାଉ ଜୀବନରେ ? (୮)

 

ଗୀତ ଗାଇ ଗାଇ ମିଶ୍ରେ ଏବଂ ଉମାଶଙ୍କରବାବୁଙ୍କ ପାଖକୁ ବାଳକଟି ଆସି ଶୁଖିଲା ଶୁଖିଲା କଣ୍ଠରେ ହାତ ବଢ଼େଇ କହିଲା, ବାବୁ ! ଭୋକ କରୁଛି କ’ଣ ଯୋଡ଼େ ମିଳୁ ।

 

କିଏରେ ଟୋକା । ତୋତେ ଆଉ କେଉଁଠି ଜାଗା ମିଳିଲାନି ମାଗିବାକୁ । ଏଇଠିକି ପଳାଇ ଆସିଲୁ । ପେଟ ଯଦି ନପୂରୁଛି ଯାଉନୁ କାହାଘରେ ରହି କାମଦାମ କରି ପେଟ ପୋଷିବୁ । ଦୁନିଆଯାକ ଭିକାରି ହେଲେ କିଏ କାହାକୁ ଭିକ ଦେବ–କହିଲେ ହରି ମିଶ୍ର ।

 

ମିଶ୍ରଙ୍କ କଥାକୁ ପାଳି ଧରି ସମର୍ଥନ କଲେ ଉମାଶଙ୍କରବାବୁ ।

 

ପିଲାଟି ଗୀତ ଗାଇ ଗାଇ ଲକ୍ଷ୍ମୀଙ୍କ ମନ୍ଦିର ଆଡ଼େ ମୁହାଁଇଲା ।

 

ଜିନିଷପତ୍ରର ଦରଦାମ୍‍ ଆକାଶ ଛୁଇଁଲାଣି । ଟଙ୍କାଏ ଜାଗାରେ କୋଡ଼ିଏ ଟଙ୍କା ଦେଲେବି କୌଣସି ଜିନିଷ ବଜାରରେ ମିଳିବା କଠିନ ହୋଇ ପଡ଼ୁଛି । ବେକାରି ଓ ଦାରିଦ୍ର୍ୟ ଘୋଡ଼ା ଛୁଟିଲା ଭଳି ଦ୍ରୁତଗତିରେ ବଢ଼ି ଚାଲିଛି । ଚାରିଆଡ଼େ ତ୍ରାହି ତ୍ରାହି ରବ । ବଡ଼ ବ୍ୟବସାୟୀମାନେ ଆବଶ୍ୟକୀୟ ଦ୍ରବ୍ୟକୁ ନିଜ ନିଜର ଗୁପ୍ତ ଗୋଦାମରେ ରଖି ମନଇଚ୍ଛା ଦାମରେ ବିକ୍ରୟ କରୁଛନ୍ତି । ଗରିବମାନଙ୍କୁ ଶୋଷଣ କରାଯାଉଛି । ଦେଶବାସୀ ମହଙ୍ଗା, ବେକାରି ଓ ଅଭାବ ଚାପରେ ପେଷି ହୋଇ କୌଣସିମତେ ବଞ୍ଚିବା ନିମନ୍ତେ ଚେଷ୍ଟା କରୁଛନ୍ତି । ପ୍ରଜାଏ ଆଖି ଲୁହ ଗାଣ୍ଡିରେ ପୋଛୁଛନ୍ତି । କହୁ କହୁ ମିଶ୍ରେ ଉମାଶଙ୍କରବାବୁଙ୍କ ବାମଡେଣାଟାକୁ ତାଙ୍କ ଡାହାଣ ହାତରେ ହଲାଇ ଦେଇ କହିଲେ, କ’ଣ କହୁନ ନାଏବବାବୁ ! ଏ ଭିକାରିଗୁଡ଼ିକବି ଦେଶରେ ଅଭାବ ସୃଷ୍ଟି କରିବାରେ କମ୍ ଦାୟୀ ନୁହନ୍ତି । ଏ ଶଳାଙ୍କୁ ନେଇ ଯଦି ବିଲରେ ଘୋଟା ଯାଆନ୍ତା, ଏମାନେ ତ ବେଶ୍ କାମ କରନ୍ତେ । ଏତେ ହଳିଆ ମୂଲିଆ ମଣିଷ ଖୋଜନ୍ତା କାହିଁକି ?

ମଝିରେ ମଝିରେ ମିଶ୍ରଙ୍କ କଥାରେ ହୁଁ ହୁଁ ମାରୁଥିଲେ ଉମାଶଙ୍କରବାବୁ ।

ଉମାଶଙ୍କରବାବୁ ତରତର ହେଉଥିଲେ ଖାଇବା ପର୍ବ ଶେଷକରି, କଚେରିକୁ ଯିବାପାଇଁ-

ମିଶ୍ରେ କଥାର ମୋଡ଼ ବଦଳେଇ ଦେଇ କହିଲେ, ହୟେ ନାଏବବାବୁ ! ତୁମେ ବଡ଼ ଅଡ଼ୁଆତଡ଼ୁଆ ଲୋକ । ଗେଲିବୋଉ ଆମର କେତେଥର କହିଲେଣି ତୁମ କଥା । କହିବି ବୋଲି କହି ପାରି ନଥିଲି । ଇଏତ ବଡ଼ଠାକୁରଙ୍କ ବିଜେସ୍ଥଳୀ । ଏଇଠି ପ୍ରସ୍ତାବଟିକୁ ପକ୍କା କରିଦେଲେ ହୁଅନ୍ତା ନାହିଁ ।

ଉମାଶଙ୍କରବାବୁ ମିଶ୍ରଙ୍କ ଆଡ଼କୁ ଅବାକ ନୟନରେ ଅନାଇ ପ୍ରଶ୍ନ କଲେ, କେଉଁ ପ୍ରସ୍ତାବ ?

ଓଃ ! ଆପଣଙ୍କର ବୋଧେ ପ୍ରସ୍ତାବଟା ମନେ ନାହିଁ । ହଉ ତାହାହେଲେ ମୁଁ କହୁଛି । ଆପଣ ଟିକିଏ ମୋ ଆଡ଼କୁ କାନ ଦିଅନ୍ତୁ । ମନ ମାନିଲେ ହଁ କରିବେ । ନହେଲେ ନାହିଁ କରିଦେବେ । ହଜାର ଥର ଗୋଟାଏ କଥାକୁ ଆଲୋଚନା କଲେ ଅଚିକ୍କଣ ହେବ ।

ମୁହଁକୁ ଗମ୍ଭୀର କରି ତଳକୁ ମଥା ପୋତିଲେ ମିଶ୍ରେ । ପୁଣି ଟିକିଏ ସନ୍ଧ୍ୟାତାରାପରି ଉଜ୍ଜ୍ୱଳ ଆଖି ଦୁଇଟିରେ ଉମାଶଙ୍କରବାବୁଙ୍କ ଆଡ଼କୁ ଅନାଇ, ମୁହଁକୁ ଆମ୍ବିଳେଇ ଆମ୍ବିଳେଇ ଅବସାଦଭରା ଭଙ୍ଗିରେ କହି ଉଠିଲେ, ତୁମ ଆମ ମଧ୍ୟରେ ଗୋଟାଏ ଧରାବନ୍ଧା ସମ୍ପର୍କ ରଖିବାକୁ ଗେଲିବୋଉ ମୋତେ ଢେରେ ଥର କହିଲେଣି । ମୁଁ କହିବି କହିବି ହୋଇ କହି ପାରିନି । ଯାହାଟା କହୁଛି ମନରେ ଟିକିଏ ଭଲ ଭାବରେ ହେଜ । ଜ୍ଞାନ କର । ତା’ପରେ ବିଚାର କରି କୁହ ପ୍ରସ୍ତାବଟା ମନରୁଚକ କି ନୁହେଁ ।

ଚିନ୍ତାର କେତୋଟି ରେଖା ଫୁଟି ଉଠିଲା ଉମାଶଙ୍କରବାବୁଙ୍କ ମସୃଣ କପାଳରେ । ଭାବନାର ଭାରରେ ମଥା ନତ କରି ଅସ୍ପଷ୍ଟ ସ୍ଵରରେ କହିଲେ କାହିଁକି ? ମନୁଷ୍ୟ ଜଣେ ସାମାଜିକ ପ୍ରାଣୀ ହିସାବରେ ପ୍ରତ୍ୟେକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ହେଉଛି ପ୍ରଧାନ କର୍ତ୍ତବ୍ୟ ।

ମିଶ୍ରଙ୍କ ଆଖିରେ ଧୀରେ ଧୀରେ ଜାଗି ଉଠିଲା ଅକୁହା ଅମାପ ସ୍ଵପ୍ନ । କିଛି ସମୟ ଯିବା ପରେ ଉମାଶଙ୍କରବାବୁଙ୍କ ପିଠିରେ ହାତ ଥାପୁଡ଼େଇ ଗେଲେଇ ଗେଲେଇ ପ୍ରଥମେ ଗେଲିବୋଉର ପ୍ରଂଶସା କରୁ କରୁ କଥାଟା ଖୋଲି କହି ଦେଲେ ।

ଉମାଶଙ୍କରବାବୁଙ୍କ ସାନପୁଅ ଶଶାଙ୍କ ସହିତ ମିଶ୍ରଙ୍କ ସାନଝିଅ ସୁଲିର ବିଭାଘର ହେବ-

ଉମାଶଙ୍କରବାବୁଙ୍କ ମୁହଁକୁ ଚାହିଁ ହସିଲେ ମିଶ୍ରେ । କହିଲେ, ଆରେ, ବୁଝି ପାରୁନା ? ଭଲ ହେବମ । ଭଲ ହେବ । ମୋ ସୁଲି ସହିତ ଶଶାଙ୍କର ବାହାଘର ହେଲେ ଦୁହେଁ ଭାଇ ଭଉଣୀ ଭଳି ଦେଖାଯିବେ । ସାକ୍ଷାତ ଲକ୍ଷ୍ମୀ ନାରାୟଣ ପରି ଭାରି ଶୋଭା ପାଇବେ ।

ହରି ମିଶ୍ରଙ୍କ ମନର ଏଇ ବିଚିତ୍ର ରହସ୍ୟ ଭେଦ କରିବା ଉମାଶଙ୍କରବାବୁଙ୍କ ପକ୍ଷେ କଷ୍ଟସାଧ୍ୟ ଥିଲା । ଏହିପରି ସୁଯୋଗ ଆଗରୁ ଉମାଶଙ୍କରବାବୁ ଖୋଜୁଥିଲେ । ବଳେବଳେ ଜୁଟିଗଲା । କାଳ ବିଳମ୍ବ ନ କରି ହଁଟାଏ ମାରିଦେଲେ ।

 

ମିଶ୍ରେ ଏବଂ ଉମାଶଙ୍କରବାବୁ ଆନନ୍ଦରେ ଉଦ୍ଭାସିତ ହୋଇ ମହାପ୍ରସାଦ ଧରି ସେଇଠି ପ୍ରସ୍ତାବଟା ପକ୍କା କରିଦେଲେ ।

 

ସୁଲି ସହିତ ଶଶାଙ୍କର ଶୁଭ ପରିଣୟ ହେବ । ସେମାନେ ବୈବାହିକ ସମ୍ପର୍କରେ ବାନ୍ଧିହେଲେ, ଏମାନେ ସମୁଦି ଡକାଡ଼କି ହେବେ । ଯୁଗଯୁଗକୁ ବନ୍ଧୁ ବାନ୍ଧିବେ, ଗୁଆ ଚଳିବ ।

 

ସୁଲି ଆଉ ଲକ୍ଷ୍ମୀ । ଜଣେ ସଞ୍ଜ ପ୍ରହରରେ ପୁନେଇଁ ଜହ୍ନ ହେଲେ, ଆଉ ଜଣେ ପାହାନ୍ତି ପ୍ରହର ଫକୁଆତାରା । ସୁଲି ପୋଖରୀ ଜଳର ନୀଳକଇଁ ହେଲେ ଲକ୍ଷ୍ମୀ ଗୋବରଗାଡ଼ିଆର ପଦ୍ମ । ଇଏ ଜୀବନ ବିତଉଛି ମଉଜମଜଲିସ୍‌ରେ । ସିଏ ଜୀବନପାଇଁ ସଂଗ୍ରାମ କରୁଛି ଦୁଃଖ କଷ୍ଟରେ ।

 

ମିଶ୍ରଙ୍କ ଆଖିରେ ସୁଲି ଯେପରି ଲକ୍ଷ୍ମୀ ସେପରି ନୁହେଁ । କିନ୍ତୁ ଏକା ଭାଡ଼ିର ପାରା ପରି ସୁଲି ଓ ଲକ୍ଷ୍ମୀ ଅନନ୍ତ ଆକାଶରେ ଲୁଚି ଯାଆନ୍ତି ଅଗଣିତ ତାରାମେଳରେ । ହସିଖେଳି ପୁଣି ଫେରି ଆସନ୍ତି ତାଙ୍କର ଭାଡ଼ିକୁ । ପରସ୍ପର ସ୍ନେହ ମମତାରେ ଏହିପରିଭାବେ ବନ୍ଧା ଯେ ଜଣେ ଜଣକୁ ଘଡ଼ିଏ ନ ଦେଖିଲେ ବଣା ହୋଇ ପଡ଼ନ୍ତି । ମନ କଚିରି ମିଚିର ହୋଇଯାଏ । ଭାତ ରୁଚେନି । ନିଦ ହୁଏନି ।

 

ଲମ୍ବପଣତ ସବୁ ଆଡ଼କୁ ପାଏ । ଛୋଟ ପଣତ ଯୁଆଡ଼କୁ ବେଢ଼ାଇଲେ ସିଆଡ଼ିକି ପାଏନି । ଲକ୍ଷ୍ମୀର ଅଭାବ ତାକୁ ପ୍ରତି ମୁହୂର୍ତ୍ତରେ ଅପଦସ୍ତ କରାଏ । ବକା ଶୁଣାଏ ପିଠିରେ ମାଡ଼ ବସେ । ବୋଉ ହାତର ପାଞ୍ଚ ଆଙ୍ଗୁଳି ତା’ ପିଠିରେ ଦାଗ ରହିଯାଏ ।

 

ସୁଲି ଲକ୍ଷ୍ମୀର କ୍ଲାସ୍‍ମେଟ୍‍ । ଗାଁ ସ୍କୁଲ୍‍ରୁ ପାଠପଢ଼ା ସାରିବା ପରେ ସୁଲି ନାଁ ଲେଖିଲା ଯାଇ ଗାଁ ପାଖରେ ଥିବା ଉଚ୍ଚ ବିଦ୍ୟାଳୟରେ । ଯେତେ ଚେଷ୍ଟା କଲେବି ଲକ୍ଷ୍ମୀ ଭାଗ୍ୟରେ ଯୁଟିଲାନି ସେଠାରେ ପାଠ ପଢ଼ିବା । ବୋଉ ପାଖେ ଅଝଟ ହୋଇ କାନ୍ଦିଲା । ଚାରିଦିନ ପର୍ଯ୍ୟନ୍ତ ଭାତ ଖାଇଲା ନାହିଁ । କିନ୍ତୁ ଲକ୍ଷ୍ମୀ ବୋଉ ନିରୁପାୟ । ଖଡ଼ା ନାସ୍ତି ଦିବାକର, ପାଖରେ ପଇସାଟିଏ ନାହିଁ । ଝିଅର ନାଁ ସ୍କୁଲ୍‍ରେ ଲେଖିବେ କିପରି ?

 

ସୁଲି ଦଶ ବାର ଦିନ ସ୍କୁଲ୍‍କୁ ଯିବା ପରେ ବୋଉ ପାଖରେ ଆସି ମୁହଁ ଶୁଖେଇଲା, ବୋଉ ! ମୁଁ ଆଉ ସ୍କୁଲ୍‍କୁ ଯିବିନି । ମୋତେ ଭଲ ଲାଗୁନି । ଛତରା ଟୋକାଗୁଡ଼ାକ ବାଟରେ ହଇରାଣ କରୁଛନ୍ତି । ଦେଖେଇ ଶିଖେଇ କେତେକଅଣ କହୁଛନ୍ତି । ମୋ ସାଙ୍ଗକୁ ଆଉ ଜଣେ ଝିଅ ସାଙ୍ଗହେଲେ ଭଲ ହୁଅନ୍ତା ।

 

ସୁଲିବୋଉ ଘର କାମରେ ବ୍ୟସ୍ତ ଥିଲେ । ସୁଲି ତାଙ୍କର ପଣତ କାନିଟାକୁ ଧରି ପଛେ ପଛେ ଗୋଡ଼େଇ କାନ୍ଦି କାନ୍ଦି କହୁଥାଏ । ସେ ସୁଲି କଥାକୁ କାନ ନ ଦେଇ କାନିଟାକୁ ଝିଙ୍କି ଚାଲିଗଲେ ଘରକୁ ।

 

ସୁଲି ପଥର ଆଗଣାରେ ପଡ଼ିଯାଇ ଭେଁଭେଁ ହୋଇ କାନ୍ଦୁଥାଏ । କିଛି ସମୟ ପରେ ମିଶ୍ରେ ଆସି ଝିଅକୁ ଉଠାଇ ସହଧର୍ମିଣୀଙ୍କ ଉପରେ ପଞ୍ଚମ ହୋଇ, ବୁହେ ଝଡ଼େଇ ହେବାପରେ ଘର ଶିକାରୁ ପନ୍ଦର ଦିନ ତଳର ଖୁଦଭଜାଯୋଡ଼େ ଦେଇ ତୁନି କଲେ । ସୁଲି କି ସେଥିରେ ବୁଝେ । ତାକୁ ଯେତେ ବୁଝାଇଲେ ମଧ୍ୟ ସୁଲି ଅବୁଝା ହେଉଥାଏ ।

 

ସୁଲି କେତେବେଳକୁ କାନ୍ଦଣା ବନ୍ଦ କରି କହିଲା, ବାପା ! ଖୁଡ଼ୀକୁ କୁହ ଲକ୍ଷ୍ମୀ ଅପାର ନାଁ ସ୍କୁଲ୍‍ରେ ଲେଖିବ । ତା’ର ମୋର ସାଥି ହୋଇ ପାଠ ପଢ଼ିଯିବୁ । ଲକ୍ଷ୍ମୀ ଅପା ନ ଗଲେ ମୁଁ ସ୍କୁଲ୍‍କୁ ଯିବିନି ।

 

ସୁଲିର ଅଝଟ ଶୁଣି ମିଶ୍ରଙ୍କ ଶରୀରରେ ଜମାଟ ବାନ୍ଧି ରହିଥିବା ଲହୁ ଟକମକ ହୋଇ ଫୁଟିବାକୁ ଲାଗିଲା । ପ୍ରବାହିତ ହେଲେ ଶରୀରର ଶିରାପ୍ରଶିରାରେ । ଅନ୍ତର ତାଙ୍କର କରତି ହୋଇଗଲା । ମନର ରକ୍ତମାଂସ ଓ ଚମର ପୋଷାକ ନିସ୍ତେଜ, ନିର୍ଜୀବ ଓ ଶୀତଳ ହୋଇ ପଡ଼ିଲେ-। ଶ୍ରାବଣର ବାରିଧାରାରେ ଧୋଇ ହୋଇଗଲେ ଦୟା, କ୍ଷମା, ମାୟା, ମମତା ଓ ସ୍ନେହ-

 

ଛି ଛି ସୁଲି ! ଲକ୍ଷ୍ମୀ ନାଁ ତୁଣ୍ଡରେ ପୂରାନା । ସେ ଅଲକ୍ଷଣୀଟା । ତା’ ସାଙ୍ଗରେ ସାଙ୍ଗ ହୋଇ ପାଠ ପଢ଼ିଲେ ତୋତେ ପାଠ ଆସିବନି । ଜଳଖିଆ ଛଡ଼େଇ ଖାଇଦେବ । ବତେଇ ଶିଖେଇ ପଇସା ନେଇ ଯିବ । କାଙ୍ଗାଳୁଣୀଟା । ସଦାବେଳେ ଖାଇବାପାଇଁ ହାଇଁ ହାଇଁ ହେଉଛି । ଗାଁରୁ ଏତେ ପିଲା ଯାଉଛନ୍ତି । ଶଶାଙ୍କ ଭାଇ ଯାଉଛି । ଶଶାଙ୍କ ଭାରି ଭଲ ପିଲା । ମୁଁ କହିଦେବି ସେ ତୋ’ ଭଲମନ୍ଦ ବୁଝିବ ।

 

ଯେତେ ବୁଝେଇଲେବି ସୁଲି ବୁଝିଲା ନାହିଁ । ଦିନରାତି ମୁହୂର୍ତ୍ତ ପରେ ମୁହୂର୍ତ୍ତ ଅଝଟ ହେଲା । ବୋଉକୁ କାମ କରେଇ ଦେଲାନି । କାନ୍ଦି କାନ୍ଦି ପଛେ ପଛେ ଗୋଡ଼ାଇଲା । କୌଣସି ରକମରେ ସୁଲିକୁ ବୁଝାଇ ପାରିଲେ ନାହିଁ କି ସ୍କୁଲ୍‍ରେ ଲକ୍ଷ୍ମୀର ନାଁ ଲେଖାଇବା ବ୍ୟବସ୍ଥା କଲେନି ।

 

ଲକ୍ଷ୍ମୀବୋଉ ବିରୁଦ୍ଧରେ ହରି ମିଶ୍ରେ ବିଧିବଦ୍ଧଭାବେ ବିସ୍ଫୋରଣ ଘଟାଉଥିବାବେଳେ ଲକ୍ଷ୍ମୀପାଇଁ ପାଠ ପଢ଼ା ବ୍ୟବସ୍ଥା ବା କିପରି କରନ୍ତେ ?

 

ଲକ୍ଷ୍ମୀ ବୋଉର ସାଂସାରିକ ଜୀବନ ଏକ ଶୀତୁଆ କୁହୁଡ଼ି ପରି । ରାତି ହେଲେ ବହୁ ଆଡ଼ମ୍ବରରେ ଆସି ଗାଁଗଣ୍ଡାକୁ କରାୟତ୍ତ କରିଦିଏ, ପୁଣି ସକାଳୁ ଟିକିଏ ଟାଣ ଖରାର ଧାସ ବାଜିଗଲେ କୁଆଡ଼େ ମିଳେଇ ଯାଏଁ ଯେ ସତ୍ତା ରହେନି ।

 

କାହିଁ ଆକାଶ ଚାନ୍ଦ । କାହିଁ ଲକ୍ଷ୍ମୀ ବୋଉ !

 

ଛୋଟ ଶିଶୁଙ୍କୁ ଆକାଶର ଜହ୍ନମାମୁ ଦେଖେଇ ବୁଝାଇଲା ପରି ସୁଲିକୁ ବୁଝାଉଛନ୍ତି ହେଲେ ସୁଲିର ଅଝଟ ବେଳକୁବେଳ ବୃଦ୍ଧି ପାଇଲା ପଛେ କମିଲା ନାହିଁ ।

 

ଟୁପୁରୁଟାପରା ଫୁସୁରୁ ଫାସର । କୁଟୁରୁ କାଟର । ମୁହଁମୋଡ଼ା । ଆଖି ତରଟା । ଖାଇଗଲା ରାଣ୍ଡ ଖାଇଗଲା । ବକଟେ ବୋଲି ଛୁଆଟା ମୋର, ବଢ଼େଇ ଶିଖେଇ ଖାଇଗଲା । କି କିମିଆ କରିଛି କେଜାଣି ନଖି ଅପା ହେଇ ହେଇ ବିଲେଇ ପରି ପଛରେ ଗୋଡ଼େଇଛି । ରାଣ୍ଡର ପରା ରାବଣେଶ୍ଵର ମାୟା । ଇମିତି କଲେ ପରା, ଆମେ ନକ୍ଷିକୁ ପାଠ ପଢ଼େଇ ନେବୁ । ଏତେ କଥା କରି ତ ରାଣ୍ଡକୁ ପାରି ହେଲାନି । ଆଉ କ’ଣ କଲେ ହେବ କେଜାଣି ? ଘରେ ତ ପାଦ ଦଉ ଦଉ ଘଇତାକୁ ଖାଇଲା । କୁଆଡ଼ୁ ବୋଲି କୁଆଡ଼ୁ ଝିଅଟାକୁ ଜନମ କରିଦେଇ, ଦିମାକ ଦେଖ !

 

ସୁଲି ବୋଉର କଟୁବାକ୍ୟ ଓ ଅଶ୍ରାବ୍ୟ ଗାଳି ଶୁଣି ନ ଶୁଣିବା ପରି ଲକ୍ଷ୍ମୀ ବୋଉ କାନରେ ହାତ ଦେଇ ଚାଲିଯାଏ । କିଛି କୁହେନି । ତୁନି ରୁହେ !

 

ସୁଲି ଆଖିର ଲୁହ, ଲକ୍ଷ୍ମୀ ବୋଉର ବିବେକକୁ ଦାଉଁ ଦାଉଁ କରି ପଥର ଛେଚିଲା ପରି ଛେଚି ଛେଚି ଅଣନୟାନ୍ତ କରିଦେଲା । ମୁଣ୍ଡ ଭିତରେବି ସତେ ଯେମିତି ହାତୁଡ଼ି ପାହାର । ମୁଣ୍ଡା କୋଇଲାକୁ କିଏ ଯେମିତି ପିଟି ପିଟି ଗୁଣ୍ଡା କରୁଛି ।

 

ଅସ୍ଥିର ଅଥୟ ମନ ସମ୍ଭାଳିଲାନି । ଯାହାହେଲେବି ସୁଲି ତା’ର ଝିଆରୀ ? ବଡ଼ ଯା’ର ଝିଅ । ସେମାନେ ପର କରିଦେଲେ ବୋଲି ଲକ୍ଷ୍ମୀ ବୋଉ କ’ଣ ପର କରିଦେବ ?

 

ସୁଲି କେତେଥର ଆସି ଖୁଡ଼ୀ ପାଖରେ ଅଳିକରି ଯାଇଛି ଲକ୍ଷୀ ଅପାକୁ ସ୍କୁଲ୍‍ରେ ପଢ଼ାଇବାକୁ ।

 

ଅଭାବର ତାଡ଼ନାରେ ପଡ଼ି ଯାହା ଘରକରଣା ଜିନିଷପତ୍ର ଥିଲା ସବୁ ବିକିଭାଙ୍ଗି ଖାଇଥିଲା ଲକ୍ଷ୍ମୀ ବୋଉ । ବାକିଥିଲା ଆଉ କେତେଖଣ୍ଡ ଖାଇବା ବାସନକୁସନ । ଯୁଗ କୁଆଡ଼େ ଯାଇ ପହଞ୍ଚିଲାଣି । ଅଭାବ ସବୁବେଳେତ ଲାଗି ରହିଛି । ଲାଗିବି ରହିଥିବ । ଭଲ କରି ଚାରି ଅକ୍ଷର ଲକ୍ଷ୍ମୀକୁ ପାଠ ନ ପଢ଼ାଇଲେ ଆଜିକାଲିର ନିଲାମ ବଜାରରେ ଜ୍ୱାଇଁ ପାଇବା କାଠିକର ହେବ ।

 

ଅଭାବ ସବୁକୁ ପାହାରେ ପକେଇ ଲକ୍ଷ୍ମୀ ବୋଉ ବାସନକୁସନ ପରଘରେ ଥୋଇ ଲକ୍ଷ୍ମୀର ନାଁ ସ୍କୁଲ୍‍ରେ ଲେଖିଦେଲେ ।

 

ଏଡ଼ାଳରୁ ସେ ଡାଳ । ସେ ଡାଳରୁ ଏ ଡାଳ ଲକ୍ଷ୍ମୀ ଏବଂ ସୁଲି ଡେଣା ହଲାଇ ହଲାଇ ସାଙ୍ଗସୁଖ ହୋଇ ଉଡ଼ି ବୁଲିଲେ । ଏକମନ ଏକ ଜୀବନ । ଗାଧୁଆ, ଝାଡ଼ା, ପଢ଼ା ଏକା ସାଙ୍ଗହୋଇ କରନ୍ତି । ବାପା ବୋଉଙ୍କ ଭୟରେ ସୁଲି ଲକ୍ଷ୍ମୀକୁ କେବେ ଘରକୁ ଡାକି ନେଇ ପାରେନା । ବରଂ ଲକ୍ଷ୍ମୀ କେତେଥର ସୁଲିକୁ ଡାକିନେଇ ତାଙ୍କ ଘରେ ଚରଚା କଲେଣି । ସୁଲି ଜାଣେ ତା’ ଲକ୍ଷ୍ମୀଅପା ଘୋର ଅଭାବର ସମ୍ମୁଖୀନ ହେଉଛି । ତଥାପି ସେ ଜାଣି ଜାଣି ଲକ୍ଷ୍ମୀ ଅପା ଘରକୁ ତା’ର ଖାଇବାକୁ ଯାଏଁ । ଆତ୍ମତୃପ୍ତି ପାଏ । ସେ ଦିନଟିଯାକ ଆନନ୍ଦରେ କଟାଏ ।

 

ଆକାଶ ଅଞ୍ଚଳରେ ସବୁତାରା ଯେତେବେଳେ ଲୁଚି ଯାଆନ୍ତି ସେତେବେଳେ ମୁହଁ ଦେଖାଏ କୁଆଁତାରା । ଜୁଳୁଜୁଳୁ କରି ପୃଥିବୀକୁ ଚାହେଁ । ଏତିକିବେଳେ ଆକାଶ ଭାରି ବିବର୍ଣ୍ଣ ଦେଖାଯାଏ । ଏଇ ବିବର୍ଣ୍ଣ ଆକାଶ ଭଳି ଲକ୍ଷ୍ମୀ ବୋଉର ଜୀବନ ।

 

ସତେ କ’ଣ ସେ ଏମିତି ଜୀବନ ଚାହିଁଥିଲା । ଭୀରୁ ଆଖି ଯୋଡ଼ିକ ତା’ର ସବୁ ଦେଖୁଛି-। ଚାରିଆଡ଼ ଶ୍ରୀହୀନ । ଲକ୍ଷ୍ମୀ ଛାଡ଼ି ଯାଇଛି ଲକ୍ଷ୍ମୀ ବୋଉ ଠାରୁ । ଖାଇବା ବିନା ହାହାକାର-। ବାସରେ ପାଣି ଗଳୁଛି । ଦେହରେ ଦର ଦରବା ନାହିଁ ।

 

ଲକ୍ଷ୍ମୀ କି ଅବସ୍ଥାରେ ସ୍କୁଲ୍‍କୁ ନ ଯାଉଛି । ହରି ମିଶ୍ରଙ୍କ ବୀଭତ୍ସ କୁତ୍ସିତ ଷଡ଼ଯନ୍ତ୍ରର ଫଳ ଭୋଗ କରୁଛି ଲକ୍ଷ୍ମୀ ।

 

ସୁଲି ଲକ୍ଷ୍ମୀର ସାଙ୍ଗ । ଦୁଇ ଭଉଣୀ । ଖେଳ ସାଥୀ । ଲକ୍ଷ୍ମୀ ବଡ଼ । ସୁଲି ସାନ । କିନ୍ତୁ ବାହାରେ କିଏ କହିବ ଲକ୍ଷ୍ମୀ ସୁଲିର ଭଉଣୀ ? ଗୋଟିଏ ଘରର ଦୁଇଟି ଝିଅ ।

 

ଦୁହେଁ ଦୁହିଁଙ୍କି ଭଲ ପା’ନ୍ତି । ଅତ୍ୟଧିକ ବିଶ୍ୱାସ ମଧ୍ୟ କରନ୍ତି । କାହାରି ପାଖରେ କାହାରି କଥା ଅଛପା ରହେ ନାହିଁ । ଉଭୟେ ଉଭୟଙ୍କ ପାଇଁ ହୃଦୟ ଦିଆଦେଇ ହୁଅନ୍ତି । ଲକ୍ଷ୍ମୀ ତ ସହଜେ ନିରୀହ । ଖରାଛୁଟିବେଳେ ସୁଲି ଜଳଖିଆକୁ ସାଙ୍ଗହୋଇ ଖାଆନ୍ତି । ଲକ୍ଷ୍ମୀର ସାର୍ଟ୍ କି ପ୍ୟାଣ୍ଟ ଚିରିଗଲେ ସୁଲି ଘରେ ମିଛସତ କହି ଟଙ୍କା ଆଣି ଲକ୍ଷ୍ମୀକୁ ଦିଏ ।

 

ମିଶ୍ରଙ୍କ ଆଖିରେ ଦୁହିଁଙ୍କ ମିଳାମିଶା ଯାଏନି । ଲୁଗାରେ ଖୁଞ୍ଚା ଲାଗିଲା ପରି ମିଶ୍ରଙ୍କ ଆଖିରେ ଖୁଞ୍ଚା ଲାଗିଯାଏ । ସୁଲିକୁ ପ୍ରତିଦିନ ଗରଗର ସରସର ନହେଲେ ଭଲ ଲାଗେନି କି ତାଙ୍କ ମୁଣ୍ଡକୁ ଘରଭଙ୍ଗା ବୁଦ୍ଧି ଯୁଟେନି । କାହା ଘର ଭାଙ୍ଗିବେ, କାହା ଘର ଯୋଡ଼ିବେ ତାହା ବିସ୍ମରଣ ହୋଇଯାଏ ।

 

ଅତୀତ ଗଡ଼ିଯାଇଛି । ବର୍ତ୍ତମାନ ଚାଲୁଛି । ଭବିଷ୍ୟତ ଆଗରେ ଥାଇ ହାତ ଠାରି ଡାକ ଦେଉଛି । ସମୟର ଘଣ୍ଟାକଣ୍ଟା ଟିକ୍‍ଟିକ୍‍ ହୋଇ ମାଡ଼ି ଯାଉଛି ଆଗକୁ ଆଗକୁ ।

 

ବେଙ୍ଗ କହେ ବେଙ୍ଗୁଲୀଲୋ ଦୁନିଆ କ୍ଷଣକ୍ଷଣକେ ଆନ ।

 

ଘଡ଼ିକେ ଘୋଡ଼ା ଛୁଟୁଛି । ଦୁନିଆ ପରିବର୍ତ୍ତନ ହୋଇଯାଉଛି ଘଡ଼ିକି ଘଡ଼ି, ପ୍ରହରକୁ ପ୍ରହର ।

 

ସ୍କୁଲ୍‍ ପାଠପଡ଼ା ସରିଲା । କଲେଜରେ ପଢ଼ିବେ । ଫ୍ରକ୍ ଛାଡ଼ି ଲୁଗା ପିନ୍ଧିଲେ । ସାୟା, ବ୍ଲାଉଜ୍ ସହିତ ଆଉ ଅନେକ ନୂଆ ନୂଆ ଫେସନର ଲୁଗାପଟା । ଗୋଟିଏ ବୃନ୍ତର ଦୁଇଟି କଳି । ମହକ ଯେପରି ସୌନ୍ଦର୍ଯ୍ୟବି ସେହିପରି ।

 

ଲକ୍ଷ୍ମୀ ତା’ ପାଠପଢ଼ାରେ ଡୋରି ବାନ୍ଧି ଦେଇଥାନ୍ତା । କିନ୍ତୁ ଭଗବାନ କରେଇଦେଲେ ନାହିଁ । ସେ ମାଟ୍ରିକ୍ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କଲା । ସରକାରଙ୍କଠାରୁ ମାସିକ ବୃତ୍ତି ମିଳିଲା । ସେଥିରେ ସେ ତା’ କଲେଜ ପାଠପଢ଼ା ଆରମ୍ଭ କଲା ।

 

ଦାଶିଆକା ଲକ୍ଷ୍ମୀର ପାଠପଢ଼ା ଖବର ଶୁଣି ସିଏବି କିଛି ସାହାଯ୍ୟ କଲା । ଆହୁରି ବିଭିନ୍ନ ସାହାଯ୍ୟ ପାଣ୍ଠିରୁବି ସାହାଯ୍ୟ କରେଇଦେଲା ।

 

କଣା ବୁରୁନ୍ଦା ସହି ନ ପାରି ମିଶ୍ରଙ୍କ ଆଗରେ ଲଗେଇଯୁଟେଇ ଦାଶିଆକା’ ବିରୁଦ୍ଧରେ କ’ଣ କହିଲା କେଜାଣି, ମିଶ୍ରେ ଲକ୍ଷ୍ମୀ ବୋଉକୁ କଳଙ୍କିନୀ ଅପବାଦ ଦେଇ ସାହି ସାହି ଗାଁ ଗାଁ ବୁଲି ବିକି ଲାଗିଲେ ।

 

ସମୟ ଗଡ଼ିଯାଇଛି ।

 

ଶଶାଙ୍କ ଉଣ୍ଡି ବସିଛି ।

 

ସାତତାଳ ଗଭୀରର ଜଳ । ତହିଁରେ ସାତତାଳ ପଙ୍କ । ତା’ ଭିତରେ ଦ୍ୱୀପ ଦଣ୍ଡି । ତା’ ମଝିରେ ସୁନା ଫରୁଆ । ତାକୁ ଜଗିଛି ବିଷଧର ସର୍ପ । ଫରୁଆ ଭିତରେ ଭଅଁର । ଭଅଁରକୁ ସେ ଧରିବ ଏବଂ ଲକ୍ଷ୍ମୀକୁ ପାଇବ ।

 

ଲକ୍ଷ୍ମୀପାଇଁ ଶଶାଙ୍କ ବ୍ୟାକୁଳ ।

 

ଲକ୍ଷ୍ମୀ ଶଶାଙ୍କ ଦୁହେଁ କ୍ଲାସ୍‌ମେଟ୍ ।

 

ଦିନେ ହେଲେ ସ୍ଵପ୍ନରେ ଶଶାଙ୍କକୁ ହୃଦୟରେ ସ୍ଥାନ ଦେଇନି ଲକ୍ଷ୍ମୀ । ଇଏ ନୁହେଁ କି ଆଉ କେହି ମଧ୍ୟ ନୁହେଁ । ଶଶାଙ୍କ ପରି ଅନେକେ ଲକ୍ଷ୍ମୀର ନୀଳ ନୀଳ ଥାକଥାକ ଢେଉରେ ଲହଡ଼ି ଭଙ୍ଗିବାକୁ ଚେଷ୍ଟା ଚଳାନ୍ତି । ବେଳାଭୂମି ଉପରେ ପାଦ ଥାପୁ ଥାପୁ ରାଶି ରାଶି ବାଲୁକା ସ୍ତୂପରେ ପାଦ ଗଳିଯାଏ । ଅଣନିଃଶ୍ଵାସୀ ହୋଇ ଅତୃପ୍ତ ଆଶା ତାଙ୍କର ଘୂରି ବୁଲନ୍ତି ପନ୍ତରାରୁ ପନ୍ତରା । ଚେଷ୍ଟା ବିଫଳ ହୁଏ । ଆଶା ଆଶାରେହିଁ ରହିଯାଏ ।

 

ଲକ୍ଷ୍ମୀ କଲେଜ ଛାତ୍ରଙ୍କପାଇଁ ମରୁଭୂମିର ମରୀଚିକା ।

 

ଅସୁବିଧାର ତାଡ଼ନାରେ ବିପଦ ବରଣ କରିଥିଲେବି ଲକ୍ଷ୍ମୀ କେଉଁ ସହପାଠୀର ବଦାନ୍ୟତାକୁ ପ୍ରଶ୍ରୟ ଦେଇନି । କିନ୍ତୁ ଅନେକେ ତାକୁ ମଉକା ପାଇ ବଦାନ୍ୟତା ଦେଖାଇଛନ୍ତି । ତା’ ଦୁଃଖରେ ଦୁଃଖୀ ହୋଇ ନୁହେଁ, ତା’ର ଯୌବନ ଉପବନରେ ଭ୍ରମର ସାଜିବାପାଇଁ ।

 

ସୁଲି ଖଣ୍ଡାଖାଇ ମଣ୍ଡାଗିଳି । ନାକଅଗରେ ରାଗ । ଚଉଦ ବ୍ରହ୍ମାଣ୍ଡର ରାଗକୁ ସେ ସାଇତି ରଖିଛି ତା’ ଦେହରେ । ବେଳ ପଡ଼ିଲେ ଦାନ୍ତ ଲଗେଇ ଅନ୍ତନାଡ଼ି ଝୁଣିଦିଏ । କଲେଜଯାକର ଛତରା ଟୋକାଙ୍କର ଭୟ ସୁଲିକୁ । ସୁଲି ବାଘୁଣୀ । ସତ୍‍ଚରିତ୍ର । ସତ୍ୟବାଦିନୀ । ନ୍ୟାୟବତୀ ।

 

ପହିଲି ଯୌବନର ମଧୁର ଶିହରଣ ସୁଲିର ମନଗହନରେ ଢେର୍ ବର୍ଷ ହେଲା ପ୍ରବାହିତ ହେଲାଣି । ମନର ପକ୍ଷୀରେ ଡେଣା ଲାଗିଯାଇଛି । ଉଡ଼ିଲେ ଆକାଶସାରା ଉଡ଼ିବାକୁ କୌଣସି ଅସୁବିଧା ହେବ ନାହିଁ । ମନ କେବେ ତା’ର ଚାହିଁନି ପର ନୟନରେ ନିଜର ମୁଖମଣ୍ଡଳକୁ ନିରେଖିବାକୁ । ନୂଆ ରାଜ୍ୟର ସ୍ଵପ୍ନ ଦେଖିବାକୁ ।

 

ସେ ପ୍ରେମ ଜାଣି ନଥିଲା କି ପ୍ରେମିକା ନୁହେଁ ।

 

ଖୁସିରେ ଚଳେ । ଖେଳେ ବୁଲେ । ଭୋକହେଲେ ପେଟେ ଖାଇ ପାଠପଢ଼ାରେ ଲାଗିଯାଏ ।

 

ଦିନକର ଘଟଣା । ବର୍ଷା ଛାଡ଼ିଗଲେବି ଆକାଶରେ ଭସା ଭସା ମେଘ ଶୁକ୍ଳା ତିଥିର ଜହ୍ନ ସଙ୍ଗେ ଲୁଚକାଳି ଖେଳୁଛନ୍ତି । ଦମକା ଦମକା ଥଣ୍ଡା ପବନରେ ରାସ୍ତା କଡ଼ର ଗଛଗୁଡ଼ାକରୁ ଟପ୍‍ଟପ୍ ହୋଇ ପାଣି ଝରିପଡ଼ି ଶୀତ ଶୀତ ଲାଗୁଛି । ରାସ୍ତା ବଡ଼ ନିର୍ଜନ । ଖାଁ ଖାଁ କରୁଛି ।

 

ପରୀକ୍ଷା ଦେଇ କଲେଜରୁ ଫେରିବାବେଳକୁ ଡେରି ହୋଇ ଯାଇଥିଲା । ରୁମ୍‌ରେ ପହଞ୍ଚିଲାବେଳକୁ ଛଅଟା ବାଜି ସାରିଥାଏ । ଫାଷ୍ଟ ସୋ ଫିଲ୍ମ ଯିବାକୁ ହେଲାନି । ସକାଳ ପାହିଲେ ଗ୍ରୀଷ୍ମଛୁଟିରେ ଘରକୁ ଫେରିବେ । କୌଣସିମତେ ସେଦିନ ଫିଲ୍ମ ଦେଖିବାକୁ ହେବ । ଏକୁଟିଆ ଏ ଦୁହେଁ ନୁହନ୍ତି । ମହିଳା ହଷ୍ଟେଲ୍‍ର ଯେତେ ଝିଅ ସମସ୍ତେ ।

 

ବାରମ୍ବାର ବିଜୁଳି ବିଭ୍ରାଟ ଯୋଗୁଁ ଫିଲ୍ମ ଶେଷ ହେବାର ନିର୍ଦ୍ଧାରିତ ସମୟ ଅପେକ୍ଷା କିଛି ସମୟ ଡେରି ହୋଇ ଯାଇଥିଲା । ଫିଲ୍ମ ହଲ ଆଗରେ କିଛି ସମୟପାଇଁ ଫୁଲମାନଙ୍କର ପ୍ରତିଯୋଗିତା ଆରମ୍ଭ ହୋଇଗଲା ଦେବତାଙ୍କ ପୂଜାରେ ଲାଗିବାପାଇଁ । ଆଧୁନିକ ଯୁଗର ଝିଅ । ନୂଆ ଫେସନ । ନୂଆ ବେଶଭୂଷା । ନୂଆ ଚହଟ । ନୂଆ ମହକ । ନୂଆ ବସନ୍ତର ମାଦକ ରୂପରେ ମସ୍‍ଗୁଲ । ଧରାରେ ତାଙ୍କ ପକ୍ଷେ ସବୁ ତୁଚ୍ଛ । ନିମିତ୍ତ ମାତ୍ର । ତାଙ୍କ ନୟନରେ ସେ ସୁନ୍ଦର, ସେ ତାଙ୍କର ନୟନପିତୁଳା ଦେବତା ତୁଲ୍ୟ । ପ୍ରାଣର ଈଶ୍ଵର । ମନ-ବଗିଚାର ଭଅଁର ।

 

କ୍ରମେ କ୍ରମେ ଭିଡ଼ କମିବାକୁ ଲାଗିଲା । ଯିଏ ଯାହାର ବୟଫ୍ରେଣ୍ଡମାନଙ୍କ ସାଙ୍ଗରେ ଆଡ଼୍‌ଡ଼ା ଜମେଇ ଜମେଇ ଚାଲିଲେ ଗନ୍ତବ୍ୟ ପଥରେ ।

 

ଚାଲି ଚାଲି କଥାବାର୍ତ୍ତା ହୋଇ ଫେରୁଛନ୍ତି ଲକ୍ଷ୍ମୀ ଆଉ ସୁଲି । ଚାଲିଛନ୍ତି ପିଚୁ ରାସ୍ତାର ଧାରେ ଧାରେ । ପଚପଚ ରାସ୍ତା । ଜୋତାର ପାଣି ଛିଟିକାରେ ଶାଢ଼ି ଦେହରେ ପଙ୍କ ପଡ଼ୁଛି । ସେଇଆକୁ ସତର୍କ ହୋଇ ସତର୍କତାର ସହିତ ପାଦ ପରେ ପାଦ ଭୂମିରେ ଥୋଇ ଶାଢ଼ିକୁ ଟେକି ଚାଲିଛି ସୁଲି ।

 

ଲକ୍ଷ୍ମୀ ଜୋତା ପିନ୍ଧେନି । ତେଣୁ ତା’ ଚାଲିବାରେ କୌଣସି ଅସୁବିଧା ହେଉନି । ଶାଢ଼ିରେ ପଙ୍କ ପଡ଼ୁନି । ଆଗେଆଗେ ଚାଲିଛି । ପଛେଇ ଯାଇଛି ସୁଲି । ଅନେକ ଦୂରରେ ରହିଗଲାଣି । ପ୍ରାୟ ଡାକେ ରାସ୍ତା ହେବ ।

 

ଆଗକୁ ଚାହିଁଦେଲା ସୁଲି ।

 

ପ୍ରବଳ ବେଗରେ ଧାଇଁଗଲା । ରାଗରେ ଗୋଟାସୁଦ୍ଧା ଥରୁଛି । ଉତ୍ତେଜନା । ପ୍ରବଳ ଉତ୍ତେଜନାରେ ପାଟିରୁ ଅନର୍ଗଳଭାବେ ଗଳି ପଡ଼ୁଛି ଅଶ୍ରାବ୍ୟ ଗାଳି ।

 

ପ୍ରବଳ ଉତ୍ତେଜନାର ବନ୍ୟାରେ ନଦୀର ଦୁଇକୂଳ ଭାଙ୍ଗି ଛାରଖାର ହୋଇଗଲା । ତା’ର କଅଁଳ ଛନଛନିଆ କୋମଳ ହାତରେ ଚଟକଣାଟାଏ ଢାଏକିନା ସ୍ପର୍ଶକଲା ଶଶାଙ୍କର ଗାଲକୁ ।

 

ସୁଲିର ସ୍ନାୟୁରେ ପ୍ରବଳ ଉତ୍ତେଜନାର ବାତ୍ୟା । ଶରୀରର ଲହୁ ଟକମକ ହୋଇ ଫୁଟୁଛି-। ସୁଲି ମୁଥ ପରେ ମୁଥ ଥୋଇ ଲାଗିଲା ଶଶାଙ୍କର ନାକଦଣ୍ଡାକୁ ।

 

ଥମ୍ ମାରି ଠିଆ ହୋଇଗଲା ଶଶାଙ୍କ । ଗଳ ଗଳ ହୋଇ ନାକଦଣ୍ଡାରୁ ଗଳୁଥାଏ ତାଜା ରକ୍ତ । ବେଶୀ ସମୟ ସେଠାରେ ରହିବା ଉଚିତ ମନେ ନ କରି ବାମ ହାତରେ ନାକଦଣ୍ଡାରେ ହାତ ଦେଇ ବିଦାୟ ନେଲା ସେଠାରୁ । ପଛକୁ ନ ଚାହିଁ, କେତେବେଳେ କୁଆଡ଼େ ଗଲା ଶଶାଙ୍କ ତା’ବି ଲକ୍ଷ୍ୟ ରଖିପାରିନି ସୁଲି ।

 

ଲକ୍ଷ୍ମୀ ନିର୍ବାକ୍ ହୋଇ ଅଶ୍ରୁଳ ନୟନରେ ଭୟ କାତର ମନରେ ଘଟି ଯାଇଥିବା ଘଟଣା ସବୁକୁ ଚାହିଁ ରହିଥିଲା । ଦେହ ଗୋଟାକରୁ ବୋହି ପଡ଼ୁଥିଲା ସରସର ଝାଳ । ଯାହା ସେ ଦେଖିଲା ସବୁ ତାକୁ ମନେହେଲା ଭାତନିଦର ସ୍ଵପ୍ନ ପରି । ମାୟାମୟ । ଯାଦୁକରର ଭୋଜ ବିଦ୍ୟା ।

 

ସୁଲି ଚିତ୍କାର କରି କହିଲା, ଲକ୍ଷ୍ମୀ ଅପା ! ବେଇମାନଟା ଏତେକଥା କରିଦେଲା, ତୁ କିଛି ନ କହି ମୂକଙ୍କ ଭଳି ଛିଡ଼ା ହୋଇଛୁ ? ବୋପା ଭଦ୍ର ସାଜି ଗାଁ ଗାଁ ବୁଲି ନ୍ୟାୟ ଭାଙ୍ଗୁଛି । ପୁଅ ଏଣେ ପର ଝୁଅ ବୋହୂଙ୍କ ଉପରେ ଆଖି ପକେଇ ରାସ୍ତାଘାଟରେ ଇଜ୍ଜତ ନେଉଛି ।

 

ମୁଁ ନଥିଲେ ତୋ ଅବସ୍ଥା କ’ଣ ହୋଇଥାନ୍ତା କହିଲୁ ? ଜାନୁଆରଟା କ’ଣ ନ କରିଥାନ୍ତା-?

 

ହଁଲୋ ସୁଲି ! ତୋ ଭଳି ଭଉଣୀଟିଏ ଆଉ ମୁଁ ପାଇବି ନାହିଁ । ଦୁନିଆରେ ଏପରି ବହୁତ ଘଟଣା ଘଟିଯିବ, ଯାହାକୁ କି ମୁଣ୍ଡ ପାତି ସହିବାକୁ ପଡ଼ିବ । ଆଖିରେ ଦେଖି ଅନ୍ଧ, କାନରେ ଶୁଣି କାଲା ହେବାକୁ ପଡ଼ିବ । କହିବାର ଶକ୍ତି ଥିଲେ ମଧ୍ୟ ମୂକ ସାଜିବାକୁ ହେବ ।

 

ଯେତିକିର ଲୋକ ସେତିକି ।

 

ବାଟଘର ପୁଅ ବାଟେ ।

 

ଛାଟ ଘର ପୁଅ ଛାଟେ ।

 

ଯିଏ ଯେତିକି ବାଟ ଯାଇଛି ସେ ସେତିକି କଥା ଜାଣିବ ।

 

ଲକ୍ଷ୍ମୀ ମନରେ ହିଂସା ତୀବ୍ର ହେବାକୁ ଲାଗିଲା । ବୟାନ କଲା ସୁଲି ଆଗରେ କଲ୍ୟାଣୀର ଜୀବନ କାହାଣୀ । କଲ୍ୟାଣୀ ଉମାଶଙ୍କରବାବୁଙ୍କ ବଡ଼ଝିଅ ଶଶାଙ୍କର ଭଉଣୀ । ରୂପବତୀ ସ୍ୱାସ୍ଥ୍ୟବତୀ । ବିଦ୍ୟାଳୟରେ ଖଡ଼ି ଛୁଇଁ ନଥିଲେବି ସାଧାରଣ ପାଠପଢ଼ାରୁ ବଞ୍ଚିତ ହୋଇ ନଥିଲା । ଶଶୀଦେଈ କାନ୍ଦ, କେଶବ କୋଇଲି, ଚେତି ଚତୁରୀ ଚାହିଁଲା ନିଶିନାଶେ ଇତ୍ୟାଦି କେତୋଟି ଛାନ୍ଦ ବସା ବାନ୍ଧିଥିଲେ ତା’ ତୁଣ୍ଡରେ । ସେମାନେ ବସାଛାଡ଼ି ଉଡ଼ିଗଲାବେଳକୁ ରସିକ ବାଣୁଆମାନଙ୍କର କାଣ୍ଡିଆ ଲମ୍ୱିଯାଏ ସେଇ ଆଡ଼କୁ ।

 

ବଡ଼ଘରେ ବଡ଼ ଗୁମର କଥା ସହି କାନ ଡେରିଥା ।

ପ୍ରବାଦଟା ସିନା ରହିଯାଇଛି ହେଲେ କୋଉ ପୁଅର ଜିଭରେ ହାଡ଼ ଅଛି ବଡ଼ଘରର କଥାକୁ କାନ ଡେରିବାକୁ । କିନ୍ତୁ ବଡ଼ଘରର ଭିତର ଫମ୍ପା ଉପର ଚକଚକିଆ ।

 

ଉମାଶଙ୍କରବାବୁଙ୍କ ଘରେ ଯେତେ ପ୍ରକାର ଅପକର୍ମ ଘଟିଯାଇଛି ସବୁ ଲୁଚି ରହିଛି ତାଙ୍କ ବାଘୁଆ ବାଘୁଆ ମୁଛ ଭିତରେ । ପାଇକପଡ଼ା ଇଷ୍ଟେଟ୍‍ର ନାଏବ ତହସିଲଦାର ପଦବୀ ମଧ୍ୟରେ । ଧରିଆଣ । ବାନ୍ଧିଦିଅ । ଚାବୁକ୍‍ ଲଗା । ଗର୍ଜନ ତର୍ଜନର ଲାଲ ଆଖିର ଅଗ୍ନି ବର୍ଷଣରେ ।

 

ଧର୍ମ ଅନେଇଛି ।

 

ବିଶ୍ଵ ଅନେଇଛି ।

 

ମୁହଁ ବନ୍ଦ କରି ଦେଖୁଛନ୍ତି ଛୋଟ ଶିଶୁଠାରୁ ଆରମ୍ଭ କରି କୋକେଇରେ ଲଦାହେବାକୁ ଯାଉଥିବା ମଲା ବୁଢ଼ା ପର୍ଯ୍ୟନ୍ତ । ଯାବତ୍ ଧର୍ମଛଡ଼ା, ପ୍ରକୃତିଛଡ଼ା ଅପକର୍ମ କାର୍ଯ୍ୟ । କିଏ ତଉଲିବ ଆଉ କହିବ ଉମାଶଙ୍କରବାବୁ ଯାହା କରୁଛନ୍ତି ଯାହା କହୁଛନ୍ତି ତାହା କର୍ମ ନୁହେଁ–ଦୁଷ୍କର୍ମ, ଅଧର୍ମ, ମହାପାପ ।

 

ପାପ । ମହାପାପ । ମହାପାପର ସୀମା ଟପିଗଲା ଆକାଶକୁ ଆକାଶକୁ । ତରାଫୁଲମାନେ ଖିଲି ଖିଲି ହସି ହସି ବ୍ୟଙ୍ଗାତ୍ମକ କଣ୍ଠରେ କହିବାକୁ ଲାଗିଲେ, ଆରେ ମୂଢ଼ ଉମାଶଙ୍କର ରାୟ ! ଆଗକୁ ଅନା ଆଗକୁ । ଆଗରେ ଛିଡ଼ା ହୋଇଛି ମହାକାଳ । ଜିଭ ଲହଲହ କରୁଛି । ଖାଇବ ତେତେ ଖାଇବ । ହରି ମିଶ୍ର ବୋଲରେ ପଡ଼ି ଯେଉଁ ନିରୀହ ଅବଳାମାନଙ୍କ ଯୌବନ ଲୁଟିନେଇ ତାଙ୍କୁ ଢୋଲଘରେ ହତ୍ୟାକରି ଅନ୍ଧକୂପରେ ପକାଇଛୁ ସେମାନଙ୍କ ଅତୃପ୍ତ ଆତ୍ମା ତୋତେ ହାତଠାରି ଡାକୁଛନ୍ତି । ତୋରି ଅପେକ୍ଷାରେ ବାଟଚାହିଁ ବସିଛନ୍ତି । ସେମାନଙ୍କୁ ସନ୍ତୁଷ୍ଟ କରି ତୋ କୃତକର୍ମର ପ୍ରାୟଶ୍ଚିତ୍ତ କର ।

 

ପ୍ରାୟଶ୍ଚିତ୍ତ ନା ଫ୍ରାୟଶ୍ଚିତ୍ତ । ଶାସନର କୋରଡ଼ା ହାତରେ ଥିଲା ପର୍ଯ୍ୟନ୍ତ ପ୍ରାୟଶ୍ଚିତ୍ତର କି ଆବଶ୍ୟକ । ପ୍ରାୟଶ୍ଚିତ୍ତ କରିବେ ଅତ୍ୟାଚାରିତ ଓ ଲୁଣ୍ଠିତ ବ୍ୟକ୍ତିମାନେ । ମିଚି ମିଚି ଅନ୍ଧାରରେ ଅଙ୍କ ମଣ୍ଡନ କରିବେ ହରଦମ୍ ବିଉଟି କଣ୍ଟେଷ୍ଟ୍‌ କରୁଥିବା ସୁକୁନ୍ତଳିନୀ ଅକ୍ଷତ ଯୌବନ ପ୍ରାପ୍ତା କୁଆଁରୀଗଣ ।

 

ଯମ । ସାକ୍ଷାତ ଯମ । ମରିବାକୁ ଯାହାର ଭୟ ନାହିଁ ତାହାର ଭୟ ଉମାଶଙ୍କର ରାୟଙ୍କୁ । ପାଇକପଡ଼ା ଇଷ୍ଟେଟ୍‍ର ନାଏବ ତହସିଲଦାରଙ୍କ ଲାଲ ଚକ୍ଷୁକୁ ।

 

ଗୋଟାଏ ହାତରେ କିଳାପୋତେଇ ଓ ଅତ୍ୟାଚାରର ପାଞ୍ଜିବିଡ଼ା । ଅନ୍ୟହାତରେ ଦେଶୀ ଚାଉଳି ମଦ ଆଉ ସୁନ୍ଦରୀ ରମଣୀର ଟଭାଫାଳ ପ୍ରାୟ ଉନ୍ମତ୍ତ ବକ୍ଷୋଜ । ଏଇଟା ଉମାଶଙ୍କରବାବୁଙ୍କର ବିଳାସ । ପଶାଖେଳରେ କଚେପୁଅ ବାର । ହାରଜିତ ।

 

ଉମାଶଙ୍କରବାବୁ ତାଙ୍କ ବୁଝିବାରେ ସେ ଲୋକଙ୍କପାଇଁ ଅନେକ କାମ କରୁଛନ୍ତି । ସେ ପ୍ରଜାବତ୍ସଳ । ଧର୍ମପରାୟଣ । ନ୍ୟାୟବନ୍ତ ।

Unknown

 

ନିଜ ଅପକର୍ମ ନିଜ ଆଖିକୁ ଦେଖାଯାଏନି । ଯେ କରେ ସେ ଭାବେ ଯାହା କରୁଛି ଠିକ୍ କରୁଛି । ବ୍ୟର୍ଥ ନୁହେଁ ଅବ୍ୟର୍ଥ । ଫେରି ଚାହେଁନି ପଛକୁ କି ଉହୁଁକି ଚାହେଁନି ଆଗକୁ । ବର୍ତ୍ତମାନ ଯାହାକରେ ସେଥିରେ ମସ୍‌ଗୁଲ ହୋଇ ଧରାକୁ ସରା ମଣେ । ଭାବେନି ତା’ର ବାପ ଗୋସିବାପ ଘୋଡ଼ାପାଇଁ ଘାସ କାଟୁଥିବା କଥା କିମ୍ବା ଛେଳି ଗୁହାଳୁ ଛେଳି ଲଣ୍ଡି ପୋଛୁଥିବା କଥା । ଅହଂର ତାଡ଼ନାରେ କଣା ଯଦି ନିଜକୁ ପଦ୍ମଲୋଚନ ମନେ କରେ, ଟେରୀ ଯଦି ନିଜକୁ ମୀନାକ୍ଷୀ ବୋଲି ଭାବେ, ତେବେ ଶଶାଙ୍କବାବୁ କାହିଁକି ନିଜକୁ ରାଜା ମହାରାଜା ଭାବି ଗର୍ବ ନ କରିବେ ? ରାଜା ମହାରାଜା ତ ବାପ ଗୋସିବାପଙ୍କ ପରି ଘୋଡ଼ାଙ୍କପାଇଁ ଘାସ କାଟିଲେଣି ଏବଂ ଛେଳି ଗୁହାଳୁ ଛେଳିଲଣ୍ଡି ପୋଛିଲେଣି । ସରକାରୀ କାଗଜପତ୍ର ବାଘବକ୍ରି ଏକ ତୁଠରେ ପାଣି ପିଆଉଥିବା ଚୋରା ହାକିମଙ୍କ ପାଖରୁ ଆସି ଉମାଶଙ୍କରବାବୁଙ୍କ ଭଳି ଲୋକ ହାତରେ ପଡ଼ିଛି ।

 

ହରି ମିଶ୍ରଙ୍କ ନାଗୁଆ ପାଇଟିଆଳ କଣାବୁରୁନ୍ଦା ମହା ଓସ୍ତାତ । ବ୍ରହ୍ମାଣ୍ଡଯାକର ବିଦ୍ୟା ଅବିଦ୍ୟାରେ ପଣ୍ଡିତ । ଉମାଶଙ୍କରବାବୁ ଏବଂ ହରି ମିଶ୍ରଙ୍କ କେଉଁ ନାଡ଼ି କେତେବେଳେ କେଉଁ ଗତିରେ କେଉଁ ଆଡ଼କୁ ଗତି କରୁଛି ତାକୁ ଅଛପା ରହେନି । ଟିକିଏ ସେମାନଙ୍କ ସ୍ନେହରୁ ବଞ୍ଚିତ ହୋଇଗଲେ ଲୋକଙ୍କ ଆଗରେ ବେଳେବେଳେ ତା’ କଣା ଆଖିରେ ଥରେ ଅଧେ ଚାହିଁ ଦେଇ କୁହେ, ଆବେ ଯା ! ୟାଙ୍କ ବାବୁପଣିଆ ୟାଙ୍କୁ ବଡ଼ । ୟାଙ୍କ ଚଉଦ ପୁରୁଷ କଥା ମୋ ପେଟରେ । ଉଦ୍‌ଗାରିଲେ ୟାଙ୍କ ମୁହଁ ଫୁଟାଣି ଭାଙ୍ଗିଯିବ । ବାବୁ ଦେଖଉଛନ୍ତି । ପଡ଼ିଉଠି ଘୁଷୁରି ଘୁଷୁରି ପିଅନ ଚାକିରିରୁ ନାଏବ ତହସିଲଦାର ହୋଇଯାଇଛି ବୋଲି ଦୁମ୍ ଦେଖ । ଘରେ କୁକୁର ଏପଟେ ପଶି ସେପଟେ ବାହାରୁଛି ।

 

ସତକୁସତ ସେୟା ହେଲା ।

 

ଉମାଶଙ୍କରବାବୁଙ୍କର ପ୍ରଚୁର ଅହଂରେ ଉଇ ଚରିଗଲେ ।

 

ମନର ପାପ ମନକୁ ଖାଇଗଲା ।

 

ପରିସ୍ଥିତିର ମୁକାବିଲା କରି ଖଣ୍ଡେ ଖେଳ ଦେଖାଇଦେଲେ ଉପସ୍ଥିତ ବୁଦ୍ଧି ବଳରେ ।

 

ହରିବୋଲ ହୁଳହୁଳିରେ କମ୍ପି ଉଠିଲା ଉମାଶଙ୍କରବାବୁଙ୍କ ଦାଣ୍ଡଦୁଆର । ହାକିମଙ୍କ ହୁକୁମରେ ତୋଳା ହୋଇଗଲା ଶୂନ୍ୟ ମନ୍ଦିର । ହଜାର ହଜାର ଲୋକଙ୍କ ସମାବେଶରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବ । କେତେ ଲୋକବି ଠେଲାପେଲାରେ ପ୍ରାଣ ହରାଇଲେ ।

 

ଏ ରହସ୍ୟ କେହି ବୁଝି ପାରିଲେ ନାହିଁ ।

 

ବୁଝିବା ଅବସ୍ଥାରେ ନଥିଲେ କେହି ।

 

ଗାଣ୍ଡି ହଲାକୁ ଟଙ୍କାଏ ହରିନାମକୁ ଧକାଏ ନ୍ୟାୟରେ ଦାଶିଆକା କଥାକୁ କେହି କର୍ଣ୍ଣପାତ କଲେନି । ଅଳିଆ କାଗଜ ଭାବି ଚିରି ଟୁକୁରା ଟୁକୁରା କରି ମୋଡ଼ିମାଡ଼ି ଫୋପାଡ଼ି ଦେଲେ ଅଳିଆଗଦାକୁ । ଦାଶିଆକା ଅଳିଆଗଦାରେ ପଡ଼ି ରହି ଜୁଳୁଜୁଳୁ ଆଖିରେ ଦେଖୁଥାଏ ଘଟି ଯାଉଥିବା ଘଟନାବଳିକୁ ।

 

କଲ୍ୟାଣୀ ଏତେ ବଡ଼ ପ୍ରଶଂସାରେ ମଉଳି ମଉଳି ଶୁଖି ଶୁଖି ବଳିତା ହୋଇଗଲା ଦିନକୁଦିନ । ଲୋକାପବାଦର ଆଶଙ୍କାରେ ବାହାରକୁ ଆସିବାକୁ ଭୟ କରେ କିନ୍ତୁ ମନେମନେ ଖୋଜି ଲାଗେ ତା’ ହୃଦୟର ରସିକନାଗର କଣା ବୁରୁନ୍ଦାକୁ ।

 

କଣା ବୁରୁନ୍ଦା ବେକକାଳ ଜାଣି ପହଞ୍ଚିଯାଏ କଲ୍ୟାଣୀ ପାଖରେ ।

 

କଲ୍ୟାଣୀ କଣା ବୁରୁନ୍ଦାର ଉପସ୍ଥିତିରେ ଆନନ୍ଦିତ ନହେଲେବି ଟିକିଏ ଆଶ୍ୱସ୍ତି ପାଏ । ତା’ ଦୁଃଖ କହେ । କହୁ କହୁ ଆଖିକୋଣକୁ ତା’ର ଲୁହ ଜକେଇ ଆସେ ।

 

କଲ୍ୟାଣୀ ଆଖିରୁ ଲୁହ ପୋଛିଦେଇ କଣା ବୁରୁନ୍ଦା ଆରମ୍ଭ କରିଦିଏ ଗାରଡ଼ି ମନ୍ତ୍ର । ଫୁଲୁକା ଫୁଲୁକା ଗାଲରେ ଟିପାଟିଏ ମାରିଦେଇ କୁହେ, ହେ ମୋର ପ୍ରେୟସୀ ରାଧା ! ମୁଁ ପରା ତୋର । ତୋ ପାଖେ ପାଖେ ଅଛି । ରଖିଲେ ରଖିବି । ତାରିଲେ ତାରିବି । ମାରିଲେ ମାରିବି । କଲା ଲୋକ ମୁଁ । ମାରିଲା ଲୋକ ମୁଁ । ମୁଁ ସାପ ମନ୍ତ୍ର ନ ଜାଣି କ’ଣ ଏଡ଼େ ବୋକାମିରେ ବିଛା ନାହୁଡ଼ରେ ହାତ ମାରିଛି ? କହିଲ ଦେଖି ! କହିବା ଆଗରୁ ଟିକେ ବିଚାର କରି କୁହ । ଭଗବାନଙ୍କ ଘରଣୀ ବର୍ଷ ବର୍ଷ ଧରି ରାବଣ ପାଖରେ ରହିଲା । ସତରେ ସେ କ’ଣ ସତୀ ହୋଇ ରହିଥିଲା ? ଏତେ ମନଦୁଃଖ କାହିଁକି ? ଶାସ୍ତ୍ର କହୁଛି–ବୁଦ୍ଧିଥିଲେ ବାପଘରେ ପୁଅ ।

 

ବୁରୁନ୍ଦା ଭାଇ ତୁ ମତେ ଭୁଲାଉଛୁ । ଚାଲେ ଏଠାରୁ ପଳାଇଯିବା । ଭିକମାଗି ପଛେ ପେଟ ପୋଷିବା, ମୋତେ ଲୋକନିନ୍ଦାରୁ ପାରି କରେ ।

 

କଣା ବୁରୁନ୍ଦାର ହୃଦୟ ଭିତରେ ଏକ ଅଜଣା ମଣିଷ ହସି ହସି ବେଦମ୍ ହୋଇ କହିଲା, କଲ୍ୟାଣୀ ତୁ ଯିବୁ କୁଆଡ଼େ ? ତୋ ବାପା ଅରଜିଥିବା ଅପକର୍ମର ପ୍ରାୟଶ୍ଚିତ୍ତ ଇଏ । ବାପା ଅରଜିଥିବା ଧର୍ମ ଅଧର୍ମ ଭୋଗ କରନ୍ତି ସନ୍ତାନମାନେ । ତୋ ବାପାର ପାପର ଫଳ ଆଜି ଭୋଗ କରୁଛୁ ତୁ । କିଛି ହୋଇନି । ଆହୁରି ହେବ । ଛିଡ଼ି ଛିଡ଼ି ଖଣ୍ଡଖଣ୍ଡ ହୋଇ ଧୂଳିରେ ମିଶିଯିବ । କିଛି ରହିବନି । ଅହମିକାର ତାଜମହଲ ଯମୁନା ନଦୀର ଅଥଳ ଜଳରେ ଲୀନ ହୋଇଯିବ ।

 

କଣାବୁରୁନ୍ଦାକୁ ହତାଶ ନୟନରେ ଚାହିଁ ରହିଲା କଲ୍ୟାଣୀ ପ୍ରେମ ଢେଉରେ ଆକତାମାକତା ହୋଇ ଭୋଗ କଲା ଯନ୍ତ୍ରଣା । ଯନ୍ତ୍ରଣା ଯନ୍ତ୍ରଣାରେ ଭୁଲିଗଲା ପ୍ରେମର ସ୍ୱାଦ ।

 

କଣା ବୁରୁନ୍ଦା କଡ଼ା କଡ଼ା’ ଦିପଦ ଶୁଣାଇ ଦେଇ ଫେରି ଆସିଲା ଘରକୁ ।

 

ସମୟ ଦୁର୍ବାସାର ଅଭିଶାପରେ ମହମହ ଦୁଃଖର ଭୟଙ୍କର ଦୁଃଶ୍ଚିନ୍ତାରେ ପାଚେରୀ ଢଳି ପଡ଼ିଲା କଲ୍ୟାଣୀର ମଥା ଉପରେ । ପୁଅ ହେଲେ ରକ୍ଷା । ଝିଅ ହେଲେ କଥା ସରିଯିବ । କାଳ କାଳକୁ କୂଳରେ କଳଙ୍କ ଲାଗିବ । କଳଙ୍କିନୀ ବୋଝ ମୁଣ୍ଡରେ ଧରି ବଡ଼ଦାଣ୍ଡରେ ପାନ ବିକିବ-

 

କଣା ବୁରୁନ୍ଦାର ଏପରି କଡ଼ା କଡ଼ା କଥାରେ ଅସ୍ଥିର ବୋଧ କଲା କଲ୍ୟାଣୀ ।

 

ଖଟ ଉପରେ ଶୋଇ ବାରମ୍ବାର ତକିଆ ଉପରେ ମୁହଁମାଡ଼ି ଲୁହ ଢାଳେ । ଯେତେ ଚେଷ୍ଟାକରେ ସହଜ ସ୍ଵାଭାବିକ ଭାବରେ ଦିନଗୁଡ଼ିକ କଟାଇଦେବ ବୋଲି ତାହା ହୋଇ ପାରେନି ।

 

ମନର ପାପ ମନକୁ ଖାଇଯାଏ ।

 

ଉମାଶଙ୍କରବାବୁ ନିଃଶବ୍ଦରେ କଲ୍ୟାଣୀର ନୁଖୁରା ମୁହଁଟିକୁ ଦର୍ଶନ କରି ଖଲେଇ ଖଲେଇ ଚାଲୁଥିବା ଭୁଆ ବିଲେଇଟି ପରି ଅନ୍ଧାରିଆ ଘରକୋଣକୁ ଯାଇ ନିଜର କପାଳକୁ ନିନ୍ଦି ଆଖିରୁ ଲୁହ ଝରାନ୍ତି । ବାହାରକୁ ଆସି ମେଘଢ଼ଙ୍କା ଆକାଶର ଫାଳେ ମୁହଁ ଚନ୍ଦ୍ର ଉଦୟରେ ଦେଖାଗଲା ପରି ନିଜ ମୁହଁରେ ଚେନାଏ ହସି ହସି ଭକତିଆମାନଙ୍କୁ କୁହନ୍ତି, ଆଉ ବେଶୀ ଦିନ ନୁହେଁ, କାଲି ରାତିରେ ମୋତେ ଭଗବାନ ବାଳଗୋପାଳ ବେଶରେ ଦେଖା ଦେଇ କହିଛନ୍ତି, ଦଶ ମାସ ହୋଇଗଲା, ଆଉ ଦଶ ଦିନ ପରେ ସେ ଆମ୍ଭମାନଙ୍କ ଆଗରେ ଆବିର୍ଭାବ ହେବେ ।

 

ଏତିକି ଉମାଶଙ୍କରବାବୁଙ୍କ ତୁଣ୍ଡରୁ ଶୁଣୁଶୁଣୁ ଭକତିଆମାନେ ଆନନ୍ଦରେ ଗଦଗଦ ହୋଇ ଝାଞ୍ଜ ଖୋଳ ବଜାଇ ମାତି ଉଠନ୍ତି । ଆକାଶ କମ୍ପି ଯାଏଁ ହରେକୃଷ୍ଣ, ହରେରାମ ଜପରେ ।

 

ଦିନ ଗଡ଼ିଗଲା । ପୂରିଗଲା ଦଶ ମାସ ଦଶ ଦିନ । ଆକୁଳ ନୟନରେ ଚାହିଁ ଚାହିଁ ନୟାନ୍ତ ହୋଇଗଲେ ଭକତିଆମାନେ । ଦେଖଣାହାରି କାହିଁରୁ କେତେ । ଘରୁ କୁଆଁ କୁଆଁ ରଡ଼ି କାନଅତଡ଼ା ପକାଇ ଦେଉଥାଏ ଦର୍ଶନାଭିଳାଷୀ ଜନସମୂହଙ୍କର ।

 

ୟେଥୁ ଅନନ୍ତରେ ଯାହା ହେଲା ଶୁଖିଲା ମୁହଁରେ ଦର୍ଶକମାନେ ପୋଷା ବିଲେଇଟି ପରି ଲାଞ୍ଜକୁ ପଛ ଗୋଡ଼ର ମଝିରେ ଭର୍ତ୍ତିକରି ଘରକୁ ଫେରିଲେ ।

 

ହୋମକୁଣ୍ଡର ଅଗ୍ନି ଧକ୍‍ଧକ୍ ହୋଇ ଜଳୁଥାଏ । ଦୀର୍ଘ ଦୁଇ ମାସ ଧରି ଚାଲୁଥିବା ହରେକୃଷ୍ଣ ହରେରାମ ଧ୍ଵନିରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ।

 

ଧରା ପଡ଼ିଗଲା ଉମାଶଙ୍କରବାବୁଙ୍କ ଫିସାଦି । ଦୁନିଆ ଆଖିରେ ଧୂଳି ପକାଇ କେହି ତିଷ୍ଠି ନାହାନ୍ତି କି ସେ ତିଷ୍ଠି ପାରିବେ ନାହିଁ ।

 

କ୍ୟାଲେଣ୍ଡର ଚିରାପୃଷ୍ଠା ଭଳି ପଡ଼ିରହିଲେ ଘରେ ।

 

ତାଙ୍କ ଝିଅ ସିନ୍ଥିରେ ସିନ୍ଦୂର ଓ ପାଦରେ ଝୁଣ୍ଟିଆ ନ ଲଗାଇ ଗୋଟିଏ ପୁଅର ମା’ ନ ହୋଇ ହେଲେ ଗୋଟିଏ ଝିଅର ମା’ ।

 

ଉମାଶଙ୍କରବାବୁ କଲ୍ୟାଣୀର ପାପଗର୍ଭକୁ ଏଡ଼େଇଦେଇ ଲୋକମାନଙ୍କ ଆଗରେ ପଚାରିଥିଲେ, ମୋତେ ସ୍ଵପ୍ନ ହୋଇଛି କଲ୍ୟାଣୀ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ହେବେ । ମ୍ଳେଚ୍ଛ ସଂହାର କରିବେ । ସତ୍ୟଯୁଗ ଆରମ୍ଭ ହୋଇ ସତରେ ପୃଥିବୀ ଚଳିବ । ଏ ଅଞ୍ଚଳରେ ଯେତେବେଳେ ସ୍ଵୟଂ ବୃନ୍ଦାବନ ବିହାରୀ ଆବିର୍ଭାବ ହେବେ ସେତେବେଳେ ଏ ଅଞ୍ଚଳ ଘିଅମହୁରେ ଭାସିବ । ଲୋକମାନେ ସୁଖଶାନ୍ତିରେ ଚଳିବେ ।

 

କିନ୍ତୁ ଶ୍ରୀକୃଷ୍ଣ ଜନ୍ମ ନ ହୋଇ ଜନ୍ମ ହେଲେ ଶ୍ରୀରାଧା ।

 

ଛିଛାକର କିଛି କାଟିଲା ନାହିଁ ଉମାଶଙ୍କରବାବୁଙ୍କୁ । କଲ୍ୟାଣୀପାଇଁ ପୁରୀ ମୁଲକରେ ତୋଳାଇଦେଲେ ମଠ । ସେଇ ମଠରେ କଣା ବୁରୁନ୍ଦା ନେଇ ଛାଡ଼ିଦେଇ ଆସିଲା କଲ୍ୟାଣୀକୁ ।

 

ସେଇ ଘରର ପୁଅ ଶଶାଙ୍କ । ତା’ରି ଭଉଣୀ କଲ୍ୟାଣୀ । ଆମ ଘରର ହଳିଆ କଣାବୁରୁନ୍ଦା କୋଳରେ ବସି ଯାହାର ଭଉଣୀ ପ୍ରେମଭିକ୍ଷା କରୁଛି, ସିଏ କି ପ୍ରକାର ବ୍ୟବହାର ପର ଝିଅବୋହୂଙ୍କୁ ଦେବ ? ମୋର ଟିକିଏ କାନି ଭିଡ଼ି ଦେଲା ବୋଲି ମୁଁ କାହିଁକି ମନରେ ଦୁଃଖ କରିବି-? ତା’ ପ୍ରତି କ୍ରୋଧ ପ୍ରଦର୍ଶନ କରିବି ?

 

ତୁ ଯାହା କହୁଛୁ ସତ କହୁଛୁ ଲକ୍ଷ୍ମୀ ଅପା ?

 

ସୁଲି ପଚାରିଲା ।

 

ହଁ, ମୁଁ ଯାହା କହୁଛି ସତ କହୁଛି । ନିରାଟ ସତ । ଟିକିଏ ହେଲେ ବିନ୍ଦୁବିସର୍ଗ ମିଛ କହୁନି । ମୋ ପକ୍ଷେ ଏହା ସତ ହେଲେବି ତୋ’ ପକ୍ଷେ ଏହା ମିଛ ହୋଇପାରେ ।

 

କାହିଁକି ?

 

କାହିଁକିର ଉତ୍ତର କିଏ ଦେବ ? ଦେବେ ବଡ଼ବାପା । ମୁଁ ନୁହେଁକି ଆଉ କେହି ନୁହେଁ । ତୁମ ଘର ସମ୍ପର୍କରେ କୌଣସି କଥା ମୁଁ କେଉଁଠାରେ କହିଲେ ବଡ଼ବାପା କାଲି ସକାଳୁ ମୋ ପାଟିରୁ ଜିଭଟାକୁ କାଢ଼ି କାଟିଦେବାକୁ ପଛାଇବେ ନାହିଁ । ମୁଁ ଆଉ ମୋ ବୋଉ ବଡ଼ବାପାଙ୍କର ବଡ଼ ଶତ୍ରୁ । ଆମ ପଛେ ପଛେ ସେ ସବୁ ମୁହୂର୍ତ୍ତରେ ଜୋକଭଳି ଲାଗିଛନ୍ତି । ଆମର ପ୍ରାଣ ନାଶକରି ରକ୍ତ ପିଇବାକୁ ।

 

କାହିଁକି ? –ପଚାରିଲା ସୁଲି ।

 

ଆଉ କୌଣସି ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବିନି ସୁଲି ! ତୋତେ ଏଣିକି ମୁଁ କହି ରଖୁଛି, ତୁ ଆଜି ଯେଉଁ ଶଶାଙ୍କର ନାକଦଣ୍ଡାକୁ ମାରି ରକ୍ତାକ୍ତ ଅବସ୍ଥାରେ ଛାଡ଼ିଲୁ ସେଇ ତୋ’ର ଭବିଷ୍ୟତର ସ୍ୱାମୀ ।

 

ଧୀରେ ଧୀରେ ରୁମ୍‍ରେ ପାଦ ଦେଲା ସୁଲି । ଲକ୍ଷ୍ମୀ କେତେବେଳୁ ନ ଖାଇ ଶାଢ଼ି ନ ବଦଲାଇ ଶୋଇ ପଡ଼ିଛି ।

 

ଚମକି ଉଠିଲା ସୁଲି । ଓଠରେ ଖେଳିଗଲା ତା’ର ବୋକା ବୋକା ହସ ଗାରେ । ବେଡ଼୍‌ ଉପରେ ବସି ପଡ଼ି ଲକ୍ଷ୍ମୀକୁ ଅନେଇ ରହିଲା କେତେ ସମୟ । ଆଖିର ଲୁହଗୁଡ଼ାକ ତଳକୁ ଗଡ଼ିବାର ପ୍ରତିଯୋଗିତା ଆରମ୍ଭ କରିଦେଲେ ଟୋପା ପରେ ଟୋପା । କେତେ ଟୋପା ଲୁହ ଗଡ଼ି ଗଡ଼ି ସୁଲିର ଗଣ୍ଡଦେଶକୁ ଅତିକ୍ରମ କରି ଜଡ଼ିଗଲେ ତା’ର ସରୁ ଗିନି ଗିନି ଚକଚକ ଶାଢ଼ି ଅଞ୍ଚଳରେ-

 

ରାତିଅଧିଆ ଦମକାଏ ଅଦିନ ପବନ ବାତାୟନ ଦେଇ ଧକ୍କା ଖାଇଲେ ସୁଲିର ସଦ୍ୟ ପ୍ରସ୍ଫୁଟିତ ତନୁଲତାରେ । ଶିହରି ଉଠିଲା ତନୁଲତା । ପ୍ରେମରେ ନୁହେଁ ଭୟରେ । ଆଖି ଆଗରେ ନାଚି ଉଠିଲା କୋଉ ଆଦିମଯୁଗର ମହାଭାରତ କାହାଣୀର ଧ୍ଵସ୍ତବିଧ୍ଵସ୍ତ କୁରୁକ୍ଷେତ୍ର । ମୃତାହତ ଯୋଦ୍ଧାମାନଙ୍କ ରକ୍ତର ସ୍ରୋତ ।

 

ଲକ୍ଷ୍ମୀର କଥାଗୁଡ଼ାକ ସୁଲିକୁ ଯାଦୁକରର ଭେଳିକି ବିଦ୍ୟାପରି ମନେ ହେଲା । ଭାବିଲା, ଲକ୍ଷ୍ମୀ ଅପା କ’ଣ ମୋ ଆଗରେ ମାୟା ସୀତାର ମୁଣ୍ଡ ହାଣୁଛି । ଏପରି କଥାତ କେବେ ମୁଁ କାହାଠାରୁ ଶୁଣିନି । ଭାବୁ ଭାବୁ ରାତି ଅନେକ ହୋଇ ଯାଇଥିଲା । ବାହାରେ ପଡ଼ିଥିଲା ତୋଫା ଜହ୍ନ ଆଲୁଅ । ଆକାଶ ସମ୍ପୂର୍ଣ୍ଣ ନିର୍ମଳ । ଟିକିଏ ହେଲେ ମେଘର ଆଭାସ ନାହିଁ । ବାଦଲଗୁଡ଼ାକ କୁଆଡ଼େ ଲୁଚି ଯାଇଛନ୍ତି । ଝରକା ଫାଙ୍କରେ ଦେଖାଯାଉଛି ହଷ୍ଟେଲ୍‍ର ବୁଢ଼ା ଦରୁଆନ ଗେଟ୍ ମୁହଁରେ ବସି ନିଦ ମଳମଳ ଆଖିରେ ହାଇ ମାରୁଛି ।

 

ନିଦ୍ରାଦେବୀ କାଳବିଳମ୍ବ ନ କରି ସୁଲିର ଆଖିରେ ବିଜେକଲେ । ସୁଲି ସବୁ ମନରୁ ପାସୋରି ଦେଇ ଗଡ଼ିପଡ଼ିଲା ବେଡ଼୍‌ ଉପରେ ।

 

ଦିନମଣି ଗତଦିନର ଅବଶ ଶରୀରକୁ ସତେଜ କରି ଉଦୟ ହେଲେ ପୂର୍ବଦିଗରେ । ହସି ଉଠିଲେ ଜୀବ କୁଳ ।

କୋଳାହଳରେ ଫାଟି ପଡ଼ୁଛି ଓମେନ୍‌ସ ହଷ୍ଟେଲ୍‍ । ଆଉ କିଛି ସମୟ ପରେ କ୍ଷଣିକ ବିଚ୍ଛେଦରେ ଆଖିରୁ ଲୁହ ଗଡ଼େଇବେ ପରସ୍ପରକ ପରସ୍ପରଙ୍କୁ ଆଲିଙ୍ଗନ କରି । ସବୁ ଏଇଠି ଶେଷ-। ସାଙ୍ଗସାଥୀର ସ୍ଵାଦ ଏବଂ ଜୀବନର ଗୋଟିଏ ଅଧ୍ୟାୟ । ୟେଠୁ ଗଲେ ସବୁ ସାଙ୍ଗଙ୍କୁ ଏକାଠି ଦେଖିବା କେବେ ଜୀବନରେ ଘଟେନି । କେବେ କେତେବେଳେ କେଉଁଠି କୋଉ ସାଙ୍ଗକୁ ବସ୍‌ଷ୍ଟାଣ୍ଡରେ କି ପ୍ଲାଟ୍‌ଫର୍ମ୍‍ରେ କିମ୍ବା ଯାତ୍ରା ତୀର୍ଥରେ ଅକସ୍ମାତ୍‍ ପାଇଁ ସାକ୍ଷାତ୍‌ ମିଳିଥାଏ । ସେ ସାକ୍ଷାତ ହୁଏ ବେଦନାଦାୟକ । ରୂପବର୍ଣ୍ଣକୁ ଦେଖାଚାହାଁ ବ୍ୟତୀତ ଯେଉଁ ଆଳାପ-ଆଲୋଚନା ହୁଏ ସେଥିରେ ଆଖି ପୂରେ ସିନା ମନ ପୂରେନି । କାହାକଥା କେତେବେଳେ ମନେ ପଡ଼େ ପତ୍ର ଖଣ୍ଡେ ଦେଲେବି ଉତ୍ତର ମିଳେନି ।

ରାତି ପାହିବାର ଅବ୍ୟବହିତ ପୂର୍ବରୁ ହଷ୍ଟେଲ୍‍ ଗୋଟାକର ଝିଅମାନେ ଭିଟାମାଟିର ଆକର୍ଷଣରେ ଆକର୍ଷିତ ହୋଇ ନିତ୍ୟକର୍ମ ସାରି ଯିଏ ଯାହାର ବାଟରେ ଆଗେଇ ଯାଉଥିବାବେଳେ ଏ ଦୁଇ ଭଉଣୀ ଶୋଇ ରହିଥାନ୍ତି ପୂର୍ବପରି ।

ଦିନରେ ସ୍ଵପ୍ନ ଦେଖୁଛି ସୁଲି ।

ବିଳିବିଳେଇ ହୋଇ କହୁଛି–ଛତରା, ବଜାରୀ, ରାସ୍ତାରେ ପରଝିଅ ବୋହୂଙ୍କ ଇଜ୍ଜତ ନଉଛୁ, ତୁ ମୋର ସ୍ଵାମୀ ହେବୁ ? ତୋ ହାତ ଧରିବା ପୂର୍ବରୁ ମୋତେ କ’ଣ ଜହର ମିଳିବନି ! କୂଅ ପୋଖରୀ ମିଳିବନି ? ଟ୍ରେନ୍‌ରେ ବେକ ଦେଖାଇ ଆତ୍ମହତ୍ୟା କରିପାରିବିନି ।

 

ସୁଲିର ବିଳିବିଳା ଶବ୍ଦରେ ନିଦ ଭାଙ୍ଗିଲା ଲକ୍ଷ୍ମୀର ।

 

ଲକ୍ଷ୍ମୀ ସୁଲି ସୁଲି ଡାକିବାରୁ ସୁଲି ତରତର ହୋଇ ଉଠି ପଡ଼ି କହିଲା–ଲକ୍ଷ୍ମୀ ଅପା । ସେ ଛତରାଟାକୁ ଏଇନା ସ୍ଵପ୍ନରେ ଦେଖୁଥିଲି । କଡ଼ା କଡ଼ା କରି ପଦେଅଧେ ଶୁଣେଇ ଦେଇଛି । ତା’ ବୋପା ଅଜା ଚଉଦ ପୁରୁଷ କଥା ମନେପଡ଼ି ଯାଇଥିବ ।

 

ଲକ୍ଷ୍ମୀ ସ୍ମିତ ହସଟିଏ ହସିଦେଇ କହିଲା–ଆଲୋ ହୁଣ୍ଡି ! ବେଳ କେତେ ହେଲାଣି ଆସି, ଆଜି କ’ଣ ଗାଁକୁ ଯିବାନି ।

 

ରାତିର ଘନ କୁହୁଡ଼ି ସକାଳୁଆ ଖରାକୁ ଧୂଆଁଳିଆ କରିଦେଇଛି । ରାସ୍ତାରେ ଯିବାଆସିବା କରୁଥିବା ଜନସମୂହ ଦେଖା ଯାଉନାହାନ୍ତି । ସୁଲି ବେଶୀବେଳ ହୋଇନି ଭାବି ଆଉ ଟିକିଏ ଗାଲେଇଦେଲା ।

 

ଲକ୍ଷ୍ମୀ ଘଡ଼ିକି ଲକ୍ଷ୍ୟ କରୁ କରୁ ସୁଲିର ଲକ୍ଷ୍ୟବି ଘଡ଼ି ଉପରେ ପଡ଼ିଗଲା । ଦୁଇ ଭଉଣୀ ଠିକ୍ ସମୟ ଜାଣି ନିଜର ଭୁଲ ବୁଝିପାରି ତୁରନ୍ତ ତୁରନ୍ତ କାଉଲୁବାଉଲୁ ହୋଇ ଗାଧୁଆପାଧୁଆ କାର୍ଯ୍ୟ ସାରି, ଲୁଗାପଟା ପିନ୍ଧି, ଜିନିଷପତ୍ର ଧରି ବାହାରି ପଡ଼ିଲେ ବସ୍‍ଷ୍ଟାଣ୍ଡକୁ ।

 

ବୁଢ଼ା ରିକ୍ସାବାଲା ଧୁକୁଡ଼ୁ ଧୁକୁଡ଼ୁ କରି ରିକ୍ସା ଚଳେଇ ଚଳେଇ କଚା ରାସ୍ତା ପାରି ହୋଇ ଉଠିଗଲାଣି ପକ୍କା ରାସ୍ତା ଉପରକୁ । ବିଲିବିଲିଆ କଳିଆ ବୁଢ଼ାଟା । ବାଳଗୁଡ଼ାକ ଉପୁଡ଼ି ପଡ଼ି ମୁଣ୍ଡଟା ପୂରାପୂରି ଲଣ୍ଡା । ବାଁ ଗୋଡ଼ଟା ଗୋଦର । ପିନ୍ଧିଛି ଖାକି ପ୍ୟାଣ୍ଟ । ମୁହଁରେ ଏକ ମସ୍ତବଡ଼ ପିକା । ବହୁ କଷ୍ଟରେ ରିକ୍ସା ଭିଡ଼ୁଛି ।

 

ସୁଲିର ପ୍ରାଣକୁ କଷ୍ଟ ହେଲା । ଏତାଦୃଶ କଷ୍ଟରେ ହୃଦୟ ତା’ର ବିଦୀର୍ଣ୍ଣ ହୋଇଗଲା । ପଚାରିଲା, ଏ ବୁଢ଼ା ! ତୋ ନାଁ କ’ଣ ?

 

: ମୋ ନାଆଁ ! ସୋମ୍ମୟା–ରିକ୍ସାବାଲା କହିଲା ।

 

: ପୁଅ ଝିଅ ?

 

: ସେ କଥା ପଚାରନା ମା’, ପଚାରନା ।

 

: କାହିଁକି ? କହୁନୁ କହ ।

 

: କହିବି ? ହଉ କହୁଛି ।

 

ହେଇଟି କାଲି ପରି ଲାଗୁଛି । ମୁଅ ଯୁଆନ ସମୟ ଘଟଣା । ମୁଁ ଯାଏଁ ମୋ କାମରେ । ରିକ୍ସା ପେଲି ପେଲି ଯାହା ରୋଜଗାର କରେ ସବୁ ଥୋଇଦିଏ ନେଇ ମୋ ସ୍ତ୍ରୀ ପାଖରେ । ସେ ମାଇକିନାଟା ଏଡ଼େ ବଜାତ୍ ବୋଲି ଜାଣି ନଥିଲି । ମୁଁ ତା’ ମନକୁ କାଇଁକି ପାଇଲିନି କେଜାଣି ! ହଠାତ୍ ଦିନେ ନିଦ ଭାଙ୍ଗିଲା ଡେରିରେ । ଆଖି ଖୋଲିଲି । ପାଖରେ ସିଏ ନାହିଁ । ମୁଁ ଏକା ଆଉ ମୋର ଝିଅ । କୁଡ଼ିଆର ତାଟି ମୁକୁଳା ।

 

ବହୁତ ଖୋଜିଲି ମା’, ପିଲାଟାକୁ କାଖରେ ଜାକି ଜାକି । କୁଆଡ଼ୁ କିଛି ସୁରାକ ପାଇଲି ନାହିଁ । ଶେଷରେ ଜାଣିଲି ଛତରଖାଇ କୋଉ ଟୋକା ସାଙ୍ଗରେ ବ୍ରହ୍ମପୁରରେ ରହି ଦିନ କାଟୁଛି ।

 

ଆଉ ଝିଅ ? –ସୁଲି ପଚାରିଲା ।

 

କାହିଁକି ପଚାରୁଚୁ ମାଆ ସେ କଥା । ଏକା ଲାଉର ମଞ୍ଜି । ସିଏବି ଦିନେ ମୋ ମୁହଁରେ କଳାବୋଳି ବସ୍ତିର ବସ୍ତିବାଲା ପୁଅ ସାଙ୍ଗରେ ପଳାଇଲା । ଏଇତ ଦୁନିଆ ମା’ ! କହିବି କାହାକୁ ?

 

ରିକ୍ସା ପହଞ୍ଚି ଯାଇଥିଲା ବସ୍‌ଷ୍ଟାଣ୍ଡରେ । ରିକ୍ସାରୁ ଉତୁରି ଦୁଇ ଭଉଣୀ ରିକ୍ସାବାଲାକୁ ମନମୁତାବକ ପଇସାତକ ବୁଝାଇଦେଇ ଗାଁ ବସ୍ ଧରିଲେ ।

 

ହର୍ଣ୍ଣ ଦେଇ ଧକଲ ପକଲ ହୋଇ ରାସ୍ତାରେ ରାସ୍ତାରେ ଧାଇଁ ଚାଲିଲା ବସ୍ । ମୁହଁ ଚିହ୍ନା ଲୋକମାନେ ବସିଛନ୍ତି ବସ୍‌ରେ । ସେଇ ବସ୍‌ରେବି ଫେରୁଥାଏ ଶଶାଙ୍କ । ବସ୍‌କୁ ଉଠିଲାବେଳକୁ ଲକ୍ଷ୍ମୀର ଆଖି ପଡ଼ିଛି ଶଶାଙ୍କ ଉପରେ । କିନ୍ତୁ ସୁଲି ଦେଖି ନଥାଏ । ବସ୍ ଭିତରେ ଆଖି ହଳକ ବୁଲାଉ ବୁଲାଉ ଶଶାଙ୍କକୁ ଦେଖିନେଇ ଲକ୍ଷ୍ମୀର ଜାନୁକୁ ଅଙ୍ଗୁଳିରେ ଦାବିଦେଇ ସୁଲି କହିଲା–

 

ହେଇଚିଲୋ ଅପା ! ମଉନମୁହାଁ ପଛରେ ବସିଚି ।

 

ବସ୍ ଦଉଡ଼ି ଦଉଡ଼ି ଆଗଉଥାଏ ଆଗକୁ ଆଗକୁ । ନିକଟରୁ ଆଉ ନିକଟ ହୋଇଯାଉଥାଏ ଗାଁ । ଗାଁର ଦୃଶ୍ୟ ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ । ଘର ଫେରନ୍ତା ମନ ଭାରି ଉଚ୍ଛନ୍ନ ଘରେ ପହଞ୍ଚିବାକୁ ।

 

ବସ୍‌ ଯାତ୍ରୀମାନଙ୍କର ଆଲୋଚନା ସାଂପ୍ରତିକ ଘଟଣା ଉପରେ ଚାଲିଥାଏ । ତନାଘନା ହୋଇ । କଥା କଟାକଟି ସପକ୍ଷ ବିପକ୍ଷର ଯୁକ୍ତିତର୍କରେ ବସ୍ ଭିତର ଭାରି ସରଗରମ ଜଣା ପଡ଼ୁଥାଏ । ରାସ୍ତାର ପ୍ରାଦୁର୍ଭାବରେ ବସ୍ ଅଣନିଃଶ୍ଵାସୀ ହୋଇ ଚାଲୁଥାଏ ଧକଲ କଚଲ ହୋଇ । ଭାରି କଷ୍ଟରେ ବସ୍‌ଟି ଗତି କରୁଥାଏ ତା’ ଗନ୍ତବ୍ୟ ପଥରେ ଅନିଚ୍ଛା ସତ୍ତ୍ୱେ । ଯାନ୍ତ୍ରିକ ଉପକରଣର ସମାବେଶରେ ସେ ଗତିଶକ୍ତି ପାଇଥିଲେହେଁ ତା’ ଶକ୍ତିରୁ ଅତିକ୍ରମ ହେଲେ ସେ ଅକାଳରେ ଅଳ୍ପାୟୁଷ ହୋଇ ଝଡ଼ିପଡ଼ିବ ସିନା ଜନସେବାରେ କି ମାଲିକକୁ ଅର୍ଥ ଯୋଗାଇବାରେ ଲାଗି ପାରିବ ନାହିଁ ।

 

ଅନେକ ଦିନ ଗଡ଼ିଗଲାଣି ।

 

ସମୟଗୁଡ଼ାକ ବିସ୍ମୃତି ଗର୍ଭରେ ଲୁଚିଗଲେଣି ।

 

ଏଇ କିଆ ବଣ । ଏଇ ପାଣି ନାଳ । ଏଇଠି କେତେ ଲୋକ ମରିଯାଇଛନ୍ତି ଭେଟଣା ହୋଇ ଦିନ ଦ୍ୱିପ୍ରହରେ । ଭାରି ଭୟଙ୍କର ସ୍ଥାନ ଥିଲା । ଯାନବାହନରେ ଯିବା କଥା ଦୂରେଥାଉ, ପାଦରେ ଚାଲିକରି ଯିବା ଅସମ୍ଭବ ହୋଇ ପଡ଼ୁଥିଲା ।

 

ସମୟକ୍ରମେ ସେ ଦୁର୍ଗମ ପଥ ସୁଗମ ପଥରେ ପରିଣତ ହୋଇଯାଇଛି ସତ । କିନ୍ତୁ ଯୁଗ ସହିତ ତାଳ ଦେଇ ଚାଲିପାରିନି । ଓଡ଼ିଶାର ନୂଆ ରାଜଧାନୀଠାରୁ ହଜାର ହଜାର କିଲୋମିଟର ଦୂର ପଥରେ ଅବସ୍ଥିତ କୋରାପୁଟ, ଫୁଲବାଣୀ ଓ ସମ୍ବଲପୁର ଇତ୍ୟାଦି ସ୍ଥାନମାନଙ୍କୁ ପିଚୁ ରାସ୍ତା ଉପରେ ସର୍ପିଳ ଗତିରେ ଯାନବାହନଗୁଡ଼ିକ ପଁପାଁ ହୋଇ ଧାଇଁବାବେଳେ ଲକ୍ଷ୍ମୀ ଗାଁକୁ ଫେରୁଛି । ତା’ର ସେଇ ଅତି ପରିଚିତ ଜରାଜୀର୍ଣ୍ଣ ରାସ୍ତା ଉପରେ ଗୋଟିଏ କୋଉଦିନର ବୁଢ଼ା ଗଧ ଉପରେ ମାଲପତ୍ର ନେବାଆଣିବା କଲା ପରି ।

 

ସରକାର କ’ଣ ଏ ରାସ୍ତା ପ୍ରତି ଦୃଷ୍ଟି ପକାଉ ନାହାନ୍ତି । ଏ ଅଞ୍ଚଳରେ କ’ଣ ଲୋକ ଚେଷ୍ଟାକରି ନାହାନ୍ତି ରାସ୍ତା ଖଣ୍ଡେ କରିବାକୁ ।

 

ନାହାନ୍ତି କାହିଁକି ? ରାବଣପୁରୀରେ ବିଭୀଷଣ ଭଳି ଲୋକର ଅଭାବ ନଥିଲା । ଏ ଅଞ୍ଚଳରେ କାହିଁବା ସମାଜସେବୀଙ୍କର ଅଭାବ ହେବ ? ବହୁ ସୁପୁତ୍ର ଏ ଅଞ୍ଚଳ ଜନ୍ମ ଦେଇଛି । ଇତିହାସପୃଷ୍ଠାରେ ସେମାନଙ୍କ ନାମ ଚିରଦିନ ପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସେମାନଙ୍କ କଥା ଶୁଣୁଛି କିଏ ? ସେଇ ମହାମାନବଙ୍କ ଫଳ ଭୋଗକରି, ନାଁ ବିକି ପଛେ ନିଜ ନିଜର ଫାଇଦା ଉଠାଇବାରେ ସଦାସର୍ବଦା ବ୍ୟଗ୍ର । କିନ୍ତୁ ସେମାନଙ୍କ ହିତୋପଦେଶ କାନରେ ପଡ଼ିଲେ କେଉଁଠି ତାଙ୍କର କାୟା ମାରା ହୋଇଯାଏ । ନୂତନ ଚିନ୍ତାଧାରାରେ କଳଙ୍କି ଲାଗିଯାଏ ।

 

ଲୋକଚରିତ୍ରବି ଏପରି ହୋଇଗଲାଣି ଯେ ଅନ୍ୟାୟ ଯୁଆଡ଼େ ଲୋକେ ସିଆଡ଼େ । ନୋଟ୍ ନେଲେ ଭୋଟ୍‌ ଦେବେ । ଟଙ୍କା କେତୁଟାପାଇଁ ନ୍ୟାୟର ବାଛବିଚାର କରିବେ ନାହିଁ ।

 

ଆଜି ଏ ଅଞ୍ଚଳର ଅବସ୍ଥା ସେଇଆ ।

 

କେତେକ ଅସାମାଜିକ ବ୍ୟକ୍ତିଙ୍କ ଲାଲ ଆଖି ଭୟରେ ସେମାନଙ୍କ ବାଘୁଆ ବାଘୁଆ ମୁଛ ତଳେ ନିରୀହ ଅଞ୍ଚଳବାସୀ ଛିଡ଼ା ହୋଇ ସ୍ତୁତିଗାନ କରିବାକୁ ବାଧ୍ୟ । ଏ ପ୍ରକାର ପରିସ୍ଥିତିରେ କି ଉନ୍ନତି ହେବ ଏ ଅଞ୍ଚଳର ? ଉନ୍ନତି ବାବଦରେ ଯେତେ ଅର୍ଥ ଆସିଲା ସବୁ ପଶିଲା ସେଇମାନଙ୍କ ପେଟରେ । ଯେଉଁମାନଙ୍କୁ କି କେହି କହି ପାରିବେ ନାହିଁ କାହିଁକି ୟା କଲ ବୋଲି ।

 

ସେଇମାନଙ୍କର କଣ୍ଠଫଟା ଗର୍ଜନ ତର୍ଜନରେ ବସ୍ ଯାତ୍ରୀଙ୍କର କର୍ଣ୍ଣଗହ୍ୱର ଫାଟି ପଡ଼ୁଥାଏ । ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଚାରିଦଉଡ଼ିକଟା ସେମାନେ । ରାଣ୍ଡୀପିଲାବି କହିଲେ ଅତ୍ୟୁକ୍ତି ହେବ ନାହିଁ । ଧରମଛଡ଼ା ରାଇଜରେ ନ୍ୟାୟ ଖୋଜିଲେ ବା କେଉଁଠୁଁ ମିଳିବ ? ଯେଉଁମାନଙ୍କର କାମିନୀକାଞ୍ଚନ ଅଛି, ମନ୍ତ୍ରୀମାନେ ସେମାନଙ୍କ ହାତର ହାତବାରିଶି, ଗାଁ ଜମିଦାର କରପତ୍ର ଯୋଡ଼ୁଛନ୍ତି । ସେମାନଙ୍କର ଭୟ ଆଉ କାହାକୁ ? ସାଧାରଣ ଲୋକ କିବା ମାତ୍ର ତାଙ୍କପାଇଁ ।

 

ଯାତ୍ରୀବାହୀ ବସ୍‍ର ଘର୍ଘର ଧ୍ଵନି ପ୍ରକୃତି ଛାତିରେ କୁଠାରାଘାତ କରି ଦର୍ପିତ ଭଙ୍ଗୀରେ ଆଗକୁ ଆଗକୁ ମାଡ଼ି ଚାଲିଛି । ରାସ୍ତାର ଦୁଇ କଡ଼ରେ ଥିବା ବୃକ୍ଷଲତାସମୂହ ଯାନ ସହିତ ସଂଘର୍ଷରେ ପରାଜିତ ସୈନିକପରି ବିପରୀତ ଦିଗକୁ ଦୌଡ଼ିବାରେ ଲାଗିଛନ୍ତି ।

 

ଦିଗ୍‌ବଳୟର ଶିଖର ଦେଶରୁ ଯେଉଁଠି ଆକାଶ ସହିତ ମିଶି ଯାଇଛି ଦୂର ପାହାଡ଼ର ମଥା, ସେଇଠି ଦିନଯାକର କ୍ଳାନ୍ତ ଶରୀରକୁ ଲୁଚେଇ ସାରିଲେଣି ଦିନମଣି ।

 

ସୂର୍ଯ୍ୟ ବୁଡ଼ିଲେ ।

 

ସଞ୍ଜ ହେଲା ।

 

ରାତି ବିତିବ ।

 

ସକାଳ ହେବ ।

 

ପୁଣି ଦିନ ହେବ ।

 

ଦିନ ଗଲା । ମାସ ଗଲା । ଋତୁ ପରେ ଋତୁ ଯାଇ ବରଷ ବରଷ ଗଲା । ବରଷ ବରଷ ହୋଇ କେତେ ବର୍ଷ ଚାଲିଗଲା । ମଥାନପୁର ଅଞ୍ଚଳରୁ କେତେ କେତେ ପୁରୁଣା ଅତିଥି ବିଦାୟ ନେଲେ । କେତେ ନୂଆ ଅତିଥି ଆସି ମଥାନପୁରର ଶ୍ରୀମଣ୍ତନ କଲେ ।

 

କିନ୍ତୁ ଯଦ୍‌ବତ୍‍କୁ ତଦ୍‌ବତ୍‌ । ଯାହା ଥିଲା ସେଇଆ ।

 

ବାପ ଗୋସିବାପାଙ୍କ ପରି ଧାଇଁଛନ୍ତି ଭିଟାମାଟି ଛାଡ଼ି ଅସାମ ଭୂଇଁକି ।

 

ପରିବର୍ତ୍ତନଶୀଳ ଦୁନିଆ । ପରିବର୍ତ୍ତନ ଅନିବାର୍ଯ୍ୟ । ପରିବର୍ତ୍ତନ ହେବହିଁ ହେବ । କିପରି ହେବ ତାହାର ବାଟ ତିଆରି କରିବାକୁ ପଡ଼ିବ । ନହେଲେ କେତେ ଦିନ ଏ ଓଡ଼ିଆ ଜାତି ପରର ଗୋଲାମଗିରି କରୁଥିବେ ।

 

ଅବଚେତନ ମାନସରେ ଭାବନାର ପ୍ରବାହ ଲକ୍ଷ୍ମୀଙ୍କୁ ଗିରିଗାତ୍ରର କେଉଁ ଅନ୍ଧାର ଗହ୍ୱର ଭିତରକୁ ଟାଣି ନେଇଥିଲା । ସେ ନିଜେ ହଜି ଯାଇଥିଲା ଭାବନାର ଭାବପ୍ରବଣତାରେ ।

 

ଦୁଇ ଟୋପା ଅଶ୍ରୁ ବିନ୍ଦୁ ଗଡ଼ିପଡ଼ିଲା ଲକ୍ଷ୍ମୀର ଅଧର ତଳକୁ ।

 

ସୁଲି ଲକ୍ଷ୍ମୀର ମୁଖମଣ୍ଡଳକୁ ଅବଲୋକନ କଲାବେଳକୁ ବସ୍‌ର ବିକଳ କ୍ରନ୍ଦନ ଲୀନ ହେଇଗଲା ହଠାତ୍ ଏକ ସ୍ଥାନରେ ।

 

ତା’ପରେ ସବୁ ଶୂନଶାନ୍‌ ।

 

ଯାତ୍ରୀମାନେ ଜଣେ ପରେ ଜଣେ ଓହ୍ଲାଇଗଲେ ତଳକୁ । ଲକ୍ଷ୍ମୀ ଏବଂ ସୁଲି ନିଜର ବ୍ୟାଗ୍‍ପତ୍ର ଧରି ସେମାନଙ୍କୁ ଅନୁସରଣ କରି ଚାଲିଲେ ଗାଁ ମୁହାଁ ହୋଇ ।

 

ପ୍ରତିଶ୍ରୁତି ଯେ କେଡ଼େ ମର୍ମନ୍ତୁଦ ମାନସ ଫେରିବା ପରେ ଅନୁଭବ କଲା । ଲକ୍ଷ୍ମୀ ଉତ୍କଣ୍ଠା ଓ ଅଜସ୍ର ଭୟ ନେଇ ଅପେକ୍ଷା କରିଥିଲା ମାନସକୁ ।

 

ମାନସ ରାୟଟସିଂହ ଜିଲ୍ଲାର ସର୍ବଶ୍ରେଷ୍ଠ ସରପଞ୍ଚରୂପେ ପୁରସ୍କୃତ ହେବାପରେ ରାଜ୍ୟସରକାରଙ୍କ ତରଫରୁ ସେ ଦେଶର ବିଭିନ୍ନ ପ୍ରଦେଶକୁ ଯାଇ ଗ୍ରାମମଙ୍ଗଳ କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରୁଥିଲା । ଏଥିପାଇଁ ତାଙ୍କୁ ଦୁଇ ବରଷ ବାହାରେ ବିତେଇବାକୁ ପଡ଼ିଥିଲା । ଦୁଇବର୍ଷ ମଧ୍ୟରୁ ଅନେକ ସମୟ କଟିଥିଲା କେରଳରେ ।

 

ଲକ୍ଷ୍ମୀର ରାଶି ରାଶି ଦୁଃଖ ନିମନ୍ତେ ମାନସର ହୃଦୟ ଛିନ୍ନ ବିଛିନ୍ନ ହୋଇ ମହାଶୂନ୍ୟରେ ଉଡ଼ି ବୁଲୁଥିଲା ।

 

ମଣିଷମାତ୍ରକେ ସ୍ଵାର୍ଥର ଦାସ । ସ୍ଵାର୍ଥ ବ୍ୟତିରକେ କୌଣସି ବ୍ୟକ୍ତି କୁଟାଖଣ୍ଡକୁ ଦିଖଣ୍ଡ କରିବାକୁ ପ୍ରସ୍ତୁତ ନୁହନ୍ତି । ସ୍ଵାର୍ଥହିଁ ଆଜିକାଲିର ସମାଜରେ ଲୋକମାନଙ୍କର ମୁଖ୍ୟ ପଦାର୍ଥ ହୋଇ ସମାଜକୁ ଧ୍ଵଂସ କରିବାକୁ ବସିଲାଣି । ସ୍ଵାର୍ଥ ପରିହାର କରିବା ସମ୍ଭବ ନହେଲେ ଚରିତ୍ରହୀନ ହେବା ନିଶ୍ଚିତ । ଚରିତ୍ରହୀନ ବ୍ୟକ୍ତିର ସ୍ଥାନ ଅତି ନୀଚରେ । ଚରିତ୍ର ଜିନିଷଟା କି ପ୍ରକାର ତାହା ହରାଇ ସାରିବା ପରେହିଁ ମଣିଷ ଉପଲବ୍ଧି କରେ ।

 

ହରି ମିଶ୍ରଙ୍କ ଚରିତ୍ର କ’ଣ, କିପରି ଓ ତା’ର ଆବଶ୍ୟକତା କାହିଁକି ? ଦୀର୍ଘ ତିନିକୋଡ଼ି ବରଷ ତାଙ୍କ ବୟସକୁ ଉପଭୋଗ କରିଥିଲେ ମଧ୍ୟ କେବେ ଜାଣିବାକୁ ଚେଷ୍ଟା କରିନାହାନ୍ତି । ଜାଣିବା ତାଙ୍କର ଆବଶ୍ୟକ ନଥିଲା କାରଣ ସେ ସ୍ଵାର୍ଥାନ୍ଧ । ସ୍ଵାର୍ଥ ତାଙ୍କ ଅସ୍ଥିମଜ୍ଜାଗତ । ଦକ୍ଷତାର ସହ ଧଳାକୁ କଳା, କଳାକୁ ଧଳା କରିବାରେ ସେ ସିଦ୍ଧହସ୍ତ ।

 

ସମୟର କୁଟିଳ ଚକ୍ରାନ୍ତରେ ପଡ଼ି ମାନସ ହରି ମିଶ୍ରଙ୍କର ଏକାନ୍ତ ଆପଣାର ହୋଇଯାଇଥିଲା ଏବଂ ମିଶ୍ରେବି ଠିକ୍ ବେଳାରେ ମାନସକୁ ନିଜ ଅକ୍ତିଆରକୁ ଆଣିଥିଲେ ।

 

ଗର୍ବ ବଡ଼େଇ ବେଶୀ ଦିନ ରହେନି । ଅତିରୁ ଇତି ନିଶ୍ଚିତ । ସମାଜ ଆଖିରେ ଚିରଦିନ ଧୂଳି ପକେଇ ଅନ୍ଧାରି ରାଜତ୍ୱ କରି ହୁଏନି । ଦିନେନା ଦିନେ ତା’ର ପରାଭବ ଭୋଗିବାକୁ ପଡ଼େ । ଦେବତା ହେଲେବି ଏଥିରୁ ନିଷ୍କୃତି ପାଇ ନାହାନ୍ତି ।

 

ହରି ମିଶ୍ରଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ଉମାଶଙ୍କରବାବୁଙ୍କ ଅନ୍ଧାରି ରାଜତ୍ଵର ଭିତିରି କଥା ଫାଟରେ ପଶି ବାଟରେ ମୋଟ ଆକାର ଧାରଣ କଲା । ଅତ୍ୟାଚାରିତ, ଲାଞ୍ଛିତ, ନିଷ୍ପେଷିତ ଜନସମାଜର ପାଟି ଫିଟିଲା ଏହାର ପ୍ରତିବାଦ କରିବାକୁ । ସୁଧ କଳନ୍ତର ସହିତ ମୂଳ ଆଦାୟର ମସୁଧାକରି ବଦ୍ଧପରିକର ହେଲେ ଲଢ଼ିବେ । ଲଢ଼ି ଲଢ଼ି ଲହୁର ବନ୍ୟାରେ ଭାସିଯିବେ ପଛେ ଛାଡ଼ିବେ ନାହିଁ ।

 

ଉପରେ ପଡ଼ିଲେ ପ୍ରମାଦ, ଗୁରୁ ବ୍ରାହ୍ମଣ ଶିରଚ୍ଛେଦ ।

 

ଉମାଶଙ୍କରବାବୁଙ୍କ ଅକଥନୀୟ ଅତ୍ୟାଚାରର ଦାଉ ସମ୍ଭାଳିବା ମଥାନପୁର ବାସୀଙ୍କ ପକ୍ଷେ ଆଉ ସମ୍ଭବ ନଥିଲା । ସମସ୍ତଙ୍କର ଗୋଟିଏ ଦାବି, ଆମେ ନ୍ୟାୟ ଚାହୁଁ । ନ୍ୟାୟ ।

 

ଏକସ୍ଵରରେ ସମସ୍ତେ କହୁଥିଲେ ବେଠିବେଗାରି ଖଟିବୁ ନାହିଁ । ଅନ୍ୟାୟ ଖଜଣା ଦେବୁ ନାହିଁ । ଗଛ ମାଛ ଆମର । ଆମ ଗାଁ ଭୂଇଁରୁ ଉଡ଼ାକାଉ ଉଡ଼ିଯାଉ ।

 

ପୂର୍ବ କଥାକୁ ଦୋହରେଇଲେ ମଥାନପୁରର ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ରାଗ ଜନ୍ମେ । ବିଦ୍ରୋହର ନିଆଁ କୁହୁଳେ । କିନ୍ତୁ ସାହସ ବାନ୍ଧି ଏକାଠି ହୋଇପାରନ୍ତି ନାହିଁ ମେଳିଆର ଅଭାବ ଯୋଗୁଁ ।

 

ଘଟଣାକ୍ରମେବି ମେଳିଆର ଅଭାବ ରହେନି କୌଣସି ସମସ୍ୟାର ସମାଧାନ କରିବାକୁ-। ଉମାଶଙ୍କରବାବୁଙ୍କର କୀର୍ତ୍ତିକଳାପହିଁ ମାନସକୁ ଟାଣି ଆଣିଥିଲା ମେଳିଆ ସାଜିବାକୁ-

 

କେତୀର ବାପା ଚଇତା । ଏକମାତ୍ର ଝିଅ କେତୀକୁ ନେଇ ଚଇତାର ଘରସଂସାର । ସଂସାର ବକ୍ଷରେ ସେ ନିରିମାଖି ଦୀନହୀନ କାଙ୍ଗାଳ । କେତୀର ବାଲ୍ୟକାଳରୁ କେତୀ ବୋଉ ଚଇତାକୁ ଏକୁଟିଆ କରି ଚାଲିଯାଇଛି ସେଇ ଅଜଣା ପୁରକୁ । କେତୀବୋଉ ଚଇତାଠାରୁ ଅନ୍ତରହେବା ପରେ କେତୀର ମୁହଁକୁ ଅନେଇ ଚଇତା ଭୁଲିଯାଇଛି ଏକ ଶୂନ୍ୟସ୍ଥାନର ନିର୍ମମ ଶୂନ୍ୟତା ।

 

ପେଟର ଜ୍ଵାଳା ମୁଣ୍ଡ ବିକେଇଦେଲା ଉମାଶଙ୍କରବାବୁଙ୍କ ଦୁଆରେ । ବିବେକ ଅନେକବାର ମନକୁ ଠୋକର ଦେଇଛି ସେ ନରହନ୍ତାର ଦୁଆରକୁ ନ ଯିବାପାଇଁ । କିନ୍ତୁ ନିରୁପାୟ । ମଥାନପୁରର ସଭିଙ୍କୁ ଅଭାବ ବାଧୁଛି । ବର୍ଷଯାକ ମାଟି ମା’ ସଙ୍ଗେ ଲଢ଼ି ଲଢ଼ି ଖଟି ଖଟି ଯାହା ପାଉଛନ୍ତି, ପେଟଚାଖଣ୍ଡକୁ ନିଅଣ୍ଟ । ବର୍ଷର ଅଧାଦିନ ଯାହିତାହି ପ୍ରକାରେ ଚଳିଗଲେ, ଅନ୍ୟ ଅଧେକ ଦିନ କଟେ ବାର ପ୍ରକାର ଫନ୍ଦିଫିକର କରି । ସଭିଏଁ ଅଭାବର ଅଧୀନ । ଚଇତା ପେଟର ଦୁଃଖକୁ ମୋଚନ କରିବାପାଇଁ କିଏ ବା ଭାଜନ ହୋଇଥାନ୍ତା ?

 

ଅଭାବ ଏବଂ ଭାବର ପଥ ଭିନ୍ନ । ଭାବ ବୁଝେନି ଅଭାବର ଯନ୍ତ୍ରଣା । ବରଂ ଲଦିଦିଏ ଯନ୍ତ୍ରଣା ଉପରେ ଯନ୍ତ୍ରଣା । ଯେଉଁଥିପାଇଁ କି ଅଭାବ ବଚସ୍କର ହୋଇ ରହେ ଭାବର ଚରଣ ତଳେ-

 

ଚଇତା ଉମାଶଙ୍କରବାବୁଙ୍କର ବିଶ୍ଵସ୍ତ ଚାକର । କେତୀର ସବୁ ଖେଳାବୁଲା, ଖିଆପିଆ କଟେ ଉମାଶଙ୍କରବାବୁଙ୍କ ଘରେ । ସନ୍ଧ୍ୟାହେଲେ କେତୀକୁ ଚଇତା କାଖରେ ଯାକି ନିଜ ଭଙ୍ଗାକୁଡ଼ିଆକୁ ଫେରେ ।

 

ସମୟଗୁଡ଼ାକ ଅତୀତର ଗର୍ଭରେ ବିଲୀନ ହେବା ସଙ୍ଗେ ସଙ୍ଗେ କେତୀର ବୟସ ଚଢ଼ି ଚଢ଼ି ଗଲା । କେତୀ ଦେହରେ ଚୁପି ଚୁପି ଗୀତ ଗାଇଲା ବୟସର ମଳୟ । ଅଙ୍ଗଲତାର ପୁଷ୍ପମାନେ ମଳୟର ସ୍ପର୍ଶରେ ଉଙ୍କି ମାରିଲେ ବାହାରକୁ ।

 

କେତୀର ପାଦ ଅଗୁଳାରେ ପଡ଼ିନି ।

 

ଅଶ୍ରାବ୍ୟ ଭାଷାକୁ କାନ ଦେଇନି ।

 

ବୟସର କିମିଆରେ ପଡ଼ି ପରପୁଅ ପ୍ରତି ନଜର ଦେଇନି ।

 

ବିଧିର ବିଧାନ ବିଚିତ୍ର ।

 

ବିଚିତ୍ର ଦୁନିଆରେ ଅସମ୍ଭବହିଁ ସମ୍ଭବ । ଅକଥାହିଁ କଥା । ଅବାଟହିଁ ବାଟ ।

 

ଚଇତା ଗରିବ ହେଲେବି ମନକୁ ତା’ର କେବେ ହୀନମ୍ମନ୍ୟତା ସ୍ପର୍ଶ କରନି । ସେ ଜାଣେ ଉମାଶଙ୍କରବାବୁ ଅନ୍ନଦାତା । ସେ ତାଙ୍କ ନିମକ ଖାଉଛି । ତାଙ୍କ ନିମକର ଋଣ ସୁଝିବାକୁ ପଡ଼ିବ ଜଣେ ବିଶ୍ଵସ୍ତ କର୍ମଚାରୀରୂପେ । ଟଙ୍କାପଇସା ଦେଇ ନୁହେଁକି ବାହାପିଟି ପରିଶ୍ରମ କରିବି ନୁହେଁ । ଉମାଶଙ୍କରବାବୁଙ୍କର ଅନୀତି, ଅନ୍ୟାୟ, ଅତ୍ୟାଚାରର ନଗ୍ନ ଚିତ୍ରକୁ ପେଟରେ ରଖି । ପୋଚାକରି । ଉମାଶଙ୍କରବାବୁ କଅଁଳିଆ ଭାଷା ଭାସି, ଚଇତା ମନକୁ ରଞ୍ଜେଇ ପଜେଇ ନିଜର ଅକ୍ତିଆରରେ ରଖିଥାନ୍ତି ।

 

ଚଇତା ଉମାଶଙ୍କରବାବୁଙ୍କ ପ୍ରଭୁଭକ୍ତ ଚାକର । ନିମକଖିଆ କୁକୁର । ବାବୁଙ୍କୁ କିଏ ଅପମାନସୂଚକ ଭାଷାରେ କଥାପଦିଏ କହିଦେଲେ, ଭୋଭୋ ହେଇ ଲାଖିଯାଏ ଚଇତା ।

 

ହେଲେ ଶିଙ୍ଗ ଥିବା ପ୍ରାଣୀ, ହିଂସ୍ର, ପ୍ରକୃତିର ପଶୁ, ବିଷଧର ସର୍ପ ଓ ଦୁଷ୍ଟ ପ୍ରକୃତିର ଲୋକଙ୍କୁ କେବେ କ’ଣ ବିଶ୍ୱାସ ଥାଏ ? ବେଳ ଉଣ୍ଡି ନିଜର ମଉକା ପାଇ ପାନେ ଦେବେହିଁ ଦେବେ ।

 

ସେଇଆ ଘଟିଗଲା ଚ‌ଇତା‌ ଜୀବନରେ । ପ୍ରଭୁଭକ୍ତ ଚଇତାର ସରଳତାର ସୁଯୋଗ ନେଇ ଘଟଣାଟା ଘଟେଇଦେଲେ ଉମାଶଙ୍କରବାବୁ ।

 

କଳା ମିଚିମିଚି ସଞ୍ଜ ପହରେ ଚଇତା କେତୀକୁ ପଠାଇଥିଲା ବାବୁଙ୍କ ଘରକୁ କୋଶଳା ଶାଗ ଚିଡ଼େଇଏ ଦେଇ । ବାବୁ ଭଲ ପାଆନ୍ତି କୋଶଳା ଶାଗ ଖାଇବାକୁ । ଭାରି ଶ୍ରଦ୍ଧା ତାଙ୍କର ଶାଗରେ ।

 

ଅନ୍ଧାର ପରେ ଅନ୍ଧାର । ମେଞ୍ଚାମେଞ୍ଚା ଅନ୍ଧାର କ୍ରମେ ମଥାନପୁରର ଗଳିକନ୍ଦିରେ ପଶିଲା । ସଞ୍ଜ ପହର ଗଡ଼ିଯାଇ ପ୍ରଥମ ପହର ହେଲା, ପ୍ରଥମ ପହରର ଶେଷରେ ଭୋଗ ହେଲା ଦ୍ଵିତୀୟ ପ୍ରହର । ପ୍ରହରିଆ ବିଲୁଆଗୁଡ଼ାଙ୍କ ବିକଟାଳିଆ ରଡ଼ିରେ ଚଇତା ମନରେ ଚେତା ପଶିଲା । ଜ୍ଞାନ ଉଦୟ ହେଲା ।

 

ଆରେ କେତୀ କୁଆଡ଼େ ଗଲା ? ଏପର୍ଯ୍ୟନ୍ତ କାହିଁ ଫେରିଲାନି । ଭାବିଲା ଚଇତା ।

 

ତା’ ମନକୁ ପାପ ଛୁଇଁଲା । ପାପ ମନ ସମ୍ଭାଳି ହେଲାନି । କୁନ୍ଥୁକୁନ୍ଥୁ ସୁନ୍ଥୁସୁନ୍ଥୁ ହେଇ ଅନ୍ଧାରେ ଅନ୍ଧାରେ ମାଡ଼ି ଚାଲିଲା ବାବୁଙ୍କ ଘରକୁ ।

 

ରାଗ ଚଣ୍ଡାଳ ।

 

କ୍ରୋଧ ଅନ୍ଧ ।

 

ଚଇତା ନିଜକୁ ସମ୍ଭାଳି ପାରିଲା ନାହିଁ । ଆୟତ୍ତ ହୋଇ ରହିବାପାଇଁ ଚେଷ୍ଟା କଲା । ସବୁ ବିଫଳ ହେଲା । ଚଇତାର ମୁଥ ମାଡ଼ରେ ଚେତା ହରାଇ ‘ଭୂଲୁଣ୍ଠିତ ହେଲେ ଉମାଶଙ୍କରବାବୁ-!

 

ଆଉ କେତୀ ?

 

ଜଣେ କୁମାରୀର ଯାହା ଶ୍ରେଷ୍ଠ ସମ୍ପଦ ଉମାଶଙ୍କରବାବୁ ତାହା ଲୁଣ୍ଠନ କରି ନେଇଥିଲେ କେତୀଠାରୁ ।

 

କେତୀ ଠଉରେଇ ପାରିଲାନି କେତୁଟା ମୁହୂର୍ତ୍ତରେ ତା’ର କ’ଣ ହେଲା ବୋଲି ? ଚଇତାକୁ ଧରି ଭେଁଭେଁ କାନ୍ଦିଲା । ତା’ ଦେହରୁ ଗମ୍ ଗମ୍ ଝାଳ ବୋହିଲା । ସେ କେବଳ ନିର୍ବାକ୍‍ ହୋଇ ଚାହିଁ ରହିଲା ଚଇତାକୁ ।

 

ସେଇ ଅନ୍ଧାରରେ ବାପଝିଅ ଚାଲିଆସିଲେ ଘରକୁ ।

 

ରାତି ପାହି ଆସିଲାବେଳକୁ ଚଡ଼କ ପଡ଼ିଲା ଚଇତା ସଂସାରରେ । ଦାରୋଗା ଚଉକିଦାର ଦୁଆରେ । ଚଇତାର କୌଣସି ଆପତ୍ତି ଶୁଣିଲେ ନାହିଁ ସେମାନେ । ହାକିମର ହୁକୁମକୁ ପାଳିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ । କର୍ତ୍ତବ୍ୟରେ ସେ ହେଳା କରିବେ କିପରି ? ହେଳା ଅବା କରନ୍ତେ, ଉମାଶଙ୍କରବାବୁଙ୍କ ଲାଲ ଚକ୍ଷୁକୁ ଅନାଇବାକୁ ତାଙ୍କ ହାକିମର ଯେଉଁଠି ସାହସ କୁଳାଏ ନାହିଁ, ସେମାନଙ୍କର ପିତ୍ତ ବା କେତେ ?

 

ଚଇତାକୁ ବାନ୍ଧି ନେଇଗଲେ ଥାନାକୁ । ଥାନାବାବୁ ଚଇତା ଆଉ ଜେଲ୍‌ରୁ ଆସି ନ ପାରିବା ଭଳି ଦଫାଗୁଡ଼ିଏ ଖଞ୍ଜି ଦେଲେ ଚଇତା ନାଆଁରେ । ଚଇତା ଜେଲ ଖଟିଲା । ସାତପର ପରି ଦୂରେଇଗଲା କେତୀଠାରୁ । କେତୀ ଡରିଗଲା । ଥରିଗଲା । ଛାତିରେ ତା’ର ଛାନିଆ ପଶିଲା-। ଦେହ ହାତ ବରଡ଼ାପତ୍ର ପରି ଥରି ଉଠିଲା ।

 

ମନ ବ୍ୟାକୁଳ ହେଲା ।

 

ପ୍ରାଣ ଛଟପଟ ହେଲା ।

 

ଭୟ ଲାଗିଲା ଦେହକୁ ।

 

ମନରେ ବେଦନାର ଢେଉ ଚିନ୍ତା, ବେଳାଭୂମିରେ ଲହଡ଼ି ଭାଙ୍ଗିଲା ।

 

ଦମ୍ଭ ଦେଲା ତା’ର ଭଙ୍ଗା ହୃଦୟକୁ । ହଁ, ମୁଁ ଚଇତାର ଝିଅ କେତୀ । ବାପା ମୋର ଜେଲରେ ଘଣା ପେଲୁଚି । ମୁଁ ଏକାକିନୀ । ଅଭାଗୀନି । ଏଥିପାଇଁ କ’ଣ ହାରିଯିବି ? ଅତ୍ୟାଚାରୀ କୁକୁରଟା ପାଖରେ ମୁଣ୍ଡ ନୁଆଁଇଦେବି ? ତା’ ହେବନି । ମୁଁ ତା’ର ପ୍ରତିଶୋଧ ନେବି । ଦେଖାଇ ଦେବି ପର ଝିଅବୋହୂଙ୍କ ଉପରେ ଆଖି ପକାଇଲେ କି ପ୍ରକାର ପରାଭବ ପାଇବାକୁ ହୁଏ ।

 

ସମୁଦ୍ର ଉଛୁଳିଲେ କୂଳ କେତେ ମାତ୍ର ?

 

କେତୀ ସାହସର ସହିତ ତା’ ଜୀବନ ନିର୍ବାହର ପନ୍ଥା ଅବଲମ୍ବନ କଲାବେଳକୁ ହରି ମିଶ୍ରଙ୍କ ମନ୍ତ୍ରଣା କେତୀର ଚଲାପଥରେ ପ୍ରତିବନ୍ଧକ ସୃଷ୍ଟି କଲା ।

 

ଉମାଶଙ୍କରବାବୁ ହରି ମିଶ୍ରଙ୍କୁ ଚଇତାକୁ ଜେଲ୍ ହୋଇଯିବା ଖବର ଦେବାବେଳେ, ହରି ମିଶ୍ର ଗୋଟିଏ କୁଟିଳ ଚାହାଣି ଉମାଶଙ୍କରବାବୁଙ୍କୁ ହାଣି ଦେଇ ସତର୍କତାର ସହିତ ଟୁପୁଟୁପୁ କରି କାନ ପାଖକୁ ମୁହଁଟା ଦେଇ କହିଲେ, ହୟେ ଉମାବାବୁ ! ବିଛା ମନ୍ତ୍ର ନ ଜାଣି ସାପ ଲାଞ୍ଜରେ ହାତ ମାରୁଛ କାହିଁକି ? ଶାସ୍ତ୍ର ପରା କହୁଛି ଅଗ୍ନି, ଋଣ, ଶତ୍ରୁ, ଏମାନଙ୍କୁ ଅଧାରୁ କେବେ ଛାଡ଼ିଦେବନି । ଚଇତାର ଝିଅ କେତୀ । ତା’ର ରକ୍ତମାଂସରେ ଗଢ଼ା । ମାଇକିନିଆ ଜାତିମାତ୍ରକେ ନିଆଁ । ହୁତୁହୁତୁ ହୋଇ ଯେତେବେଳେ ଜଳିବ ସେତେବେଳେ ଲେଡିଗୁଡ଼ ଯାଇ କହୁଣୀରେ ପହଞ୍ଚିବ । ନାଗସାପକୁ ସିନା ପେଡ଼ିରେ ଭରି କରିଦେଲ । ତମ୍ପ ପରା ଲଗାମଛଡ଼ା ହୋଇ ବୁଲୁଛି । ଘରେ ପଶି ଏପରି ବହନ ମାରିବ, ସେଇଥିରେ ଜେଜେର ଚଉଦ ପୁରୁଷ କଥା ମନେ ପଡ଼ିଯିବ ।

 

ବର୍ତ୍ତମାନ ଉପାୟ ? –ପଚାରିଲେ ଉମାଶଙ୍କରବାବୁ !

 

ହରିମିଶ୍ରେ କହିଲେ, ଉପାୟ ! ଉପାୟ ଛେନାଗୁଡ଼ । ତମ ମୁଣ୍ଡଗଣ୍ଡି ହେଇଚି ? ଏ ଦୁର୍ଦ୍ଧର୍ଷ ଜାତିଟାର ଗୁଣ ଜାଣିନ । ମୁଁ ବୋଲି ତାଙ୍କ ନିଜ ନିଜ ଭିତରେ ମେଳ ଫଟେଇ ତିନି ତିନି ବାଡ଼ କରେଇ ଆୟତ୍ତ କରି ରଖିଛି । ତଥାପି ମୋ ପକ୍ଷେ ଅସମ୍ଭବ ହୋଇ ପଡ଼ୁଛି । ଏ ଜାତିକୁ ବିଶ୍ୱାସ ଯେଉଁ ପରିମାଣରେ କରିବାକୁ ପଡ଼େ ଠିକ୍ ତିନିରେ ଗୁଣି ଦେଇ ଅବିଶ୍ଵାସବି କରିବାକୁ ପଡ଼େ । ମନ ହେଲେ ପାଦ ତଳେ ଖଟୁଥିବେ ନହେଲେ ଏକାଥରକେ ରାତାରାତି ଗଣ୍ଠିଲିପତ୍ର ମୁଣ୍ଡରେ ଥୋଇ ଯୁଆଡ଼ୁ, ଆସିଛ ସେଇଆଡ଼କୁ ପଠାଇଦେବେ ।

 

ହୟେ ମିଶ୍ରେ ! କହିଲ, କୋଉ ପରାମର୍ଶ ତୁମର ମୁଁ ଗ୍ରହଣ ନ କରିଛି ? ଏଣୁତେଣୁ ଗୁଡ଼ାଏ ନ କହି କି ଉପାୟ କରିବା ସେ କଥା କୁହନ୍ତୁ–ଉମାଶଙ୍କରବାବୁ ପଚାରିଲେ ।

 

ପାରିବ ! ପାରିଲେ କୋଉ କଥା ନ ହୋଇ ରହିବ ? ତୁମକୁ ଗୋଟିଏ କାମ କରିବାକୁ ହେବ, ଯାହାକି ନ କରିବା କଥା । ମନରେ ସଙ୍କୋଚ କଲେ ଚଳିବନି । ନିଜର ସ୍ଵାର୍ଥ ହାସଲ କରିବାକୁ ଇଚ୍ଛା କଲେ ବିବେକକୁ ଜଳାଞ୍ଜଳି ଦେବାକୁ ହୁଏ । ପାରିବତ ? କୁହ ! ପାରିବ କି ନାହିଁ-?

 

ହରି ମିଶ୍ରଙ୍କ ତୁଣ୍ଡରୁ କଥା ଛଡ଼େଇ ନେଇ ଉମାଶଙ୍କରବାବୁ କହିଲେ, ଏ ମଥାନପୁର ଅଞ୍ଚଳରେ ଏପରି କୌଣସି କାର୍ଯ୍ୟ ନାହିଁ ଯାହାକି ମୋ ପକ୍ଷେ ଅସମ୍ଭବ ହେବ । ଆପଣ କୁହନ୍ତୁନା, କ’ଣ କରିବାକୁ ହେବ ।

 

ମିଶ୍ରେ କହିଲେ, କେତୀ ପିଛା ଟୋକା ଲଗେଇଦିଅ । ଯୋଉ ଯୌବନକୁ ବଡ଼ ସମ୍ପଦ କରି ସେ ଏଡ଼େ ଗର୍ବ କରୁଛି, ସେଇ ସମ୍ପଦ ଟିକକ ଛଡ଼ାଇ ନେଇଗଲେ କାମ ଫତେ । ଏହାଫଳରେ ଯଦି କିଛି ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ମଥାନପୁର ଅଞ୍ଚଳର ପଦଲେହନକାରୀ କୁକୁରଗୁଡ଼ାଙ୍କୁ କୋରଡ଼ାମାଡ଼ରେ ଶାସନ କରି ଆୟତ୍ତ କରିବାକୁ ପଡ଼ିବ ।

 

ମନ୍ତ୍ରଣା ଯନ୍ତ୍ରଣା । ପରେ ଉମାଶଙ୍କରବାବୁ ଘରକୁ ଫେରି କେତୀ ପିଛା ଟୋକା ଲଗେଇବାର ବ୍ୟବସ୍ଥା କରିଦେଲେ ।

ମଥାନପୁର ଆକାଶରେ ମେଘ ବାଦଲର ଉହାଡ଼ରେ ଲୁଚକାଳି ଖେଳୁଥିଲା ଦ୍ଵାଦଶୀ ତିଥିର ଜହ୍ନ । କୁକୁରଗୁଡ଼ାକ ଭୋଭୋ ହୋଇ ଭୁକୁଥିଲେ । ଗାଁ ଚଉକିଦାର ସନେଇ ମଳିକର ହୁସିଆର ହୁସିଆର ଡାକ କିଏ କେମିତି ଶୋଇଲା ଶେଯରେ ପଡ଼ି ଶୁଣୁଥାନ୍ତି । ଖଳାବାଡ଼ିର–କଣ୍ଟାବୁଦା ଉପରୁ କୁମ୍ଭାଟୁଆ ପକ୍ଷୀଟା ଘୁମୁରି ଘୁମୁରି କାହାକୁ କେତେ କଥା କହି ହେଉଛି । କେତୀର ନିଦ ଭାଙ୍ଗି ଆଉ ଗୋଟିଏ ନିଦ ଶୋଇବାର ଉପସମ ଆରମ୍ଭ କରୁଛି । ଦୁଲ୍‌ଦାଲ୍‌ ହୋଇ କିଏ ଦୁଇ ଚାରିଜଣ ତା’ ଘରର ଅଗଣାକୁ ଡେଇଁଲେ । କେତୀ ଦୌଡ଼ି ଆସିଲା ଅଗଣାକୁ କିଛି ଗୋଟାଏ ଘଟିବାର ଆଶଙ୍କା କରି ।

କେତୀ ଅଗଣାରୁ ଉଠି ଆସିବା ପରେ ବିଧିବଦ୍ଧଭାବେ ଆରମ୍ଭ ହୋଇଗଲା ରାମ ରାବଣ ଯୁଦ୍ଧ । ଦୁମ୍‍ଦାମ୍ ଭୁସ୍‍ଭାସ୍ ଶବ୍ଦ ଅନେକ ଦୂରକୁ ଶୁଣାଗଲା ।

ଦାଶିଆକା ଏକ କରିବାପାଇଁ ଦାଣ୍ଡକୁ ବାହାରିଥାଏ । ତା’ କାନରେ ଏ ଶବ୍ଦ ବାଜିବାରୁ ଗୋଟିଏ ଗୋଟିଏ ଚାଲି ଚାଲି କେତୀଘରର ଦାଣ୍ଡଦୁଆରେ ପହଞ୍ଚିଲା ।

କେତୀ ଚିତ୍କାର କରୁଥାଏ, କିଏ କୁଆଡ଼େ ଅଛ ରକ୍ଷାକର । ମୁଁ ମରିଗଲି ।

ଦାଶିଆକା ଅଣ୍ଟାରେ ଲୁଗାପଟାକୁ ଭିଡ଼ିଦେଇ ଦାଣ୍ଡଦୁଆର କବାଟକୁ ମାଇଲା ଗୋଟାଏ ଗୋଇଠା ଯେ, କବାଟଟା ଦୁଇଫାଳ ହୋଇ ଭାଙ୍ଗିଗଲା । ଘରେ ପଶି କେତୀର ଅବସ୍ଥା ଦେଖି, ଆଖି ବୁଜି ହୋଇଗଲା ଦାଶିଆକାର ।

 

ମୁଣ୍ଡର କେଶ ମୁକୁଳା । ମାଡ଼ର ଗାଲ ପିଠି ଫାଟି ଯାଇଛି । ଉଧୁ ଲଙ୍ଗଳା ହୋଇ ଇଜ୍ଜତ ରକ୍ଷା କରିବାକୁ ଯାଇ ଅଗଣାର ଗୋଟିଏ କାନ୍ଥ କୋଣରେ ମୁହଁ ମାଡ଼ି ଲାଖି ରହିଛି । ପିଠି ପଟୁ ଗୁଣ୍ଡାମାନଙ୍କର ବର୍ବର ଆକ୍ରମଣରେ ଅତିଷ୍ଠ ହୋଇ ଆର୍ତ୍ତଚିତ୍କାର କରୁଛି କେତୀ ।

 

ଅପେକ୍ଷା କର ବେଶୀ ସମୟ ନୀରବଦ୍ରଷ୍ଟା ହୋଇ ନ ରହି ଦାଶିଆକା ଗୁଣ୍ଡାମାନଙ୍କୁ ଦି’ ହାତରେ ଟାଣିଆଣି ସେମାନଙ୍କୁ ଗୋଟା ଅଧେ ବାଇଶିପଳିଆ ଘୁସି ଲଗେଇଦେଇ ନିଜ ଅଣ୍ଟାରୁ ଗାମୁଛା କାଢ଼ି ଫୋପାଡ଼ି ଦେଇ କେତୀ ଉପରକୁ । କେତୀ ଦାଶିଆକାର ଗାମୁଛାକୁ ଦେହରେ ଗୁଡ଼ାଇ ଲଜ୍ଜାନିବାରଣ କଲା ।

 

ଛେଳି ପଲରେ ବାଘ ପଶି ଘାଉଲା କଲା ପ୍ରାୟ ଗୁଣ୍ଡାମାନଙ୍କୁ ବୁହେ ଘାଉଲା କଲା ପରେ, ଘରେ ଚାବି ପକେଇ ରଖିଲା ଦାଶିଆକା ।

 

କୋହ ଉଠେଇ କାନ୍ଦୁଥାଏ କେତୀ । କେତୀ କାନ୍ଦ ଦାଶିଆକାର ମୁଣ୍ଡକୁ ରାଗ ଉଠେଇ ଦେଲା ।

 

କେତୀକୁ ବୋଧବାଧ କରି ଘର ଘର ପଶି ସବୁ ଭାଇମାନଙ୍କୁ ଡାକି ଆଣିଲା ଘଟନାସ୍ଥଳକୁ । ଗୁଣ୍ଡାମାନଙ୍କୁ ଅଣାଗଲା । ରାତିର ଜହ୍ନ ଆଲୁଅରେ ସେମାନଙ୍କୁ ଚିହ୍ନଟ କରାଗଲା । ସେମାନେ ବାହାରର କେହି ନୁହଁନ୍ତି । ସେଇ ମଥାନପୁରର । ଯେଉଁମାନେ ଉମାଶଙ୍କରବାବୁଙ୍କ ପାଦସେବା କରି, ଗୁହାଳ ପୋଛି, ଲୁଗା କାଚି ତାଙ୍କ ଦୟାରୁ ମାଣେ କି ଗୁଣ୍ଠେ ସରକାରୀ ଅନାବାଦି ପଡ଼ିଆରୁ ନିଜ ନାମରେ ଦରଜ କରାଇ ନେଇଥିଲେ, ସେଇମାନଙ୍କ ପୁଅ ପୁତୁରାମାନେ ।

 

ସେ ଦିନର ଘଟଣା ସେତିକିରେ ରହିଲା । କେବଳ ଚିହ୍ନଟ କରିଦେଇ ଆକ୍ରମଣକାରୀଙ୍କୁ ଛାଡ଼ିଦିଆଗଲା । କାହାକୁ କହିବେ ? ନିଜ ପୁଅ ପୁତୁରାମାନେ ତ କରିଛନ୍ତି । କିନ୍ତୁ ସେମାନଙ୍କ ମନରେ ପ୍ରଶ୍ନ ଉଠିଲା, ଏମାନଙ୍କର କେତୀ କୌଣସି କ୍ଷତି କରିନି । କାହିଁକି କେତୀ ଉପରେ ଏମାନେ ଆକ୍ରମଣ କଲେ ? ନିଶ୍ଚୟ ଏଥିରେ ଭିତିରି ରହସ୍ୟ ରହିଛି । ତେଣୁ କାଲି ସକାଳୁ ଠାକୁରଙ୍କ ବିଜେସ୍ଥଳୀରେ ଏକାଠି ହୋଇ ଏହାର ବିଚାର କରାଯାଉ ।

 

ସକାଳୁ ଗ୍ରାମବାସୀଙ୍କୁ ଡାକି ଏକାଠି କରେଇବାର ଦାୟିତ୍ଵ ଦିଆଗଲା ଦାଶିଆକା ଆଉ ମାନସକୁ ।

 

ସକାଳର ସୁନେଲି ସୂର୍ଯ୍ୟକିରଣ ଠାକୁରାଣୀଙ୍କ ଚଉତରା ଉପରେ ପଡ଼ିବା ପୂର୍ବରୁ ଗାଁର ପିଲାଠାରୁ ହଡ଼ା ପର୍ଯ୍ୟନ୍ତ ରୁଣ୍ଡ ହୋଇଯାଇଥିଲେ ସେଠାରେ । ଆକ୍ରମଣକାରୀଙ୍କୁ ପଚରାଉଚରା ହେବାରେ ଜଣାପଡ଼ିଲା ଯେ, ଇଏ ଉମାଶଙ୍କରବାବୁଙ୍କ ଚକ୍ରାନ୍ତ । ପିଲାମାନଙ୍କର କୌଣସି ଦୋଷ ନାହିଁ । ଅର୍ଥ ଏବଂ ସୁରାର ମୋହରେ ପଡ଼ି ଡେଇଁ ପଡ଼ିଥିଲେ କେତୀର ଇଜ୍ଜତ ନେବାକୁ । ଇଜ୍ଜତବି ନୁହେଁ, ଦରକାର ପଡ଼ିଥିଲେ କେତୀର ଲାସ୍ ଉମାଶଙ୍କରବାବୁଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ପାଇଥିଲେ ।

 

ସମୟ ବଡ଼ ବଳବାନ ।

 

ମାଣକ ନ ପୂରିବା ପର୍ଯ୍ୟନ୍ତ କାହାର ବା କ୍ଷମତା ଅଛି ସଂସାରରୁ ବିଦାୟ କରିଦେବାକୁ ।

 

ଗାଁ ବୈଠକରେ ଉମାଶଙ୍କରବାବୁଙ୍କ ବିରୁଦ୍ଧରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେଲା । ଅନେକ ପ୍ରସ୍ତାବ ବଢ଼ାଗଲା । ବାଡ଼େଇଦେବା, ମାରିଦେବା ପାଇଁ ଲୋକେ ଉତ୍ତେଜିତ ହୋଇ ଉଠିଲେ ।

ମାତ୍ର ମାନସ ଉପଲବ୍ଧି କଲା, ପରିସ୍ଥିତି ଯେଉଁ ଆକାର ଧାରଣ କଲାଣି ସମ୍ଭାଳି ନନେଲେ ଅତିରିକ୍ତ ହୋଇଯିବ । ମଣିଷ ମାରିବାପାଇଁ ଗାଁର ଲୋକେ କୁଣ୍ଠାବୋଧ କରିବେନି । ଅନ୍ୟାୟର ପ୍ରତିବାଦ କରିବାକୁ ଯାଇ ଯଦି ଅତିରିକ୍ତ କାର୍ଯ୍ୟ କରି ବସିବେ, ତାହାହେଲେ ଅନ୍ୟାୟରହିଁ ଜୟ ହେବ । ଜୟ ହେବନି ନ୍ୟାୟର ।

ମାନସର ମୁହଁଉପରେ ଚିନ୍ତାର ରେଖା । ଗାଢ଼ତର ହେଉଥିଲା । ଉପାୟ ଖୋଜୁ ଖୋଜୁ ନିଜକୁ ଦମ୍ଭ ଦେଇ କହିଲା, ଭାଇମାନେ ! ଏପରି ଉତ୍ତେଜିତ ହୋଇ କୌଣସି କାର୍ଯ୍ୟ କରିବା ଅନୁଚିତ । ଆପଣମାନେ ଯାହା କରୁଛନ୍ତି ବିଚାର କରି କରନ୍ତୁ । ବାଟରେ ଗଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ଆମ୍ଭପକ୍ଷେ କୌଣସି ଅସୁବିଧା ଉପୁଜିବ ନାହିଁ । କିନ୍ତୁ ଅବାଟରେ ଗଲେ କଣ୍ଟାଝୁଣ୍ଟା ମାଡ଼ି ଛୋଟାହୋଇ ଅଧବାଟରୁ ଫେରି ଆସିବାହିଁ ସାର ହେବ । ଉମାଶଙ୍କରବାବୁଙ୍କର ଅତ୍ୟାଚାର ଏକୁଟିଆ ଆମ୍ଭମାନଙ୍କ ଉପରେ ହେଉନାହିଁ, ହେଉଛି ଆଖପାଖରେ ଯେତେ ଖଣ୍ଡ ଗ୍ରାମ ଅଛି ସବୁ ଗ୍ରାମବାସୀଙ୍କ ଉପରେ । ଆସ ଯିବା ଗାଁ ଗାଁ ବୁଲି ଆମେ ଆମର ଭାଇମାନଙ୍କୁ ଦୁଃଖ ଜଣାଇବା । ବିଚାର ମାଗିବା ତା’ପରେ ଦେଖାଯିବ କ’ଣ ହେଉଛି ।

କଥା, କଥା । ଅକଥା, ଅକଥା । । ଉଚିତ କଥାକୁ କାହାର ସାହସ ଅଛି ତେଢ଼ିବାକୁ । ମାନସର ପ୍ରସ୍ତାବକୁ ଉପସ୍ଥିତ ଲୋକେ ସମର୍ଥନ କଲେ । ଆଖପାଖ ଗାଁର ଭାଇମାନଙ୍କୁ ନ୍ୟାୟ ମାଗିବାକୁ ସ୍ଥିର ହେଲା ।

ଉମାଶଙ୍କରବାବୁଙ୍କର ନିଦ ଭାଙ୍ଗି ନଥାଏ । ଡାମରାକାଉଗୁଡ଼ାକ କଚେରି ଆଗରେ ଥିବା ପଡ଼ିଆରେ ଜମା ହୋଇ ରାଉ ରାଉ ହେଇଥିଲେ । ମେହମନ୍ତର ପହଁରା ମୁଠାଏ ଧରି ରାମ୍ପିରାମ୍ପି ଘାସପଡ଼ିଆଟାରୁ ଅଳିଆ ଉଠାଉଥିଲା । ତେଜହୀନ ଧୂଳିମାନେ ଉଡ଼ୁଥିଲେ ଓ ବେଶୀ ଉଚ୍ଚକୁ ଉଠି ନ ପାରି ଅଳ୍ପ ଉଚ୍ଚରୁ ଖସି ପଡ଼ୁଥିଲେ ପୁଣି ସେଇ ଘାସ ପଡ଼ିଆ ଉପରେ । ଖେଁଖେଁ ହୋଇ ଖଙ୍କାର ସଫା କରୁଥିଲା କଚେରିର ରାମ ମୋହରୀର । ଯାହାକୁ କି ପ୍ରଜାଙ୍କର ବେଶୀ ଡର ଉମାଶଙ୍କରବାବୁଙ୍କ ଅପେକ୍ଷା ।

 

ଖରାଦିନିଆ ସକାଳ । ଶୀତଦିନ ପରି କୁଆଡ଼େ ଯିବା ଆସିବା କରିବାରେ ପ୍ରତିବନ୍ଧକ ସୃଷ୍ଟି ହୁଏନି । ହାତକୁ ହଲେଇ କଚେରି ଘର ଆଡ଼କୁ ଆଗେଇ ଗଲା କଣାବୁରୁନ୍ଦା । ଦେଖିଲା ରାମ ମୋହରୀର ଦାନ୍ତ ଘଷୁଛି । ନିର୍ଘାତିଆ ଦଣ୍ଡବତଟିଏ ପକାଇଦେଇ କହିଲା, କିଏ ମୋହରୀରବାବୁ କି ! ଆପଣଙ୍କ ବାବୁ ସାଆନ୍ତେ କୁଆଡ଼େ ଗଲେ ?

 

ଶୋଇଛନ୍ତି–କହିଲା ରାମ ମୋହରୀର ।

 

ହୟେ ମୋହରୀର ଆଜ୍ଞା ! ଆପଣଙ୍କ ବାବୁଙ୍କୁ ସକାଳୁଆ ସକାଳୁଆ ନିଦ ମାଡ଼ିବସିଛି କି ? –ପଚାରିଲା କଣାବୁରୁନ୍ଦା ।

 

ରାମ ମୋହରୀର କଣାବୁରୁନ୍ଦା କଥାକୁ କାନରେ ନ ପକାଇ ନିଜ କାର୍ଯ୍ୟରେ ଲାଗିବାରୁ କଣାବୁରୁନ୍ଦା କଚେରି ଭିତରେ ପଶି ଉମାଶଙ୍କରବାବୁ ଶୋଇଥିବା ଘରଦୁଆରେ ଛିଡ଼ା ହୋଇ କବାଟର ବାହାର ଜଞ୍ଜିର ଖଡ଼ଖଡ଼ କଲା । ଖଡ଼ଖଡ଼ ଶବ୍ଦରେ ବାବୁଙ୍କ ନିଦଟା ଧଡ଼ପଡ଼ ହୋଇ ଭାଙ୍ଗିବା ପରିବର୍ତ୍ତେ ଅଳସେଇ ଅଳସେଇ ହୋଇ ଭାଙ୍ଗିଲା । ଶେଯରୁ ନ ଉଠି ଭିତରୁ ଥାଇ ପଚାରିଲେ କିଏ ?

 

ଆଜ୍ଞା ମୁଁ–କଣାବୁରୁନ୍ଦା ଜବାବ ଦେଲା ।

 

କୋଉ ମୁଁ ? –ପୁଣି ପଚାରିଲେ ଉମାଶଙ୍କରବାବୁ ।

 

ଆଜ୍ଞା ସେଇ ମୁଁ–ପୁଣି ଜବାବ ଦେଲା କଣାବୁରୁନ୍ଦା ।

 

ଯା ଯା ପଳା ଏଠୁ, କୋଉ ମୁଁ ପୁଁ କିଛି ଜାଣେନି । ଆସିବାକୁ ବେଳ ମିଳିଲା ନାହିଁ ଯେ ସକାଳଟାରୁ ଆସି ଫଡ଼ଫଡ଼ ହଉଛି–ବିରକ୍ତ ହେଲେ ଉମାଶଙ୍କରବାବୁ ।

 

କଣାବୁରୁନ୍ଦା ଆଉ ଟିକିଏ କଥାକୁ ମଞ୍ଜେଇ ମଞ୍ଜେଇ ବ୍ୟଙ୍ଗାତ୍ମକଭାବେ କହିଲା, ହେଇଛି, ଆଜ୍ଞା ! ଏଇନା ସିନା ମୁଁ ଫୁଁ ଜାଣନ୍ତିନି ବୋଲି ନିଦରେ ବିଳିବିଳଉଛନ୍ତି କିନ୍ତୁ ପଛରେ ଆଉ ମୋ ସାଆନ୍ତଙ୍କ ପାଖେ କୁଁକୁଁ କି ଗୁଁଗୁଁ ହେବନି ।

 

କଣାବୁରୁନ୍ଦାର ପଦିଏ ମଧୁରିଆବାଣୀରେ ଉମାଶଙ୍କରବାବୁଙ୍କ ନିଦଟା ଧାଡ଼ୁଅ କିରି ଦୁଆର ଫିଟାଇଲା । କଣାବୁରୁନ୍ଦାକୁ ଉମାଶଙ୍କରବାବୁ ଦେଖି ନେଇ କହିଲେ, କିରେ ବୁରୁନ୍ଦା ! ସକାଳୁ ସକାଳୁ କୁଆଡ଼େ ?

 

ଆଜ୍ଞା, ଆସିବି ଆଉ କୁଆଡ଼େ ? ଆପଣକୁ କିଛି ଶୁଭଖବର ଜଣାଇବାକୁ ଆସିଛି ।

 

ଆରେ କି ଖବର ? –ପଚାରିଲେ ଉମାଶଙ୍କରବାବୁ ।

 

ଖବର ବଡ଼ ଗୁରୁତର । ଆପଣ ଜାଣିଶୁଣି ଏଡ଼େବଡ଼ ଗୁରୁତର କଥା କରିଦେବା ଉଚିତ ହେଲାନି । ଯାହା ହେଲାଣି ବଡ଼ ଅସୁବିଧା ପରିସ୍ଥିତି ସୃଷ୍ଟି ହେଲାଣି । ହଡ଼ା ମାତୁ ମାତୁ ଗୁହାଳ ମାତିଲେଣି । ମାତିଲା ପରି ମାତିଲେ ସିନା ହେବ । ଅତି କାଇକାଛିଆଭାବେ ମାତିଯାଇଛନ୍ତି । ସାଆନ୍ତେ ଯେତେ ଚେଷ୍ଟା କଲେଣି ନିଆଁରେ ପାଣି ଢାଳି ଶାନ୍ତ କରିବେ ବୋଲି, ସେତେ ପ୍ରବଳ ଶିଖା ଊର୍ଦ୍ଧ୍ଵକୁ ଟେକି ନିଆଁ ହୁତୁହୁତୁ ହୋଇ ଜଳୁଛି । ଲୋକମାନେ ଆଉ ପଛଦିନମାନଙ୍କ ପରି ନାହାନ୍ତି । କେତେବେଳେ କୋଉକଥା ସେମାନେ ଜାଣୁନଥିଲେ । ପଇସା ଗଣି ଶିଖି ନଥିଲେ । ସ୍ୱାକ୍ଷର କରି ନପାରି କାଗଜପତ୍ର ଉପରେ ଟିପ ମଡ଼ାଉଥିଲେ । ଗାନ୍ଧୀବୁଢ଼ା ଦେଶକୁ ସ୍ଵାଧୀନ କଲାଠାରୁ କିଏ ଆଉ ଅସିଆଣିଆ ଅଛି ? ଲୋକଙ୍କୁ ଭୁଲେଇବା ଯୁଗ ଚାଲିଗଲାଣି । କାହିଁକି ଏଡ଼େବଡ଼ କାଣ୍ଡଟାଏ ଭିଆଇ ଦେଇ ଗୁମୁଟି ଘରେ ମଉଜରେ ଶୋଇ ଉଷୁମ ଟାଣୁଛ ! ହଉ ଟାଣ !

 

ଭୋରୁ ଭୋରୁ ସାଆନ୍ତେ ମୋତେ ଖବର ଦେଇ ଆପଣଙ୍କ ନିକଟକୁ ପଠାଇଛନ୍ତି । ସେ ଆଉ ଆପଣକୁ ସାହାଯ୍ୟ କରିପାରିବେ ନାହିଁ । ଆପଣଙ୍କ କଥା ଆପଣ ବୁଝନ୍ତୁ । ସାଆନ୍ତେ ଯେତେଦିନ ସମ୍ଭାଳିବାର ସେତେଦିନ ସମ୍ଭାଳିଲେ । ଆଉ ତାଙ୍କଦ୍ଵାରା ଏତେ ଅନ୍ୟାୟକୁ ପ୍ରଶ୍ରୟ ହେଲାଭଳି କାର୍ଯ୍ୟ ହେବନି । ଆପଣଙ୍କ ଯୋଗୁଁ ତାଙ୍କ ମାନସମ୍ମାନ ନଷ୍ଟ ହେବା ସହିତ ନାକ ନିଶବି ତଳେ ଘୁଷୁଡ଼ିଲା ।

 

ଏଇପରି କର୍କଶ ସ୍ୱରରେ କହି କହି କଣାବୁରୁନ୍ଦା କଚେରି ଘର ଭିତରୁ ବାହାରି ଆସିଲା ବାହାରକୁ । ବୋକାଙ୍କପରି ଅନେଇଥିଲେ ଉମାଶଙ୍କରବାବୁ ।

 

ଯଥାସମୟରେ ଦାଶିଆକା ଓ ମାନସର ନେତୃତ୍ୱରେ ମଥାନପୁରଠାରେ ପ୍ରତିବାଦ ବୈଠକ ବସିଲା । ମଥାନପୁର ଗ୍ରାମବାସୀମାନଙ୍କ ସମେତ ଆଖପାଖ ଗ୍ରାମର ସଚେତନଶୀଳ ବ୍ୟକ୍ତିମାନେ ପୂର୍ବସୂଚନା ଅନୁଯାୟୀ ବୈଠକରେ ଉପସ୍ଥିତ ହୋଇସାରିଥିଲେ ।

 

ମାନସ ବୈଠକର ଉଦ୍ଦେଶ୍ୟ ଉପସ୍ଥିତ ଜନତାଙ୍କୁ ବୁଝାଇ ସାରିବା ପରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରାଗଲା ଏବଂ ଏଇ ବୈଠକକୁ ଏହି ଉମାଶଙ୍କରବାବୁ ଓ ହରି ମିଶ୍ରଙ୍କୁ ଡକାଗଲା ।

 

ଉମାଶଙ୍କରବାବୁ ଓ ହରି ମିଶ୍ରେ ଆଗରୁ ସୁରାକପାଇଁ ଭୟଭୀତ ହୋଇ ପଡ଼ିଥିଲେ । ତାଙ୍କର ଚତୁର୍ଦ୍ଦିଗରେ ନିଆଁହୁଳା ହୁତୁହୁତୁ ହୋଇ ଜଳୁଛି । ଆଗରେ ନିଆଁ, ପଛରେ ନିଆଁ । ବାମ ପାଖରେ ନିଆଁ । ଚାରିଆଡ଼େ ନିଆଁ । ମନରେ ତାଙ୍କର ନିଆଁର ଦାଉଦାଉ ଶିଖାକୁ ବେଶ୍‍ରୂପେ ଦେଖିପାରିଥିଲେ ଏବଂ ଚିନ୍ତା କରୁଥିଲେ କିପରି ଏ ବିଷମ ସଙ୍କଟରୁ ଉଦ୍ଧାର ପାଇବେ ?

 

ଉମାଶଙ୍କରବାବୁ ଭୟରେ ଥରହର । ନିଃସହାୟ ଆଖିରେ ବଲବଲ କରି ଚାରିଆଡ଼କୁ ଅନାଇଲେ । ଯେଉଁ ହରି ମିଶ୍ରେ ତାଙ୍କର ଅତି ଅନ୍ତରଙ୍ଗ ହୋଇ ମନ୍ତ୍ରଣା ଦେଉଥିଲେ ଓ ସାହାଭରସା ହେଉଥିଲେ ଲୋକ ସମୁଦ୍ର ମଧ୍ୟରେ ତାଙ୍କ ମୁହଁ ଦେଖା ଯାଉନି । ବୈଠକରେ ଗୋଟିଏ ଦୁଇଟି ପେଟ୍ରୋମାକ୍‌ସ ଲାଇଟ୍ ସଁସଁ ଗର୍ଜନ କରି ଆଲୋକ ପ୍ରଦାନ କରୁଥାଏ । କିନ୍ତୁ ତୋଫା ଜହ୍ନ ଆଲୁଅରେ ପେଟ୍ରୋମାକ୍‌ସ କୌଣସି ଆବଶ୍ୟକତା ନଥିଲା । ଜହ୍ନ ଆଲୁଅରେ ଜନସମୂହର ମୁହଁ ପରିଷ୍କାର ଦେଖାଯାଉଥିଲା । ମଥାନପୁରର ସୀମା ଯେଉଁଠି ଛିଡ଼ିଛି, ତା’ ପାଖାପାଖି ବିରାଟ ଟାଙ୍ଗିଟାର ମଝିରେ ମଝିରେ ମୁଣ୍ଡଟେକି ଉପରକୁ ଉଠିଛନ୍ତି କେବକାଳର ବୁଢ଼ା ବୁଢ଼ା ବରଗଛ, ଆମ୍ବଗଛ, କଦମ୍ବ ଗଛ, ଓ ଝାଉଁଗଛ । ସେଇଠି ବସେ ମଥାନପୁରର ଦୁଇଦିନିଆ ହାଟ । ସେ ହାଟର ଜନ୍ମଦାତା ଉମାଶଙ୍କରବାବୁ । ତା’ରି କୋଳରେ ଆଜି ତାଙ୍କର ବିଚାର ଚାଲିଛି ।

 

ଜନସମୁଦ୍ରକୁ ଅନେଇ ଉମାଶଙ୍କରବାବୁ ମନେ କରୁଛନ୍ତି ଗୁଡ଼ାଏ ଭୂତପ୍ରେତ ଠିଆ ହୋଇଛନ୍ତି । କେଉଁ ଦୂର ଗଛ ଗହଳିରେ ପେଚାଟାଏ ବୋବାଳି ଛାଡ଼ୁଛି । ସେ ବୋବାଳି ତାଙ୍କ ମନରେ ଆତଙ୍କ ସୃଷ୍ଟି କରୁଛି ।

 

ଆଜି କାହିଁକି ଉମାଶଙ୍କରବାବୁଙ୍କୁ ସବୁ ଖାଁ ଖାଁ ଲାଗୁଛି ।

 

ଉମାଶଙ୍କରବାବୁଙ୍କ ଉପସ୍ଥିତ ପରେ ହରି ମିଶ୍ରଙ୍କ ଉପସ୍ଥିତ ଆବଶ୍ୟକ ପଡ଼ିଲା । ପାଞ୍ଚ ପାଞ୍ଚ ଓଡ଼ ତାଙ୍କ ଦୁଆରକୁ ଲୋକ ଗଲେଣି, ତଥାପି ମିଶ୍ରେ ଘରୁ ଆସୁନାହାନ୍ତି । ଯିଏ ଯାଉଛି ତାଙ୍କୁ କହୁଛନ୍ତି–ଯିବି । ଟିକିଏ ପରେ ଯାଉଛି । ଚାଲ ଇତ୍ୟାଦି ଇତ୍ୟାଦି । କିନ୍ତୁ ଗୁମ୍ଫାରୁ ବାହାରୁ ନାହାନ୍ତି ।

 

ପାଞ୍ଚ ମନ ପଚିଶ ପ୍ରକୃତି ଏକାଠି ହୋଇଛନ୍ତି । କାହାମନ ଓ କାହା ପ୍ରକୃତି କିପରି, କହି ହେବନି । ହରି ମିଶ୍ରଙ୍କ ଆସିବାରେ ବିଶେଷ ବିଳମ୍ବ ଘଟିବାରୁ ଉତ୍ୟକ୍ତ ଜନସାଧାରଣ ମଧ୍ୟରୁ କେତେଜଣ ଯୁବକ ମିଶ୍ରଙ୍କ ଘରେ ପଶି ମିଶ୍ରଙ୍କୁ ଜବରଦସ୍ତି ସଭାକୁ ଟାଣି ଆଣିଲେ । କୋଳାହଳ ବେଶୀ ଜୋର ବୃଦ୍ଧି ପାଇଥିଲା । କଥା ପଚରାଉଚରା ହେଉ ନହେଉ କିଏ ପାଞ୍ଚ ଛ’ଜଣ ଯୁବକ ଉମାଶଙ୍କରବାବୁଙ୍କୁ ମାଡ଼ଦେଇ ତଳେ ପକେଇ ଦେଲେ । ଏ ଘଟଣା ଏଣେ ଘଟୁ ଘଟୁ ହରି ମିଶ୍ର କଣ୍ଟାବୁଦା ଦାଢ଼େ ଦାଢ଼େ ଲୁଚିଛପି ଘରକୁ ଚମ୍ପଟ । ଭୀତକ୍ରସ୍ତ ହୋଇ ଯାହା ଯାହା କରିଥିଲେ ତୁଣ୍ଡେ ତୁଣ୍ଡେ ମାନିଗଲେ ଉମାଶଙ୍କରବାବୁ । ଆଉଦିନେ ଏପରି ନ କରିବାପାଇଁ ମଧ୍ୟ ଶପଥ କଲେ ମଥାନପୁରବାସୀଙ୍କ ନିକଟରେ ।

 

ସେଇଦିନ ସେଇ ସଭାରେ ମଥାନପୁରବାସୀ ଏକସ୍ୱରରେ କହିଉଠିଲେ ଏବଂ ସ୍ଥିର କଲେ, “ମଥାନପୁରର ଭଲମନ୍ଦ ବୁଝିବାପାଇଁ ମାନସ ରାୟଟସିଂହକୁ ଦାୟିତ୍ଵ ଦେଲୁ । ସେ ଆମ ନେତା । ତାଙ୍କ ପଛରେ ଆମେ ଅଛୁ ।”

 

ମଉକା ଆସିଲେ ମଣିଷର ଭାଗ୍ୟ ଛାଏଁ ଛାଏଁ ବଦଳିଯାଏ ।

 

ଏଇ ମଉକାରେ ମାନସର ଭାଗ୍ୟ ବଦଳିଗଲା । ପାଞ୍ଚ ଲୋକରେ ଜଣାଶୁଣା ହୋଇଗଲା । ପାଞ୍ଚ ତୁଣ୍ଡରେ ପ୍ରଶଂସା ପାଇଲା । ସଭା ଭାଙ୍ଗି ହରିବୋଲ ପକାଇ ଘରକୁ ବାହୁଡ଼ିଲେ ।

 

ହରି ମିଶ୍ରଙ୍କ ଗୁଣଗାରିମା ଅଛପା ରହିଲା ନାହିଁ ଉମାଶଙ୍କରବାବୁଙ୍କୁ ।

 

ସଭାରୁ ଖସି ପଳାଇ ଆସିବାପରେ ଆଉ ନିଦ ହେଲାନି ହରି ମିଶ୍ରଙ୍କୁ । କେଉଁ ଅଜଣା ଭୟରେ ତାଙ୍କ ମୁହଁରୁ ତୁହାକୁ ତୁହା ଝାଳ ଫିଟି ପଡ଼ୁଥାଏ । ମୁଖମଣ୍ଡଳ ଠିକ୍ ହନୁମାଙ୍କଡ଼ର ମୁହଁ ପରି କଳାକାଠ ପଡ଼ିଯାଇଥାଏ ।

 

ଆସନ୍ନ ବିପଦର ଢେଉରେ ଭାସିଯିବାର ଲୋକ ନୁହନ୍ତି ହରି ମିଶ୍ରେ । ପଛକୁ ଚାହିଁ ପଛକଥାଗୁଡ଼ାକୁ ଘାଣ୍ଟିବାକୁ ସେ ଘୃଣା କରନ୍ତି ।

 

ତାଙ୍କର ଚିନ୍ତା ହେଲା କିପରି ରାତି ପାହିଲେ ମୁଣ୍ଡ ଉପରେ ଝୁଲୁଥିବା ସମସ୍ୟା ସମାଧାନ କରିବେ ।

 

ଭାବୁ ଭାବୁ ତାଙ୍କ ଉର୍ବର ମସ୍ତିଷ୍କରେ ଠିକ୍ ଉପାୟଟାଏ ଜୁଟିଗଲା । ରାତି ପାହି ନଥାଏ-। ଅନ୍ଧାର ଜାଙ୍ଗୁଲୁଜାଙ୍ଗୁଲୁ ମିଶ୍ରେ ରଡ଼ି ଛାଡ଼ି କଣାବୁରୁନ୍ଦାଙ୍କୁ ଡାକିଲେ । ରାତି ପାହିନଥିବାରୁ ମିଶ୍ରଙ୍କ ପାହାନ୍ତିଆ ବିଲୁଆରଡ଼ି ଶୁଣି ଗେଲିବୋଉ ବିରକ୍ତ ହେଲେ । ରାତି ପାହି ଆସୁଥିବାରୁ ମିଶ୍ରଙ୍କ ପ୍ରତି କୌଣସି ଧ୍ୟାନ ନ ଦେଇ ଘରର ବାସିପାଇଟି ସାରିବାକୁ ଶେଯରୁ ଉଠି ପଳାଇଲେ-। ପ୍ରଭୁଭକ୍ତ କଣାବୁରୁନ୍ଦା ଆସି ପାହାନ୍ତିଆ ଶୁଭ ଅଭିବାଦନ ଜଣାଇଲା ମିଶ୍ରଙ୍କୁ । କଣାବୁରୁନ୍ଦା ତା’ ସାଆନ୍ତଙ୍କ ଠାରୁ ଶୁଣୁ ନ ଶୁଣୁ କହିଲା–ଆଜ୍ଞା ! ଆପଣ ଯେପରି କାଲି ବୀରତ୍ଵର ସହିତ ପଛଘୁଞ୍ଚା ଦେଇ ଘରକୁ ପଳେଇ ଆସିଲେ ମୋତେ ଭାରି ବାଧିଲା । ଅଛଦରା ଲୋକଗୁଡ଼ାକ କ’ଣ କମ୍ କଥା କହୁଥାନ୍ତି । କିଏ କହୁଥାଏ ଧରିଆଣ ଭିଡ଼ିଆଣ ଦେଖିଲା କାମ କରିଦେବା । ହ୍ୟାପ ଏଗୁଡ଼ାଙ୍କ ଆଖି ଫିଟାଇଲା ଲୋକ କିଏ ? ଧରମଛଡ଼ାଗୁଡ଼ାଙ୍କୁ ଧରମ ଛାଡ଼ିଲାଣି । ଯୁଗ ଖରାପ-। ଭଲ କହିଲେ ମନ୍ଦ । ଧର୍ମ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । ଏମାନଙ୍କୁ ଦଇବ ସହିବ କିପରି କେଜାଣି-?

 

ହଉ ଆଜ୍ଞା ! କ’ଣ ପାଇଁ ଡାକିଲେ କୁହନ୍ତୁ–ପଚାରିଲା କଣାବୁରୁନ୍ଦା ।

 

ଆରେ ବୁରୁନ୍ଦା ! ସବୁତ ତୁ ଜାଣୁ । ତଳକୁ ଟିକିଏ ବୁଲେଇ ନ ଦେଲେ ହେବନି । ମଥାନପୁର କୁକୁରଗୁଡ଼ାଙ୍କ ଲାଞ୍ଜରେ ତାଳଫୋଟକା ବାନ୍ଧି ଘଉଡ଼େଇ ଦେବାକୁ ପଡ଼ିବ । କିମ୍ବା ଖେଳ ଖଣ୍ଡେ ଦେଖାଇ ଦେବାକୁ ହେବ ।

 

କଣାବୁରୁନ୍ଦା କଣା ଆଖିଟାକୁ କରଡ଼ା ପତ୍ରିଆ ବାଘ ପରି ଏଡ଼େ ଏଡ଼େ କରି କହିଲା–ହଜୁର । ମାହାଳିଆକୁ କାଲି ସଭାରୁ ପଳେଇ ଆଇଲେନା । କେତୁଟା ପେଜଚଟା ଏକାଠେଇ ହୋଇଛନ୍ତି ଯେ ସତେ ଦୁନିଆଟାକୁ ଅଣେଇ ଦେବେ । ବୋପାମାନେ ତେଲ ବିନା ଲଙ୍ଗଳା । ପୁଅମାନେ ବୁଲେଇ ବେଣ୍ଟି ରଖୁଛନ୍ତି । ହଉ ହଉ ଆଜ୍ଞା, ଆପଣ ଟିକିଏ ଭାବି କହିଲେ–ଆମେ ଯଦି ଅସଲ ନାଡ଼ିରେ ହାତ ପକେଇ ଦେବା କିପରି ହେବ ?

 

ହରି ମିଶ୍ରଙ୍କ ଷୋଳ ଶିରା କମ୍ପୁଥାଏ । କଣାବୁରୁନ୍ଦାର ଦୀର୍ଘଭାଷଣ ଓ ବାହାପିଆ କଥା ତାଙ୍କୁ ଠିକ୍ ଆଶ୍ୱାସନା ଦେଇ ନଥାଏ । କିନ୍ତୁ ତା’ ଉପରେ ହରି ମିଶ୍ରଙ୍କର ଅଗାଧ ବିଶ୍ୱାସ । ପବନକୁ ଧରିବାନ୍ଧି କାର୍ଯ୍ୟ ହାସଲ କରିଦେବାର କ୍ଷମତା କଣାବୁରୁନ୍ଦାର ଅଛି । ଅତୀତରେ ଅନେକ କାମ ସେ କରିପାରିଛି । ମନକୁ ଶୁଖେଇ ଦେଇ ସେ କଣାବୁରୁନ୍ଦାକୁ ପଚାରିଲେ–ହଇରେ ବୁରୁନ୍ଦା । ଅସଲ ନାଡ଼ିରେ ହାତ ପକେଇ ଦେବା ବଡ଼କଥା ନୁହେଁ । ରୋଗ ଚିହ୍ନି ପାରିବାଟି ?

 

କି ଭାଷା ଭାଷୁଛନ୍ତି ହଜୁର ! ଇଏ ଏମିତି କେତେବଡ଼ କାର୍ଯ୍ୟ ଯେ ଆମ ଦିହାତି ହେବନି ? ହବ । ଅଲବତ୍‍ ହେବ । ଆପଣ ମାନସଟାକୁ ହାତକୁ ନେଇ ଆସୁନ । ମେଳିଆଟାକୁ ହାତରେ ପକେଇ ଦେଲେ ଲାଞ୍ଜିଆଗୁଡ଼ାକ ବଳେ ଅଳିଆ ହୋଇଯିବେ । ଯିବି ଡାକି ଆଣିବି ମାନସକୁ ?

 

ଆସିବ ସିଏ–ହରି ମିଶ୍ରେ ପଚାରିଲେ ।

 

ଆସିବନି ସିଏ । ତା’ ବୋପା ଯିଏ ସେ ଆସିବ । ଏ ବୁରୁନ୍ଦାକୁ କୋଉ କାମ ବଳେଇବ କହିଲେ ? ଭଗବାନ ଟିକିଏ ମୋ ପ୍ରତି ବିମୁଖ ହୋଇ, ମୋର ଗୋଟାଏ ଆଖିକୁ ବାଦ୍ କରିଦେଲେ-। ନହେଲେ ଏ ଛେଳିଗୁଡ଼ାଙ୍କୁ ମେଣ୍ଢା ପାଲଟାଇ ସାରନ୍ତାଣି । ହଉ ହଜୁର ! ଆପଣ ଏଇଠି ବସିଥାନ୍ତୁ ! ଏଇଠି ବସିଥିବେ, ମୁଁ ଡାକି ଆଣିବି ।

 

ଗ୍ରାମର ଶେଷ ଭାଗରେ ତାଳବରଡ଼ାରେ ତିଆରି କୁଡ଼ିଆଟିଏ । କୁଡ଼ିଆ ଆଗରେ ବାଉଁଶ ତାଟିଟିଏ ଦିଆ ହୋଇ କୁଡ଼ିଆ ମୁହଁକୁ ବନ୍ଦ କରାଯାଇଛି । ମାନସର ନାଁ ଧରି କଣାବୁରୁନ୍ଦା ପାଞ୍ଚ ଛଅ ପଦ ଡାକିବା ପରେ ମାନସ କିଏ ଡାକିବାର ଜାଣି ଅଳସ ତେଜି ତାଟି ଫିଟାଇଲା । ଅକାଳ ବାବାଜି ସକାଳେ ଦେଖା ହେଲା ପରି ଦିନେ କାଳେ ଯାହା ସହିତ କଥା ହେଇନି କି ଦେଖା ହୋଇନି ସିଏ ପୁଣି ତା’ କୁଡ଼ିଆ ଆଗରେ । ପ୍ରଥମେ ବିସ୍ମିତ ହେଲା, ତା’ପରେ ତା’ ନିକଟକୁ ଆସିବାର କାରଣ ପଚାରିଲା ।

 

ପୁଅ ! ବାହାରେ ଛିଡ଼ା ହୋଇ କଥା ହେଲେ ଅଚିକ୍କଣ ହେବ । ଭିତରକୁ ଚାଲ । ବୁହେ କାମ ସିଆଡ଼େ ପଡ଼ିଛି । ଭଲମନ୍ଦ ବୁଝି ପଳେଇଯିବି । ଆଉ କେବେ ସମୟ ମିଳିଲେ ଆସିବି ।

 

ମାନସ ମୁଣ୍ଡ ନୁଆଁଇ ଆଗେ କୁଡ଼ିଆ ଭିତରେ ପଶିଲା । ତାକୁ ଅନୁସରଣ କରି ତା’ ପଛେ ପଛେ ଭିତରକୁ ଗଲା କଣାବୁରୁନ୍ଦା । ଘରେ ପଶୁ ପଶୁ କଣାବୁରୁନ୍ଦା ତା’ର ଆଖି ଯୋଡ଼ାକୁ କୁଡ଼ିଆର ଚାରିଆଡ଼କୁ ବୁଲେଇ ଦେଲା । କୁଡ଼ିଆ ଭିତରେ ନଡ଼ିଆ ବରଡ଼ାରେ ତିଆରି ଚାଞ୍ଚଖଣ୍ଡେ ପଡ଼ିଛି । ଯେଉଁ ଚାଞ୍ଚରେ କି ମାନସ ଶୋଇଥିଲା । ବଇଠାଟିଏ ଗୋଟିଏ ପଟକୁ ଥୁଆହୋଇଛି, ସେଇଥିରେ ବୋଧେ କିଛି ପୋଲାଙ୍ଗକାଣ୍ଟି ପଡ଼ିଥିଲା । କାରଣ ପୋଲାଙ୍ଗ କାଣ୍ଟିପରି ବାସନା ବାସୁଥାଏ କଣାବୁରୁନ୍ଦାକୁ । କେତୋଟି ରହୁଥାଳି ଓ କଟରା ଥୁଆହୋଇଛି ଚୁଲି ପାଖରେ । ଯେଉଁଠାରେ କି ମୁହଁ ମାଡ଼ି ଥୁଆହୋଇଥିଲା ଦୁଇଟି ବ୍ୟବହୃତ ମାଟି ଆଟିକା ।

 

ମାନସ ପିଠିରେ କଣାବୁରୁନ୍ଦା ତା’ର ଡାହାଣ ହାତଟି ପକେଇ ଆଉଁଶି ଆଣୁ ଆଣୁ କହିଲା, ପୁଅ ତୁମକୁ ଦେଖି ହୃଦୟ ମୋର କାନ୍ଦି ଉଠୁଛି । ପିଲାଦିନରୁ ବାପାମାଆଙ୍କୁ ଖାଇଛ, ହେଲେ ଭାଗ୍ୟ ବଳରୁ ବଞ୍ଚି ଯାଇଛ । ଯାହା ବରାଦ ଅଛି ତାକୁ ଆନ କରିବାର କ୍ଷମତା କାହାର ଅଛି ? କପାଳରେ ଯୋଉ ଅଢ଼େଇ ଅକ୍ଷର ଷଠି ତୁଷେଇ ଲେଖିଦେଇଥିବେ, ତାହା ହେବହିଁ ହେବ-। କାହାର ଆଶା ଥିଲା ତୁମେ ବଞ୍ଚି ଦୁନିଆରେ ଘର କରି ରହିବ । ଯାହା ହୋଇଛି ବାପା ମା’ଙ୍କ ଧର୍ମବଳରୁ ହୋଇଛି । ମାହାଳିଆକୁ ପୁରାଣରେ ମହାପୁରୁଷମାନେ ଲେଖିଛନ୍ତି–ବାପା ମା’ଙ୍କ ସୁକୃତିରୁ ପୁଅ ହୁଏ ସୁଖୀ । ତାଙ୍କ କଲାକର୍ମର ଫଳକୁ ତୁମେ ଭୋଗ କରୁଛ । ଭଗବାନ ତୁମକୁ ଆୟୁଷ ଦିଅନ୍ତୁ । ଯଶ ଅର୍ଜନ କର । ପାଞ୍ଚ ପଚିଶରେ ଜଣାଶୁଣା ହୁଅ । କଣାବୁରୁନ୍ଦା ଆଉ କ’ଣ କହିବାକୁ ଢୋକ ଗିଳୁ ଗିଳୁ ମାନସ ପଚାରିଲା–କି କାମରେ ସକାଳୁ ସକାଳୁ ଆସିଲ ମଉସା-?

 

ଘର ମୁଅର ଦୁଆର ମୁଅର ମୁଁ ଏଠାକୁ ନ ଆସି ଯିବି କୁଆଡ଼େ ? ମଥାନପୁର ବାସୀଏ କାଲି ଯେଉଁ ବିଚାର କଲେ, ସେଥିରେ ଅତ୍ୟାଚାରୀ ଲୋକମାନଙ୍କର ଥୋମଣି ବଙ୍କା କରିଦେଲେ । ବଙ୍କା କଲେନି ତ ଭାଙ୍ଗିଦେଲେ । ମୁଁ ଭାରି ଖୁସି ମୋ ପୁଅ ହେଲା ମଥାନପୁର ମଉଡ଼ମଣି । ହେଇଚି ପୁଅ କଥାଏ ବଢ଼େଇ ଦେବାକୁ ଆଇଲି । ପାଦେ ଆଗକୁ ପାଦ ପକାଇଲେ ଆଗକୁ ନଚାହିଁଲେ, କେତେବେଳେ ଯେ ଖମାରେ ପଡ଼ି ଗୋଡ଼ହାତ ନ ଛିଡ଼ିବ, ଏ କଥା କିଏ କହିବ ? ତେଣୁ ଆଜିକାଲି ଏ ଯୋଉ ଟାଉଟରିଆ ଟୋକାମାନେ ବାହାରିଲେଣି କହିଦେଇ ସିନା ଆଗକୁ ପେଲିଦେବେ, ଖମାରେ ପଡ଼ିଥିଲେ ଆଡ଼ଆଖିରେ ଟିକିଏ ଚାହିଁବେ ନାହିଁ । ପରଧନକୁ ଉଦରସ୍ଥ କରିବାପାଇଁ ଚାରିଚକା ପକେଇ ବସିପଡ଼ିବେ କିନ୍ତୁ ଦେବାକଥା ପଡ଼ିଲେ ସେମାନଙ୍କ ଆଖିରେ ପକାଇବାକୁ ଦେଖିବନି । ଏ ଯୁଗରେ କୌଣସି ଧନ୍ଦା କରିବାକୁ ହେଲେ ଫନ୍ଦିଫିକର କିଛି ଶିଖିଲେ ଏ ଲୋକଙ୍କୁ ପାରିବା କାଠିକର ପାଠ । ସେମାନଙ୍କ ସ୍ୱାର୍ଥ ହାସଲ କରିବାପାଇଁ ତୁମକୁ କୋଳେଇକାଟି ଖାଇଯିବେ । ଗୋଟାଏ କଥା କହିବି ମାନିବ କି ?

 

କାହିଁକି ମାନିବିନି ? ଉଚିତ କଥା କହିଲେ ନିଶ୍ଚୟ ମନିବି–ମାନସ କହିଲା ।

 

ତାହାହେଲେ ଚାଲାକ୍ କାମଟିଏ ଦେଖାଇଦିଅ । ଜଙ୍ଗଲରେ ଘରକଲେ ଜଙ୍ଗଲର ରାଜାକୁ ଭୟ । ତାକୁ ଫାଶରେ ପକାଇ ଦେଲେ ଆଉ ଭୟ କାହାକୁ ? ତୁ ଜାଣିନୁ ପୁଅ, ମଥାନପୁରରେ ଯେତେ ଯେତେ ବିଶୃଙ୍ଖଳା ଘଟି ଯାଇଛି ସବୁର ମୂଳ ହରି ମିଶ୍ରେ । ଉମାଶଙ୍କରବାବୁ ଯାହା ଯାହା ଅନ୍ୟାୟ ଅତ୍ୟାଚାର କରିଥିଲେ ହରି ମିଶ୍ରଙ୍କ ମନ୍ତ୍ରଣାରେ କରିଗଲେ-। ମିଶ୍ରଙ୍କୁ ହାତରେ ପକାଇଦେଲେ ଅଞ୍ଚଳଟା ଶାନ୍ତ ହୋଇଯିବ । ଲୋକେ ଟିକେ ଶାନ୍ତିରେ ନିଃଶ୍ୱାସ ମାରିବେ । ଲୋକଙ୍କ ବଳକୁ କଳ କରି କେତେଦିନ ତୁମେ ସମାଜର ସେବା କରିବ-? କୌଶଳ ଶିଖ, କୌଶଳ । କୌଶଳ କରି ଲୋକଙ୍କୁ କୋଚିଆ ପରି ମୋଡ଼ିମାଡ଼ି ବଶ କରି ନ ଜାଣିଲେ ପ୍ରତ୍ୟେକ କ୍ଷେତ୍ରରେ ହାରିଯିବ ।

 

ମାନସ ଦ୍ଵନ୍ଦ୍ୱରେ ପଡ଼ି କହିଲା–ଆମ ବୋଲରେ ହରି ମିଶ୍ରେ ଗଲାପରି ମୋର ବିଶ୍ଵାସ ହେଉନି । ତାଙ୍କୁ ବିଶ୍ଵାସ କରି ଚଳିହେବନି । ସେ ଗଛରେ ଚଢ଼େଇ ଦେଇ ମୂଳ କାଟିଦେବା ଲୋକ-। କୋଉ ବିଶ୍ଵାସରେ ତାଙ୍କ ସହିତ ବିଶ୍ଵାସ ସ୍ଥାପନ କରିବି ?

 

ପୁଅ ! ତୁମେ ଯୋଗ୍ୟର । ବହୁତ ପାଠ ପଢ଼ିଛ । ଦେଶବିଦେଶ ବୁଲିଛ; କିନ୍ତୁ ମୁଣ୍ଡରେ ଖାଲି ଗୋବରଗୁଡ଼ାକ ଭର୍ତ୍ତି କରିଛ । ହରି ମିଶ୍ରେ ଭୁକି କୁକୁର ସଙ୍ଗେ ସମାନ । ଭୁକିଲାକୁକୁର ଆଗକୁ ହେଡ଼ା ଖଣ୍ଡେ କି ମାଂସ ପୁଳାଏ ଫୋପାଡ଼ି ଦେଲେ ଚୁପ୍ । ଏଇମାତ୍ରେ ମୋ ସାଙ୍ଗରେ ଆସ-। ମୁଁ ତୁମ ସହିତ ହରି ମିଶ୍ରଙ୍କ ପାଖକୁ ଯିବି । ଦେଖିବା, ଦେଖି ହରି ମିଶ୍ରେ କିପରି ଆମ ବୋଲରେ ନ ଯିବେ ? ତୁମେ ମୋ ସାଙ୍ଗରେ ଆସନା । ମାନସ ଆଗପଛ ବିଚାର କଲା । ମନସ୍ଥ କଲା ପ୍ରକୃତରେ ତା’ ସହିତ ଶତ୍ରୁତା ରଖି କୌଣସି ସମସ୍ୟାର ସମାଧାନ କରିହୁଏନା । ହରି ମିଶ୍ରଙ୍କ ସହିତ ଭଲ ମନଭାବରେ ସମ୍ପର୍କ ନ ଆଣିଲେ ବିଷାକ୍ତ ବାୟୁ ପୁଣି ସୃଷ୍ଟି ହୋଇପାରେ ? ସେ ଆମ ପ୍ରତି ଯାହା ଭାବୁଛି ଭାବୁ, କିନ୍ତୁ ଆମେ କାହିଁକି ଜାଣୁ ଜାଣୁ ଜଳନ୍ତା ନିଆଁରେ ଶୁଖିଲା ତୃଣ ପକାଇବୁ ? କଣାବୁରୁନ୍ଦା ଠିକ୍ କହୁଛି । ।

ଦୁହେଁ ଆଗପଛ ହୋଇ ଚାଲିଲେ ହରି ମିଶ୍ରଙ୍କ ଘର ଆଡ଼େ । ରାତିର ବିଶ୍ରାମ ପରେ ସକାଳୁ ସକାଳୁ ଯେଉଁମାନେ ଶେଯ ଛାଡ଼ି ଝାଡ଼ାଝପଟ ସାରି ଘରକୁ ଫେରୁଥିଲେ, ସେମାନେ କଣାବୁରୁନ୍ଦା ଓ ମାନସକୁ ଦେଖି ବିସ୍ମୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ କୁହାକୁହି ହେଲେ–ବାଇଡ଼ଙ୍କ ସହିତ ତୁଳସୀ ସଂଯୋଗ କିପରି ସମ୍ଭବ ହେଲା ?

ଆଗରେ କଣାବୁରୁନ୍ଦା । ପଛରେ ମାନସ । ପାହୁଣ୍ଡ ପରେ ପାହୁଣ୍ଡ । ଦୁଆର ପରେ ଦୁଆର ଅତିକ୍ରମ କଲେ । ମାନସକୁ ଘେନି କଣାବୁରୁନ୍ଦା ହରି ମିଶ୍ରଙ୍କ ଘରେ ପଶିଲା । ମାନସ ହରି ମିଶ୍ରଙ୍କୁ ଦେଖି ନମସ୍କାର କଲା । ହରି ମିଶ୍ରେ କଟମଟ କରି ମାନସ ଆଡ଼େ ଅନେଇ ଥାଆନ୍ତି । ଭୟରେ ଆଖି ବୁଜିହୋଇଗଲା । ଦେହରୁ ଝାଳ ବୋହିଲା । ରୋମ ମୂଳ ଟାଙ୍କୁରି ଉଠିଲା । ତଳକୁ ମୁହଁ ପୋତି ପଲଙ୍କ ଉପରେ ମାନସକୁ ବସାଇବା ପାଇଁ କଣାବୁରୁନ୍ଦାକୁ ଇସାରା ଦେଲା ?

କଣାବୁରୁନ୍ଦା ମାନସକୁ ପଲଙ୍କରେ ବସେଇଦେଲା । ନିଜେ ତଳେ ବସିଲା । ହରି ମିଶ୍ରଙ୍କୁ କହିଲା–ଆଜ୍ଞା, ମାନସବାବୁ ଆପଣଙ୍କ ପାଖକୁ କି କାମରେ ଆସିଛନ୍ତି । ସେ କ’ଣ କହିବେ ତାଙ୍କ କଥା ଟିକେ ବୁଝିଦିଅନ୍ତୁ ।

 

ହରି ମିଶ୍ରେ କହିଲେ, ମାନସ ମୋ ଘରର ପୁଅ । ଘରେ ରହିବ । ବସିବ । ଖାଇବ । ପିଇବ । ତା’ କଥା ସିଏ ବୁଝିବ । ମୁଁ କ’ଣ ବୁଝିବି ? ସିଏ ପୁଣି ଗୋଟାଏ କଥା କହିବ, ମୁଁ ନ କରିବି ?

 

କଣା ବୁରୁନ୍ଦା କହିଲା–ନାହିଁ ଆଜ୍ଞା ! ମାନସବାବୁ କହୁଛନ୍ତି, ସିଏ ମଥାନପୁରର ମଙ୍ଗଳପାଇଁ ଯେଉଁ କାର୍ଯ୍ୟମାନ କରିବେ, ହଜୁର ଆପଣ ସହଯୋଗ କରିବେ । କ’ଣ କଲେ କ’ଣ ହେବ ସେଥିପାଇଁ ବୁଦ୍ଧି ଦେବ । ଉଚିତ ବାଟରେ ବାଟେଇଦେବ ।

 

ସେହି ଦିନ । ସେହି ଘରେ । ସେହି ମୁହୂର୍ତ୍ତରେ ମାନସର ସରଳ ମନ ହରି ମିଶ୍ରଙ୍କ କଅଁଳିଆ କଅଁଳିଆ ଭେଳିକିଆ ଭାଷାରେ ଭଳିଗଲା । ବିଷବୃକ୍ଷ ମୂଳେ ବାସ ରଚିଲା । ଆଗକୁ ଚାହିଁଲାନି । ବିବେକକୁ ପଚାରିଲାନି । ହିତାକାଂକ୍ଷୀଙ୍କ ପରାମର୍ଶ ଲୋଡ଼ିଲାନି । ଦେବଦେବ ଡାକହାକ ମହାଦେବ ପୁରୀମୁଲକର ଲୋକନାଥଙ୍କ ପାଦୁକ ଛୁଇଁ ନିୟମ କରିଦେଲା, ମିଶ୍ରେ ତା’ର ଧରମବାପା ସେ ମିଶ୍ରଙ୍କର ଧରମପୁଅ ।

 

କାମ କରିବାର ଉନ୍ମାଦନା, ମଥାନପୁରକୁ ନର୍କ ପୁରରୁ ଉଦ୍ଧାର କରି ବୈକୁଣ୍ଠରେ ପରିଣତ କରାଇବାର ଇଚ୍ଛା ମାନସକୁ ପ୍ରେରଣା ଦେଉଥିଲା, କାମ କରିଯା । ତୁ କାହା ମନ୍ତ୍ରଣା ପ୍ରତି କାନ ଦିଏନା । କାହା ପ୍ରରୋଚନାରେ ପଡ଼ି ଅସତ୍‍କାର୍ଯ୍ୟ କରିବାକୁ ଚେଷ୍ଟିତ ହୁଅନା ।

 

ମିଶ୍ରେବି ଲୁହା ଦେଖି ପାଣି ଦେଉଥାନ୍ତି । ବଣରୁ ଧରି ଆଣିବା ଶୁଆକୁ ପୋଷା ମନେଇବାର କୌଶଳ ତାଙ୍କୁ ବେଶ୍ ଜଣା ।

 

ଲୋକେ ମାତିଛନ୍ତି । ଉମାଶଙ୍କରବାବୁଙ୍କ ଉପରେ ରାଗିଛନ୍ତି । ହରି ମିଶ୍ରଙ୍କଠୁ ଆସ୍ଥା ତୁଟି ଯାଇଛି । ମିଶ୍ରଙ୍କର ଉଦ୍ୟମ ଚାଲିଛି ଲୋକଙ୍କ ପାଖରେ ଆସ୍ଥା ଅର୍ଜନ କରିବାକୁ ।

 

ଇଆ କରିବାକୁ ତାଙ୍କ ପକ୍ଷେ କେତେ ମାତର !

 

ଲୋକଙ୍କୁ ସୁହାଇଲା ଭଳି କଥା କହି, ଆସ ବସ, ଖିଆପିଆ କର । କାହାକୁ ବିଡ଼ି ଖଣ୍ଡେ କି ସିଗାରେଟ ଖଣ୍ଡେ କିମ୍ବା ଚାଉଳି ମଦରୁ ଗିଲାସେ ଦେଇ ଅଳପ ଦିନରେ ଅନେକ ଲୋକଙ୍କୁ ନିଜ ଅକ୍ତିଆରକୁ ନେଇ ଆସିଲେ ।

 

ଅମହଣିଆ ଦାମୁଡ଼ି । ବେଶୀ ଭିଡ଼ିଦେବା ଅନୁଚିତ । ଅତ୍ୟଧିକ ଲଦିଦେଲେ ଭାଙ୍ଗିଯିବେ । ଗୁଳା ଧରିବେନି । ରହିଯିବେ । ଦିନକୁଦିନ ଜଣକ ପରେ ଜଣକର ସମର୍ଥନ ମିଶ୍ରଙ୍କ ପ୍ରତି ବୃଦ୍ଧି ପାଉଛି । ମିଶ୍ରେ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ସେମାନଙ୍କୁ ତାଙ୍କ ସ୍ନେହଡ଼ୋରିରେ ବାନ୍ଧି ରଖୁଛନ୍ତି ।

 

ମାନସ ମିଶ୍ରଙ୍କ ଘରେ ଯମୁନା ଦିଅଁ । ମାନସକୁ ଘଡ଼ିଏ ନ ଦେଖିଲେ ବାଇ ହୋଇ ପଡ଼ୁଛନ୍ତି । ଉମାଶଙ୍କରବାବୁଙ୍କ ମନ୍ତ୍ରଣାକକ୍ଷ ଭାଙ୍ଗିଯାଇଛି । ସିଏ ଆଜି ଏକାଏକା । ଏକଘରିଆ । ତାଙ୍କ ପାଖରେ କେହି ନାହାନ୍ତି । ନିଃସଙ୍ଗ ଜୀବନଯାପନ କରୁଛନ୍ତି । ନୟନରୁ ଅଶ୍ରୁପାତ ହେଉଛି ।

 

ମିଶ୍ରଙ୍କ ଘରେ ହୋହୋ ଘୋଘୋ । ଦିନରାତି ଲୋକଙ୍କର ଯିବାଆସିବା । ଟୁପୁଟୁପୁ ଫୁସୁଫୁସୁ । ମିଶ୍ରେ ସଭିଙ୍କ ନିକଟରେ ସୁନାମ ଅର୍ଜନ କଲେଣି । ପୂର୍ବର ଗନ୍ଧ ତାଙ୍କ ଦେହରୁ ଉଡ଼ିଗଲାଣି । ଏଥର ସେ ଫୁଲ ଚନ୍ଦନ ପରି ବାସୁଛନ୍ତି । ଲୋକଙ୍କୁ ଆଦେଶ ଦେବାର, ପାଞ୍ଚକଥା କହିବାର, ବିଭିନ୍ନ କାର୍ଯ୍ୟ କରିବାର ଟାଇମ୍ ଫେରି ଆସିଛି ।

 

ହରି ମିଶ୍ରେ ନିଜକୁ ନିଜେ ଗର୍ବ କରୁଛନ୍ତି । କାରଣ ମଥାନପୁର ଗୋଟାକର କଳବଳ ମିଶ୍ରଙ୍କ କୌଶଳରେ ଥକିଯାଇଛି । ମୁହୂର୍ତ୍ତେ ସମ୍ଭାଳିଗଲେ ବୋଲି ଗଡ଼ ଜିଣିପାରିଲେ । ଯେଉଁମାନେ ତାଙ୍କର ଦୁର୍ନାମ ରଟୁଥିଲେ, ସେମାନେ ସୁନାମ ଗାଇ ବୁଲିଲେ । ପାଦ ତଳେ ପଡ଼ିଲେ-

 

ଲୋକଙ୍କପାଇଁ କାମ କରିବାର ନିଶା ମାନସ ମୁଣ୍ଡକୁ ଘାରିଲା । ଯୁବକ ଲୋକ । ତା’ ଦେହର ରକ୍ତ ତାକୁ ଉତ୍ସାହ ଦେଉଛି ଲୋକଙ୍କପାଇଁ କାମ କରିବାକୁ । ମାନସର କାମରେ ମିଶ୍ରଙ୍କର ପ୍ରତିବାଦ ନାହିଁ । ସବୁଥିରେ ହୁଁ । କାମ କରିବାର ପ୍ରେରଣା । ମନରେ ଉତ୍ସାହ ଜନ୍ମାଇବାର ଭାଷା ଶୁଣାନ୍ତି ମାନସ କାନରେ । ମାନସ ଅଳ୍ପ ଦିନ ମଧ୍ୟରେ ହରି ମିଶ୍ରଙ୍କ ପରିବାରର ଜଣେ ଦାମିକିଆ ଲୋକ ହୋଇଗଲା । ମିଶ୍ରଙ୍କ ଥାଳି ଦାଢ଼ରେ ମାନସର ଚକା ନ ପଡ଼ିଲେ ମିଶ୍ରଙ୍କ ଭାତ ଜୀର୍ଣ୍ଣ ହୁଏନି-। ଯେଉଁ ପ୍ରକାରେ ହେଲେ ମାନସକୁ ଡକାଇ ଦି’ ଗୁଣ୍ଡା ଖୁଆଇ ଦିଅନ୍ତି ।

 

ପିଲାମାନେ ମାନସର ପିଛା ଛାଡ଼ନ୍ତିନି ।

 

ମାନସ ଭୁଲିଗଲା ତା’ କୁଡ଼ିଆ ଘରର ମାୟା ।

 

କିନ୍ତୁ ସେ ଦିନର କଥା ମାନସ ମନରୁ ଲିଭିନି ।

 

ମନେ ପଡ଼ିଲାବେଳେ ହୃଦୟ ତା’ର କୋରି ହେଉଛି । ଅନ୍ତର କାନ୍ଦି ଉଠୁଛି ।

 

ସଞ୍ଜ ପ୍ରହର ।

 

କୁଆଁରପୂନେଇଁର ଚକାଥାଳି ପରି ଜହ୍ନଟା ପୂରୁବ ଦିଗରେ ଆକାଶର ଉପରକୁ ଉପରକୁ ଉଠି ସାରିଲାଣି । କୁଆଁରୀ ଝିଅମାନଙ୍କର ହୁଳହୁଳି ଶୁଭୁଛି ଗାଁମୁଣ୍ଡ ଚଉରାମୂଳେ । ମାନସ କୁଆଡ଼େ ଯାଇଥିଲା, ଘରକୁ ଫେରୁଛି । ପଛରୁ କିଏ ଡାକିଲା–ମାନସ । ମାନସ ପଛକୁ ଚାହିଁଲା । ପଛରେ ହରି ମିଶ୍ରେ ଡାକୁଛନ୍ତି ମାନସକୁ । ମାନସ ଅଳ୍ପ ବୟସର ପିଲା ହୋଇଥିଲେ ମଧ୍ୟ ସମ୍ମାନ ଦେବାକୁ ଯାଇ ଓଳଗି ହେଲା । ମିଶ୍ରେ କେତେକଅଣ ଆଶୀର୍ବାଦ ଦେଇ ପଚାରିଲେ–ଆରେ ପୁଅ, ତୁଅ ବାପ କୁଆଡ଼େ ଗଲା ? ବାପା ! ଘରେ ଥିବେ । ସେ କୁଆଡ଼େ ଯାଇ ନଥିବେ । ତାଙ୍କ ଦେହ ଭଲ ନାହିଁ ।

 

ଦେହ ଭଲ ନାହିଁ ? କ’ଣ ହୋଇଛି ତା’ ଦେହ । ନ ହେବ ବା କିପରି ? ନ କରିବା କଥା ଯେତେବେଳେ କରିଦେଇଛି, ପାପମନ ଦେହଦୁଃଖରେ ପକାଇଦେଲା । ହଉ ହଉ । ଚାଲ ଚାଲ । ତୋ’ ବାପ ସଙ୍ଗେ ଭେଟିଲେ ଯୋଉ କାମ ।

 

ମାନସ ସେ ଦିନ ବୁଝି ନଥିଲା । ହରି ମିଶ୍ରେ କ’ଣ ପାଇଁ ଏବଂ କାହିଁକି ଏତେ କଥା କହି ଯାଉଥିଲେ ।

 

ମାନସ ଆଗେଆଗେ ଚାଲିଲା ।

 

ପଛରେ ହରି ମିଶ୍ରେ ହସଟିଏ ହସିଦେଇ ମାନସର ପିଛା ଧରିଲେ ।

 

ମିଶ୍ରଙ୍କ ହସରୁ ଝରି ପଡ଼ୁଥିଲା ଝରଝର ହୋଇ ବିଷଧାରା ।

 

ଆକାଶରେ ତୋଫା ଜହ୍ନ ଚହଟୁଛି । ଶୀତଳ କିରଣ ଦିହକୁ ଲାଗୁଛି ଚନ୍ଦନ ଲେପିଲା ପରି । ମିଶ୍ରଙ୍କ ମନ ଉଚ୍ଚାଟିଆ ହୋଇ ଉଠିଛି । ସେ ସ୍ଵପ୍ନ ଦେଖୁଛନ୍ତି । ବେଶୀ ମେହନତ୍‍ କରିବାକୁ ପଡ଼ିବ ନାହିଁ । ବଇରା ରାୟଟସିଂହର ପୋଖରୀ ମୂଳେ ଥିବା ପାଞ୍ଚ ମାଣଯାକ ଜମିରେ ଅଛାଡ଼ ଧାନ ଶୋଇଛି । ଖାଲି ଲୋକ ଲଗେଇ କାଟିବା କଥା । ଆଗରୁ ଦି’ ମାଣ ଜମିତ ହାତକୁ ଆସିଯାଇଛି । ସ୍ତ୍ରୀ ଶୁଦ୍ଧ ଘରକୁ ନେଇଥିବା ଟଙ୍କା ଫେରାଇବନା ଏ ଜମିତକ ମୁକୁଳେଇବ । ମୁକୁଳେଇଲେ କିଏବା ଦେଉଛି । ଫମ୍ପା ହ୍ୟାଣ୍ଡ୍‍ନୋଟ୍ କରୁଛି । କୋଡ଼ିଏ ପଚିଶବର୍ଷ ତଳୁ ସୁଧ କଷିଦେଲେ ପୁଅର ଏ ପାଞ୍ଚ ମାଣଯାକ ଯାଇ ଘରଦୁଆର ଦେଲେବି କରଜ ସୁଝି ପାରିବନି ।

 

ବଇରାର ଦାଣ୍ଡଦୁଆର ଏରୁଣ୍ଡି ଡେଇଁ ମିଶ୍ରେ ପଶିଲେ ଘର ଭିତରେ । ମିଶ୍ରଙ୍କ ଡାକ ଶୁଣି ବଇରା କଡ଼ ଲେଉଟାଇଲା । ତାତିରେ ଦେହ ଖଇ ଫୁଟୁଛି । ଅସହଣି କଷ୍ଟ । କଷ୍ଟେମଷ୍ଟେ ଉଠି ମିଶ୍ରଙ୍କୁ ପିଢ଼ା ଦେବାପାଇଁ ମାନସକୁ କହିଲା ।

 

ମାନସ ପିଢ଼ା ପକେଇଦେଲା । ମିଶ୍ରେ ବସିଲେ ।

 

ବସୁ ବସୁ ତାଙ୍କ ମଗଜରେ ପୁଣି ଉଙ୍କି ମାରିଲା, ପୋଖରୀମୂଳ ପାଞ୍ଚମାଣକ । ମିଶ୍ରେ କାଲି ସିଆଡ଼େ ଯାଇଥିଲେ । ମେଘୁଆ କଳା ଧାନଗଛମାନଙ୍କରେ ଫୁଲଧରି ଆସିଲାଣି । ଏ ବରଷ ପାଳକଟା ବଡ଼ ତେଜ ଅଛି । ଜମିରେ ଧାନ ବଢ଼ିଛି ଆଣ୍ଠୁଏ ଉଚ୍ଚରେ । ଧାନ ଅମଳ ହେବ କାହିଁରୁ କେତେ । ଏତକ ହାତକୁ ଆସିଗଲେ ଭାଗ୍ୟଟା ଠିକ୍ ଅଛି ବୋଲି ଜାଣିବାକୁ ହେବ ।

 

ମିଶ୍ରେ ମନେମନେ ହସି ଉଠିଲେ ।

 

ଛଳେ, ବଳେ, ନୋଇଲେ କୌଶଳେ ।

 

ମିଶ୍ରେ କହିଲେ–ବଇରା ! ପୋଲିସ୍ ତୋତେ ଡାକୁଛନ୍ତି । ସ୍କୁଲ୍‍ ଘରେ ଅଛନ୍ତି । ସେମାନେ ଆସିବା ଦେଖି ଗାଁଟାଯାକର ଲୋକେ କିଏ କୁଆଡ଼େ ଲୁଚିଲେ । ମୁଁ ବାଧ୍ୟ ହୋଇ ସେମାନଙ୍କ ପାଖକୁ ଯିବାରୁ ସେ ମୋତେ କହିଲେ–ବଇରା ରାୟଟସିଂହଙ୍କୁ ଡାକିଆଣ । ମୋତେ କହୁନଥିଲେ, କହିଥିଲେ ରଥିଆ ଚଉକିଦାରକୁ । ମୁଁ କହିଲି ଆଜ୍ଞା, ସେ କଥା ହେବନି । ବଇରା ଖଣ୍ଡେଇତ ଛୁଆ ।

 

ତା’ ଦୁଆରକୁ ଚଉକିଆ ଗଲେ, ତା’ ମାନମହତରେ ହାନି ଘଟିବ । ତେଣୁ ମୁଁ ଆସିଲି । ତୁ ଆଉ ଏପରି ଶୋଇରହିଲେ ହେବ ? ଡେରି ହେଲେ ପରା ଥାନାବାବୁ ଖପା ହେବେ ।

 

ବଇରା ଜ୍ଵରରେ ଥରି ଥରି ଜଳନ୍ତା ଆଖିରେ ଅନାଇଲା ।

 

ମିଶ୍ର କହିଲେ–ଆରେ ଅନଉଚୁ କ’ଣ ? ତୁରନ୍ତ ଆସୁନୁ । ଇଏ ପରା ଥାନା ଫାଣ୍ଡି କଥା-! ତୁଅ କଥା କି ମୁଅ କଥା ହେଇନି ଯେ ଗାଲୁମାରି ଘରେ ରହିଯିବୁ । ଭା’ରିଆ । ଆ’, ଆଉ ଡେରି କାହିଁକି କରୁଛୁ ।

 

କିଛି ବୁଝି ପାରିଲାନି ବଇରା ।

 

ଗୋଳମାଳ । ସବୁ ଗୋଳମାଳିଆ । ଗୋଟିଏ ଆଡ଼ୁ ଥଳ ପାଇଲେ, ଆଉ ଗୋଟାଏ ଆଡ଼ ଅଥଳ । ଆଖି ପାଉ ନାହିଁ । ଭାବନାର ଅନ୍ତ ନାହିଁ । ମନ ଛୁଉଁନି । ଏ ଭାବନାକୁ । ଯେଣେ ଅନଉଚି ତେଣେ ଅଥଳ । ସମୁଦ୍ର । ବଇରା ଜାଣିଚି ମଥାନପୁରର ସାହାଭରସାକୁ ହରି ମିଶ୍ରେ । ଘରଭଙ୍ଗା ଓ କୁଳବୁଡ଼ାକୁବି ଏଇ ହରି ମିଶ୍ରେ । ତାହାହେଲେ କୋଉଥିପାଇଁ ହରି ମିଶ୍ରଙ୍କର ଆବିର୍ଭାବ ମୋ ଘରେ ? ଥାନାବାବୁ ମୋତେ ଡକାଇବାର ଉଦ୍ଦେଶ୍ୟ କ’ଣ ?

 

ବଇରା କ’ଣ ଭାବୁଛି ମିଶ୍ରେ ତାହା ଜାଣି ପାରି କହିଲେ–ଆରେହେ ବଇରା । କ’ଣ ଏତେଗୁଡ଼ାଏ ଭାବୁଛୁ ? ‘‘ସକଳ ଭ୍ୟାଇଲେ ଗୋସାଇଁ, ହାଣ୍ଡି ଚାଉଳ କାଠ ନାହିଁ ।” ଭିଆଇଲାବେଳେ ଭିଆଇଦେଲୁ । ଏଇନା କାହିଁକି ମଗଜକୁ ଅଥୟ କରୁଛୁ । ହଉ ହଉ । ଆ’ ଆ’ । ତୋପାଇଁ ମୁଁ ଅଛି । ବାଘ ପାଟିରୁ ଶିକାର ଛଡ଼େଇ ଆଣିବା ଲୋକ ମୁଁ । କିବା ଛାର ଘଟଣାଟା ତୁ ଘଟେଇ ଦେଇଛୁ ଯେ । ତୁ ଭୟ କରନା । ଥାନାବାବୁଙ୍କ ପାଖକୁ ଆସୁନୁ । ଖଣ୍ଡେ ଗଦରେ ସେ ଥାନାବାବୁର ବିଷଦାନ୍ତ ଝଡ଼େଇଦେବି ।

 

ମିଶ୍ରେ ଆପଣେ । ତୁମେ କ’ଣ କହୁଛ, ମୁଁ କିଛି ବୁଝି ପାରୁନି ।

 

ହରି ମିଶ୍ରେ ବଇରାକୁ ବୁଝେଇଦେଲେ–ମଳିକ ସାଇଆଏ ଥାନାରେ ଅଭିଯୋଗ କରିଛନ୍ତି, ତାଙ୍କର ତୁଅ ସହିତ ବହୁକାଳରୁ ପଡ଼ୁନଥିଲା । କୋଉ ଗୁଣରେ ତାକୁ ନ ପାରିବାରୁ ତୁ ତାଙ୍କ ଘରେ ନିଆଁ ଲଗେଇ ଦେଇଛୁ ।

 

ମିଶ୍ରେ ଆପଣେ । ତୁମେ ୟାକୁ ସତ ମଣୁଛ ?

 

ମୋ ମଣିବା ନ ମଣିବାରେ ଯାଏଁ ଆସେ କେତେ । ‘ଲ’ ପରା ବଳୁଆ ହୋଇ ସାରିଲାଣି । ହରିଜନ ଲୋକନା, ସରକାର ତାଙ୍କର । ତାଙ୍କପାଇଁ ସରକାର । ଲାଗିପଡ଼ି ଫଳେ ପୁଷ୍ପେ ଦେଇ ‘ଲ’ଟାକୁ ବଳୁଆ କରିଦେଇଛନ୍ତି । ଟିକିଏ ନ କରାଥିଲେ ମାଡ଼ିବସନ୍ତାଣି । ତୁ ଭାବୁଛୁ କି ତୋପାଇଁ ମୁଁ ଏଥିରେ ମୁଣ୍ଡ ଖେଳେଇନି ବୋଲି । ଖେଳେଇଚିବି, ଖେଳେଇଛି । କୁଆଡ଼ୁ ହେଲେ ‘ଲ’ଟାକୁ କାଟିହେଲାନି ।

 

ଥାନା, ଭୂତଖାନା ।

 

ଯୋଡ଼ାଏ ଦାରୋଗାବାବୁ ଘର ଭିତରକୁ ପଶି ଆସିଲେ ।

 

ବଇରାର ଝାଉଁଳା ମୁହଁ ଆଉ ଟିକେ ଝାଉଁଳି ପଡ଼ିଲା ।

 

ପାଖରେ ଛିଡ଼ା ହୋଇଛି ମାନସ । କାନ୍ଦୁରା ମୁହଁ, ଶୁଖିଲା ଦେହ ।

 

 

ଦାଶିଆକା ଅନେକ ଚେଷ୍ଟା କଲା ବଇରାକୁ ମୁକୁଳାଇବାକୁ, କିନ୍ତୁ ସବୁ ବ୍ୟର୍ଥ ହେଲା ।

 

ଦାରୋଗାବାବୁ ତାକୁ ଧରି ନେଇଗଲେ ଥାନାକୁ ।

 

ଜାମିନ୍ ଦେଲେନି । ବର୍ଷକ ପରେ ବଇରାକୁ ଘରପୋଡ଼ି ଅପରାଧରେ ଆଜୀବନ ସଶ୍ରମ କାରାଦଣ୍ଡ ପାଇଁ କୋଟ୍ ରାୟ ଦେଲା ।

 

ବଇରା ବିନା ଦୋଷରେ ଜେଲ ଖଟିଲା । ନାବାଳକ ପୁଅର ମାୟା, ମମତା, ସ୍ନେହଡୋରିର ସମ୍ପର୍କକୁ ଛିନ୍ନ କରିଦେଲା କାରାଗାରର ଉଚ୍ଚା ଉଚ୍ଚା ପଥର କାନ୍ଥ । ପିତୃ ହୃଦୟ ତା’ର ଅହରହ କାନ୍ଦିଲା ଜେଲ୍‍ଖାନାର ଅନ୍ଧକାର କୋଠରୀ ମଧ୍ୟରେ ପୁତ୍ରର ମୁଖମଣ୍ଡଳ ଉପରେ ଟିକିଏ ଆଖି ପକେଇ ଦେବାପାଇଁ, କିନ୍ତୁ ବିଶ୍ଵନିୟନ୍ତାଙ୍କର କଠୋର ଇଚ୍ଛା ଯୋଗୁଁ ବଇରା ସେଥିରୁ ବଞ୍ଚିତ ହେଲା । ଅନ୍ୟାୟର ପ୍ରତିବାଦସ୍ଵରୂପ ଆହାର ଛାଡ଼ିଦେଲା ।

 

ପାଣି ପକା ପିଣ୍ଡ । ପାଣି ବିହୁନେ ପିଣ୍ଡହାନି ।

 

ବଇରା ଶରୀରର ଆତ୍ମାପୁରୁଷ ଭୋକଉପାସରେ ଶଢ଼ି ଶଢ଼ି ଘଟ ଛାଡ଼ି ଚାଲିଗଲା ଅନ୍ୟ କେଉଁ ଏକ ଘଟକୁ ।

 

ମାନସ ବାପ ମା’ଛେଉଣ୍ଡ ହେଲା । ଆହା କରିବାକୁ କି ସାହା ହେବାକୁ ପଛକୁ କେହି ରହିଲେ ନାହିଁ ।

 

ଜୀବନ ନିର୍ବାହପାଇଁ ଅନେକ ଲୋକଙ୍କ ସାହାଯ୍ୟ ନେଲା । କେହି ମାନସର ଦୁଃଖ ବୁଝିଲେ ନାହିଁ । ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ହରି ମିଶ୍ରଙ୍କର କ୍ରୂର ଦୃଷ୍ଟିରେ ପଡ଼ିଲା ମାନସ I କୋଟ୍‍ରୁ ଡିଗ୍ରୀ ଜାରି କରେଇଲେ ମାନସର ଚଉଦ ପୁରୁଷର ଭିଟାମାଟିରେ ଆଉ ପାଞ୍ଚ ମାଣ ଭୂ-ସମ୍ପତ୍ତିରେ-

 

ବିନା ପ୍ରତିବାଦରେ ଦଖଲ ନେଲେ ହରି ମିଶ୍ରେ ।

 

ଦାଶିଆକା ହୃଦୟରେ ଦୟା ଉଦ୍ରେକ ହେଲା । ମାନସର ଦୁଃଖରେ ତା’ର ହୃଦୟ ତରଳି ଗଲା । ମାନସକୁ ନେଇ ଘରେ ରଖିଲା । ପାଳି ଏଡ଼ୁଟିରୁ ଏଡ଼ୁଟିଏ କଲା । ଭଲମନ୍ଦ ବୁଝିଲା । ପାଠ ପଢ଼େଇ ଶିକ୍ଷିତ କରିଦେଲା ।

 

ସମୟ ଗଡ଼ିଗଲାଣି ।

 

ବୟସ ବଢ଼ି ଗଲାଣି ।

 

ସମୟର ସ୍ରୋତରେ ଦାଶିଆକାର ମୁଣ୍ଡରବାଳ ଧଳା ପାଲଟି ଗଲାଣି ।

 

ମାନସ ନାବାଳକ ଅବସ୍ଥାରୁ ପହଞ୍ଚିଲାଣି ସାବାଳକ ଅବସ୍ଥାରେ । ସେ ଉପଭୋଗ କରୁଛୁ ତା’ ବୟସର ମଧ୍ୟାହ୍ନକୁ ।

 

ହରି ମିଶ୍ରେ ମାନସର ଅଭାବ ଅସୁବିଧାକୁ ମୋଚନ କରି ଦେଇଛନ୍ତି । ମାନସ ଗଲାଦିନର ଦୁଃଖ ସବୁକୁ ଯେତେ ଚେଷ୍ଟା କଲେବି ଭୁଲି ପାରୁନି ।

 

ମାନସର ସମାଜସେବା କାର୍ଯ୍ୟରେ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି ହରି ମିଶ୍ରେ ।

 

ଆବଶ୍ୟକ ସ୍ଥଳେ କେଉଁଠାରେ କେଉଁ କୂଟନୀତି ପ୍ରୟୋଗକଲେ ମାନସ ସଫଳ ହେବ ତାହା କରିବାକୁ ପଛାଉ ନାହାନ୍ତି ।

 

ମାନସ ସମାଜସେବୀ କାର୍ଯ୍ୟରେ ଯଥେଷ୍ଟ ସଫଳତା ଅର୍ଜନ କରୁଛି ।

 

ତା’ ପଛକୁ ତାକୁ ସାହାଯ୍ୟ କରୁଛି ସୁଲି ।

 

କିନ୍ତୁ ଲକ୍ଷ୍ମୀପାଇଁ ଏସବୁ ମନା ।

 

ଲକ୍ଷ୍ମୀ ମାନସ ସହିତ କଥା ନ ହେବାପାଇଁ ଗେଲିବୋଉକୁ ଏବଂ ସୁଲିକୁ ହରି ମିଶ୍ରଙ୍କର ଭିତିରିଆ ତାଗିଦା !

 

ସୁଲି ବାପାଙ୍କ କଥାକୁ କାନ ଦିଏନା । କାରଣ ମିଶ୍ରଙ୍କ ନୀତିକୁ ସେ ଭଲ ପାଏନା । ନିଜ ବାପାତ । ବାପାଙ୍କ ଅନୀତି କଥା କାହା ଆଗେ କହିବ ସୁଲି । ନିଜ ଗୋଇ ଖୋଳିଲେ ନିଜ ଅଙ୍ଗରେ ବର୍ଷା ହେବା ବ୍ୟତୀତ ଆଉ କିଛି ଲାଭ ହେବନି ।

 

ସୁଲି ମାନସଠାରୁ ବୟସରେ ଛୋଟ । ଯେ ସୁଲିର ପ୍ରତ୍ୟକ୍ଷରେ ଆସିବ, ସେ କେବେ ଅନୁଭବ କରିବ ନାହିଁ, ସୁଲି ମାନସଠାରୁ ସାନ ବୋଲି । ସୁଲି ସବୁଥିରେ ଆଗ । ତା’ ଯୋଗୁଁ ମାନସ ଅନେକ କାର୍ଯ୍ୟ ସହଜ ଏବଂ ସୁବିଧାରେ କରି ପକାଏ ।

 

ମିଶ୍ରଙ୍କ ଆଖିକୁ ଅନ୍ଧ ବନେଇ ଛପି ଛପି ଲୁଚି ଲୁଚି ଲକ୍ଷ୍ମୀ ସୁଲି ସାଙ୍ଗରେ କଥା ହୁଏ । କଥାବାର୍ତ୍ତା ପ୍ରସଙ୍ଗରେ ସୁଲି ତା’ ଲକ୍ଷ୍ମୀ ଅପାକୁ କୁହେ–ଅପା ! ତୁ ତ ପାଠ ପଢ଼ିଛୁ, ନିକୁଛିଆରେ କୋଉ ସ୍କୁଲ୍‍ରେ ତ ଗୋଟିଏ ହେଡ଼୍‍ମିଷ୍ଟ୍ରେସ୍ ହୋଇପାରିବୁ । ମାସିକ ଦରମା ପାଇ ଖୁଡ଼ୀ ଆଉ ତୁ ଖୁସିରେ ଚଳି ପାରିବ । ଆଉ କିଛି କିଛି ପଇସା ବଳେଇ ରଖିଲେ ତୁଅପାଇଁ ଗୋଟିଏ ଭଲ ବର ମିଳିଯାନ୍ତା । ତୁ କେତେଦିନ ଏପରି ଘରେ ବସି ବାପାଙ୍କ ଲାଲଆଖି ଦେଖୁଥିବୁ ? ଖୁଡ଼ୀଙ୍କ ଶୁଖିଲା ମୁହଁ ଦେଖିଲେ କିଏ ଧୈର୍ଯ୍ୟ ଧରିବ ? କାହା ଆଖିରେ ଲୁହ ରହିବ ? ମୁଁ ତୁମର ଦୁଃଖକୁ ପରିହାର କରି ମୁହଁରେ ହସ ଫୁଟାଇବା ପାଇଁ । ତୁ ତ ଜାଣୁ ଅପା କେତେ ଲୁଚି ଛପି ତୋ ସଙ୍ଗେ କଥାବାର୍ତ୍ତା ହୁଏ ।

 

ଢୋକ ଗିଳିଲା ଲକ୍ଷ୍ମୀ । କଣ୍ଠନାଳୀ ସଂକୁଚିତ ହୋଇ ପ୍ରସାରିତ ହେବାପରେ ଲକ୍ଷ୍ମୀ କହିଲା–ସୁଲି ! ତୁ ଫ୍ରକ୍ ପିନ୍ଧା ପିଲା ନୋହୁଁ ଯେ ମୁଁ ତୋତେ ବୁଝେଇବି । ତୋତେ ବୁଝେଇବାର ବେଳ ଗଡ଼ିଯାଇଛି । ଆସିଛି ତୁ ଅନ୍ୟମାନଙ୍କୁ ବୁଝେଇବା ବେଳ । ତୁ ଅଶିକ୍ଷିତା ନୋହୁଁ । ପାଠ ପଢ଼ିଛୁ । ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାଇଛୁ । ଭଲମନ୍ଦ ବିଚାର କରିବାର ଶକ୍ତିଅଛି । ଟିକିଏ ବିଚାର କଲୁ, ତୋ ମୋ ମଧ୍ୟରେ ତଫାତ୍ କେତେ ? ଆମ ଘର ତୁମ ଘର ମଧ୍ୟରେ ପାର୍ଥକ୍ୟ କେତେ ? ବଡ଼ବାପା କାହିଁକି ହାତୀଏ ହାତୀଏ ଉଚ୍ଚାରେ କଳେଇ ଗଦା ବାଡ଼ିରେ ମାରନ୍ତି, ଅଥଚ ଆମେ କାହିଁକି ଧାନର ଭୁଣ୍ଡିଟାଏବି ପାଇବାପାଇଁ ସ୍ଵପ୍ନ ଦେଖୁ । କହିପାରିବୁ ଏହାର କାରଣ କ’ଣ ? ଦେଇପାରିବୁ ମୋ ପ୍ରଶ୍ନର ଉତ୍ତର । ମୋ ବାପାଙ୍କର ଏ ସମ୍ପତ୍ତିରେ ଭାଗ ନାହିଁ ? ମୋ ବାପା ତାଙ୍କ ବାପାଙ୍କର ପୁଅ ନଥିଲେ ?

 

ସୁଲି ଆଖିରେ ଲୁହ ଜମି ଯାଇଥିଲା ।

ନୀରବରେ କୌଣସି ଉତ୍ତର ନ ଦେଇ ଘରକୁ ଫେରି ଆସିଲା ।

ଲକ୍ଷ୍ମୀ ଗୋଟିଏ ଆଖିରେ ଅନେଇ ରହିଥିଲା ସୁଲିକୁ ।

ସୁଲି କେଉଁଠାରେ ଥୟ ହୋଇ ଛିଡ଼ା ହୋଇପାରିଲା ନାହିଁ । ମୁଣ୍ଡ ଭିତରଟା ଭାଇଁ ଭାଇଁ ହୋଇଗଲା । ଶୋଇବାବେଳ ହୋଇନଥିଲେବି ଦୁଆର କିଳି ଘରେ ଶୋଇ ଭାବିଲା–

ସତରେ ଲକ୍ଷ୍ମୀ ଅପା କେତେ ଭଲ ମଣିଷ । ମଣିଷ ତ ନୁହେଁ ଦେବତା । କଲେଜରେ ପଢ଼ିଲାବେଳେ କେତେ ଆପଣାର ନ କରିଛି ମୋତେ । କେଇଜଣ ମଣିଷ ଏମିତି ମିଳନ୍ତି ଦୁନିଆରେ ? ମୁଁ ହୁଣ୍ଡିଙ୍କ ପରି କାହାକୁ ତୁଣ୍ଡହୁଡ଼ି କହିଦେଲେ କେତେ ଉପଦେଶ ଦିଏ ମୋତେ । ପ୍ରକୃତରେ ମୋ ବାପା ତାଙ୍କ ସୁଖକୁ ଛଡ଼ାଇ ନେଇ ତାଙ୍କପାଇଁ ଖଞ୍ଜି ଦେଇଛନ୍ତି ଅଜସ୍ର ଦୁଃଖ । ଦୁଃଖରେ ଲକ୍ଷ୍ମୀ ଅପା ଭାଙ୍ଗି ପଡ଼ିଛି । ଭାଙ୍ଗି ପଡ଼ିଛି ତାଙ୍କର ସାଂସାରିକ ମନୋବଳ ।

ବାପା !

ବାପା ଗେଲିଅପା ସଂସାରକୁ ଧୂଳିସାତ୍ କରିଦେଲେ । ଗେଲି ଅପା ବାପାଙ୍କର ନିଜ ଝିଅ । ଲକ୍ଷ୍ମୀ ଅପା ଝିଆରୀ ।

ଝିଅ ଦେଇ ଜ୍ୱାଇଁ ପାଇଥିଲେ । ପୁଅ କିଏ ଜ୍ୱାଇଁ କିଏ ? ବାପାଙ୍କ ମନକୁ ବିବେକ କିପରି ବାଧା ଦେଲାନି କେଜାଣି ? ନିଷ୍ଠୁରଭାବେ ଏଡ଼େବଡ଼ କାମଟାଏ କରିଦେଇ ବସିଲେ । ବନ୍ଧୁବାନ୍ଧବରେ ଅସମ୍ପର୍କ । ଭଉଣୀ ଭିଣୋଇଙ୍କ ମଧ୍ୟରେ ମନୋମାଳିନ୍ୟ ।

 

ବାହାରେ ଲୋକମାନଙ୍କ ମୁହଁରେ ଛି ଛି ।

 

ଗେଲି ଅପା ଭାଇ ହୋଇଥିଲେ ଘରୁ ଗୋଟାଏ ଭାଗ ଖାଇଥାନ୍ତା । ଅଥଚ ତା’ପାଇଁ ମଥାନପୁର ସାତ ସପନ ହୋଇଗଲା । ଏ ଦୁଆରେ କଣ୍ଟା ପଡ଼ିଗଲା ।

 

ଗେଲି ଅପାର ମୁହଁରେ ହସ ନାହିଁ । ତା’ ହସ ମରିଯାଇଛି ତା’ ଅନ୍ତରର ନିଭୃତତମ କୋଣରୁ । ଯେପରି ପୁନିଅଁ ଜହ୍ନକୁ ରାହୁ ଗ୍ରାସିଲେ । ଫୁଟନ୍ତା ପଦ୍ମ ଉପରେ ଶିଶିର ପଡ଼ିଲେ ।

 

ଅସୁରମାନଙ୍କ ଚକ୍ରାନ୍ତରେ ମୁନିଋଷିମାନେ ପବିତ୍ର ଜୀବନ, ବେଦ ଓ ମଙ୍ଗଳ ଗାୟତ୍ରୀ ହରାଇଲା ପରି ଗେଲି ଅପା ବାପାଙ୍କ ଚକ୍ରାନ୍ତରେ ତା’ ଜୀବନର ସ୍ୱାର୍ଥକୁ ହରେଇ ଦେଇ, ସ୍ଵାମୀଘରେ ବସି ସୀତାଙ୍କ ପରି ନୟନରୁ ଲୋତକ ଢାଳୁଛି ।

 

ବାପା ବିଭାଘର ପ୍ରସ୍ତାବ ବାଢ଼ିଲାବେଳେ ଜ୍ୱାଇଁଙ୍କୁ ବାଟଖରଚ ପାଇଁ ଦଶହଜାର, ମଟର ସାଇକେଲ୍‍, ଝିଅକୁ ଦଶମାଣ ଜମି ଇତ୍ୟାଦି ଇତ୍ୟାଦି ଅନେକ ଯୌତୁକ ଦେବାପାଇଁ କଥା କରିଥିଲେ । ଦେଲାବେଳକୁ ଫଟା କଉଡ଼ିଟାଏବି ଦେଲେ ନାହିଁ । ବେଦୀ ଉପରେ ହାତଗଣ୍ଠି ପଡ଼ିଲାବେଳେ ବରଯାତ୍ରୀ ଏବଂ ବାପାଙ୍କ ମଧ୍ୟରେ ବଚସା ହେବାରୁ ରାଗରେ ଗରଗର ହୋଇ ଜ୍ୱାଇଁ ଉପରକୁ ଗେଲିଅପା ନାମରେ ଥିବା ଦଶମାଣ ଜମିର ବିକ୍ରି ଦଲିଲ୍‍ଟାକୁ ଫୋପାଡ଼ି ଦେଇ କହିଲେ–

 

ହରି ମିଶ୍ରେ କୁହେ ଯାହା କରେ ତାହା । ଏତେବେ ଜବାବୀ ମୁଁ ନୁହେଁ ।

 

ଝିଅ ବିଭାକରିବ ବୋଲି ଆଗରୁ ତାଙ୍କ କଥା ମୁଁ ତୁଟେଇ ଦେଇଛି । ଏତେ ସମ୍ପତ୍ତି ମୋର କିଏ ଖାଇବ ? ତାଙ୍କ ସମ୍ପତ୍ତି ସିଏ ନେବେ । କୋଉ ପୁଅପାତିଗୁଡ଼ା ଅଛନ୍ତି ଯେ ତାଙ୍କପାଇଁ ଲୋଭ କରିବି ?

 

ଦଲିଲ୍‍ଟାକୁ ଦେଖି ବରପକ୍ଷର ଲୋକେ ନୀରବ ରହିଲେ ।

 

କହି ପୋଛି ଝିଅ ଜୋଇଁଙ୍କୁ ବିଦା କରିଦେଲେ ।

 

ବାପା ଜଳନ୍ତା ଅଗ୍ନିରେ ଜଳସିଞ୍ଚି ଦେଇଥିଲେ, କିନ୍ତୁ ଭଲଭାବରେ ଲିଭାଇବାକୁ ଚେଷ୍ଟା କରିନଥିଲେ । ସେ ଅଗ୍ନି କୁହୁଳି କୁହୁଳି ବଡ଼ ଆକାର ଧାରଣ କରି ଗେଲି ଅପାକୁ ହନ୍ତସନ୍ତ କରି ମାରୁଛି ।

 

ଜ୍ୱାଇଁଙ୍କୁ ଯୌତୁକ ନ ଦେବାହିଁ ଏହାର ଏକମାତ୍ର କାରଣ । ବାଟଖରଚ ତ ଦେଲେନି । ଅନ୍ୟାନ୍ୟ ଜିନିଷପତ୍ର ଝିଅ ଜ୍ୱାଇଁଙ୍କ ପଛରେ ପଠାଉଛି କହି ପଠାଇଲେ ନାହିଁ । ଯେଉଁ ଦଶମାଣ ଜମିର ବିକ୍ରିଦଲିଲ୍ ଦେଇଥିଲେ, ସେ ଜମିର ଅମଳ ଫସଲ ସବୁ ନିଜ ପେଟରେ ପକାଇ ଦେଲେ ।

 

ତାଙ୍କ ମନର ଓରିମାନା ଏତିକିରେ ମେଣ୍ଟିଲା ନାହିଁ ।

 

ଦିନେ ସମୟ ସୁବିଧା ଦେଖି ଅପା ଘରକୁ ବାପା ଯାଇ ଅପାଙ୍କ ଠାରୁ ଦସ୍ତଖତ ଅଣାଇ, ସେ ଜମିତକ ନିଜ ନାମରେ ଦରଜ କରାଇନେଲେ ଏବଂ ଦସ୍ତଖତ ଆଣିଲାବେଳେ ଅପାକୁ କହିଥିଲେ–

 

ଝିଅ ! ବୁଢ଼ା ହେଲି ବଳ ବୟସ ଗଲାଣି । ପାଚିଲା ଆମ୍ବ । କେତେବେଳେ କୁଆ ଝାମ୍ପିନେବ କିଏ କହିବ ? ତୁଅ କଥା ତୁଟେଇ ଦେଲେ ମୋ ଦିହରୁ ଗୋଟାଏ ଅଳିଆ ଯିବ । ତୁଅ ନାଁରେ ଯେଉଁ ଦଶମାଣ ଜମି ବିକ୍ରି ଦଲିଲ୍ କରି ଦେଇଛି, ସେ ଏପର୍ଯ୍ୟନ୍ତ ମୋ ନାଁରୁ କଟିନି । ତୁ ଏ କାଗଜରେ ଦସ୍ତଖତଟାଏ କରିଦେଲେ ତୁଅ ନାଁରେ ହୋଇଯିବ ।

 

ବାପାଙ୍କ ଚକ୍ରାନ୍ତ ଗେଲି ଅପା ଜାଣି ନ ପାରି ଫମ୍ପା କାଗଜରେ ଦସ୍ତଖତ କରି ଦେଇଥିଲେ ।

Unknown

 

କକା ମରିବାପରେ ତାଙ୍କ ଭାଗ ସମ୍ପତ୍ତି ନିଜେ ମାଡ଼ି ବସିବାପାଇଁ ଖୁଡ଼ୀଙ୍କୁ କଅଁଳେଇ ସଅଁଳେଇ ରେଜିଷ୍ଟ୍ରି ଖାନାକୁ ଡକାଇ ନେଇ ଖୁଡ଼ୀଙ୍କ ଠାରୁ ଗେଲି ଅପା ନାଁରେ ଏଇ ଜମିତକ ବିକ୍ରି ଦଲିଲ୍ ନେଇଥିଲେ ।

 

ଯେଉଁ ବାପା ନିଜ ଝିଅକୁ ଠକିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ସେ ଦୁନିଆରେ ଆଉ କାହାକୁ ଠକି ନଥିବେ ?

 

କୁଳବୁଡ଼ାଇ ରାସ୍ତା କଡ଼ରେ ଭିକ୍ଷା ମଗାଉ ନଥିବେ ?

 

ହଁ, ହଁ । ଏ ଅନ୍ୟାୟର ପ୍ରତିବାଦ କରିବାକୁ ହେବ । ବାପାଙ୍କୁ ଜବତ କରିବାକୁ ହେବ, ଯେପରି ସେ ଆଉ ଏପରି ଅନ୍ୟାୟ ନ କରନ୍ତି । ଅନ୍ୟକୁ ବିପଦରେ ପକାଇବା ପାଇଁ ରାସ୍ତା ମଝିରେ ଖମା ନ ଖୋଳନ୍ତି ।

 

ଲକ୍ଷ୍ମୀ ଅପାର କ’ଣ ଏ ଘରେ ଭାଗନାହିଁ ? କକା ତାଙ୍କର ଭାଇ ନୁହନ୍ତି ? ସେ କାହିଁକି ସାତପର ପରି ଆମଠାରୁ ହୀନିମାନୀ ଅବସ୍ଥାରେ ଚଳିବେ ? ଆମେ କାହିଁକି ତାଙ୍କୁ କଥା ନ କହିବୁ-? ଲକ୍ଷ୍ମୀ ଅପା ଆଉ ଖୁଡ଼ୀଙ୍କୁ କଥା ନ କହିବାପାଇଁ ବାପା ଆମକୁ ମନାକରିବା ମୂଳରେ କି ପ୍ରକାର ଉଦ୍ଦେଶ୍ୟ ତାଙ୍କ ମନରେ ଲୁଚି ରହିଛି ?

 

ଏ ଉଦ୍ଦେଶ୍ୟ ମହତ୍ ନୁହେଁ । ନିଶ୍ଚିତ ଅମହତ ।

 

ଲକ୍ଷ୍ମୀ ଅଳସ ତେଜି ଶେଯରୁ ଉଠିଲା, ଏବଂ ଶପଥ କଲା–

 

ଯେତେ ବିପଦର ସମ୍ମୁଖୀନ ହେଲେ ମଧ୍ୟ ବାପା ଯେଉଁ ସବୁ ଅନ୍ୟାୟ କରି ଯାଉଛନ୍ତି, ମୁଁ ତାଙ୍କୁ ସେଥିରୁ ନିବୃତ କରାଇବି । ଯଦି ସେ ଅନ୍ୟାୟ ପଥରୁ ଅପସରି ଯିବାକୁ କୁଣ୍ଠାବୋଧ କରନ୍ତି, ତେବେ ମୁଁ ବାଧ୍ୟ ହୋଇ ତାଙ୍କ ଅନ୍ୟାୟର ପ୍ରତିବାଦ କରିବି ।

 

ୱାର୍ଡ଼ମେମ୍ବର ଓ ସରପଞ୍ଚ ନିର୍ବାଚନପାଇଁ ସରକାରଙ୍କ ଦପ୍ତରରୁ ଖବର ପ୍ରକାଶ ପାଇବା ପରେ ପ୍ରତି ଅଞ୍ଚଳରେ ଗୋଟାଏ ନୂଆ ବାତାବରଣ ଗୁମୁରି ଉଠିଲା । ଦଳଦଳ ହଳହଳ ହୋଇ ଲୋକମାନେ ଫୁସ୍‍ଫାସ୍ ହେଲେ । ମୁନାଫାଖୋରୀ ଟାଉଟରମାନେ ଅବାଞ୍ଛିତ ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡ଼ା କରାଇ ଫାଇଦା ଉଠାଇବାକୁ ଧାଇଁଲେ । କେତେକ ଲୋକ ଯିଏ ଉପଯୁକ୍ତ ପ୍ରାର୍ଥୀ ତାଙ୍କୁ ଭୋଟ ଦେବାକୁ ପ୍ରଚାର କଲେ ।

 

ଅଞ୍ଚଳବାସୀଙ୍କ ଅନୁରୋଧକ୍ରମେ ସରପଞ୍ଚ ପାଇଁ ପ୍ରାର୍ଥୀ ହେଲା ମାନସ ।

 

ବିପୁଳ ଜନ ସମର୍ଥନ । ହରି ମିଶ୍ରଙ୍କ ପ୍ରତ୍ୟକ୍ଷ ସମର୍ଥନ ମାନସ ପ୍ରତି ରହିଥିଲେ ମଧ୍ୟ କିଛି ଅର୍ଥ ପାଇବା ଆଶାରେ ପରୋକ୍ଷ ସମର୍ଥନ ରହିଲା ଅନ୍ୟ ପ୍ରାର୍ଥୀମାନଙ୍କ ପ୍ରତି ।

 

ନିର୍ବାଚନ ଦିନ ପାଖେଇ ଆସିବା ସଙ୍ଗେ ସଙ୍ଗେ ଲୋକମାନଙ୍କ ମନରେ ଚଞ୍ଚଳତା ସୃଷ୍ଟି ହେଲା । ପ୍ରାର୍ଥୀ ଏବଂ କର୍ମୀମାନଙ୍କର ଦଉଡ଼ା ଚାଲିଲା ଗାଁ ଗହଳିକୁ । କାନ୍ଥ ବାଡ଼ରେ ରଙ୍ଗବେରଙ୍ଗର ପୋଷ୍ଟର । ଡାକବାଜି ଯନ୍ତ୍ରର କର୍ଣ୍ଣଭେଦୀ ଡାକରା । ଅମୁକ ପ୍ରାର୍ଥୀ ଭଲ ନେତା । ତାଙ୍କ ବାପା ସ୍ଵାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି କାରାବରଣ କରିଥିଲେ । ସେ ବର୍ତ୍ତମାନ ରାଜ୍ୟସଭା ସଭ୍ୟ । ତାଙ୍କୁ ନିର୍ବାଚନରେ ଆମେ ସରପଞ୍ଚଭାବେ ଜୟଯୁକ୍ତ କରାଇଲେ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ । ତେଣୁ ଆପଣମାନେ ଅମୁକବାବୁଙ୍କୁ ଭୋଟ ଦେଇ ନିର୍ବାଚିତ କରାନ୍ତୁ ।

 

ନିର୍ବାଚନର ସ୍ପୃହା ଲୋକମାନଙ୍କ ମନରେ ଆଉ ନାହିଁ । ସେମାନେ ଜାଣିଲେଣି ନିର୍ବାଚନ କେବଳ କେତେଜଣ ବଡ଼ବଡ଼ିଆ ଲୋକଙ୍କର ବିଳାସବ୍ୟସନର ମଉକା । ଏ ନିର୍ବାଚନ ଧନୀ ଜମିଦାର, ଟାଉଟରଙ୍କ ପାଇଁ । ଗରିବଙ୍କ ପାଇଁ ନୁହେଁ ।

 

କାମ ପଡ଼ିଲାବେଳେ ଗାଡ଼ି ଚଢ଼ି ଧୂଳି ଉଡ଼େଇ ମଫସଲକୁ ଧାଇଁବେ । ଲୋକମାନଙ୍କ ପିଠିରେ ହାତ ମାରି, କଥାରେ ଛନ୍ଦ ପକାଇ, ନମ୍ର ଗଳାରେ କାକୁତି ମିନତି ହୋଇ ଭୋଟ ଖଣ୍ଡକ ପାଇ ସାରିବା ପରେ ନେତାଙ୍କର ଦେଖାସାକ୍ଷାତ୍ ମିଳେନି । ଦେଖା କରିବାକୁ ଗଲେବି ସମୟ ନାହିଁ କହି ଦେଖା ଦେବାକୁ ମନା କରିଦିଅନ୍ତି ।

 

କେତେ କେତେଥର ଭୋଟ ଗଲାଣି । କେତେ ନେତାଙ୍କ ପ୍ରତିଶ୍ରୁତି ଶୁଣି ଶୁଣି ଲୋକଙ୍କ କାନ ବଧିରା ହୋଇସାରିଲାଣି, କିନ୍ତୁ ଅଞ୍ଚଳର ସମସ୍ୟା ଦିନକୁଦିନ ବଢ଼ୁଛି ସିନା ଛିଡ଼ୁନି ।

 

ସେ କୁହାମୁଣ୍ଡା କପିଳା ଦଳଙ୍କ ଚାରି ଖୁରାକୁ ଦୂରୁ ଜୁହାର ।

 

ଯାହାହେଲେବି ଜଣକୁ ଭୋଟ ଦେଇ ସରପଞ୍ଚଭାବେ ନିର୍ବାଚିତ କରିବାକୁ ପଡ଼ିବ ।

 

ସଭିଙ୍କ ମୁହଁରେ ମାନସର ପ୍ରଶଂସା । ମାନସ ପ୍ରତି ବିପୁଳ ଜନ ସମର୍ଥନ ।

 

ମାନସର ନିର୍ବାଚନ କାର୍ଯ୍ୟରେ ସୁଲି, ଦାଶିଆକା, ବେଳେବେଳେବି ହରି ମିଶ୍ରେ ଲାଗି ପଡ଼ିଛନ୍ତି । ମଥାନପୁରର ଯୁବକମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି ମାନସକୁ ସରପଞ୍ଚଭାବେ ଜୟଯୁକ୍ତ କରାଇବାକୁ ।

 

ରାତି ନାହିଁ । ଦିନ ନାହିଁ । ବର୍ଷା ନାହିଁ । ଦାଶିଆକା ଓ ସୁଲି ଘର ଘର ବୁଲି ମାନସ ସପକ୍ଷରେ ଭୋଟ ଦେବାକୁ ବୁଝାଉଛନ୍ତି ।

 

ଖରାର ତେଜ କମି ଆସୁଛି । ସୂର୍ଯ୍ୟ ମଥାନଉପରୁ ପଛପଟକୁ ଢଳି ପଡ଼ିଲେଣି । ଚାଷୀମାନେ ବିଲ କାମସାରି କିଏ କିପରି ଘରମୁହାଁ ହୋଇ ଘରକୁ ଫେରୁଛନ୍ତିତ କିଏ ଆଗରୁ ଫେରି ଗଣ୍ଡେ ଖାଇ ସାରି ଦାଣ୍ଡଦୁଆରେ ବସି ଆଡ଼ଖରାକୁ ପିଠି ଦେଖାଇ ବଟୁଆ ଫିଟାଇ ପାନ ଖାଉଛନ୍ତି । କେତେ ଜଣବି ଏକାଠି ବସି ବର୍ତ୍ତମାନର ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି ।

 

ସେପଟ ସାଇଆଡ଼ୁ ଫେରିଲେ ସୁଲି ଆଉ ଦାଶିଆକା । ଦେଖିଲେ ଏପଟ‌ ସାହିରେ କେତେ ଲୋକ ବସି ଆଲୋଚନା ରତ । ତେଣୁ ସେମାନେ ଲୋକମାନଙ୍କ ପାଖରେ ପହଞ୍ଚି ମାନସକୁ ଭୋଟ ଦେବାପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଦାଶିଆକା ଚିହ୍ନାଇ ଦେଲା ସୁଲିକୁ ।

 

ସ୍ଵାଧୀନ ଚେତା ଲୋକେ ଉଚିତ କଥା କହିବାକୁ ନ ପଛେଇ, କହିଲେ–ଦାଶିଆକା ! ଆପଣମାନେ ଏ ସବୁ ବୁଝାଇବା ଆଦୌ ଉଚିତ ନୁହେଁ । କାରଣ ଆମେ ମାନସବାବୁଙ୍କୁ ଭଲକରି ଜାଣୁ । ଆମମାନଙ୍କୁ ଉମାଶଙ୍କରବାବୁ ଏବଂ ହରି ମିଶ୍ରଙ୍କ ଦାଉରୁ ରକ୍ଷା କରିଛନ୍ତି ସେ । ଆମେ ସ୍କୁଲ୍‍କୁ ପୂଜା ନେଇନଥିଲୁ । ସ୍କୁଲ୍‍ର ଅଭାବ ଯୋଗୁଁ ଖଡ଼ି ଛୁଇଁବା ସୁଯୋଗରୁ ବଞ୍ଚିତ ହୋଇଥିଲୁ । ଆମ ପିଲା ପାଠ ପଢ଼ିବାପାଇଁ ସ୍କୁଲ୍‍ ବସାଇ ଦେଲେ । ରୋଗରେ ଲୋକ ଶଢି ଶଢ଼ି ମରୁଥିଲେ । ଆମପାଇଁ ଡାକ୍ତରଖାନା କରିଦେଲେ । ବଢ଼ି ମରୁଡ଼ିରେ ଫସଲ ସବୁ ନଷ୍ଟ ହେଉଥିଲା । ତା’ର ନିରାକରଣ ପାଇଁ ବନ୍ୟା ପ୍ରତିରୋଧକ ବନ୍ଧ ନଈ ଦାଢ଼େ ତିଆରି କରିବା ସଙ୍ଗେ ସଙ୍ଗେ ମରୁଡ଼ିପାଇଁ ଜଳସେଚନର ବ୍ୟବସ୍ଥା କରିଦେଇଛନ୍ତି । ଯାତାୟାତ ପାଇଁ ଗାଁକୁ ରୋଡ଼୍ ପଡ଼ିଲା । ବସ୍ ଯିବାଆସିବା କରୁଛି । ଗରିବ ଲୋକମାନଙ୍କୁ ବିଭିନ୍ନ ଧରଣର ଋଣ ମିଳୁଛି । ଗାଁ ଗାଁକେ କୂଅ ପୋଖରୀ ଖୋଳାଇଲେ । ମାନସବାବୁଙ୍କୁ ଆମେ ଭୋଟ ନ ଦେଲେ ଆମକୁ ଦଇବ ସହିବଟି ? ହେଲେ ଘର ଢିଙ୍କି କୁମ୍ଭୀର ।

 

ମାନସବାବୁ ହରି ମିଶ୍ରଙ୍କ ଘରେ ରୁହନ୍ତୁ । ତାଙ୍କ ଝିଅ ମାନସବାବୁଙ୍କ ପାଇଁ ଭୋଟ ପ୍ରଚାର କରନ୍ତୁ । ମିଶ୍ରେ ଘରେ ଘରେ ପଶି ମାନସବାବୁଙ୍କୁ ଭୋଟ ନ ଦେବାପାଇଁ ଲୋକମାନଙ୍କ କାନରେ କହିଦେଇ ଯାଆନ୍ତୁ । ଇଏ କୋଉ ନ୍ୟାୟହେ । ଏପରି ଘଟଣା ଆମ ପାଖି କେବେ ଦେଖିନଥିଲା କି କାନ କେବେ ଶୁଣି ନଥିଲା । ହୟ ଦାଶିଆକା ! ତୁମେବି ହରି ମିଶ୍ରଙ୍କ ଭେଳିକି ବିଦ୍ୟାରେ ଭୁଲିଗଲ । ତା’ ନ ହୋଇଥିଲେ ତାଙ୍କ ଘରେ ମାନସବାବୁ ରହିଥାନ୍ତେ ? ମାନସବାବୁଙ୍କର ତୁମେ ବାପଭଳି ବାପ । ଏତେ ଦୁଃଖ କଷ୍ଟ ସହି ମଣିଷ କରେଇଲ ଅଥଚ ଶେଷ ମୁହୂର୍ତ୍ତରେ ଅବାଟରେ ବାଟେଇ ଦେଇ ନୀରବ ରହିଲ ?

 

ଦାଶିଆକା କିଛି କହିବା ପୂର୍ବରୁ ସୁଲି କହିଲା–

 

ଭାଇମାନେ ! ଯିଏ ଯାହା ସିଏ ତାହାହିଁ ହେବ । ଆପଣମାନେ ନିମ୍ବ ଗଛ ମୂଳରେ ଗରାଗରା ମହୁ ଢାଳିଲେବି ନିମ୍ବ ମିଠା ଲାଗିବନି । ବାଉଁଶ ଗଛରେ ମଳୟ ଲାଗିଲେବି ସେ ଚନ୍ଦନ ହେବନି । ହରି ମିଶ୍ର ମୋ ବାପା ହେଲେବି ତାଙ୍କ ଅପକର୍ମକୁ ମୁଁ ଘୋଡ଼େଇ ରଖିବାକୁ ଚାହେଁନି । କାରଣ କେଉଁ କଥା କେବେ ଲୁଚି ରହେନି । ସମୟ କ୍ରମେ ତାହା ଦିନେନା ଦିନେ ଲୋକଲୋଚନରେ ପ୍ରକାଶ ପାଏ । ତେଣୁ ମୁଁ କାହିଁକି ମୋ ବାପାଙ୍କ ଗୁଣଗାରିମା ଲୁଚାଇ ଆପଣମାନଙ୍କ ପାଖରେ ହାସ୍ୟାସ୍ପଦ ହେବି ? ଆପଣମାନେ ମାନସବାବୁଙ୍କୁ ଭୁଲ୍ ବୁଝିଛନ୍ତି । ସେ ଆମ ଘରେ ରହୁଛନ୍ତି ବୋଲି ଭୁଲବାଟରେ ଯାଇଛନ୍ତି ଭାବିବା ଆଦୌ ଠିକ୍ ନୁହେଁ । ମୋ ବାପା ହେଉଛନ୍ତି ହଳାହଳ । ତାଙ୍କ ଜ୍ଵାଳାରେ ଅନେକ ଲୋକ ବଡ଼ଦାଣ୍ଡରେ ବସିଛନ୍ତି । ଆଉ ଅନେକ ଲୋକବି ତାଙ୍କର ଶିକାର ହୋଇଛନ୍ତି । ଏଥିପାଇଁ ସେ ଏକମାତ୍ର ଦାୟୀ, ତା’ ନୁହେଁ । ଅନେକ ପରିମାଣରେ ଦାୟୀ ହେଉଛନ୍ତି ଯେଉଁମାନେ ତାଙ୍କର ଶିକାର ହେଉଛନ୍ତି । କାରଣ ଆମେ ସ୍ଵତଃପ୍ରବୃତ୍ତଭାବେ ବାଘ ମୁହଁକୁ ଯିବା, ସେ ଆମକୁ ଭକ୍ଷଣ ନ କରି କଦାପି ଛାଡ଼ିବ ନାହିଁ ।

 

କାଳର ପ୍ରବାହରେ ଅନେକ ଘଟଣା ଘଟିଯାଇଛି ।

 

ପଛକଥାକୁ ଦୋହରେଇଲେ କ୍ଷତି ଛଡ଼ା ଲାଭ ହୁଏନି ।

 

ତେଣୁ ସେ ସବୁକୁ ମନରୁ ପାସୋରି ଦେଇ ଆପଣମାନେ ମୋ ବାପାଙ୍କ ପ୍ରତି ସତର୍କ ରୁହନ୍ତୁ । ତାଙ୍କୁ ସବୁ କାର୍ଯ୍ୟରେ ଅସହଯୋଗ କରନ୍ତୁ । ଏପରିକି କଥାବାର୍ତ୍ତା ମଧ୍ୟ କରନ୍ତୁ ନାହିଁ । ଦେଖିବେ ଆମେମାନେ କ’ଣ କରୁଛୁ ।

 

ହାଡ଼ି ବାଇଦ କୋଶେ । ତୁଣ୍ଡବାଇଦ ସହସ୍ର କୋଶ ।

 

ସେ ଦିନର ଆଲୋଚନା ମାନସ କାନରେ ବାଜିଲା । ନିର୍ବାଚନଟା ଆଗରେ ଥିବାରୁ ଏ ସମ୍ପର୍କରେ ବେଶୀ ବାଦାନୁବାଦ ଏବଂ ଆଲୋଚନା ନ କରିବାକୁ ସୁଲିକୁ ବାରଣ କଲା । ମାନସର ଏତାଦୃଶ କୌଶଳକୁ ଦାଶିଆ ମଧ୍ୟ ପୂର୍ଣ୍ଣ ପ୍ରାଣରେ ସମର୍ଥନ କଲା ।

 

ବିରାଡ଼ି ଆଖି ବୁଜି ଠେକିରେ ମୁହଁ ବୁଡ଼େଇ ଦୁଧ ପିଇବା ଭଳି ହରି ମିଶ୍ରେ ଲୋକମାନଙ୍କ ମନରେ ମାନସ ପ୍ରତି ଖରାପ ଭାବନା ସୃଷ୍ଟି କରେଇବାକୁ ଉଦ୍ୟମ କଲେ ।

 

ଲୋକ ଶକ୍ତିକୁ ରାଜଶକ୍ତି ପାଏନା । ଲୋକଙ୍କ ମନରେ ଯେଉଁ ଛାପାଟା ପ୍ରଥମେ ଛାପି ହୋଇଯାଏ, ତାହା ସହଜରେ ଲିଭେନି । ଧମକଚମକ ଟଙ୍କାପଇସା ଦେଇ ମଧ୍ୟ ଲୋକଙ୍କୁ ବଦଳେଇ ହୁଏନି ।

 

ହରି ମିଶ୍ରେ ଅତ୍ୟନ୍ତ ସୁବିଧାବାଦୀ । ଭୟାନକଭାବେ ଚାଲାକ ଚତୁର । ସମାଜରେ ବିଛେଇ ହୋଇଥିବା ଅଦେଖା କଳାଜାଲର ଏକ ମଜବୁତ୍ ଗଣ୍ଠି ।

 

ସୁଲି, ମାନସ, ଦାଶିଆକା ପ୍ରତିଦିନ ନିର୍ବାଚନ ପ୍ରଚାରରୁ ଫେରି ହରି ମିଶ୍ରଙ୍କ କୂଟନୀତି ପ୍ରୟୋଗର କଳ କୌଶଳ ଜାଣି ନ ଜାଣିଲା ପରି ନିର୍ବାଚନରେ କିପରି କ’ଣ କରାଯିବ ତା’ର ବିଚାର ତାଙ୍କୁ ମାଗନ୍ତି । ସେ ମାନସର ଅତି ଆପଣାର ଲୋକ ପରି ଭାବ ପ୍ରଦର୍ଶନ କରି ସେମାନଙ୍କୁ ୟା’କର ତା’କର ବୋଲି ଉପଦେଶ ଦିଅନ୍ତି । ତାଙ୍କ ଉପଦେଶରେ କେତେ ଯେ ଆନ୍ତରିକତା ଭରି ରହିଥାଏ, ତାହା ସେ ମାପିବାକୁ କେବେ ଚେଷ୍ଟା କରନ୍ତି ନାହିଁ । କାରଣ ହରି ମିଶ୍ରଙ୍କୁ ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ଶତ୍ରୁତା କରେଇବା ଅର୍ଥ ମୂର୍ଖତା ।

 

ଆକାଶରେ ଅନେକ ମେଘ । ମେଘର ଗୁଡ଼ୁଗୁଡ଼ୁ ଗର୍ଜନ । ସାଇଁସାଇଁ ଅଦିନିଆ ବତାସ-। ଗଛ ସବୁ ଭୂତ ଲାଗିଲାଭଳି ଝାଙ୍କି ହେଉଛନ୍ତି । ଆକାଶଟା ମାଡ଼ି ପଡ଼ୁଛି ପୃଥିବୀ ଉପରେ-। ସତରେ ଆକାଶଟା ମାଟି ଉପରେ ଲୋଟି ପଡ଼ିବା ଭଳି ଜଣା ପଡ଼ୁଛି । କିଏ ଜାଣେ କ’ଣ ହେବ ଏଡ଼େ ବଡ଼ ବାଆ ବତାସରେ ।

 

କ’ଣ ହେବ ନ ହେବ ଭାବିବାକୁ ସମୟ ମିଳିଲାନି କାହାକୁ । କୋକୁଆଭୟ ପଡ଼ିଗଲା ଚାରିଆଡ଼େ । ରକ୍ଷାକର, ରକ୍ଷାକରର ଆର୍ତ୍ତ ଚିତ୍କାର ସବୁରିଙ୍କ କଣ୍ଠରେ । ଅଣଚାଶ ପବନ । ତା’ ସାଙ୍ଗକୁ ନିର୍ଘାତିଆ ମେଘ । ମେଘ ସହିତ ବିଜୁଳିର ତାଣ୍ଡବ ଲୀଳା । ବାହାରକୁ ବାହାରି ହେଉନି । ଘନଘନ ସନସନ ମେଘ ଗର୍ଜନରେ କାନଅତଡ଼ା ପଡ଼ିଯାଉଛି । ପବନର ପ୍ରଖର ବେଗରେ ଗଛର ଡାଳପତ୍ର ଭାଙ୍ଗି ଗଗନମାର୍ଗରେ ଉଡ଼ି ବୁଲୁଛି ।

 

ଘରର ଚାଳ ଛାତ ଉଡ଼ିଯିବାରୁ ଛାତ ଶୂନ୍ୟ ଘରର ବାସିନ୍ଦାମାନେ ପ୍ରାଣ ହରେଇ ପଡ଼ି ରହିଛନ୍ତି ଘର ଭିତରେ । ବର୍ଷା ମାଡ଼ ଖାଇ ଘରର କାନ୍ଥଗୁଡ଼ାକ ଦୁଲ୍‍ଦାଲ୍ ଭୁଶୁଡ଼ି ପଡ଼ୁଛି ତାଙ୍କରି ଉପରେ । ଆଟୁଘରର ଲୋକେ କିଛି ସମୟପାଇଁ ଦମ୍ ନେଇଥିଲେବି ସେଥିରୁ ଅନେକ ରକ୍ଷା ନ ପାଇ ଭେଦରେ ପଡ଼ି ଯାଇଛନ୍ତି ।

 

ପବନ କମିଲା । ବରଷା ଥମିଲା I ବର୍ଷାକୁମାରୀ ତା’ର ନୃତ୍ୟରୁ ବିରତ ହୋଇ ବିଶ୍ରାମ ନେଲା ବାଦଲ କୋଳରେ । ଯୁଆଡ଼େ ଚାହିଁବ ବାହିକି ବାହି ଘର ଭୂଲୁଣ୍ଠିତ ହୋଇଛି । ବୃକ୍ଷରାଜି ମୂଳରୁ ଉପୁଡ଼ି ପଡ଼ିଛନ୍ତି । ଗଦାଗଦା ପଚା ଶବର ଦୁର୍ଗନ୍ଧରେ ନାକରୁ ହାତ କାଢ଼ି ହେଉନି । ପଚାଶବ ଭକ୍ଷକ କୁକୁର, ବିଲୁଆ, ଶାଗୁଣାମାନେ ମଧ୍ୟ ବଞ୍ଚିବାର ସୁଯୋଗରୁ ବଞ୍ଚିତ ହୋଇଛନ୍ତି ।

 

ହଠାତ୍ ଏପରି ପ୍ରାକୃତିକ ବିପର୍ଯ୍ୟୟରେ ମାନସ ମୁହଁରେ ହତାଶାର କାଳିମା । ଦାଶିଆକା ଓ ସୁଲି ମୁହଁରେ ଦୁଇଦିନ ତଳେ ଫୁଟି ଉଠିଥିବା ଆନନ୍ଦ ଟିକକ ଧୋଇ ଯାଇଛି ।

 

ଲକ୍ଷ୍ମୀ ଅନୁଭବ କରୁଛି ସେ ପାଇଥିବା ଅମୂଲ୍ୟ ନିଧିକୁ ହଜେଇ ଦେଇଛି ।

 

ହରି ମିଶ୍ରେ ସୁଯୋଗ ପାଇ କହି ବୁଲିଲେଣି, କୋଟେଇତୁଣୀ ପୁଅ ଯଦି ରାଜ୍ୟର ରାଜାହେବ, ସେ ରାଜ୍ୟରେ କୁଆଡ଼େ ଭଲ ପାଳକ ହେବ ? ପ୍ରଜାଏ କିପରି ଶାନ୍ତିରେ ରହିବେ ? ଅକପାଳିଆଟାର କପାଳ ଫିଟି ଯାଇଛି । ତା’ କପାଳରେ ପୁଣି ବଜ୍ର‌ ନ ପଡ଼ିବ ବୋଲି କିଏ କହିବ-? ତୁମେମାନେ ମୋ ବୋଲ ମାନିଲ ନାହିଁ । ଏବେ ଫଳ ଭୋଗ । ମୁଁ ନାହିଁ କରୁଛି ସେଇଟାକୁ ଭୋଟ ଦିଅନା । ଭୋଟ ଖଣ୍ଡକର ମୂଲ୍ୟ କେତେ, ସେ କଥା ତୁମେ କାହୁଁ ଜାଣିବ । ଜାଣିବା ଲୋକେ ଜାଣିବେ । ମାନସ ତୁମକୁ ଟଙ୍କା ଦେଇଦେଲା ବୋଲି ତା’ର ପଢ଼ାରେ ତୁମେ ପଡ଼ିଗଲ-। ଆଗପଛ କିଛି ବିଚାର କଲନି । ଏବେ ଦେଖ ସରପଞ୍ଚ ହଉ ହଉ କିପରି ଲୋକମାନଙ୍କୁ ବିପତ୍ତି ପଡ଼ିଲା ।

 

ଲୋକମାନଙ୍କ ଦୁଃଖଦୁର୍ଦ୍ଦଶା କହିଲେ ନ ସରେ । ବାସହୀନ ହୋଇ ବାହାରେ ପଡ଼ିଛନ୍ତି-। ପିନ୍ଧିବା ଲୁଗା ବ୍ୟତୀତ ପାଲଟିବାକୁ ଖଣ୍ଡେ ଦୋହରା ଲୁଗା ନାହିଁ । ଖାଦ୍ୟ ବିନା ପାଟୁପାଟୁ ହେଉଛନ୍ତି । କାହାର ହୃଦୟ ସହିବ ଏ ଦୁଃଖ ଦେଖି ।

 

ମାନସ ମନର କ୍ଳାନ୍ତପକ୍ଷୀ ନିରିମାଖି ଆଖିରେ କାହାକୁ ଚାହିଁ ପାରିଲାନି । ଉପଲବ୍ଧି କଲା ଲୋକମାନଙ୍କ ପାଇଁ ସାହାଯ୍ୟ ନିହାତି ଆବଶ୍ୟକ । ବସିଲେ ହେବନି । ସେମାନଙ୍କ ପାଇଁ କିଛି କରିବାକୁ ହେବ । ନିରୀହ ଲୋକମାନଙ୍କ ମୁହଁରେ ମୁଠାଏ ଅନ୍ନ ନ ଧରାଇଲେ ସେମାନଙ୍କ ପ୍ରାଣବାୟୁ ଉଡ଼ିଯିବ ।

 

ମାନସ ଏକବାରେ ଏକଜିଦିଆ । ସୁଲି ଏବଂ ଦାଶିଆକାକୁ ଡାକିଲା । ସେମାନେ ସାଙ୍ଗରେ ଗଲେ । ଏମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ସେଠାରେ ଜିଲ୍ଲାପାଳ ଓ ଅନୁବିଭାଗୀୟ ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀମାନେ ବାତ୍ୟା ସାହାଯ୍ୟ ଧରି ପହଞ୍ଚି ସାରିଥିଲେ ।

 

ବତାସ ନାହିଁ । ମେଘ କମିବି ପୂରାମାତ୍ରାରେ କମି ନଥାଏ । ସୂର୍ଯ୍ୟ ବେଳେବେଳେ ମୁହଁ ଦେଖେଇ ଲୁଚି ଯାଉଛି । ବେଳେବେଳେ ଘଡ଼ଘଡ଼ି, ବିଜୁଳି ଓ ମେଘ । ମେଘ ସହିତ ବିଜୁଳି । ବିଜୁଳି ସାଥିରେ ଝରଝର ହୋଇ ଝରି ପଡ଼ୁଥାଏ ରକ୍ତମିଶା ବରଷାର ଜଳ । ନଈ ଜିଅନ୍ତା । ସୁଅ ପ୍ରଖର । ଜଳଭଉଁରି କାଟୁଛି । ବାଟଘାଟ ଖସଡ଼ା । ପଙ୍କ ପାଚୁ ପାଚୁ । ଯୁଆଡ଼େ ଗୋଡ଼ ପକେଇବ ସିଆଡ଼େ ଗୋଡ଼ ଖସୁଛି ।

 

ଜିଲ୍ଲାପାଳ ଭାରି ଭଲ ମଣିଷ । ବୟସର ଧାନ କିଆରିରେ ସେ ପାଚିଲା ଫସଲ । ଲୋକେ ଚଳଉଛନ୍ତି । ଜନସାଧାରଣଙ୍କ ଦୁଃଖସୁଖ ସହିତ ସେ ସବୁବେଳେ ସଂଶ୍ଳିଷ୍ଟ । ଜନସାଧାରଣଙ୍କ ଦୁଃଖ ମୋଚନ କରିବା ତାଙ୍କର କର୍ତ୍ତବ୍ୟ । ସେ ମଥାନପୁରର ସରପଞ୍ଚ ମାନସ କୁମାର ରାୟଟସିଂହଙ୍କ ଠାରୁ ମଥାନପୁରର ଖବରପାଇ ନିଜେ ରିଲିଫ୍‌ଧରି ବାହାରି ପଡ଼ିଲେ ଘଟନାସ୍ଥଳକୁ । ତାଙ୍କ ସହିତ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଅନ୍ୟମାନେ ।

 

ମଥାନପୁରକୁ ଆସିବାକୁ ହେଲେ ତିନି ତିନିଟା ନଈ ଡେଇଁ ଆସିବାକୁ ପଡ଼ିବ । ପାଦରେ ଚାଲିବାକୁ ହେବ । ପାଦ ଚିପି ଚିପି ନ ଚାଲିଲେ ଗୋଡ଼ ଖସିବାର ବହୁତ ସମ୍ଭାବନା ।

 

ଆଗରେ ଦାଶିଆକା । ପଛରେ ସୁଲି । ତା’ ପଛରେ ମାନସ ଓ ଅନ୍ୟମାନେ । କୌଣସି ପ୍ରକାରେ କଷ୍ଟେମଷ୍ଟେ ନଈନାଳ ଡେଇଁ ଆସି ପହଞ୍ଚିଲେ ମଥାନପୁରରେ । ପହଞ୍ଚି ଜିଲ୍ଲାପାଳ ସାହେବ ଯାହା ଦେଖିଲେ ତାଙ୍କ ଆଖିକୁ ବିଶ୍ଵାସ କରିପାରିଲେନି । ସାଇ ସାଇ ଘର ଘର ବୁଲି ଆସିଲେ । ପୋଚା ମୁର୍ଦ୍ଦାର ଗନ୍ଧରେ ନାକ ତାଙ୍କର ଫାଟିଗଲା । ବାନ୍ତି କରି ପକାଇଲେ । ସେ ଯେତିକି ରିଲିଫ୍ ଦ୍ରବ୍ୟ ଆଣିଥିଲେ ତାହା ମଥାନପୁରର ଦୁର୍ଗତ ଲୋକଙ୍କପାଇଁ କିଛି ନୁହେଁ ଉପଲବ୍ଧି କରି ନିଜେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଧିକ ସାହାଯ୍ୟ ଆଣି ଲୋକଙ୍କ ପାଖରେ ପହଞ୍ଚାଇଲେ-

 

ଲୋକମାନେ ନିଜ ନିଜ ମଧ୍ୟରେ ସୁସମ୍ପର୍କ ରକ୍ଷାକରି ରିଲିଫ୍ ବଣ୍ଟନ କାର୍ଯ୍ୟ ଚଳାଇଛନ୍ତି-। ସେମାନଙ୍କ ସହିତ ଦାଶିଆକା ଓ ସୁଲି ଅଣ୍ଟା ଭିଡ଼ି କାମ କରୁଛନ୍ତି । ଲକ୍ଷ୍ମୀ ଦଳେ କଲେଜର ସେବାଦଳ ଛାତ୍ରମାନଙ୍କ ସହିତ ମିଶି ମୁର୍ଦ୍ଦାର ପୋଡ଼ିବାରେ ଲାଗିପଡ଼ିଛି ।

 

ସରକାରୀ ସାହାଯ୍ୟ ପହଞ୍ଚିବା ପରେ ଲୋକମାନଙ୍କ ଦୁର୍ଦ୍ଦଶ କିଞ୍ଚିତ୍‍ଭାବେ ଲାଘବ ହେଲା । ରିଲିଫ୍ କେନ୍ଦ୍ରମାନ ଖୋଲାଯାଇ ଦୁର୍ଗତ ଜନସାଧାରଣଙ୍କୁ ଦୁଇମାସ ପର୍ଯ୍ୟନ୍ତ ରିଲିଫ୍ ଦିଆଯିବାର ବ୍ୟବସ୍ଥା କରାଗଲା ।

 

ଅନିଚ୍ଛା ଏବଂ ଉପର ଠାଉରିଆଭାବେ ହରି ମିଶ୍ରେ ଲୋକମାନଙ୍କ ପାଖେ ପହଞ୍ଚି ରିଲିଫ୍ ବାଣ୍ଟିବା ସଙ୍ଗେ ସଙ୍ଗେ କହିବୁଲିଲେ–ମହାପାପ । ରିଲିଫ୍ କିଏ ନିଏ । କାହାକୁ ଦିଆଯାଏ । ରିଲିଫ୍ ଚୁଡ଼ାଚାଉଳ ନେଇ ଖାଇବାମାନେ ମହାପାପ ଅର୍ଜନ କରିବା ସଙ୍ଗେ ସମାନ । ସରକାର ଘରୁ ଆସିଛି ଯେତେବେଳେ ଛାଡ଼ିବ କାହିଁକି ? ହେଲେ ବ୍ରାହ୍ମଣକୁ କିଛି ଦାନ ଦେଇ ଖାଇଲେ ପାପଟା ମୋଚନ ହୋଇଯିବ ।

 

ଧର୍ମଭୀରୁ ମଣିଷଙ୍କ ମନରେ ଏହା ଏକ ମହାଭୟର କାରଣ । ପ୍ରକୃତରେ ରିଲିଫ୍ ଚାଉଳ ଖାଇବା ଦୂରେ ଥାଉ, ଛୁଇଁଲେ ମହାଦେବ ତା’ଠୁ ପାଣି ପାଇବେ ନାହିଁ । ଲୋକ ଜାଣିଲେ ତାଙ୍କୁ ଦେଉଳରେ ପ୍ରବେଶ କରାଇବେ ନାହିଁ । ଜାତି ପାଟକରେ ଧରା ହେବେ । ଦୁଆରେ ଛାମୁଣ୍ଡିଆ ବାନ୍ଧି ଭୋଜି ମାଗିବେ । ପୁଅ ଝିଅ ବାହାଘରବେଳେ ପା ଶହ ହଜାରେ ଜୋରିମାନା ନେବେ ।

 

କାହିଁକି ଏ ମହାପାପରେ ଭାଗୀହେବେ । ତେଣୁ କେହି ରିଲିଫ୍ ନେବାକୁ ମଙ୍ଗିଲେ ନାହିଁ-। ଯିଏ ନେଲେ ତାଙ୍କ ନାଁ କାହା ଆଗରେ ନ କହିବାପାଇଁ ଅଧଲାଏ କି ସୁକିଏ ମିଶ୍ରଙ୍କୁ ହାତଗୁଞ୍ଜା ଦେଇ ରିଲିଫ୍ ଚାଉଳ ନେଲେ । ଯେଉଁମାନେ ନ ନେଲେ କଣାବୁରୁନ୍ଦା ବାଁ ଡାହାଣ ହାତରେ ରିଲିଫ୍ ଖାତାରେ ଦସ୍ତଖତ କରି ବଳିଥିବା ଚୁଡ଼ାଚାଉଳ ନେଇ ବାରିପଟିଆ ମିଶ୍ରଙ୍କ ଘରେ ଥୋଇଲା ।

 

ମିଶ୍ରଙ୍କ ଘର ମୁଖ୍ୟ ରିଲିଫ୍ କେନ୍ଦ୍ର । ସେଇଠି ସବୁ ଚୁଡ଼ା ଓ ଚାଉଳ ରହେ । ସେଠାରୁ ସବୁ ଗ୍ରାମକୁ ଯାଏଁ ବଣ୍ଟା ହେବାକୁ । ଏହି ଦାୟିତ୍ଵରେ ମାନସ ନିଜେ ଅଛି ଏବଂ ସବୁ ରିଲିଫ୍ ଦ୍ରବ୍ୟ ମଧ୍ୟ ସେ ନିଜେ ଦସ୍ତଖତ କରି ଆଣିଛି । କୁଆଡ଼େ କେତେ ଗଲା ଓ କାହାକୁ କେତେ ଦିଆଗଲା ସୁଲି ତା’ର ହିସାବ ରଖୁଛି ।

 

ରାତିଅଧିଆ ବୁଦ୍ଧିଟାଏ କଣାବୁରୁନ୍ଦା ମୁଣ୍ଡରେ ଜୁଟିଗଲା । ମୁଣ୍ଡ ତା’ର ଗଲଗଲ ହେଲା-। ଖୁସୁରୁମୁସୁରୁ ହୋଇ ମୁନ୍ଦୁରାରୁ ଉଠି ମିଶ୍ରଙ୍କ ଶୋଇବା ଘରକୁ ଗଲା । ମିଶ୍ରଙ୍କ ଆଖିକୁ ଭଲ ନିଦ ହୋଇନଥାଏ କୁଆଡ଼ୁ କିପରି କିଛି ଧନ ମାରିବା ଚିନ୍ତାରେ । କଣାବୁରୁନ୍ଦାର ଆବିର୍ଭାବ ଦେଖି, ହଠାତ୍ ସେ ଧରିନେଲେ ଏବଂ ଉଠି ପଡ଼ି ଦୁହେଁ କିଛି ସମୟ କଥାବାର୍ତ୍ତା ହୋଇ କୁଆଡ଼େ ଉଠି ଅଗ୍ରସର ହେଲେ ।

 

ରାତାରାତି କାମ ସାଫ । ସକାଳ ପାଇଲାବେଳକୁ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି ରିଲିଫ୍ ଦ୍ରବ୍ୟ ଚୋରୀ ହୋଇଯାଇଛି । କିଛିବି ନାହିଁ ।

 

ମାନସ ମୁଣ୍ଡରେ ହାତ ଦେଇ ବସିଲା । ସୁଲି ଆଉ ଦାଶିଆକା ପାଟିରୁ କଥାବାହାରୁ ନଥାଏ । ହଠାତ୍ ଏପରି ଘଟଣା ଘଟିଯିବାରୁ ସମସ୍ତେ ମର୍ମାହତ ହୋଇ ପଡ଼ିଲେ । କେତେକ ଲୋକ ଏପରି ଘଟଣା କିପରି ଘଟିଲା ତା’ ଜାଣିବାପାଇଁ ଉଦ୍ୟମ କରୁଥିବାବେଳେ ଆଉ କେତେକ ଲୋକ ମାନସ ବିରୁଦ୍ଧରେ କୁତ୍ସାରଟନା କଲେ ।

 

ସକାଳୁ କେହି ନ ଉଠିବା ପୂର୍ବରୁ କଣାବୁରୁନ୍ଦା ହଳଧରି ବିଲକୁ ଗଲା । ଡେରିରେ ଉଠି ମିଶ୍ରେ ଅଧୁଆମୁହଁରେ ଦାଣ୍ଡଦୁଆରକୁ ଯାଇ କିଛି ନ ଜାଣିଲା ପରି ମାନସକୁ ଏତେ ଲୋକ ଦାଣ୍ଡଦୁଆର‌ରେ ରୁଣ୍ଡହେବାର କାରଣ ପଚାରିଲେ ।

 

ମାନସ ପରିସ୍ଥିତି ସମ୍ପର୍କରେ ଅବଗତ କରାଇ ସାରିବା ପରେ ମିଶ୍ରେ ଘର‌ ଭିତରକୁ ପଶିଯାଇ ନିତ୍ୟକର୍ମ ସାରି ଲୁଗାପଟା ପିନ୍ଧି ଘଡ଼ିକ ପରେ ପୁଣି ଦାଣ୍ଡଦୁଆରକୁ ଫେରି ମାନସକୁ କହିଲେ–ପୁଅ ! ଘଟଣାଟାକୁ ଏତେ ଛୋଟ ମଣନା । ଗରିବ ଲୋକଙ୍କ ଖାଇବା ଦାନାକୁ ସରକାର ଘରୁ ହାତକାଟି ଲେଖିଦେଇ ଆଣିଛ । ମୁହଁ ମାରି ବସିବାବେଳେ ଏ ନୁହେଁ । ତୁରନ୍ତ ଯାଇ ଥାନାରେ ଏତଲା ଦିଅ ।

 

ମିଶ୍ରେ ଚାଲିଲେ ତାଙ୍କ କାର୍ଯ୍ୟରେ । ମାନସ ଥାନାରେ ଏତଲା ଦେବାକୁ‌ ପ୍ରସ୍ତୁତ ହେଲା, ମାତ୍ର ଏତଲାରେ କି ପ୍ରକାର କାରଣ ଦର୍ଶାଇବ ଜାଣି ନ ପାରି କିଛି ସମୟ ଅନ୍ୟମାନଙ୍କ ବିଚାର ଅପେକ୍ଷାରେ ରହିଗଲା ।

 

ଯୁଗନେଇ ଧର୍ମ । କଳିଯୁଗରେ ଅଧର୍ମର ଜୟ ।

 

ଦୀର୍ଘଦିନ ଛାଡ଼ବାଡ଼ ପରେ ହଠାତ୍ ମିଶ୍ରଙ୍କୁ ଉମାଶଙ୍କରବାବୁ ତାଙ୍କ ଦୁଆରେ ଦେଖି ଆଦରର ସହିତ ଘରକୁ ଡାକିଲେ । ବୋଧେ ଉମାଶଙ୍କରବାବୁଙ୍କର ପୂର୍ବ କଥା କିଛି ମନେ ନଥିଲା, ଭୁଲି ଯାଇଥିଲେ । ଉମାଶଙ୍କରବାବୁ ମିଶ୍ରଙ୍କୁ ଚା’ ପାନରେ ଆପ୍ୟାୟିତ କରୁ କରୁ ମିଶ୍ରେ ବାରଣ କରି କହିଲେ–ନାହିଁହେ ନାଏବବାବୁ ! ଖାଇବା ପିଇବା ବଡ଼କଥା ନୁହେଁ । କେତେ ଦିନକରେ ମୁଁ ଆଜି ଆପଣଙ୍କ ଘରେ ପାଦ ଦେଇଛି । କାହିଁକି ଆସୁ ନଥିଲି, ଆଜି ପୁଣି କାହିଁକି ଆସିଲ ଏ କଥା ନ ବୁଝି ଆପଣ ଯୋଉ ଖାଇବା ପିଇବାର ବ୍ୟବସ୍ଥା କରି ଦେଉଛନ୍ତି, ମୋ ବିବେକ ମୋତେ ପୂରାମାତ୍ରାରେ ମନା କରୁଛି ଏ ଘରୁ କିଛି ଖାଇବାକୁ । ଏପରିକି ଜଳବି ସାରିବାକୁ । କେତେଦିନର ସମ୍ପର୍କ ଆମର । କାହା ଯୋଗୁଁ ଛାରଖାର ହୋଇଛି । ଏଥିପାଇଁ ଦାୟୀ କିଏ ? ଆପଣ ପର ମୁଲକରୁ ଏ ମୁଲକକୁ ଆସିଛନ୍ତି ବୋଲି ମାଡ଼ିମୁଡ଼ି ହୋଇ ଲାଞ୍ଜ ଯାକି ଘରେ ରହିଗଲେ କିନ୍ତୁ, ମୁଁ ଏଇଠାର ଲୋକ । ସେମାନେ ଯୋଉ ବୁଦାର ମୂଳ । ମୁଁ ସେଇ ବୁଦାର‌ ବାଉଁଶ । କାହାର ସିନା ପାଟିରେ ଦାନ୍ତ ମୁଅର ପରା ପେଟରେ ଦାନ୍ତ । ହରି ମିଶ୍ରକୁ ଅଶାନ୍ତି କରେଇ କିଏ ଇମିତି ସୁଖରେ ରହିବ । ଅବଶ୍ୟ ତୁମେ ମୋତେ ଭୁଲ୍ ବୁଝୁଥିବ । ମନରେ ମୋ ପ୍ରତି ରାଗ ରଖିଥିବ । ରାଗ । ଭୁଲବୁଝ । ମୋର ଆପତ୍ତି ନାହିଁ । ମୁଁ ମୋର କର୍ତ୍ତବ୍ୟ କରିଚାଲିଛି ।

 

ମିଶ୍ରେ କଥା କହିବାର ଢାଞ୍ଚାକୁ ବଦଳେଇ ଦେଇ ଉମାଶଙ୍କରବାବୁଙ୍କ ପାଖକୁ ଲାଗିଯାଇ କହିଲେ–ହୟ ! ଶତ୍ରୁକୁ ସାଧିବାକୁ ହେଲେ ପାଞ୍ଚ ଦରକାର । ପାଞ୍ଚ ନ ଜାଣିଥିଲେ ପର ସଙ୍ଗେ ଶତ୍ରୁତା କରିବ କାହିଁକି ? ମାନସକୁ ମୁଁ ଘରେ ରଖିଛି । ମୋ ଘରେ ଖାଉଛି ପିଉଛି । ମୋ ଦାନାରେ ପ୍ରତିପାଳିତ ହେଉଛି । କିନ୍ତୁ ମୋ ଅନ୍ତରର ଆନ୍ତରିକତା ନାହିଁ ତା’ ଉପରେ । ଅନେକ ପାଞ୍ଚ କରି ତା’ପାଇଁ ଫାଶ ବସାଇଛି ତାକୁ ଫାଶରେ ପକାଇବା ପାଇଁ । ସବୁଥିରୁ ଖସି‌ ‌ଯାଇଛି ସେ-। ଶେଷକୁ ଅମୋଘ ଔଷଧ ତା’ପାଇଁ ପ୍ରୟୋଗ କରିଛି । ଯେଉଁଥିରେ କି ମୁଣ୍ଡରେ ହାତ ଦେଇ ପିଲା ଆଜି ଦାଣ୍ଡଦୁଆରେ ବସି ଇଷ୍ଟଙ୍କୁ ସ୍ମରଣ କରୁଛି । ଆପଣ ଟିକିଏ ପଛରୁ ଆଣ୍ଟେଇ ଦେଲେ ପିଲାର ମଜା ବାହାରି ପଡ଼ନ୍ତା ।

 

ଉମାଶଙ୍କରବାକୁ ମିଶ୍ରଙ୍କ କଥାକୁ କେତେକରେ ବିଶ୍ଵାସ କଲେ କେତେକରେ ବିଶ୍ୱାସ କଲେନି । ହରି ମିଶ୍ର ଧରୁ ଧରୁ ଉଡ଼ିବେ । ପଦକେ ଦିପଦ ମିଛ । କଥାକୁ ବାନ୍ଧିଛନ୍ଦି କହିବାରେ ମହା ଧୁରନ୍ଧର । ମିଶ୍ରଙ୍କ ଆଗ ଦିନର କଥାକୁ ମନରେ ଦୋହରାଇଲେ । ନିଃସଙ୍କୋଚରେ କଥା ଦେବାକୁ ଭୟକଲେ । ମିଶ୍ରଙ୍କୁ କି ପ୍ରକାର ଉତ୍ତର ଦେବେ ଭାବିପାରିଲେନି । ନିରୁତ୍ତରଭାବେ ଅନେକ ସମୟ ବସି ରହିଲେ ।

 

ଉମାଶଙ୍କରବାବୁଙ୍କୁ ତାଙ୍କ ଭାଗ୍ୟ ନିର୍ମମ ପରିହାସ କରିଛି । ଯାହା ଫଳରେ ତାଙ୍କର ସାଙ୍ଘାତିକ ଓଲଟପାଲଟ ହୋଇଯାଇଛି !

 

କରିବାର ସମୟ ଆଉ ତାଙ୍କର ନାହିଁ । କେବଳ ଭୋଗ କରୁଛନ୍ତି ଭାବିବାର ସମୟ ।

 

ଭାବି ଭାବି ସେ ଅଣନିଃଶ୍ଵାସୀ ହେଇଗଲେ । ଆକ୍ତାମାକ୍ତା ହୋଇ ପଡ଼ିଲେ । ହରି ମିଶ୍ରେ ଅସୁର ସାଜି ଖାଇବାକୁ ଆସିଛି କି, ତାଙ୍କୁ ଖାଇଯିବେ କି ? ବିପଦରେ ପକାଇ ପଛରୁ ଧକାଏ ଦେବେକି ।

 

କେଜାଣି ଉମାଶଙ୍କରବାବୁ କ’ଣ ଅନୁଭବ କରୁଥିଲେ । ସେ ଲଜ୍ଜାରେ ସମ୍ଭ୍ରମରେ ତଳକୁ ମୁହଁ ପୋତିଥିଲେ । ମିଶ୍ରଙ୍କୁ ଚାହିଁବାକୁ ଇଚ୍ଛା କରୁନଥାନ୍ତି । ମୁହଁଟାରୁ ଅସମ୍ଭବଭାବେ ଝାଳ ବୋହୁଥାଏ । ଟପଟପ ହୋଇ ତଳେ ପଡ଼ୁଥାଏ । ନାକପୁଡ଼ା ତାଙ୍କର ଫୁଲି ଉଠିଲା । ଆଖି ହଳକ ଛନଛନ ହେଉଥାଏ । ଅଣନିଃଶ୍ଵାସୀ ହୋଇ ତାଙ୍କର ପଡ଼ୁଥାଏ ଉଠୁଥାଏ ଓସାରିଆ ଛାତିଟା ।

 

ଛନଛନ ହୋଇ କନକନ ଆଖିରେ ମିଶ୍ରେ ଅନାଇଲେ ଉମାଶଙ୍କରବାବୁଙ୍କୁ ।

 

ଉମାଶଙ୍କରବାବୁଙ୍କର ଭାବମୂର୍ତ୍ତି ଦେଖି ମିଶ୍ରେ କହିଲେ–ହୟେ ! ତୁମେ ଆଉ ହେବନି, ହେବନି । ମୋତେ ଆପଣ ଚିହ୍ନନ୍ତି ଏବଂ ଜାଣନ୍ତି । କାହାକୁ ଭୟ କରୁଛ ? ମୋତେ ଭୟ କରୁଛ ? ମୋତେ ଭୟ କରିବାର କିଛି କାରଣ ନାହିଁ । ଆପଣ ଭାବୁଛନ୍ତି ଏୟାତ ? ମୁଁ ଶତ୍ରୁ ସଙ୍ଗେ ମିତ୍ରତା କରିଛି । ଆପଣଙ୍କ ପାଖକୁ ଆସି ମାୟା ସୀତାର ମୁଣ୍ଡ ଦେଖାଉଥିବି । ତା’ ନୁହେଁ । ଆପଣ ମରମଟି ବୁଝି ପାରୁନାହାନ୍ତି । ସେ ଛତରାଟାକୁ ଶାସନ କରିବାକୁ ହେଲେ ତାକୁ ହାତ କରିବାହିଁ ମୋର ନିତାନ୍ତ ଆବଶ୍ୟକ ଥିଲା ଏବଂ ମୁଁ ତାହା କରିଛି ।

 

ସେ ବେଳ ଆସି ଯାଇଛି । ସେ ଯୋଉ ଫାଶରେ ପଡ଼ିଛି କୋଉ ବୋପା ତା’ର ଏଥିରୁ ମୁକୁଳାଇବ ? ଆପଣ ଟିକିଏ ମଙ୍ଗ ଧରି ଦେଲେନା, ମୁଁ ନାଆଟାକୁ ଆରପାରିକୁ ନେଇଯିବି ।

 

ମଉକା ଜୀବନରେ ସଦାବେଳେ ଆସେନି । ଆସେ ଥରେ । ଉମାଶଙ୍କରବାବୁ ଭାବିଲେ ମିଶ୍ରଙ୍କୁ ଅବିଶ୍ୱାସ ନକରି ସେ କ’ଣ କରୁଛନ୍ତି ବୁଝିବାକୁ ପଡ଼ିବ ।

 

ତାଙ୍କ ମନର ପ୍ରତିହିଂସା ହିଂସ୍ର ହୋଇ ଉଠିଲା ।

 

ମିଶ୍ରଙ୍କ ମାଧ୍ୟମରେ ମାନସର ଯଦି କିଛି କ୍ଷତି କରିପାରିଲେ, ତାହାହେଲେ ତାଙ୍କର ପୂର୍ବରାଗ କିଛିଟା ଲାଘବ ହୋଇଯିବ ।

 

ମିଶ୍ରଙ୍କ ବୋଲରେ ସିଏତ ଥାନାକୁ ଗଲେନି । ଗଲା ଶଶାଙ୍କ ।

 

ଉମାଶଙ୍କରବାବୁଙ୍କ ପ୍ରତି କରାଯାଇଥିବା ଆକ୍ରମଣ ବଦଳାନେବ ଶଶାଙ୍କ । ପିତାଙ୍କର ଅତୃପ୍ତ ଆତ୍ମାକୁ ସେ ତୃପ୍ତ କରିବ । ଗୋଟାଏ ଲକ୍ଷ୍ୟରେ ଦୁଇଟି କାର୍ଯ୍ୟ ସଫଳ ହେବ ।

 

ଶଶାଙ୍କ ଥାନାବାବୁଙ୍କୁ ଭେଟି ମିଶ୍ରେ କହିବା ଅନୁସାରେ କିଛି ପୂଜାପୂଡ଼ର ବ୍ୟବସ୍ଥା କରିଦେଇ କାଲି ରାତିରେ ରିଲିଫ୍ ଦ୍ରବ୍ୟ ଚୋରୀ ହୋଇଥିବା ଘଟଣାଟାକୁ ମାନସ ଏ ଚୋରୀରେ ନିଜେ ସଂପୃକ୍ତ ଥିବାର ବର୍ଣ୍ଣନା କରିଗଲା ।

 

ଥାନାବାବୁ ଶଶାଙ୍କଠାରୁ କିଛି ମୋଟା ଅଙ୍କର ଅର୍ଥପାଇ ଦୁଇଜଣ ଦାରୋଗାଙ୍କୁ ପରିସ୍ଥିତି ବୁଝି ଆସିବାପାଇଁ ପଠାଇଲେ । ସତ କଥା । ହରି ମିଶ୍ରଙ୍କ ଘରେ ମହଜୁତ୍‌ ଥିବା ରିଲିଫ୍ ଦ୍ରବ୍ୟ ଚୋରୀ ଯାଇଛି । ସକାଳଓଳି ଗଡ଼ିଯାଇ ଉପରବେଳା ଭୋଗ ହେଉଥିଲେ ମଧ୍ୟ ମାନସ ଥାନାରେ ଜଣାଇ ନାହିଁ ।

 

ଦାରୋଗାଙ୍କ ଠାରୁ ଥାନାବାବୁ ଖବର ବୁଝି ଘଟନାସ୍ଥଳକୁ ଯାଇ ମାନସକୁ ଡାକିଲେ । ମାନସ ଘଟିଥିବା ଘଟଣା ସମ୍ପର୍କରେ ଆମୂଳଚୂଳ ବର୍ଣ୍ଣନା କରିଗଲା ଥାନାବାବୁଙ୍କ ଆଗରେ । ସୁଲି, ଦାଶିଆକା ଓ ଆଉ ଅନ୍ୟମାନେ ପ୍ରକୃତ ସତ ଘଟଣାମାନ କହିଗଲେ । ହରି ମିଶ୍ରେବି ଏଣେ ସଭିଙ୍କ ଆଗରେ ମାନସ ସପକ୍ଷରେ ଟେକି ଟେକି କହି, ତେଣେ ଥାନାବାବୁଙ୍କୁ ଟିପ ମାରିଦେଲେ ।

 

ଥାନାବାବୁ କୌଣସି ଲୋକଙ୍କ କଥା ଶୁଣିଲେ ନାହିଁ । ମାନସବାବୁଙ୍କୁ ଧରି ନେଇଗଲେ-। ବାଷ୍ପାକୁଳ ନୟନରେ ଛିଡ଼ାହୋଇ ମଥାନପୁର ଅଞ୍ଚଳର ଲୋକମାନେ ମାନସର ଗୁଣ ସୁମରି ହେଲେ ।

 

ମାନସ ଧରାହୋଇ ଯିବାପରେ ସୁଲି ଏବଂ ଦାଶିଆକା ଥାନାରୁ ଜାମିନ୍ ଆଣିବାପାଇଁ ଚେଷ୍ଟା କଲେ । କିଛି ଟଙ୍କା ପାଇଥିଲେ ଅବା ଥାନାବାବୁ ମାନସକୁ ଛାଡ଼ି ଦେଇଥାନ୍ତେ । ମୋଟା ଅଙ୍କର ପକେଟ ଗୁଞ୍ଜା ପାଇଥିବାବେଳେ ଖାଲି ମାଖରା ମୁହଁକୁ ସେ କାହିଁକି ଚାହିଁବେ ।

 

ଏମାନେ ଫେରି ଆସିଲେ । ଶଶାଙ୍କବାବୁ ଆଉ ଟିକିଏ ଯାଇ କଳ ମୋଡ଼ି ଦେବା ପରେ ମାନସକୁ ଜେଲ ପଠାଇଦେଲେ । ମାନସ ଠିକ୍ ଗୁରୁ ହୋଇ ସୁଲିକୁ ଠିକ୍‌‌ଭାବେ ସମାଜସେବା କରିବାପାଇଁ ଶିକ୍ଷା ଦେଇଥିଲା ।

 

ଯେଉଁଦିନ ଥାନାରୁ ଖବର ମିଳିଲା, ଥାନାବାବୁ ମାନସକୁ ଜେଲକୁ ପଠାଇଦେଲେ ସେଇଦିନ କେତୀ ଆସି ପହଞ୍ଚିଲା ସୁଲି ପାଖରେ । ସୁଲି ସଜବାଜ ହେଉଥାଏ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କର ଅଭାବଅସୁବିଧା ବୁଝିବା ନିମନ୍ତେ । କେତୀକି ଦେଖି ମନରେ ଦମ୍ଭ ନେଲା । ତାକୁ ଦେଖି ସୁଲି ମନରେ ଥିବା ପୂର୍ବ ସନ୍ଦେହ ଦୂର ହେଲା । କିଛି ଅଂଶରେ ଲାଘବ ହେଲା ହୃଦୟରେ ଲାଗିଥିବା ଦାରୁଣ ଆଘାତ ।

 

ସୁଲି ଆଗରେ ଛିଡ଼ା ହୋଇଛି କେତୀ । ଜଳଜଳ ହୋଇ ଦେଖାଯାଉଛି କେତୀର ଉଜ୍ଜ୍ୱଳ ଆଖି ଦୁଇଟି, ମାତ୍ର ନିଶ୍ଚଳ । ଶକ୍ତିହୀନ । କେତୀର ଚେହେରା ଦେଖି ଆଶ୍ୱସ୍ତ ହେଲା ସୁଲି ।

 

ସୁଲି ମନରେ ଆନନ୍ଦ ନାହିଁ, ମାତ୍ର ହୃଦୟ ଫଟାଇ କେତେ କେତେ କଥା କହିବାପାଇଁ କେତୀକୁ କୁଣ୍ଢାଇ ପକାଇ କହିଲା–କେତୀ ତୁ ଆମମାନଙ୍କୁ ଛାଡ଼ି ଆଜି ପର୍ଯ୍ୟନ୍ତ କେଉଁଠିଥିଲୁ ?

 

କେତୀ କେତେ ଦିନ ହେଲା କଥା ହୋଇ ନଥିଲା ସୁଲି ସହିତ । ମନ ଅବଇଖବଇ ହଉଛି ତା’ ପେଟ ଭିତରେ ଥିବା କଥାଗୁଡ଼ାକ ବାହାରକୁ ବାହାର କରିଦେବାକୁ ।

 

ସୁଲି ପ୍ରଶ୍ନର ଜବାବ ଦେଉ ଦେଉ କେତୀ କହିଲା–ଭଉଣୀ ! ତୁମମାନଙ୍କୁ ଛାଡ଼ି କେଉଁଠି ରହିବି ? ମୋ ପରି ହୀନକପାଳୀକୁ କିଏବା ସ୍ଥାନ ଦେବ ? ଦଇବ ମୋତେ ତୁମମାନଙ୍କଠାରୁ ବିଚ୍ଛେଦ କରାଇ ଦେଇଥିଲେ । ଆଶା କରି ନଥିଲି ତୁମକୁ ଆଉ ଦେଖିପାରିବି ବୋଲି । କିନ୍ତୁ ଭାଗ୍ୟବଳରୁ ଆସି ତୁମମାନଙ୍କ ପାଖେ ପହଞ୍ଚି ଯାଇଛି । ହେଲେ କ’ଣ କହିବି ତୁମକୁ । କହିବାକୁ ଜିଭ ଲେଉଟୁନି । ତୁଣ୍ଡ ଖନି ବାଜି ଯାଉଛି । କୁନ୍ଥା ହୃଦୟଟା କୁନ୍ଥେଇ ହେଉଛି ମନଭାବ ପ୍ରକାଶ କରିବାକୁ । ରକ୍ତଗୁଡ଼ାକ ପାଣି ଫାଟି ଦେହର ଉଷ୍ମତା କମି ଯାଉଛି । ମୋ ଜନ୍ମଠାରୁ ଏପରି ଦୃଶ୍ୟ କେବେ ମୋ ଆଖିରେ ଦୃଶ୍ୟ ହୋଇ ନଥିଲା । ସେ ଦିନ ତୁମମାନଙ୍କ ପାଖରୁ ଫେରିବା ପରେ ଭୋକ ନଥିଲା ପେଟରେ । ମାନସବାବୁ ନିର୍ବାଚନରେ ଜିଣି ସରପଞ୍ଚ ହୋଇଥିବାରୁ ମୁଁ ବେଶ୍ ଖୁସିଥିଲି । ଶେଯରେ ଗଡ଼ିପଡ଼ିଲି ଶୋଇବାପାଇଁ, କିନ୍ତୁ ଆଖିକୁ ନିଦ ଆସିଲା ନାହିଁ । ଅନ୍ଧାର ଘରେ ଆଖି ହଳକରେ ମୁଁ ଅନାଇଛି ଉପରକୁ । ଦେଖାଯାଉ ନଥାଏ । ଅନ୍ଧାରକୁ ଭେଦକରିବା ଶକ୍ତି ଆଖିର ଦୃଷ୍ଟିଶକ୍ତିରେ ନଥିଲା । ଅକାଳଚଡ଼କ ପରି କୁଆଡ଼େ ଥିଲା କେଜାଣି, ବାଆ ବତାସ ଘୁଘୁ ସୁସୁ ହୋଇ ଆସିଲା ଯେ ମୁଁ ଆଉ ଉଠିବାକୁ ବେଳ ପାଇନି । ଚାଳ ଉଡ଼ିଗଲା । ମାଠିଆରୁ ଜଳ ଢାଳିଲା ପରି ଆକାଶରୁ ଗଳି ପଡ଼ୁଥାଏ ବର୍ଷା । ଭୂଇଁ ଦୋହଲି ଉଠୁଥାଏ । ଅତି ଦୟନୀୟଭାବେ ଘରର ମାଟି କାନ୍ଥ ଶୋଇ ପଡ଼ିଲେ ତଳେ ଭୁସ୍ ଭୁସ୍ ହୋଇ । ବର୍ଷାମାଡ଼ ସହି ସହି ଦେହ ଶୀତେଇ ଉଠିଲା, ଅବଶ ହୋଇଗଲା । ଅଚେତା ହୋଇ ପଡ଼ିଗଲି ସେଇଠି ।

 

ତା’ର ଦୁଇ ଦିନ ପରେ ମୋର ଚେତା ଫେରିଲା । କଟକ ବଡ଼ ଡାକ୍ତରଖାନାରେ । ଆଖି ମୋର ଚିହ୍ନା ମୁହଁ ଦେଖିବାକୁ ପାଇଲାନି । ଅଚିହ୍ନା ମୁହଁ । ଅଚିହ୍ନା ସ୍ଥାନ । ପଚରାପଚରି କରି ଜାଣିଲି ମୁଁ ସେଠାରେ ଚିକିତ୍ସାଧୀନ ।

 

ଧୋବ ଫରଫର ବଗପକ୍ଷୀଆ ଲୁଗାପିନ୍ଧା ଡଉଲ ଡାଉଲ ଝିଅଟିଏ ଔଷଧ ଦେଉଥିଲା-। ବୁଝେଇ ସୁଝେଇ କହୁଥିଲା ଖାଇଦେବାକୁ । ମୁଁ ଛୋଟପିଲାଟି ଭଳି ଆଁ କରିଥିଲି ଔଷଧ ଖାଇବାକୁ । ମୋ ଦେହ ଚାହୁଁଥିଲା ଔଷଧ । ମୁଁ ଅବଶ ହୋଇ ପଡ଼ିଥିଲି । ଦେହରେ ବଳ ନଥିଲା-। ମୋ ପାଟିରେ ଔଷଧ ଦେଉ ଦେଉ କହିଲା–ଉଉଣୀ ! ଔଷଧ ଖାଇ ଦିଅ । ଖୁବ୍ ଶୀଘ୍ର ତୁମେ ଭଲ ହୋଇ ଘରକୁ ଫେରିଯିବ । ଝିଅର କୋକିଳ ପରି କଣ୍ଠ, ପଦ୍ମ ପରି ମୁହଁ, ଚିରା ପୋଟଳ ପରି ଚକ୍ଷୁ ମୋତେ ଭାରି ଭଲ ଲାଗୁଥାଏ । ଏଣୁତେଣୁ ବିଭିନ୍ନ କଥା କହୁ କହୁ ବୁଝଉ ବୁଝଉ ପଚାରିଲା–

 

ଭଉଣୀ ! ତୁମ ଘର କେଉଁଠି ? ତୁମର ଆଉ କିଏ କିଏ ଅଛନ୍ତି ?

 

ଡାକ୍ତରଖାନାରୁ ଉଦ୍ଭବ ହେଉଥିବା କିମିତି କିମିତି ଗୋଟାଏ ଗନ୍ଧ ମୋର ଶ୍ଵାସରୁଦ୍ଧ କରି ଦେଉଥାଏ । ଅସରନ୍ତି ଦୁଃଖର ଭାର ପ୍ରଶମିତ ହେଉ ନଥାଏ ପାଖକୁ ଡାକି ସେଇ ଝିଅଟିକୁ କହିଲି–ଝିଅ ! ମୁଁ ତୁମକୁ ଚିହ୍ନେନା । ମୋ ପାଖେ ତୁମେ ସମ୍ପୂର୍ଣ୍ଣ ଅପରିଚିତା । ମୋ ସମ୍ପର୍କରେ ମୋତେ ଯାହା ପ୍ରଶ୍ନ କଲ, ମୋ ତୁଣ୍ଡରେ ବାକ୍ୟ ନାହିଁ କହିବାକୁ । ମୋର କେହି ନାହାନ୍ତି, ମୁଁ ଏକୁଟିଆ । ମୋ ଘର ମଥାନପୁର । ଆଚ୍ଛା କହିଲୁ ଝିଅ ! ମୋତେ ଏଠାକୁ କିଏ ଆଣିଲା ଆଉ କାହିଁକି ?

 

ମୋତେ ଅଡ଼ୁଆରେ ପକାଇଦେଲେ ଆପଣ । ପିଲାଟି ଦିନରୁ ମୁଁ ଝିଅ ଡାକ ଶୁଣିନି । ମାତୃ ସ୍ନେହରୁ ବଞ୍ଚିତ ହୋଇଛି । ମୁଁ ମାତୃହୀନା । ସତେ କ’ଣ ମୁଁ ତୁମର ଝିଅ ? ସଂସାର ଆଖିରେ ଯେଉଁମାନେ ଘୃଣ୍ୟ, ଯାହାଙ୍କୁ ଦେଖିଲେ ଏ ସମାଜର ଲୋକେ ନାକ ଟେକନ୍ତି, ଭ୍ରୂକୁଞ୍ଚିତ କରନ୍ତି । ତାକୁ ଆପଣ ଝିଅ ଡାକ ଶୁଣିବାର ସୌଭାଗ୍ୟ କାହିଁକି ଦେଉଛନ୍ତି । ହତଭାଗିନୀମାନଙ୍କର ଭାଗ୍ୟ କେଉଁଠୁଁ ଆସିଲା । ଆମକୁ ପଣ୍ୟଭାବେ କ୍ରୟକରିବା ପାଇଁ ଟାକି ବସିଛନ୍ତି ଟକରାମାନେ । ଆମେ ଧାଈ । ରୋଗୀମାନଙ୍କର ସେବା କରିବା ଆମର କାର୍ଯ୍ୟ । ଆମେ ଘୃଣ୍ୟ, ନିର୍ଯାତିତା, ପତିତା । ମୁଁ ଆପଣଙ୍କୁ ଭଉଣୀ ସମ୍ବୋଧନ କଲାବେଳେ ଆପଣ ମୋତେ ଝିଅ ବୋଲି ସମ୍ବୋଧନ କରି କାହିଁକି ଏଡ଼େ ବଡ଼ ଆଘାତ ମୋ ମନରେ ଦେଲେ । ଆପଣଙ୍କ ଝିଅ ଡାକରେ କ’ଣ ମୋର ଅତୃପ୍ତ ହୃଦୟ ତୃପ୍ତ ହେବ ।

 

ମୁଁ ନର୍ସଟିର ମୁଣ୍ଡ ବାଳକୁ ସାଉଁଳି ଆଣୁ ଆଣୁ କହିଲି ଝିଅ ! ଭୁଲ ବୁଝିଛୁ । ଏ ଦୁନିଆ ମାୟାର ଦୁନିଆ । ମୁଁ ତୁଅର ନୁହେଁ । ତୁ ତୁଅ ମା’ବାପାଙ୍କର ନୋହୁଁ । ଚକଚକିଆ ଲୋକଦେଖାଣିଆ ଦୁନିଆ । ଏ ଦୁନିଆ ଟାହି କରିବ ହେମାଙ୍ଗୀ ନାରୀର ରକ୍ତଛିଟା ସାୟାକୁ ଚାହିଁ । ଉଦ୍ଧତ ଛାତିର ବକ୍ଷୋଜକୁ ଦେଖି । ଯୌବନର ଚହଲା ଢେଉରେ ଭଅଁର କଳା ଡୋଳା ଦୁଇଟିକୁ ନିରେଖି । ଆଉ ହେମାଙ୍ଗୀ ନାରୀମାନେ ନାରୀର କର୍ତ୍ତବ୍ୟ ଭୁଲିଯାଇ ଉଣ୍ଡି ବସନ୍ତି ବଳିଷ୍ଠ ବାହୁ । ମୁଚୁକିନା ହସ । ଦୁଇଟି ନୀଳପାହାଡ଼ ଉପତ୍ୟକାର କଞ୍ଚା ଶାଗୁଆ ଘାସ । ଆକାଶ ମାର୍ଗରେ ଉଡ଼ୁଥିବା ଡାକୋଟା ବିମାନ । ଜନଗହଳି ଲଜିଂ । ସାଗର ବେଳାଭୂଇଁ । ନିର୍ଜନ କୋଠରୀ । ସ୍ଵାମୀ କର୍ତ୍ତବ୍ୟ କ୍ଷେତ୍ରକୁ ଚାଲିଯିବା ପରେ ନିଜର ପ୍ରେମିକକୁ । ଏଇତ ଆମ ସମାଜର ନୀତି । ଏହା, ଆଜି କାହିଁକି ? କେଉଁମାନଙ୍କ ଯୋଗୁଁ ଏ ପ୍ରକାର ବ୍ୟତିକ୍ରମ ଘଟୁଛି ?

 

ନା, ଏଥିପାଇଁ ଅନ୍ୟ କେହି ନୁହନ୍ତି । ଆମେ । ଆମ୍ଭେମାନେ ନିଜେହିଁ ଦାୟୀ । ବୟସ ସୁଲଭଚପଳତାରେ ଯାହାସବୁ ଆମେ କରିଯାଉଥାଇ ତା’ କରିବା କଥା ନୁହେଁ । ଭାବି ଦେଖ । ଯେଉଁମାନେ ତୁମକୁ ପ୍ରତିଶ୍ରୁତି ଦେଇ କହୁଛନ୍ତି, ଗଢ଼ି ଦେବି ସୁନା ଚାନ୍ଦ । ଦେଇଦେବି ରୁପାର କୁଲେଇ । ଉଦ୍ୟାନର ଯେତେସବୁ ମଲା ପ୍ରଜାପତି ସବୁ ଆଣି ଟାଙ୍ଗିଦେବି ତୋ ଘରର ଚୁନଲିପା ରଙ୍ଗଦିଆ ନେଳିଆ କାନ୍ଥରେ । ଉନ୍ନତ ଶ୍ରାବଣ ଋତୁ । ବାସନ୍ତୀ କନ୍ୟା ବିଜୁଳି, ମେଘ । କଜଳ, ସିନ୍ଦୂର । ସାପ ମୁଣ୍ଡର ମଣି । କାନ ଦୁଲ୍ । ମଧୁର ଜଳର ମାଛ । ସମୁଦ୍ରର ଶାମୁକା । ସବୁ ମିଥ୍ୟା । ସେମାନେ ପ୍ରତାରକ । ଦେହର କ୍ଷଣକ ଉତ୍ତେଜନାକୁ ସମ୍ଭାଳି ନ ପାରି ସେମାନଙ୍କର ଶଯ୍ୟାସଙ୍ଗିନୀ ହେବା କ’ଣ ଆମର ଉଚିତ ?

 

ଝିଅ ! ମନରୁ ଭୁଲିଯାଅ ଏ ଦୁନିଆର ଚାକଚକ୍ୟକୁ । ଖାତିର କରନା ଏ ଟୋକାଗୁଡ଼ାଙ୍କ ଆଖିମରା ଆଉ ଟାହିଟାପରାକୁ । ଭୁଲିଯାଅ ପୁରୁଣା ଦିନର ବାପ ମା’ଙ୍କର ମମତାକୁ ।

 

ଯିଏ ତୁମକୁ ମା’ର ସ୍ନେହ ଦେଇପାରିଲା ସେ ମାଆ । ଯେ ବାପର କର୍ତ୍ତବ୍ୟ ପାଳନ କରିପାରିଲା ସେ ବାପ ।

 

ମୋର ସନ୍ତାନସନ୍ତତି ନାହାନ୍ତି । ସନ୍ତାନସନ୍ତତି ଲାଭ କରିବାର ସୁଯୋଗ ପାଇନି କି ପାଇବି ନାହିଁ । ସଂସାରର ବିଷଢ଼େଉରେ ସେ ସୁଖଶାନ୍ତିକୁ ମୁଁ ଉଜେଇଁ ଦେଇଛି । କେବଳ ଅନ୍ୟାୟ ଅତ୍ୟାଚାରର ମୁକାବିଲା କରିବା ସକାଶେ ।

 

ତୁମେ ରୋଗୀମାନଙ୍କର ସେବା କରୁଛ । ମଲା ମଣିଷକୁ ଯମମୁହଁରୁ ରକ୍ଷା କରୁଛ । ସମାଜ ତୁମକୁ ଯାହା କହୁନା, ତୁମେ ମହାନ୍ । ତୁମମାନଙ୍କର ସେବା ପାଖରେ ସମାଜ ଋଣୀ ।

 

ହଉ ଝିଅ ! କହିଲୁ ? ମୋତେ ଏଠାକୁ କିଏ ଆଣିଲା ? ଆଉ କାହିଁକି ?

 

ମା’ ମା’ ଚିତ୍କାର କରି କୁଣ୍ଢେଇ ପକାଇଲା ସେ ଝିଅଟି । ମୁଣ୍ଡରେ ଲଗାଇଥିବା ନର୍ସ ଚାକିରିର ସନ୍ତକ ଟୋପିଟି ମୋ ବେଡ଼୍ ଉପରେ ଖସି ପଡ଼ିଲା । ତା’ ଆଖିର ଲୁହ ମୋ ମୁଖମଣ୍ଡଳରେ ସୃଷ୍ଟି କଲା ବନ୍ୟା ଏବଂ କହିଲା–ମା’ ! ମୁଁ ଜାଣେନି ତୁମକୁ ଏଠାକୁ କିଏ ଆଣିଲା । ମାତ୍ର ମୁଁ ଏତିକି ଜାଣେ ବାତ୍ୟାରେ ତୁମେ ବାସଚ୍ୟୁତ ହୋଇ ନଈରେ ଭାସିଆସିଥିଲ । ନଈରୁ ତୁମକୁ ସ୍ୱେଚ୍ଛାସେବକ ଦଳ ଉଠେଇ ଆଣି ଏଠାରେ ଚିକିତ୍ସାପାଇଁ ଭର୍ତ୍ତି କରିଛନ୍ତି । ସ୍ଵାସ୍ଥ୍ୟ ଫେରି ଆସିଲାଣି । ଭଲ ହୋଇଗଲାଣି । ଆଉ କାହିଁକି ଏଠାରେ ରହିବ ? ଚାଲ ମୋ ପାଖରେ ରହିବ । ତୁମର ତ କେହି ନାହାନ୍ତି କହୁଛ । ମୋ ପାଖରେ ରହିଲେ କିଛି କ୍ଷତି ହେବନି ତୁମର । ବରଂ ସୁବିଧା ହେବ । ଜୀବନରେ ଭୋଗିଥିବା ଦୁଃଖକଷ୍ଟ ଲାଘବ ହୋଇଯିବ ।

 

ଝିଅ ! ତୁ ସତ କହୁଛୁ । ମୁଁ ତୋ ପାଖରେ ରହିଲେ ପେଟଭରା ଖାଇବାକୁ ଏବଂ ପିନ୍ଧିବାକୁ ଖଣ୍ଡେ ପାଇବି, କିନ୍ତୁ ହୃଦୟ ଶୀତଳ ହେବନି । ମୋ ହୃଦୟର ବ୍ୟଥା ତୁ ବୁଝିପାରିବୁ ନାହିଁ-। ମୋତେ ଏଠାରୁ ବିଦାୟ କରିଦେ ଝିଅ । ଯେଉଁମାନଙ୍କ ଦୁଃଖସୁଖରେ ଭାଗୀ ହୋଇ ସଂଗ୍ରାମ କରି ଆସିଥିଲି ସେମାନଙ୍କ ମୁହଁରେ ଚେନାଏ ସୁଖର ହସ ଦେଖିବି ବୋଲି, ତାହା ଏ ଭାଗ୍ୟରେ ଜୁଟିଲା ନାହିଁ । ସେମାନେ କି କଷ୍ଟ ପାଉ ନଥିବେ । ବାସହରା ହୋଇ କୋଉ ବୁଦାମୂଳେ ପଡ଼ିକି ଦୁଃଖ ଭୋଗୁ ନଥିବେ ।

 

ନା, ଆଉ ରହିବାକୁ ହେବନି ଏଠି । ମୋତେ ଯିବାକୁଦେ । ଭିକ୍ଷାକରି ସେମାନଙ୍କ ପାଇଁ କିଛି ସାହାଯ୍ୟ ସଂଗ୍ରହ କରିବି ।

ଝିଅଟି ମୋ କଥା ଶୁଣି ଆଶ୍ୱାସନା ଦେଇ କହିଲା । ମା’ ! ତୁମେ ଅପେକ୍ଷାକର, ତୁମ ଯିବାର ବ୍ୟବସ୍ଥା ମୁଁ କରି ଦେଉଛି । କହି ଚାଲିଯିବାର ଘଡ଼ିକ ପରେ ଫେରିଲେ ଗୋଟିଏ ନୁହେଁ କେତୋଟି ଝିଅ । ସବୁ ବୁଝିସାରିଥିଲେ ସେମାନେ । ଝିଅ ମୋ ହାତରେ ଡିସ୍‍ଚାର୍ଜ ଅର୍ଡ଼ରଟି ଧରାଇ ଦେଇ କହିଲା–

ମା’ ! ତୁମେ ମୋତେ ଶିକ୍ଷା ଦେଇଛ ପରୋପକାର ସ୍ଵର୍ଗାୟ । ଆସ, ତୁମେ ଏକା କାହିଁକି ଭିକ୍ଷା କରିବ । ଆମ ଡାକ୍ତରଖାନାର ସେବିକାମାନେ ତୁମ ସହିତ ଯୋଗ ଦେବୁ । ସେମାନଙ୍କୁ ସାହାଯ୍ୟ କରିବା ଆମମାନଙ୍କରବି କର୍ତ୍ତବ୍ୟ ।

ଝିଅଟିର ପ୍ରସ୍ତାବ ପୁଣି ମୋ ମୁଣ୍ଡରେ ଲଦି ହୋଇଥିବା ପାହାଡ଼ର ଗୁରୁଭାର ଅନେକ ଲାଘବ ହୋଇଗଲା । ଯୋଡ଼ାକୁ ଘୋଡ଼ା ସରି ନୁହେଁ । ଜଣକ ସ୍ଥାନରେ କୋଡ଼ିଏ ଜଣ ବାହାରି ପଡ଼ିଲେଣି । ଦେଖାଯାଉ, ପରମେଶ୍ଵରଙ୍କ ବିଚାରରେ କ’ଣ ହେଉଛି ।

ମନଜାଣି ଦାତା ଦାନ କରେ । ସହରର ଦୋକାନ, ବଜାର, ଗଳିକନ୍ଦି ବୁଲି ଆସିଲୁ । ଯେଉଁମାନେ ଶୁଣିଲେ ଆହା ପଦ କରି ଅଯାଚିତଭାବେ ସାହାଯ୍ୟ କଲେ । ସାହାଯ୍ୟ ଧରି କାଲି ରାତିରୁ ଆସି ଗ୍ରାମମାନଙ୍କରେ ବାଣ୍ଟି ଦେଇଛି । ତୁମ ପାଖକୁ ଫେରିଆସିଲି ଆଉ ଅଧିକ ଖବର ଜାଣିବାକୁ ।

ମାନସ ବନ୍ଧା ହୋଇଯିବା ଦିନଠାରୁ ସୁଲି ଓ ଦାଶିଆକା, କ୍ରମଶଃ ନିଛାଟିଆ ଅନୁଭବ କରୁଛନ୍ତି । କେତୀ ଖବର ଶୁଣି ହତୋତ୍ସାହ ହୋଇ ଯାଇଛି । ଦାଶିଆକା, ସୁଲି ଏବଂ କେତୀକୁ ପ୍ରବୋଧନା ଦେଇ କାର୍ଯ୍ୟରେ ଆଗେଇ ଯିବାକୁ ପରାମର୍ଶ ଦେଇଛି ।

 

ମାନସ ଅଧାଅଧା କରିଥିବା ଅନୁଷ୍ଠାନମାନଙ୍କୁ ଦାଶିଆକା, ସୁଲି ଓ କେତୀ ମିଶି ଲୋକମାନଙ୍କୁ ଏକାଠି କରି ଶେଷ କରିଦେଲେଣି । ହରି ମିଶ୍ରେ ଲୁଚାଛପାରେ ଗରିଲା ଶିକାରୀ ପରି ପ୍ରବଳଭାବେ ପ୍ରତିରୋଧ କରୁଛନ୍ତି ।

 

ମାନସକୁ ଜେଲକୁ ପଠାଇଦେବା ପରେ ହରି ମିଶ୍ରେଙ୍କୁ ପିହଲ ପଡ଼ିଗଲା । ନିଜ ସୁନା ଭେଣ୍ଡି ହୋଇଥିବାରୁ ଶଶାଙ୍କକୁ ଲଗେଇ ଦେଇଛି ଦାଶିଆକା ପିଛା । ଏଣେ ଝିଅ ଦାଶିଆକା ସହିତ ମିଶି ଦେଶସେବା କରୁଛି । ଗରିବଙ୍କ ତୁଣ୍ଡରେ ସୁଲିର ପ୍ରଶଂସା କାହିଁରୁ କେତେ ଦୂର ଟପିଗଲାଣି । ତେଣୁ ଶାସ୍ତ୍ର କହୁଛି–ଶତ୍ରୁ ସହିତ ନିଜେ ଶତ୍ରୁତା ନ କରି, ଶତ୍ରୁ ସହିତ ଆଉ ଗୋଟାଏ ବଳୁଆ ଶତ୍ରୁକୁ ଲଗେଇଦେବା ହେଉଛି ବୁଦ୍ଧିମାନ ଲୋକର ପାରିବାପଣ । ତେଣୁ ଦାଶିଆକା ସହିତ ନିଜେ ଲଗେଇ ଦେଇଛି ଶଶାକଙ୍କୁ ।

 

ଶଶାଙ୍କ ଲାଗିପଡ଼ିଛି ଦାଶିଆକା ପଛେ ପଛେ । ଲୋକମାନଙ୍କ ଭିତରେ ପଶି ଦାଶିଆକା ବିରୁଦ୍ଧରେ ଉସୁକଉଛି । ହରି ମିଶ୍ରେ ଦେଖି ସୁଇଚ୍ ଟିପିଦେଲେ । ଲୋକେ ଉତ୍ୟକ୍ତ ହୋଇ ପଡ଼ୁଛନ୍ତି ।

 

ଖାଲି ଯେ ଶଶାଙ୍କ ହରି ମିଶ୍ରଙ୍କ ବହପ ପାଇ ଦାଶିଆକାକୁ ଜବତ କରିବାକୁ ଲାଗିଛି ତା’ ନୁହେଁ ଲକ୍ଷ୍ମୀ ପ୍ରତିବି ତା’ର ନଜର ପଡ଼ିଛି । ଛତରା ଟୋକା ଦୁଇ ଦୁଇଟା ରଖି ନିରୀହା ଝିଅମାନଙ୍କୁ ରାତିଅଧିଆ ଉଠେଇ ଆଣି ଉପଭୋଗ କରିବାରେ ହେଳା କରୁନି । କେତେଦିନ ହେଲା ଆଖି ଲାଖି ରହିଛି ଲକ୍ଷ୍ମୀ ଉପରେ । ସମୟ ସୁବିଧା ମିଳୁନି । ସୁଲି ଯୋଗୁଁ କେତେଥର ମଉକା ହରେଇ ବସିଲାଣି । ରକ୍ତ ଚାଉଳ ଚୋବେଇ ହେଉଛି ସୁଲି ଉପରେ ।

 

ସୂର୍ଯ୍ୟ ପୂର୍ବରେ ଉଇଁ ପଶ୍ଚିମରେ ବୁଡ଼ୁଛନ୍ତି । ଶତାବ୍ଦୀର ଅଙ୍କରେ ଅଙ୍କ ବସି ଯାଉଛି । ଦିନଟିଏ ସରୁଚି । ଏମିତି ଦିନଟିଏ ଗଡ଼ି ଚାଲୁଚି । ତା’ ସଙ୍ଗେ ସଙ୍ଗେ ଦାଶିଆକା, ସୁଲି, କେତୀ ଆଉ ଲକ୍ଷ୍ମୀ ଆଗେଇ ଚାଲିଛନ୍ତି ଲୋକକୁ ମତେଇ ଶଶାଙ୍କ କରିଥିବା ଆନ୍ଦୋଳନର ଅବସାନ ଘଟିଛି । ତା’ ବୁଦ୍ଧିର କରାମତି କେତେ ଦାଶିଆକା ଲୋକମାନଙ୍କୁ ଦେଖାଇ ଦେଇଛି ।

 

କାମ ନକରି ଲୋକମାନଙ୍କୁ ମତେଇଦେଲେ ଲୋକେ ମାତିଯିବେନି । କାମ କରି ସେମାନଙ୍କୁ ଦେଖାଇଦେଲେ ସେମାନେ ପଛରେ ଗୋଡ଼େଇ ବେକରେ ଫୁଲ ମାଳ ପିନ୍ଧେଇବେ । ଦାଶିଆକା କଥାରେ ବିଶ୍ଵାସ କରେନି । କାମରେ ବିଶ୍ଵାସ କରେ ।

 

ଗାଁମୁଣ୍ଡରୁ ମେନ୍ ରୋଡ଼୍‍କୁ ଉଠିବାକୁ ହେଲେ ଦୁଇ ମାଇଲ ବାଟ ଚାଲିବାକୁ ହୁଏ । ବର୍ଷା ଦିନେ ସେ ରାସ୍ତାରେ ଚାଲିକରି ଯିବା ମଧ୍ୟ କାଠିକର ପାଠ । ଏଇ ରାସ୍ତାପାଇଁ ଶଶାଙ୍କ ଲୋକଙ୍କୁ ମତେଇ ଆନ୍ଦୋଳନ କରିଥିଲା । ଦାଶିଆକା ଏ ରାସ୍ତା ପ୍ରତି ଯେ କମ୍ ମେହନତୀ କରିଛି ତା’ ନୁହେଁ । କେବଳ ସେ ରାସ୍ତା ମଝିରେ ଉମାଶଙ୍କରବାବୁଙ୍କର କେତେ ଖଣ୍ଡ ସ୍ଥିତିବାନ୍ ଭୂସମ୍ପତ୍ତି ଥିବାରୁ ସରକାରଙ୍କ ତରଫରୁ ରାସ୍ତା ହୋଇପାରିନି । ଉମାଶଙ୍କରବାବୁଙ୍କୁ ବହୁବାର ଅନୁନୟ ବିନୟ ହୋଇ କୁହାଯାଇଥିଲେ ମଧ୍ୟ ସେ ରାସ୍ତାପାଇଁ ଜମିଛାଡ଼ି ନାହାନ୍ତି I ବାପର ସେ ଭାବକୁ ପୁଅର ଏ ଭାବ । ଦାଶିଆକା ସ୍ଥିରକଲା ୟାଙ୍କୁ ଏପରି ପାରିହେବନି କି ସେମାନଙ୍କ କୁଟିଳ ବୁଦ୍ଧିରେ ପଶିହେବନି । ହେବ ସେଇ ଲୋକମାନଙ୍କଦ୍ଵାରା । ଲୋକ ଶକ୍ତିଦ୍ଵାରା । ଯେଉଁମାନଙ୍କୁ କି ସେ ଉସୁକେଇଛି । ମତେଇଛି ।

 

ଦାଶିଆକା ଡାକିଲା ସୁଲି, ଲକ୍ଷ୍ମୀ ଏବଂ କେତୀକି । ଚାରିହେଁ ଏକାଠି ହେଲେ । ବିଚାର କଲେ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସତ କଥା ବୁଝାଇବାକୁ ପଡ଼ିବ । ଠିକ୍ ବାଟରେ ନେବାକୁ ହେବ । ଦେଖିବା ନଡ଼ିଆର କୋଉ ଶିରାରେ ପାଣି ପଶୁଛି ।

 

ସମୟ ସଞ୍ଜ ପ୍ରହର । ଘଡ଼ିଏ ସଞ୍ଜ ଭୋଗ ହୋଇଛି । ଚାରିହେଁ ଚାଲିଲେ ଉପର ସାହିଆଡ଼େ । ସେଇ ସାହିଆଡ଼ୁ ଲୋକଙ୍କ ସହିତ ମିଶି ସବୁ ଘଟଣା ବୁଝେଇ ଆସିବେ ।

 

ମଝି ସାହି ଡେଇଁ ମଝି ରାସ୍ତାରେ ପହଞ୍ଚିଛନ୍ତି । ଆଗରେ ଛିଡ଼ା ହୋଇଛନ୍ତି ଦାନବକାୟ ଝଙ୍କାଳିଆ ଝଙ୍କାଳିଆ ଗଛଗୁଡ଼ାଏ । ଟିକିଏ ବେଶୀ ଅନ୍ଧାରିଆ ଜଣାପଡ଼ୁଛି । ଆଖିକୁ ଅନ୍ୟ ବସ୍ତୁ ଦେଖାଯାଉନି । କିନ୍ତୁ କାନକୁ ଦୁଇ ତିନିଜଣ କଥାବାର୍ତ୍ତା ହେଉଥିବାର ଜଣାପଡ଼ୁଛି ।

 

ଅଟକିଗଲା ଦାଶିଆକା । ଅଟକାଇଦେଲା ଏମାନଙ୍କୁ । ଜାଣିବାପାଇଁ କାନ ଡେରିଲା, ଏମାନେ କିଏସେ ?

 

ନଡ଼ିଆ ଆଉ ଜଟିଆ । ରାଣ୍ଡୀପୁଅ ଅନନ୍ତା । ଜନ୍ମରୁ ଲାଗିଖାଇବା ଶିଖି ନାହାନ୍ତି । ଶିଖିଛନ୍ତି ମାରିଖାଇବା । ଧପେଇ ପରକୁ ଠକିବା, ପୋଲାଫାଙ୍କିଆରେ ବୁଲି ବୁଲି ପେଟପୋଷିବା । ମଦ ଖାଇ ମତାଲ ହେବା । ପରଦ୍ରବ୍ୟ ଚୋରୀ କରିବା । ପର ଝିଅବୋହୂଙ୍କ ଇଜ୍ଜତ ଲୁଟିକରିବା ।

 

ମଦ ଟୋପାଏ ସାଙ୍ଗକୁ ଆଉ କିଛି ସକାଶେ ମଣିଷର ମୁଣ୍ଡଟାକୁ କାଟି ଦେବାକୁ ସେମାନେ ପଛାଇବେ ନାହିଁ । ପରଘରେ ନିଆଁ ଲଗେଇଦେବାକୁ କୁଣ୍ଠାବୋଧ କରିବେନି ।

 

ପାଟିରେ ଦେଶୀ କି ବିଦେଶୀରୁ ଟୋପା ବାଜିନଥିବାରୁ ପାଟିଟା କିମିତି କିମିତି ଲାଗୁଛି-! ଚାରିଦିଗ ଅନ୍ଧାର ଦେଖାଯାଉଛି । ଦେହ ମୁଣ୍ଡ ଇଷମ୍ ଇଷମ୍ ହେଉଛି ।

 

ନଟିଆ ଜଟିଆ କରମ ଆଦରି ଭାଗ୍ୟକୁ ନିନ୍ଦି ଯାଉ ଯାଉ ଶଶାଙ୍କକୁ ଆଗେଆଗେ ଯାଉଥିବାର ବାରିଦେଇ ଜଟିଆ ଡାକିଲା–ଶଶାଙ୍କବାବୁ !

 

ପଛକୁ ଚାହିଁଲା ଶଶାଙ୍କ । ଅନ୍ଧାରର କାଳିମାରେ ସବୁଆଡ଼ ଅନ୍ଧାର ଦେଖାଯାଉଛି । କାହାକୁ ଦେଖି ପାରିଲାନି । ତୁଣ୍ଡର ସ୍ୱରକୁ ମନେପକେଇ ଜାଣିପାରିଲା ଏ ଜଟିଆ । ତା’ ଡାକର ଜବାବ ଦେଇ ଶଶାଙ୍କ କହିଲା–କ’ଣ କିରେ ଜଟିଆ ।

 

ଜଟିଆ ଶଶାଙ୍କର ପାଖାପାଖି ଲାଗିଯାଇ କହିଲା–କଥାଏ ପଚାରନ୍ତି ଆପଣଙ୍କୁ । କହୁ କହୁ ଜଟିଆର ଗୋଡ଼ ନଖ ଭୂଇଁ ବିଦାରୁଥିଲା । ମନ ଭିତରେ କେତେ କାଇଁର ଭାବନା, ସୁଖ, ସ୍ଵପ୍ନ-। ଶଶାଙ୍କବାବୁ ଖୁସିହେଲେ ତାଙ୍କୁ ଖୁସି କରାଇ ଦେବେ, ଜଟିଆ ଛୋପ ଢୋକି କହୁଥାଏ ।

 

ବାବୁ ଭଲ ଶିକାରଟାଏ ହାବୁଡ଼ିଛି । ଟଙ୍କା ଦଶବାରଟାର ମାମଲତ ।

 

ଶଶାଙ୍କ ଅନ୍ୟ ଖିଆଲରେ ରହିଯାଇଥାରୁ ହଠାତ୍ କଥାଟାକୁ ଧରି ନ ପାରି କହିଲା–

 

କି ଶିକାର କିରେ ଜଟିଆ ?

 

ତା’ ଆଉ କ’ଣ ବୁଝାଇବାକୁ ପଡ଼ିବ ? ହେଁହେଁ, ଏକବାରେ ନୂଆ ଦରବ । କାହାରି ଥଣ୍ଟ ବାଜିନି । ମୁଁ ଆଖେଇଥିଲି ଅନେକ ଦିନରୁ । ହେଲେ ଟଙ୍କା ନାହିଁ ପକେଟରେ । ଡେରିକଲେ ଆଉ କାହା ହାବୁଡ଼େ ପଡ଼ିପାରେ । ଭାରି ବଢ଼ିଆ ଶଶାଙ୍କବାବୁ । ଭାରି ବଢ଼ିଆ । ଗୋଟିଏ ଚାଉଳରେ ଗଢ଼ା । ସରଗ ସୁନ୍ଦରୀଙ୍କ ଠାରୁ ଆହୁରି ସୁନ୍ଦରୀ । ତମପାଇଁ ଏକା ସିଏ । ଆଉ କାହାପାଇଁ ନୁହେଁ ।

 

ଦେହର ଉଷ୍ମତାକୁ ଶୀତଳେଇବାର ଆଶାକରି ଶଶାଙ୍କ କହିଲା–କିଏ କିରେ ଜଟିଆ ?

 

କ’ଣ ଆଜ୍ଞା ପଚାରୁଛନ୍ତି କିଏ ବୋଲି ? କେବେ ମୁଁ ଆପଣଙ୍କ ପାଖେ ଖରାପ ଚିଜ ପହଞ୍ଚେଇଛି ? ସେଇମ, ସେଇ । ସେଇ, ହରି ମିଶ୍ରଙ୍କ ଝିଆରୀ । ନାହିଁନଥିବା ରୂପ । ଦେବତା ଲୋଭେଇ ଯିବାର ଯୌବନ । ଆଖି ଖଣ୍ଡକତ ଲକ୍ଷେ ଟଙ୍କା । ଆଉ କଥା ପଚାରେ କିଏ ?

 

ପକେଟରୁ କୋଡ଼ିଏ ଟଙ୍କିଆଟା କାଢ଼ି ଜଟିଆ ହାତକୁ ବଢ଼ାଇଦେଲା ଶଶାଙ୍କ ଏବଂ କହିଲା–ଜଟିଆ ! ନଗଦ ଦେଲି । ନଗଦ ପାଇବି । ଠିକ୍ ରାତିଅଧବେଳକୁ ଯେପରି ମାଲ୍‌ଟା ପହଞ୍ଚିଯାଏ । ଭୟ କରିବାର କିଛି ନାହିଁ । ହରି ମିଶ୍ରେ ମୁଅ ହାତରେ । ଆଉ ତା’ ଝିଅ ସୁଲି । ସିଏତ ଗାଁ ଗାଁ ବୁଲି ଚେହେରା ଦେଖେଇ ହଉଛି । କୋଉ ଇଜ୍ଜତ ତା’ର ଅଛି ଯେ ତାକୁ କିଏ ଲୋଭେଇ ପଡ଼ୁଛି । ଦାଶିଆକା ସୁଲିକୁ ଧରି ରାଜନୀତି ଖେଳୁଛି । ପୁଅ ଜାଣିନି, ଘର ଢିଙ୍କି କୁମ୍ଭୀର-। କେତେ ଖେଳ ଖେଳୁଛି ଖେଳିଯାଉ । ମୁଣ୍ଡତ ଭରମିଲାଣି, ଘରେ ପଡ଼ିଥିବ । ଏ କଥା ବୁଝିବ କେତେବେଳେ ?

 

ଜଟିଆ ନଟିଆ ଟଙ୍କା ପାଇ ଖୁସି ମନରେ ଚାଲିଲେ । ଜଟିଆ କହିଲା, ଦେଖିଲୁରେ ନଟିଆ ! ଅଳସୁଆ କରମକୁ କିପରି ଗଙ୍ଗା ବିଜେକଲେ । କେତେ ଟଙ୍କା ଦେଲେ କେଜାଣି ? ଅନ୍ଧାରରେ ତ କିଛି ଦେଖାଯାଉନି । ନୋଟ୍‍ଟାରେ ହାତ ମାରି ଜଟିଆ ହସଟାଏ ହସୁ ହସୁ କହି ପକେଇଲା, ହେ ନଟିଆ ! ଆମ ଭାଗ୍ୟ ଆଜି ଜୋରରେ ଜୋର । କୁଆଡ଼ୁ କିରେ ଧରମଦେବତା ଉଇଁଥିଲେ ଆଜି । ଲମ୍ବା ନୋଟ୍‍ଟାଏ । ବୋଧେ କୋଡ଼ିଏ । ନହେଲେ ତ ଦଶ ହେବ । ଦଶ ନହେଲେ ପାଞ୍ଚେ ତ ହେବ । ଆଉ କାହିଁକି ଡେରି । ଚାଲ, ଭାଟି ଆଡ଼େ ବେଗିରି ବେଗିରି ଢୋକେ ଲେଖା ପିଇଦେଇ କୁକୁଡ଼ା ରୋଷ୍ଟ୍‍ରୁ କିଛି କିଛି ପେଟରେ ଭରି ତାଜା ହୋଇଗଲେ, ଠିକ୍ ସମୟରେ ବାବୁଙ୍କ ପାଖେ ଶିକାରଟାକୁ ପହଞ୍ଚେଇବାକୁ ଆମକୁ କେତେ ମାତର ।

 

ଦାଶିଆକା ଏତକ ଶୁଣି ଆଗକୁ ପାଦ ନ ଟେକି ପଛକୁ ମୁହଁ ବୁଲାଇଲେ । ଦାଶିଆକା ଘରରୁ ଫେରିଗଲା । ଲକ୍ଷ୍ମୀ ରହିଲା ସୁଲି ପାଖରେ । ଲକ୍ଷ୍ମୀ ବୋଉ ପାଖରେ ଶୋଇଲା କେତୀ ।

 

ଉଲଗ୍ନ ରାତିରେ ଲକ୍ଷ୍ମୀର ସ୍ନିଗ୍ଧ ଢଳଢ଼ଳ ଏକ ଯୋଡ଼ା ଡୋଳାରୁ ଝିମଉଥିଲା ଥରି ଥରି ଅଶ୍ରୁ ବିନ୍ଦୁ । ଘରେ ବୋଉ ଏକାଏକା । ପାଖରେ ଶୋଇଛି କେତୀ । ହୁଣ୍ଡିଟାଏ କ’ଣ କରିବ । ଅଜସ୍ର ଭାବନାରେ ଦହି ହୋଇ ଯାଉଥିଲା । ତା’ ଦୁଃଖକୁ ବେଶୀ ଘନୀଭୂତ କରି ଦେଇଥିଲା, ସୁଲି ନେଇ ତାକୁ ଘରେ ରଖିଥିବାରୁ ସୁଲି ପ୍ରତି ବଡ଼ବୋଉ ଆଉ ବଡ଼ବାପାଙ୍କ ତାଡ଼ନା ଏବଂ ଝିଙ୍ଗାସ ।

 

ସୁଲି ରାତିରେ ବାପାଙ୍କର କୌଣସି ଜବତରେ ଜବତ ନ ହୋଇ ମୁହେଁ ମୁହେଁ ଜବାବ ଦେଇଥିଲା । ଅପକର୍ମରୁ ଓହରି ଯାଇ ସତ୍‌କର୍ମ କରିବାକୁ ସତର୍କ କରେଇଦେଇ ଭବିଷ୍ୟତ ତୁମର ଅନ୍ଧକାର ବୋଲି ଧମକ ଦେଇଥିଲା ।

 

ସୁଲିର ଧମକରେ ହରି ମିଶ୍ରେ ବିଷଦୃଷ୍ଟିରେ ଲକ୍ଷ୍ମୀକୁ ଚାହିଁ ଚାହିଁ ଅଶ୍ରାବ୍ୟ ଗାଳିଗୁଡ଼ିଏ ବର୍ଷଣ କରି ଶେଯ ଧଇଲେ ।

କିନ୍ତୁ ଲକ୍ଷ୍ମୀ ମନରେ ଦୁଃଖ କରି ରାତିଯାକ ହନ୍ତସନ୍ତ ହେଉ ହେଉ ନିଜ ଭାଗ୍ୟକୁ ଆଦରି ସୁଲି ପାଖରେ ନିଦରେ ଶୋଇପଡ଼ିଲା । କାଳନିଦ୍ରା ତା’ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇଦେଲା ।

 

ରାତି ଭାତନିଦ ଭାଙ୍ଗିବା ପ୍ରହର ହେବ । କେତୀ ଶୋଇଛି । ଲକ୍ଷ୍ମୀ ପାଖରେ ନଥିବାରୁ ଲକ୍ଷ୍ମୀବୋଉ ଆଖିକୁ ନିଦ ଆସୁନି । ଅଜଣା ଭୟରେ ଘର ମାଡ଼ି ମାଡ଼ି ପଡ଼ୁଛି । ଘରଟାଯାକର ପାଇଟି ଦିନଯାଜ କରି କରି କର୍ମକ୍ଳାନ୍ତ ଶରୀର ଚାହିଁଲା ଟିକିଏ ବିଶ୍ରାମ । ଆଖିପତା ବୁଜି ହୋଇଗଲା । ଲକ୍ଷ୍ମୀ ବୋଉ କତରାଲଗା ହୋଇ ନିଦ ଗଲେ ।

 

ବାରିଆଡ଼ ଅଶ୍ୱତ୍‌ଥ ଗଛରେ ପେଚାଟା ରାବୁଛି । କୁକୁରଟା ଭୋଭୋ ହେଉଛି । ରାତିଅଧର ଗାଁଫେରନ୍ତା କିଏ ଜଣେ ସାଇକେଲ୍‍ ଗିନିଟାକୁ ଟିଣ୍‍ଟିଣ୍ କରି ଗାଁ ଭିତରକୁ ପଶୁଛି । ବାରି ଦୁଆର ଭାଙ୍ଗି ଜଟିଆ ଆଉ ନଟିଆ ଲକ୍ଷ୍ମୀ ଘରେ ପଶିଲେ । ଭୟ ନାହିଁ । ଖାତିରି ନାହିଁ । ଏ ପ୍ରକାର ଅମାନୁଷିକ କାର୍ଯ୍ୟ କରିବାକୁ ତାଙ୍କ ମନରେ ଟିକିଏବି ସଙ୍କୋଚ ନାହିଁ ।

 

ନିଃଶ୍ୱାସ ବାରି ଜାଣିଲେ ଦୁଇଟି ଲୋକ ଶୋଇଛନ୍ତି ।

 

ନିଶ୍ଚିତ ସେମାନେ ଲକ୍ଷ୍ମୀ ଏବଂ ତା’ର ବୋଉ ।

 

ଟର୍ଚ୍ଚ ଲାଇଟ୍ ସତର୍କତାର ସହ ମାରି ପୁଣି ବନ୍ଦ କରିଦେଲେ ।

 

ଜଟିଆ ହାତ ମାରିଦେଲା ନଟିଆ ଦେହରେ । କେତୀକୁ ଉଠା । ସେ ସେପଟେ ଶୋଇଛି ।

 

ନଟିଆ ଜଟିଆ ନିର୍ଦ୍ଦେଶକୁ ଅବଜ୍ଞା କରିବାର ଶକ୍ତି ନଥିଲା ।

 

ସନ୍ଧ୍ୟାବେଳେ ତା’ଠାରୁ ପେଟେ ପିଇଛି ଏବଂ କୁକୁଡ଼ା ରୋଷ୍ଟ୍ ପେଟଭରା ଖାଇଛି ।

 

ଧ କହିଲେ ଧରିବ । ମାରେ କହିଲେ ମାରିବ ।

 

ନଟିଆ ଉଠାଇନେଲା କେତୀକୁ ।

 

କେତୀ ଜାଣିବି ପାଟି ଫିଟାଇ ନାହିଁ । ସୁନା ଝିଅଟି ପରି ନଟିଆ କାନ୍ଧରେ ପଡ଼ି ଠିକଣା ସ୍ଥଳରେ ପହଞ୍ଚିଗଲା ।

 

ଭୋକିଲା କୁକୁର ଜଗିଥିଲା ଶିକାର ଆଶାରେ । ନଟିଆ ଜଟିଆଠାରୁ ଶିକାର ପାଇ କୁଦା ମାରିଲା ଶିକାର ଉପରକୁ ।

 

ବେଡ଼୍ ଲାଇଟ୍‍ର ନୀଳ ଆଲୋକ ଧିକ୍ ଧିକ୍ ହୋଇ ଜଳୁଥିଲା ।

 

ନୀଳ ରଙ୍ଗର ଆଲୋକରେ କେତୀର ଲୋଭିଲା ଲୋଭିଲା ଦେହ ଜଳୁଥିଲା ଇନ୍ଦ୍ର ନୀଳମଣି ପରି ।

 

କେତୀ ଶଶାଙ୍କକୁ ଅମାନୁଷିକ କାର୍ଯ୍ୟ କରିବାକୁ ସୁଯୋଗ ନ ଦେଇ ଚିତ୍କାର କରି କହିଲା–ସାବଧାନ ଜାନୁଆର ।

 

ମୁଁ ଲକ୍ଷ୍ମୀ ନୁହେଁ, ତୋର ଯମ ଆସିଛି । ଆଉ ବେଶୀ କିଛି କରିବାକୁ ଅଗ୍ରସର ନ ହୋଇ ଠିଆ ହୁଅ ସେଇଠି । ମୋ ପ୍ରତି ଖରାପ ବ୍ୟବହାର କଲେ ସକାଳୁ ମୁହଁଟେକି ଚଲାଇ ଦେବିନି । ଆଉ ମନେରଖ, ଜାନୁଆର, ପରଝିଅ ବୋହୂଙ୍କ ଉପରେ ଆଖି ପକାଇଲେ ଧରମ ସହିବନି । କାଳ ଗୋଡ଼େଇ ଗୋଡ଼େଇ ନାଶ କରିବ । ମୁଁ ଯାଉଛି । ଆଉ ଦିନେ ଏପରି ଅପକର୍ମ ଯେପରି ନ କର ।

 

ସ୍ତବ୍ଧ ହୋଇ ଛିଡ଼ା ହୋଇଥିଲା ଶଶାଙ୍କ ।

 

କଳା ମିଚ୍‍ମିଚ୍ ଅନ୍ଧାରରେ ଝଡ଼ଭଳି ଛୁଟି ଆସିଲା କେତୀ ।

 

ଏମିତି ଲୋକଙ୍କୁ କେହି ଭଲ ପାଆନ୍ତି ନାହିଁ । ଘୃଣା କରନ୍ତି ।

 

ସକାଳୁ ପୂରୁବ ସୂର୍ଯ୍ୟ ଜନ୍ମ ନ ହେଉଣୁ ରାତିର ଘଟଣା ପ୍ରଘଟ ହୋଇଗଲା । ଯିଏ ଶୁଣିଲେ ଛିଛାକର କଲେ । କେତେକ ଶଶାଙ୍କର ଚାମଚା ହୋଇ ଅଜବ କଥା କହି ମିଥ୍ୟା ବୋଲି ପ୍ରମାଣ କରେଇବାକୁ ଚେଷ୍ଟା କଲେ ।

 

କିନ୍ତୁ ସତ୍ୟର ବିଲୟ କେବେ ହୁଏନା ।

 

ଲୋକେ ସତ କି ମିଛର ପ୍ରମାଣ ପାଇବାକୁ ଚାହିଁଲେ ନାହିଁ ।

 

ଶଶାଙ୍କ ପ୍ରତି ଲୋକଙ୍କ ମନରେ ଘୃଣା, ଭ୍ରୂକୁଞ୍ଚନ, ଛିଛାକାର ଦାଶିଆକା ପକ୍ଷେ ଅନୁକୂଳ ବାତାବରଣ ସୃଷ୍ଟି କଲା ।

 

ଶଶାଙ୍କ ବିରୁଦ୍ଧରେ ଲୋକମତ ପ୍ରବଳ ହୋଇ ଉଠିଲା ।

 

ଦାଶିଆକା, ସୁଲି, ଲକ୍ଷ୍ମୀ ଏବଂ କେତୀ ଏକାଠି ହୋଇ ଲୋକଙ୍କୁ ରାସ୍ତାଟି ସମ୍ପର୍କରେ ଧାରଣା ଦିଆଇ ରାତାରାତି ଗାଁଠାରୁ ମେନ୍‌ରୋଡ଼୍‍କୁ ରାସ୍ତାତିଆରି ନହେଲେ ହୋଇପାରିବ ନାହିଁ ବୋଲି ବୁଝାଇଲେ । ଯୁଆଡ଼େ ଆମେ ପାଦଦେବା ସିଆଡ଼େ ଉମାଶଙ୍କରବାବୁଙ୍କ ଜମି । ରାସ୍ତାପାଇଁ ଜମି ଛାଡ଼ିଦେବେନି କି ରାସ୍ତା କରେଇ ଦେବେନି । ଲୋକମତ । ଯାହା ଚାହିଁବେ ତାହା କରିବେ । କିନ୍ତୁ ତାଙ୍କପାଇଁ ଉପଯୁକ୍ତ ପରାମର୍ଶଦାତା ଲୋଡ଼ା । ଠିକ୍ ବାଟରେ ନେଲେ ଅସାଧ୍ୟ ସାଧନା ତାଙ୍କଦ୍ଵାରା କରିବା କଦାପି ଅସମ୍ଭବ ନୁହେଁ । ମଥାନପୁରର ଲୋକେ ଝଡ଼ାପିଟା କୋଡ଼ି କୋଦାଳ ଧରି ବାନର ସେନାପରି ମାଟି ହାଣି, ମାଟିବୋହି ଆଣ୍ଠୁଏ ଉଚ୍ଚାରେ ରାସ୍ତାଟାଏ ମେନ୍‌ରୋଡ଼୍‍କୁ ଲଗେଇଦେଲେ ।

 

ଦୁନିଆରେ ସମସ୍ତେ ଭଲଲୋକ ନୁହନ୍ତି କି ସମସ୍ତେ ଖରାପ ଲୋକ ନୁହନ୍ତି । କେତେଜଣ ଭଲ ହେଲେ କେତେଜଣ ଖରାପ । ହରି ମିଶ୍ରେ ଅନେକ ଚେଲା ବନେଇ ଦେଇ ଗୁରୁ ସାଜିଛନ୍ତି । ମିଶ୍ରେ ହେଲେ ବାଣୁଆ ପରି ବାଣୁଆ । କଣାବୁରୁନ୍ଦା । କଣାବୁରୁନ୍ଦା ହରି ମିଶ୍ରଙ୍କର ନାଗୁଆ ପାଇଟିଆଳତ ନୁହେଁ, ସେ ମିଶ୍ରଙ୍କର ପରାମର୍ଶଦାତା । ତା’ ପରାମର୍ଶ କେବେ ବ୍ୟର୍ଥ ହୋଇନି । ଧରିବାନ୍ଧି ଅନ୍ଧାର ଘରେ ବାଡ଼ି ବୁଲେଇ ବ୍ୟର୍ଥକୁ ଅବ୍ୟର୍ଥ କରିବା ଜନ୍ତୁ ସେ । ଆଖି ଥାଉଁଥାଉଁ ଅନ୍ଧ କରିଦେବାକୁ ବେଶୀ ସମୟ ଲାଗେନି ।

 

ସୁଲି କଣାବୁରୁନ୍ଦାର ଗୁଣଗାରିମା ଜାଣିବା ପରେ ତା’ର କିଛି କରିପାରୁନି । କାରଣ ତା’ ବାପା ତାକୁ ହାତକାମୁଡ଼ା ଶିଖେଇଛନ୍ତି । ସେ ଆଙ୍ଗୁଠି ଭରି କରୁ କରୁ ବାହା ଭରତି କରି ପରଧନରେ ବନ୍ଧୁ ଚରଚା କରୁଛି । ନିଜର ଫାଇଦା ଉଠାଇବା ପାଇଁ ବାପାଙ୍କୁ ଅସତ୍ ଉପଦେଶଗୁଡ଼ାଏ ଦେଇ ତାଙ୍କ ଆଖି ଆଢ଼ୁଆଳରେ ବ୍ୟାଙ୍କ୍ ଜମା ବଢ଼େଇବାରେ ଲାଗିଛି ।

 

କଣାବୁରୁନ୍ଦାର ଦୋଷ କ’ଣ ? ସ୍ଵାର୍ଥ ହାସଲ ଉଦ୍ଦେଶ୍ୟରେ ମଉକାକୁ ମଣିଷମାତ୍ରେହିଁ ଅପେକ୍ଷା କରିଥାନ୍ତି । ମଉକା ମିଳିଲେ ସ୍ଵାର୍ଥକୁ କରାୟତ୍ତ କରିବାପାଇଁ ମଉକାକୁ ସଦ୍‌ବ୍ୟବହାର କରନ୍ତି ।

 

କରିଛି କଣାବୁରୁନ୍ଦା । କରନ୍ତି ଆଉବି ଅନ୍ୟମାନେ ।

 

ଅମଣିଷକୁ ଯେତେ ମାଠିଲେ ମଣିଷ ହୁଏନି । ଠିକି ଠିକି ଅଣନୟାନ୍ତ ହେଲେବି କାଣିଚାଏ ମଣିଷତ୍ୱର ଭାବ ତା’ଠାରେ ଅଙ୍କୁରେ ନାହିଁ ।

 

ଶଶାଙ୍କ ମଣିଷ ନୁହେଁ ଅମଣିଷ ।

 

ପରକୁ ଠକିବା, ଗୁଣ୍ଡାମି ଦେଖାଇ ରାସ୍ତାଘାଟରୁ ପଥିକଙ୍କଠାରୁ ଟଙ୍କା ଓ ଜିନିଷପତ୍ର ଛଡ଼ାଇବା, ମିଛ କହି ଅନ୍ୟମାନଙ୍କୁ ବିପଥଗାମୀ କରାଇବା ଶଶାଙ୍କର ଅଭ୍ୟାସଗତ କାର୍ଯ୍ୟ ଏବଂ ବର୍ତ୍ତମାନର କାର୍ଯ୍ୟ ତା’ର ଦାଶିଆକାକୁ ହରାଇ ହରକତ୍‍ କରାଇବା । ସୁଲି ଏବଂ ଲକ୍ଷ୍ମୀ ପ୍ରତି ପ୍ରତିଶୋଧ ନେବା ।

 

ଶଶାଙ୍କକୁ ବେଶୀ ବାଧିଛି କେତୀର ଧମକ । କେତୀ ତାକୁ ଧମକ ଦେଖାଇ ଖସିଆସିବା ପରେ ତା’ର କ୍ରୋଧାଗ୍ନି ଜଳୁଛି କେତୀକୁ ପୋଡ଼ିଜାଳି ମାରିବାକୁ । ଆଉ ବେଶି ବାଧିଲା, ତା’ ବାପାଙ୍କ ଜମି ଉପରେ ରାତାରାତି ସଡ଼କ ତିଆରି ହୋଇଥିବାରୁ । ଯାହାକୁ ମୂଳ ପାଣ୍ଠି କରି ଲୋକଙ୍କୁ ମତାଉ ଥିଲା, ସେ ସମସ୍ୟା ପୂରଣ ହେଇଗଲା ଲୋକମାନଙ୍କର ଦାଶିଆକାଦ୍ଵାରା । ଲୋକେ ଛାଏଁ ଛାଏଁ ଶଶାଙ୍କ କବଳରୁ ଖସି ଢଳିପଡ଼ିଲେ ଦାଶିଆକା ଆଡ଼େ ।

ଶଶାଙ୍କ ଅନୁଭବ କଲା ତା’ର କଣ୍ଟା ଦାଶିଆକା । ୟାକୁ ମାନସ ପରି ଘଣା ପେଲାଇ ଦେବାର ବ୍ୟବସ୍ଥାପାଇଁ ତତ୍ପର ହୋଇ ପଡ଼ିଲା ସେ । କଣାବୁରୁନ୍ଦା ଜଳିଗଲା । ଜଳେଇ ଦେଲା ହରି ମିଶ୍ରଙ୍କୁ ।

ସଁବାଳୁଆ, ବାଇଡ଼ଙ୍କ ଓ ବିଛୁଆତିର ଜୁଟ ହୋଇଗଲା ଏକାଠି ।

ଏମାନଙ୍କ ଦାଉ କିଏ ସହିବ ?

ସହି ପାରିଲାନି ଦାଶିଆକା ।

କଣାବୁରୁନ୍ଦାର କାନକୁହା, ହରି ମିଶ୍ରଙ୍କର ଆଖିର ଇସାରା ଏବଂ ଶଶାଙ୍କର ଧଳାକୁ କଳା ଓ କଳାକୁ ଧଳା କରିବା ନୀତି ଦାଶିଆକା ଗଳାକୁ ଚିପି ଧରିଲେ ।

ଉଦୁଉଦିଆ ଦିପହର । ଝାଞ୍ଜି ପିଟୁଛି । ଉପରେ ଖରା ତଳେ ତାତି । ଚାରିଦିଗ ନିଃଶବ୍ଦ-। ଟିକିଏ ହେଲେ ଖୁଡ଼୍‍ଖାଡ଼୍‌ର ଆଭାସ ମିଳୁନି କୁଆଡ଼ୁ । କାଉ କୋଇଲିଙ୍କରବି ଦେଖା ନାହିଁ-। ଶାନ୍ତିର ବାତାବରଣ ବିରାଜମାନ କରୁଛି ଗାଁଟାସାରା ।

 

କେବଳ ହରି ମିଶ୍ରଙ୍କ ବାହିଲି ଘରେ ବସିଛନ୍ତି ସୁଲି, ଲକ୍ଷ୍ମୀ ଓ କେତୀ । ତାଙ୍କ ସହିତ ଦାଶିଆ କଥୋପକଥନ ହେଉଛି ହରିଜନ ସାହି ଲୋକଙ୍କର ଅର୍ଥନୈତିକ ଏବଂ ସାମାଜିକ ମାନଦଣ୍ଡକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ।

 

ହାଡ଼ି, କଣ୍ଡରା, ବାଉରି ହୋଇ ଦେଢ଼’ଶ ଘର ମଥାନପୁରରେ । ହରିଜନ ସାହିର ଚାଳ ଘରଗୁଡ଼ିକ ଦାନ୍ତୁରୀ ସ୍ତ୍ରୀଲୋକ ପରି ଦାନ୍ତ ଦେଖେଇ ଅନେଇଛି ବାହାରକୁ । ଶରୀରଯାକ କଣାମାଳ । କଣାଫଟା, ଚାଳଘର ଖଣ୍ଡିକ ସେମାନଙ୍କର ସାହା । ଅସମୟରେ ଆପଦ ବିପଦରେ ଆହା କହିବାକୁ ପଦେ ପୁରୁଷଙ୍କର ରୂପ ଦେଖିବାକୁ ମିଳେନି । କାଁଭାଁ ଜଣେଅଧେ ଅକର୍ମଣ୍ୟ ବୁଢ଼ା ଭଙ୍ଗା ପିଣ୍ଢାରେ ବସି ଖାଙ୍କଡ଼ା ପେଟକୁ ଉପରକୁ ଦେଖେଇ ରଡ଼ି ଛାଡ଼ିଥାଏ ତୋରାଣି ମୁନ୍ଦିଏ ପାଇବା ଆଶାରେ । ମାତ୍ର ପାଇବ କେଉଁଠୁଁ ? ଯିଏ ତା’ର ଆତ୍ମୀୟ ଅଛନ୍ତି ତାଙ୍କ ଚିନ୍ତା ତାଙ୍କୁ ଧରାଧର । ଶୁଖିଲା ନଈରେ କେତେ ବାଟ ନାଆ ପେଲିବେ ?

 

ପିଲାଛୁଆଙ୍କୁ ଧରି ସ୍ତ୍ରୀମାନେ ପଡ଼ିରହିଛନ୍ତି ହରିଜନ ବସ୍ତିରେ । ଘନକୁ ଚାତକ ଚାହିଁଲା ପରି ଅନାଇଥାନ୍ତି ଡାକଘରକୁ । ସ୍ୱାମୀମାନେ କଲିକତାରେ ଗତରଖଟି ଟଙ୍କା କମେଇ ପଠାଇଲେ ଏମାନେ ଭାତ ତିଉଣର ବ୍ୟବସ୍ଥା କରନ୍ତି । ପିଲାଛୁଆଙ୍କ ମୁହଁରେ ଦାନା ମୁଠିଏ ଦିଅନ୍ତି । ମାତ୍ର ଏହା ସବୁବେଳେ ସମ୍ଭବ ହୁଏନି । ଯାହାଦ୍ଵାରାକି ସଦ୍ୟ ବିବାହିତ ସ୍ତ୍ରୀମାନେ ଦାନ୍ତ ନିକୁଟି ଠିଆହୁଅନ୍ତି ଗାଁ ମହାଜନ ସବୁରା ସାହୁ ଦୋକାନ ଦୁଆରେ । ପାଞ୍ଚ ଘଡ଼ି ଗୋଡ଼ ଭାଙ୍ଗି ଠିଆ ହୋଇ କାକୁତିମିନତି କଲେ କେତେବେଳକୁ ସବୁରା ସାହୁ ରସିକିଆ ଭାଷ ଭାସି ଚାଉଳ ସେରେ ଅଜାଡ଼ିଦିଏ ।

 

ଶିକ୍ଷା ନଥିବାରୁ ଚାଲିଚଳଣିରେ ଭିନ୍ନତା ସେମାନଙ୍କଠାରେ ପ୍ରକାଶପାଏ । ଅଶୁଦ୍ଧି ଭାଷାରେ କଥାବାର୍ତ୍ତା । ଅରୁଚିକର ଖାଦ୍ୟ । ଅସ୍ଵାସ୍ଥ୍ୟକର ପରିବେଶ । ବେଗରେ ଶଢ଼ି ଶଢ଼ି ମରୁଛନ୍ତି । ସେମାନଙ୍କ ଉପରେ ଆଖି ପଡ଼ୁନି କାହାର । ବରଂ ସେମାନଙ୍କୁ ନାନାପ୍ରକାରଭାବେ ଅତ୍ୟାଚାରିତ କରାଯାଉଛି । ହରି ମିଶ୍ରେ ଏବଂ ଉମାଶଙ୍କରବାବୁଙ୍କଦ୍ଵାରା । କଣାବୁରୁନ୍ଦାବି ସମୟେ ସମୟେ ଫାଇଦା ଉଠାଇବାକୁ ଭୁଲେ ନାହିଁ ।

 

ଦାଶିଆକା, ଲକ୍ଷ୍ମୀ, ସୁଲି ଏବଂ କେତୀ ଯେଉଁଦିନ ହରିଜନ ବସ୍ତିରେ ଯାଇ ପଶିଲେ ସେ ଦିନ ଏମାନଙ୍କୁ ସାହି ଭିତରେ ଯିଏ ଦେଖିଲେ ସିଏ ଲୁଚିଲେ । ଏକ ଅଜ୍ଞାତ ଭୟରେ ଘରେ ଲୁଚି ପ୍ରମାଦ ଗଣିଲେ । ଚେଷ୍ଟାକଲେବି ବସ୍ତିର କାହା ସହିତ କଥା ହେବାକୁ ସୁଯୋଗ ପାଇଲେ ନାହିଁ ।

 

ବସ୍ତିବାସୀଙ୍କର ଅନ୍ଧଧାରଣା ଆଗରୁ ରହିଆସିଛି ଗାଁ ଭିତରୁ ଯେଉଁ ଲୋକ ବସ୍ତି ଭିତରକୁ ଆସନ୍ତି ସେମାନେ କେବଳ ସେମାନଙ୍କୁ ନାନାପ୍ରକାରଭାବେ ଶୋଷଣ କରିବାକୁ ଆସନ୍ତି । ଅଭାବ ସମୟରେ କଅଁଳ ଭାଷାରେ ପଦ ବୋଲି କେଞ୍ଚାଏ ସାହାଯ୍ୟ କରି ମେଞ୍ଚାଏ ଦାବିକରି ଭଣ୍ଡେଇ ନିଅନ୍ତି । ହୁବ କୁଳାଏନି ଅନୀତିର ପ୍ରତିବାଦ କରିବାକୁ ।

 

ସେଇ ଭୟ ବସ୍ତି ଲୋକଙ୍କର ।

 

ଦାଶିଆକା ସହିତ ହରିମିଶ୍ରଙ୍କ ଝିଅ ସୁଲିକୁ ଦେଖି ଆହୁରି ଭୟ ସେମାନଙ୍କ ମନରେ ।

 

କିନ୍ତୁ କିଛି ସମୟ ଅତିକ୍ରମ ପରେ ଗାଁ ଭିତରଆଡ଼ୁ ଫେରିଲେ ଜଳିଆ ଆଉ ବଳିଆ । ଦୁହେଁ ହରିଜନ ବସ୍ତିର ହାନିଲାଭ ବୁଝନ୍ତି । ସୁବିଧା ଅସୁବିଧାରେ ବସ୍ତିରେ ପଡ଼ିରହିଥିବା ଲୋକମାନଙ୍କୁ ସାହାଯ୍ୟ କରନ୍ତି । କାହାକୁ ଜର ହେଲେ ବଇଦଠାରୁ ଔଷଧ ଆଣି ଦିଅନ୍ତି । ଦୋକାନରୁ ସଉଦା କିଣିଆଣନ୍ତି । ହାଟପାଳିରେ ବସ୍ତିର ସ୍ତ୍ରୀଲୋକମାନେ ବୁଣିଥିବା ବାଉଁଶ ଦ୍ରବ୍ୟକୁ ବିକେଇ ଦିଅନ୍ତି । ରାତିତମାମ ହାତରେ ମସ୍ତ ତଡ଼ା ଧରି ପହରା ଦିଅନ୍ତି ବସ୍ତି ଚାରିପାଖେ ।

 

ଜଳିଆ ବଳିଆ ଦୁହେଁ ଦୂରରୁ ଦାଶିଆକାକୁ ଦେଖି ହାତଟେକିଲେ । ନିଜକୁ ନିଜେ ଆଶ୍ୱସ୍ତି ବୋଧ କରି ପଚାରିଲେ–ଆଜ୍ଞା ! କୁଆଡ଼େ ଏତେ ଦିନକେ ମାଡ଼ି ଆସିଲେ ? ବହୁ ଭାଗ୍ୟ ଆମର । ଆପଣଙ୍କ ପାଦ ପୁଣି ଏ ବସ୍ତିରେ ପଡ଼ିବ ଏ କଥା ଆମେ ବିଶ୍ଵାସ କରିନଥିଲୁ ।

 

କହିଲେ ଆଜ୍ଞା ! ଆପଣମାନେ କାହିଁକି ବିରାଜମାନ କରିଛନ୍ତି ।

 

ଦାଶିଆକା, ଜଳିଆ ଓ ବଳିଆକୁ ଦେଖି ମୁହଁରେ ତା’ର କ୍ଷୀଣ ହସ ଦେଖାଗଲା, ଏବଂ କହିଲା–କୁଆଡ଼େ ଆଉ ଆସିବି ? ତୁମରିମାନଙ୍କ ପାଖକୁ ଆସିଥିଲି । ବର୍ତ୍ତମାନ ବିଜ୍ଞାନ ଯୁଗରେ ଦେଶ ଆଗେଇ ଚାଲିଛି । ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହେଉଛି । ଗାଁଗହଳିର ଆଗ ଅବସ୍ଥା ଆଉ ନାହିଁ । ଦିନକୁଦିନ ଉପରକୁ ଉଠୁଛି । କିନ୍ତୁ ପଡ଼ିଯାଇଛ ତୁମେମାନେ । ତୁମରିମାନଙ୍କ ପାଇଁ କିଛି କରିବା ଆଶା ରଖି ତୁମ ପାଖକୁ ଆସିଛି । ତୁମେ ସାହାଯ୍ୟ କରିବ କି ନାହିଁ କହିଲ ।

 

ଦାଶିଆକା ସତ କହୁଛି କି ମିଛ କହୁଛି ଜାଣିବାପାଇଁ ସେମାନଙ୍କର ଉପେକ୍ଷାରେ ଅନୁନ୍ନତ ଆଖି ଦି’ହଳ ଲାଗିଯାଇଥିଲା । ଦାଶିଆକା ମୁହଁକୁ ଚାହିଁ କ’ଣ ବାରିଲେ କେଜାଣି ! କାନ୍ଦ କାନ୍ଦ ହୋଇ କହିଲେ, ବାବୁ । ସତେ ତୁମେ ଆମ ଦୁଃଖ ବୁଝିବାକୁ ଆସିଛ ?

 

–କେତେ ଭୟ ସେମାନଙ୍କ ଚିତ୍ତରେ ।

କଳିପାରିଲାନି ଦାଶିଆକା । ଦୁହିଁଙ୍କ ପିଠିରେ ହାତ ଥାପୁଡ଼େଇଲା । ବୁଝେଇ ଦେଲା ଆଭିମୁଖ୍ୟ । ବୁଝିଗଲେ ସେମାନେ ।

ସ୍ଥିର ହେଲା । କାଲି ସକାଳୁ ବସ୍ତିରେ ଥିବା ଅଳିଆ ଅପରଚ୍ଛନ୍ନିଆ ସ୍ଥାନସବୁ ପ୍ରଥମେ ସଫାହେବ । ଜଳିଆ ବଳିଆ ଦାଶିଆକାକୁ ସାହାଯ୍ୟ କରିବେ । ରାତିରେ ସୁଲି ଓ ଲକ୍ଷ୍ମୀ ସେମାନଙ୍କୁ ଘଡ଼ିଏ ଘଡ଼ିଏ ପାଠ ପଢ଼ାଇ ସାକ୍ଷର କରାଇବେ ।

ଖୁସି ହେଲେ ଜଳିଆ ବଳିଆ ।

ନିଜକୁ ଧନ୍ୟ ମଣିଲେ ବସ୍ତିର ଆଉ ଅନ୍ୟମାନେ ।

ଦାଶିଆକାର ଆପ୍ରାଣଉଦ୍ୟମ, ଲକ୍ଷ୍ମୀର ଅକ୍ଳାନ୍ତ ପରିଶ୍ରମ, ସୁଲିର ନିଷ୍ଠା ଏବଂ କେତୀର ମହାନୁଭବତା ଯୋଗୁଁ ଆଗପରି ହରିଜନ ବସ୍ତିରେ ରୋଗ ପଶିଲାନି । ରୋଗରେ ପଡ଼ି ଲୋକ ମଲେନି । ସାକ୍ଷର ହୋଇସାରିବା ପରେ କାହା ପାଖକୁ ଚିଠି ଲେଖେଇବାକୁ କି ପଢ଼େଇବାକୁ ଯିବାକୁ ପଡ଼ିଲାନି । ପାଣି ଖାଇବାପାଇଁ କୂଅ ଓ ଗାଧୋଇବା ପାଇଁ ପୋଖରୀ ଖୋଳା ସରିଛି । ଅର୍ଥନୈତିକ କାର୍ଯ୍ୟମାନ ଯୋଗାଇ ଦେବାଫଳରେ ଆର୍ଥିକ ଅବସ୍ଥା ବଦଳି ଯାଇଛି ।

କ’ଣ ଆଖିରେ କି କଜଳଗାର !

ହରି ମିଶ୍ରଙ୍କ ଆଖିରେ ଦାଶିଆକାର ପ୍ରଶଂସା କିମିତିଆ କିମିତିଆ ଦେଖାଗଲା । କଣାବୁରୁନ୍ଦା ଜଳିଗଲା । ଶଶାଙ୍କ ଦାନ୍ତ କଟମଟ କଲା ।

 

ଦେଖିଲେ ସୁଲି, ଲକ୍ଷ୍ମୀ ଓ କେତୀ କିଛି ନୁହନ୍ତି । ଏମାନେ ଘାସକୁ ବଡ଼ ପାଳକୁ ଛୋଟ । ସବୁକାଣ୍ଡର ମୂଳ ହେଉଛି ଦାଶିଆକା ।

ଆଲୋଚନା ସରିନି । ଦିପହରିଆ ଧୂପ ଛିଡ଼ୁଛି । ନାହିଁନଥିବା ଖରା । ଦାଶିଆକା ସହିତ ଏ ତିନିହେଁ ଆଲୋଚନାରତ । ବାହାରୁ ଦୁଆରେ ହାତ ମାରିବାର ଆବାଜ୍ ଶୁଣି କେତୀ ଦୁଆର ମୁକୁଳା କଲା ।

ହାଣ୍ଡିକଳା ରଙ୍ଗର ମସ୍ତ ଏକ ଯୁଆନ । ମୁହଁର ନାକ ତଳକୁ ଲମ୍ବା ଲମ୍ବା ବାଘୁଆ ମୁଛ । ଡେଙ୍ଗାରେ ଛଅ ଫୁଟ୍ ହେବ । ନାକଟା ଚାଖଣ୍ଡେ । ରୂପ ସାଙ୍ଗକୁ ପିନ୍ଧିଥିବା ଖାକି ପ୍ୟାଣ୍ଟ ସାର୍ଟ୍ ତାକୁ ବନେଇ ଦେଇଛି ସାକ୍ଷାତ ଯମଦୂତ । ହାତରେ ଛୋଟ ରୋଲବାଡ଼ିଟିଏ ।

ଏମାନଙ୍କୁ ଦେଖି ବିଦ୍ରୂପଭରା କଣ୍ଠରେ କହିଲା–ଅଭିଯୋଗଟା ମିଛ କାହିଁକି ହେବ ? ଯୋଉ ଲୋକ ଦିନ ଦିପହରେ ଗୋପୀମାନଙ୍କ ମେଳରେ କୃଷ୍ଣ ସାଜି କେଳି ରଚୁଛି ତା’ ପକ୍ଷେ ହରିଜନ ବସ୍ତିର ରତନି ହାଡ଼ିଆଣୀର ଅଙ୍ଗସଂଗ ଲାଭ କରିବା କେତେ ମାତର ।

ମୁହଁ ଟେକି ଦାରୋଗାବାବୁଙ୍କୁ ଚାହିଁଲା ଦାଶିଆକା ।

ଚାହିଁଲେ ସୁଲି, ଲକ୍ଷ୍ମୀ ଓ କେତୀ ।

ଦାରୋଗାବାବୁ ଦାଶିଆକାକୁ ବଳାତ୍କାରଭାବେ ହାତଧରି ଉଠାଇଲେ । କେତୀ ଉଠିପଡ଼ି ଦାରୋଗାବାବୁଙ୍କୁ ବାଧା ଦେଲା ମାତ୍ର ଦାରୋଗାବାବୁଙ୍କ ବାଁହାତିଆ ଚାପଡ଼ା ମାଡ଼ରେ ଥମ୍‍ମାରି ବସି ପଡ଼ିଲା ।

 

କେହି ତାକୁ ଅଟକାଇ ପାରିଲେ ନାହିଁ । ଦାଶିଆକାକୁ ଦାରୋଗାବାବୁ ଧରି ନେଇଗଲେ ଥାନାକୁ ।

 

ହଠାତ୍ ସୁଲିର କିଛି କରିବାର ନଥିଲା ଅନୁତାପ ବ୍ୟତୀତ ।

 

ହତୋତ୍ସାହ ହୋଇ ପଡ଼ିଲେ ଲକ୍ଷ୍ମୀ ଏବଂ କେତୀ । କିନ୍ତୁ ସୁଲି ସେମାନଙ୍କୁ ବୋଧ ଦେଇ କହିଲା–ହତୋତ୍ସାହ ହେଲେ କୌଣସି ସମସ୍ୟାର ସମାଧାନ ହୁଏନି ବରଂ ଲାଘବ ପରିବର୍ତ୍ତେ ଗୁରୁ ହୋଇଯାଏ । ଯାହା ସବୁ ଘଟିଯାଉଛି ମୁଣ୍ଡପାତି ସମ୍ଭାଳିନେଇ ମୁକାବିଲା କଲେ ନିଶ୍ଚୟ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ।

 

କେତୀ କହିଲା–ସୁଲି ଅପା । ଦାଶିଆକାକୁ ଥାନାରୁ ମୁକୁଳାଇବାର ବ୍ୟବସ୍ଥା ନ କଲେ ବଡ଼ ଅଚିକ୍କଣ ହେବ । କିପରି କ’ଣ କରିବା ସେ ବିଷୟ ଆଗ ଚିନ୍ତାକରି ଯାହା କରିବାକୁ ଅଛି ତାକୁ ପଛକୁ ରଖ ।

 

ସୁଲି କେତୀକୁ ସମର୍ଥନ କରି କାହାକୁ ସାଙ୍ଗରେ ଧରି ଥାନାକୁ ଯିବାକୁ ପ୍ରସ୍ତାବ ଦେବାରୁ ଲକ୍ଷ୍ମୀ ମନା କରି କହିଲା–ଦାଶିଆକାକୁ ଆଣିବାକୁ ଯିବ କ’ଣ ? କାଲିପରା ମାନସବାବୁଙ୍କ ମକଦ୍ଦମାର ରାୟ ତାରିଖ । ଆଗ ମକଦ୍ଦମା କଥା ବୁଝେ ତା’ପରେ ଥାନା କଥା କହିବ ।

 

ପ୍ରକୃତ କଥା କାହାର ମନେ ନଥିଲା । ଲକ୍ଷ୍ମୀ ଠାରୁ ଶୁଣି ସୁଲି ଓ ଲକ୍ଷ୍ମୀ ଚଞ୍ଚଳ ହେଲେ । କାଲି ରାୟ ତାରିଖ । ପାଖରେ ଟଙ୍କା ନାହିଁ । ଓକିଲ ବିନା ପଇସାରେ ମକଦ୍ଦମା ଲଢ଼ି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ପଇସାଟିଏ ଦିଆ ହୋଇନି । କୁଆଡ଼ୁ ଯୋଗାଡ଼ଯନ୍ତ୍ର କରି ଶହେ କି ଛ’ କୋଡ଼ି ହାତରେ ନ ନେଲେ ଓକିଲବାବୁ ଆମକୁ ଆଉ ମଣିଷ ବୋଲି କହିବେନି । ବିବେକକୁ ନାକରା କରିଦେବେ–କେତୀ କହିଲା ।

 

ଅନ୍ଧକୂପ ଭିତରେ ପଡ଼ି ସାଉଁଟିହେଲେ ଚାରିଆଡ଼େ ଟଙ୍କାପାଇଁ । ମାତ୍ର ମିଳୁଛି କେଉଁଠୁଁ-?

 

ଟଙ୍କା ଲକ୍ଷ୍ମୀ ଓ କେତୀ ପକ୍ଷେ ସାତ ସପନ ।

 

କେବଳ ସମ୍ଭବ ସୁଲି‌ ପକ୍ଷେ ।

 

ସୁଲି ମନରେ ଜମା କଲା ଗୋଛାଏ ସାହସ । ଅକଳନା ଦମ୍ଭ ବାନ୍ଧି ଗଲା ବାପାଙ୍କ ପାଖକୁ ।

 

ମିଶ୍ରେ ଦିପହରିଆ କ୍ଳାନ୍ତି ମେଣ୍ଟାଉଥିଲେ ବାରି ଘର ଖଟିଆ ଉପରେ ପଡ଼ି । ନିଦଟା ଭାଙ୍ଗିଗଲାଣି । ଅଳସ ଯୋଗୁଁ ପଡ଼ି ରହିଥିଲେ ଖଟିଆ ଉପରେ ଏବଂ ମନରେ ମାପ କରୁଥିଲେ ଆସନ୍ତାକାଲିର ମକଦ୍ଦମାର ରାୟକୁ । ଉପରକୁ ମୁହଁକରି ଶୋଇରହି ଅଧା ଆଖିରେ ଚାହିଁଥିଲେ ।

 

ସୁଲି ମୁଣ୍ଡପଟେ ଛିଡ଼ାହୋଇ ଡାକିଲା–ବାପା !

 

କିଏ ?

 

ମୁଁ ସୁଲି ।

 

ସୁଲି !

 

ହଁ ।

 

କ’ଣ କହୁଛୁ ?

 

ଟ୍ରେଜେରୀ ଚାବିଟା ଦରକାର ।

 

ଟ୍ରେଜେରୀ ଚାବି ?

 

ହଁ ।

 

କ’ଣ କରିବୁ ?

 

ଟଙ୍କା ନେବି ।

 

ଟଙ୍କା ?

 

ହଁ, ହଁ, ଟଙ୍କା ନେବି ।

 

ଟଙ୍କା କ’ଣ କରିବୁ ?

 

କାଲି ମାନସବାବୁଙ୍କ ମକଦ୍ଦମା ରାୟ ତାରିଖ ଅଛି, ସେଥିରେ ଖର୍ଚ୍ଚ କରିବି ।

 

ହରି ମିଶ୍ରେ ଖଟିଆରୁ ଉଠିପଡ଼ି ଦାନ୍ତକାମୁଡ଼ି ଆଖି ରଙ୍ଗ ରଙ୍ଗ କରି ଚଢ଼ା ଗଳାରେ କହିଲେ–କ’ଣ କହିଲୁ ? ଟଙ୍କା ନେଇ ତୁ ମାନସ ମକଦ୍ଦମାରେ ଖର୍ଚ୍ଚ କରିବୁ ? କମ୍ ସାହସତ ତୋ’ର ନୁହେଁ ।

 

ହରି ମିଶ୍ରଙ୍କ ରାଗ ଦେଖି ସୁଲି ଠିକ୍ କଲା ବାପାଙ୍କ ସହିତ ଯୁକ୍ତି ନ କରି ତାଙ୍କୁ ବୁଝାଇ ଦେଇପାରିଲେ ଭଲ ହେବ । ତେଣୁ କହିଲା–

 

ବାପା ! ତୁମେ ମୋତେ ଯାହା କହିବାକୁ ଯାଉଛ ଏବଂ ଯାହା କରିଯାଉଛ ସେ ସମ୍ପର୍କରେ ଆଦୌ ଚିନ୍ତା କରୁନାହଁ । ମଣିଷମାତ୍ରକେ ତା’ର କର୍ତ୍ତବ୍ୟ ହେଉଛି, ଯାହା କରିବ ତାହା ବିଚାର କରି କରିବା ଉଚିତ । କିନ୍ତୁ ଆପଣ ତାହା କରୁନାହାନ୍ତି । ଖଳ ବୁଦ୍ଧିରେ ଅନେକ କିଛି କରିବାକୁ ଯାଇ ପରର ଅନିଷ୍ଟ କରି ବସୁଛନ୍ତି, କେବଳ ଆପଣଙ୍କ ସ୍ଵାର୍ଥପାଇଁ । ପରର ସ୍ଵାର୍ଥ ପ୍ରତି ଆଦୌ ନଜର ଦେଉ ନାହାନ୍ତି । ପରର ଅନିଷ୍ଟ କରି ଆପଣ କି ଯଶ ପାଉଛନ୍ତି ? ମାନସବାବୁ ଆମ ଘରେ ଆଶ୍ରିତ । ତାଙ୍କୁ ବିପଦରୁ ମୁକୁଳେଇବା ଆମର କର୍ତ୍ତବ୍ୟ । ଆମେ ଆମର କର୍ତ୍ତବ୍ୟ ନ କଲେ ଦାଣ୍ଡରେ ଲୋକେ କ’ଣ କହିବେ ?

 

ତଥାପି ମିଶ୍ରଙ୍କ ହୃଦୟରେ ବିଶ୍ୱାସ ହେଲେ ଦୟା ଉଦ୍ରେକ ହେଲାନି । ପାଟିକୁ ଯାହା ଆସିଲା ଅଭାଷା ଭାଷାରେ ଗାଳିଦେଲେ । ଯାହାକି ଝିଅକୁ ବାପା କହିବା କଥା ନୁହେଁ ।

 

ସୁଲି ଲକ୍ଷ୍ୟ କଲା ମିଶ୍ରଙ୍କ ଚାବିପେନ୍ଥାକ ଖଟିଆ ଉପରେ ପଡ଼ିଛି । ଭଲରେ ବାପା ଟଙ୍କା ଦେବେନି ମନ୍ଦରେ ହେଲେ ମୋତେ ଟଙ୍କା ନେବାକୁ ପଡ଼ିବ ।

 

ସୁଲି ଜବରଦସ୍ତ ଚାବିପେନ୍ଥାକ ଖଟିଆ ଉପରୁ ଉଠାଇ ହାତରେ ଧଇଲା ଏବଂ ପୁଣି କହିଲା–

 

ବାପା ! ଏ ଘରର ସବୁ ସମ୍ପତ୍ତି ଆପଣଙ୍କ ଅନ୍ତେ କିଏ ଭୋଗ କରିବ ? କାହାପାଇଁ ଏତେ ଲୋଭ । କାହାପାଇଁ ପାପ ଅରଜି ମୁଣ୍ଡରେ ନିନ୍ଦା ଲଦି ଧନ ସଞ୍ଚୁଛ ? ତୁମର ପୁଅ ନାହିଁ । ଏକା ମୁଁ । ଯାହା କରୁଛ ମୋପାଇଁ କରୁଛ । ଆପଣ ବୁଢ଼ା ହେଲଣି । ଘରେ ବସି ମୁଠେ ଖାଅ । ମୋ ବିଷୟବାଡ଼ି ମୁଁ ବୁଝିବି । ମୁଁ ଚାବିନେଲି । ଆପଣ ଆଉ ବେଶୀ ପରିଶ୍ରମ ନ କରି ଅଯଥା ବିଷୟ ମୁଣ୍ଡରେ ନ ପୂରେଇ ଚୁପ୍‍ଚାପ୍ ଘରେ ବସ ।

 

ସୁଲି ଚାବିପେନ୍ଥାକ ନେଇ ଘର ଭିତରେ ପଶିଲା ।

 

ମିଶ୍ରେ ସମ୍ବାଳି ନ ପାରି ଗେଲି ବୋଉ ଗେଲିବୋଉ ବୋଲି ଚିତ୍କାର କଲେ ।

 

ଘର ଭିତରେ ଗେଲିବୋଉ ଥାଇ ବାପ ଝିଅଙ୍କ ବଚସା ଶୁଣିଥିଲେ, ମାତ୍ର କାନରେ ଠିକ୍‌ଭାବେ ପକେଇ ନଥିଲେ । ମିଶ୍ରଙ୍କ କୁକୁରିଆ ଚିତ୍କାର ଶୁଣି ଝପଟି ଆସିଲେ ସ୍ଵାମୀଙ୍କ ପାଖକୁ । ସ୍ଵାମୀଙ୍କଠାରୁ ଅଧ୍ୟାୟକ ଶୁଣି ଆଗେ ଝମ୍‌ମାରି ରହିଗଲେ । କ’ଣ କାହାକୁ କହିବେ କିଛି ତାଙ୍କ ମୁଣ୍ଡକୁ ଜୁଟିଲାନି । ଶେଷରେ ଏତିକି କହିଲେ–ଝିଅଟା ବାଗର ହେଲାନି । ଘରଦୁଆରେ ପଶିଲାନି-। ପରପାଇଁ ବାରଆଡ଼େ ବୁଲି ବୁଲି ଅବସ୍ଥା କ୍ଷୀଣ କଲାଣି । କି ଲାଭ ପାଇବ କେଜାଣି ସେଥିରୁ-? ଘରଦୁଆର କଥା ହେଲେ ବୁଝନ୍ତା ।

 

ମିଶ୍ରଙ୍କ ରାଗକୁ ଗେଲିବୋଉର ବାଣୀ ପୁଞ୍ଜାକ ଦ୍ଵିଗୁଣିତ କରିପକାଇଲା । ମିଶ୍ରେ ଚିହିଁକି ଉଠିଲେ ଗେଲିବୋଉ ଉପରକୁ । ଗେଲିବୋଉ ଝାଉଁଳି ପଡ଼ି ଦମ୍ଭଧରି କଅଁଳେଇ କହିଲେ–

 

ହୟ ଗେଲିବାପା । ତୁମେ ପରା ବୁଢ଼ା ହେଲଣି । ଝିଅ ବାହାକରି ନାତୁଣୀ ଦେଖିଲଣି । ତମଠି ଟିକିଏ ଚେତା ପଶୁନି । କିଏ ପର ପୁଅଝିଅ ଆଣି ଖୁଆଇ ପିଆଇ ବଢ଼ଉଛନ୍ତି । ତୁମେ ଆଶ୍ରିତ ପିଲାଟା ପ୍ରତି ଏ କୂଟକପଟ କରୁଛ କାହିଁକି । ତମର କି ଦୋଷ ଭଲା ସିଏ କଲା ? ମାନସ ତ ଅପକାରୀ ପିଲା ନୁହେଁ । ପରପାଇଁ ଜୀବନ ଫୋପାଡ଼ିଦବା ପିଲା । ତା’ପାଇଁ ସୁଲି ଟଙ୍କା ନେବ-। ନେଉ । ଆମର ସିଏ ନିଶ୍ଚିତ ଉପକାରରେ ଲାଗିବ ।

 

ସୁଲି ଘର ଭିତରୁ ବାହାରି ଆସି ବାପାଙ୍କୁ ଚାବିପେନ୍ଥାକ ଦେଇ କହିଲା–ବାପା । ମୁଁ ଟ୍ରେଜେରୀରୁ ପାଁଶହ ଟଙ୍କା ନେଲି । ଆଜି ପୁରୀ ଯାଉଛି କାଲି ଫେରିବି ।

 

ତିନିହେଁ କେଉଁ ଏକ ଅଦୃଷ୍ଟ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ଘରୁ ବାହାରିଲେ-। ଗାଁରୁ ବାହାରି ପଡ଼ିଲେ ବିଲମାଳ । ବିଲମାଳ ପରେ ଗୋଟିଏ ଛୋଟ ଜଙ୍ଗଲ । ତା’ପରେ ରେଳ ଷ୍ଟେସନ୍ ।

 

ତିନିହେଁ ଚାଲିଛନ୍ତି । ଆଗରେ ସୁଲି । ତା’ ପଛରେ ଲକ୍ଷ୍ମୀ ଏବଂ କେତୀ । ମୁହଁସଞ୍ଜ ଆଗତ ସମୟକୁ ଏମାନେ ବିଲମାଳ ପାରି ହୋଇ ପାଦ ବଢ଼ାଇଲେ ଜଙ୍ଗଲ ଭିତରକୁ । ଗାଡ଼ି ସମୟ ହୋଇନଥିବାରୁ ପରସ୍ପର ପରସ୍ପରଙ୍କ ମଧ୍ୟରେ ଆଳାପ ଆଲୋଚନା କରି ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି । ସୁଲି ଆଗରେ କାହାର ପାଦ ଶବ୍ଦ ଶୁଣି ରହିଗଲା । ତିନିହେଁ ଛିଡ଼ା ହୋଇ ଲକ୍ଷ୍ୟକଲେ କିଏ ଜଣେ ତାଙ୍କ ଆଡ଼କୁ ଆସୁଛି । ଲୋକଟାର ଅବୟବକୁ ଦେଖୁଛନ୍ତି, ଅନ୍ଧାରରେ ଚିହ୍ନି ପାରୁ ନାହାନ୍ତି ।

 

ପାଖାପାଖି ହେଲା । ଏମାନଙ୍କୁ ବାଟ ଓଗାଳି ନୀରବଭାବେ ପାଞ୍ଚ ମିନିଟ ଛିଡ଼ାହେବାରୁ ଲକ୍ଷ୍ମୀ ବାଟ ଭାଙ୍ଗି ପାରିହେବାବେଳକୁ ଲକ୍ଷ୍ମୀ ଧରିଥିବା ଭ୍ୟାନିଟିବ୍ୟାଗ୍‍କୁ ବଳାତ୍କାରଭାବେ ଛଡ଼ାଇ ନେବାକୁ ଚେଷ୍ଟା କଲା । କିନ୍ତୁ କେତୀ ତା’ କରିବାକୁ ରତ ନ ଦେଇ ହଠାତ୍ ଲୋକଟାର ମୁଣ୍ଡର ବାଳକୁ ବାଁ ହାତରେ ଧରି ଦି’ ଚାରିପୁଞ୍ଜା ନିର୍ଘାତିଆ ମାଡ଼ ଲଗେଇଦେଲା । ସୁଲି ମିଶିଗଲା କେତୀ ସାଙ୍ଗକୁ । ଲୋକଟାର ଆଗ ଛାମୁଦାନ୍ତଟା ଭାଙ୍ଗିଗଲା । ମରିଗଲି ମରିଗଲି ଚିତ୍କାର କଲାବେଳେ ଲକ୍ଷ୍ମୀ ଜାଣିପାରିଲା ଏ ଶଶାଙ୍କ । ତେଣୁ ସୁଲି ଏବଂ କେତୀଠାରୁ ଶଶାଙ୍କକୁ ମୁକୁଳାଇ ଛାଡ଼ିଲା ।

 

ଟ୍ରେନ୍ ସମୟ ହୋଇଯାଇଥିଲା । ଆଉ କୌଣସି ଆଳାପଆଲୋଚନା ନ କରି ଷ୍ଟେସନ୍‍ରେ ପହଞ୍ଚି ଟିକଟ କରି ଗାଡ଼ିରେ ବସିଲେ ।

 

ସକାଳୁ ରାୟ ତାରିଖ । ମନରେ ଅନେକ ଭାବନା । ଯେମିତିହେଲେ ରାତିକ ଭିତରେ ଓକିଲବାବୁଙ୍କୁ ସାକ୍ଷାତ କରିବାକୁ ପଡ଼ିବ ।

 

ଗାଡ଼ି କଟକ ଷ୍ଟେସନ୍‍ରେ ପହଞ୍ଚିବାବେଳକୁ ଅନେକ ରାତି ହୋଇ ଯାଇଥିଲା । ପ୍ଲାଟ୍‍ଫର୍ମ୍‍ରୁ ବାହାରି ଯେଉଁ ରିକ୍ସାବାଲାକୁ କହିଲେ କେହି ମଙ୍ଗିଲେ ନାହିଁ ଏତେ ରାତିରେ ରିକ୍ସା ନେବାକୁ । ସହଜେତ ଏତେ ରାତି ତା’ ସାଙ୍ଗକୁ ପୁଣି ଏମାନେ ତିନିଟା ଝିଅ । କୋଉ ରିକ୍ସାବାଲାର ସାହସ କୁଳେଇବ ଏମାନଙ୍କୁ ନେବାକୁ ?

 

ଉପାୟ କିଛି ପାଇଲେନି ।

 

ଚାଲିକରି ଯିବା ସମ୍ଭବ ନୁହେଁ । କୋଉ ଗଳିକନ୍ଦିରେ ଯଦି ଦି’ ଗୋଡ଼ିଆ କଳାମୁଣ୍ଡିଆ ବାଘ ଜଗି ବସିଥିବେ ତେବେ ଏ ଦଶାକୁ ସେ ଦଶା ବଳି ପଡ଼ିବ ।

 

ରାତିଟା କିପରି ତାଙ୍କୁ ମାଡ଼ି ପଡ଼ୁଥିବା ପରି ଜଣା ପଡ଼ୁଥିଲା । ସେମାନେ ଆଉ ଆଗକୁ ନ ଆଗେଇ ରାତି ପୁହାଇଲେ ମୂଷାଫିରଖାନାରେ ବସି ବସି ।

 

ଆଖିକୁ ନିଦ ଆସିନି । ସେମାନେବି ଆଖିପତା ପକାଇ ନାହାନ୍ତି । ମାଡ଼୍ରାସ୍ ମେଲ୍‌ଟା କଟକ ଷ୍ଟେସନ୍ ଛାଡ଼ିବା ପରେ ପୂରୁବ ଦିଗ ଫରଚା ଦେଖାଗଲା ।

 

ଷ୍ଟେସନ୍‍ ପାଖରେ ରହୁଥିବା ରେଳ ବିଭାଗର ବଡ଼ ହାକିମଙ୍କ କ୍ୱାଟର୍‍ରେ କୁକୁଡ଼ାଟା ରଡ଼ି ଛାଡ଼ିଲା । ଡିଉଟି ଚେଞ୍ଜ୍ କରି ଷ୍ଟେସନ୍‍ର କର୍ମଚାରୀମାନେ ଅନ୍ୟ କର୍ମଚାରୀମାନଙ୍କୁ ଦାୟିତ୍ଵ ଦେଇ ଚାଲିଗଲେଣି । ରାତି ପାହିବାର ସୂଚନା ଜଣାପଡ଼ିବା ପରେ ଏମାନେ ବାହାରିଲେ ଓକିଲବାବୁଙ୍କ ଘରକୁ ।

 

ଯେଉଁ ରିକ୍ସାବାଲା ରାତିରେ ମନା କରୁଥିଲେ ଯିବାକୁ ସେମାନେ ଏ ତିନିଙ୍କୁ ଦେଖି ପ୍ରତିଯୋଗିତା ଆରମ୍ଭ କରିଦେଲେ ରିକ୍ସାରେ ନେବାକୁ । ରିକ୍ସା ଲାଗିଲା ଓକିଲବାବୁଙ୍କ ଦୁଆରେ ।

 

ଓକିଲବାବୁ ବଡ଼ ନିରଳସ ଲୋକ । ରାତିରୁ ଉଠି ‘ଲ’ ବହିଗୁଡ଼ାକ ଆଡ଼େଇ ଲାଗିଛି । ଘରର ଚାକରବାକର କେହି ଉଠି ନଥାନ୍ତି ।

 

କ୍ରିଂ କ୍ରିଂ ହୋଇ କଲିଂ ବେଲ୍ ବାଜିଲା ।

 

ଓକିଲବାବୁ ନିଜେ ଯାଇ ଦାଣ୍ଡଦୁଆର ଖୋଲିଲେ । ତାଙ୍କ ଚାକରବି କଲିଂ ବେଲ୍‍ର ଶବ୍ଦ ଶୁଣି ତାଙ୍କ ପଛେ ପଛେ ଆସିଲା ।

 

ଓକିଲବାବୁ ଦୁଆର ମୁକୁଳାକରି ଏମାନଙ୍କୁ ଦେଖି ଘର ଭିତରକୁ ଡାକିନେଇ ଚଉକି ଦେଲେ ବସିବାକୁ ।

 

କେତୀ ହୃଦୟର କୋହ ଉବୁକି ଉଠିଲା ଉପରକୁ । ଛାଏଁ ଛାଏଁ କୋହ ଉଠିଲା । ଭୋଭୋ ହୋଇ କାନ୍ଦି ଲୋଟିପଡ଼ିଲା ଓକିଲବାବୁଙ୍କ ପାଦ ତଳେ ।

 

ସୁଲି ଏବଂ ଲକ୍ଷ୍ମୀର ଆଖିରୁ ଉଚ୍ଛୁଳି ପଡ଼ୁଥାଏ ବେଦନାଭରା ଜଳ ।

 

କେତୀ କାନ୍ଦି କାନ୍ଦି ଲୋଟିପଡ଼ୁଥାଏ ଭୂଇଁରେ ଏବଂ କହୁଥାଏ–ଓକିଲବାବୁ ! ମାନସବାବୁଙ୍କୁ ଆମର ମୁକୁଳେଇ ଦିଅ । ଆମ ମୁହଁରେ ହସ ଫୁଟାଅ ।

 

ଲକ୍ଷ୍ମୀ ବ୍ୟାଗ୍‍ରୁ ଟଙ୍କା କାଢ଼ି ଓକିଲବାବୁଙ୍କୁ ଦେବା ଉଦ୍ଦେଶ୍ୟରେ ତାଙ୍କୁ ବଢ଼ାଇଲା ମାତ୍ର ଓକିଲବାବୁ ଏମାନଙ୍କର ଏତାଦୃଶ ଭାଙ୍ଗିପଡ଼ିବା ଦେଖି କହିଲେ–ମୋର ଟଙ୍କା ଦରକାର ନାହିଁ । ମୁଁ ଯଥେଷ୍ଟ ଟଙ୍କା ରୋଜଗାର କରୁଛି । ମାନସ ଖଲାସ ହୋଇଗଲେ ମୋ ପରିଶ୍ରମର ଫଳ ମୁଁ ପାଇଯିବି, ଏବଂ ମୋ ଓକିଲାତିର ମୂଲ୍ୟ ସାର୍ଥକ ହେବ ।

 

ତୁମେ ଆଉ ବସି ରୁହନା । ସମୟ ହୋଇଗଲାଣି । ମୁଁ ନିତ୍ୟକର୍ମ ସାରି କୋଟ୍‍କୁ ଯାଉଛି । ତୁମେ ସେଇଠିକି ଆସ ।

 

ଆସନରେ ଆସୀନ ବିଚାରପତି । ଉଭୟ ପକ୍ଷର ଓକିଲ ଉପସ୍ଥିତ । ଅଡ଼୍‌ଡ଼ା ଭିତରେ ଛିଡ଼ା ହୋଇଛି ମାନସ ନିରୀହ ଶିଶୁଟିଭଳି । ଚେହେରା ଭାଙ୍ଗି ଯାଇଛି । ମୁହଁରେ ମୁହେଁ ଦାଢ଼ି ।

 

କୋଟ୍‍ ଭିତରେ ଜନଗହଳି । ବିଚାରପତିଙ୍କ ରାୟ ଶୁଣିବାପାଇଁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଏବଂ ଏକଲୟରେ ଅନେଇ ରହିଛନ୍ତି ବିଚାରପତିଙ୍କୁ ।

 

କାହିଁକି କେଜାଣି ଜନକୋଳାହଳ ହଠାତ୍ ଥମିଗଲା । ସମସ୍ତଙ୍କର ଆଖି ସେଇଆଡ଼େ । ଲକ୍ଷ୍ୟବି କରିଛନ୍ତି ସୁଲି, କେତୀ ଆଉ ଲକ୍ଷ୍ମୀ ।

 

ବୁଢ଼ା ଓକିଲ ଜଣେ । ବୟସ ତିନିକୋଡ଼ି ପରେ । ତଥାପି ଦେହରେ ଚେହେରା ଅଛି । କୋଟ୍ ଭିତରେ ପଶି ଜଜ୍ ସାହେବଙ୍କୁ ଖଣ୍ଡେ କାଗଜ ବଢ଼ାଇଲେ । କାଗଜ ଖଣ୍ଡକ ପାଠ କରି ଜଜ୍ ଦାନ୍ତରେ କଲମ କାମୁଡ଼ି କପାଳରେ ହାତମାରିଲେ । ଟିକିଏ କ’ଣ ଭାବି କହିଲେ–କହିବାକୁ ଅନୁମତି ଦିଆଗଲା I ସେମାନଙ୍କୁ ଆଣି କୋଟ୍‍ରେ ହାଜର କରାଅ ।

 

ଜଳିଆ ଓ ବଳିଆକୁ ଓକିଲବାବୁ ନେଇ କୋଟ୍‍ରେ ହାଜର କରାଇଲେ ।

 

ହାତଯୋଡ଼ି ନତମସ୍ତକ ହୋଇ ଜଳିଆ କହିଲା–

 

ଧର୍ମରାଜ ! ହଜୁର ନ୍ୟାୟବନ୍ତ ପୁରୁଷ । ଦୋଷୀକୁ ଦଣ୍ଡଦେଇ ନିର୍ଦ୍ଦୋଷକୁ ନିର୍ଦ୍ଦୋଷରେ ଖଲାସ କରିବା ହଜୁରଙ୍କର କାର୍ଯ୍ୟ । ନିର୍ଦ୍ଦୋଷ ଲୋକର ମା’ ବାପ ଆପଣ । ଧର୍ମନିକିତି ଧରି ଧର୍ମ ଅଧର୍ମ ତଉଲ କରୁଛନ୍ତି । ଅଧୀନର ପଦେ ଗୁହାରି ଶୁଣିବାକୁ କାନଡ଼େରିବା ହୁଅନ୍ତୁ ଧର୍ମରାଜ !

 

ଧର୍ମରାଜ ! କହିବା ଆଗରୁ ମୁଁ ବଡ଼ଠାକୁରଙ୍କ ରାଣଖାଇ କହୁଛି ପୁରୀ ଲୋକନାଥଙ୍କୁ ହାତ ବଢ଼ାଇ କହୁଛି–ଯାହା କହିବି ସତ କହିବି ।

 

ଧର୍ମରାଜ ! ଆମେ ଜାତିରେ ହରିଜନ । ଯେଉଁମାନଙ୍କ ବିପକ୍ଷରେ ଆମେ ଦୁହେଁ ଆଜି କାଠ ଅଡ଼୍‌ଡ଼ାରେ ଛିଡ଼ା ହେଇ ସାକ୍ଷୀଦେବାକୁ ଯାଉଛୁ ସେମାନେ ଆମର ଶତ୍ରୁ ନୁହନ୍ତି । ସେମାନଙ୍କ ମେହନତୀ କରି ଆମେ ଚଳୁଛୁ । ତଥାପି ଆମେ ଯାହା ଦେଖିଛୁ ଏବଂ ଯାହା ଜାଣିଛୁ ତାହା ହଜୁରଙ୍କ ଆଗରେ ବୟାନ କରୁଛୁ ।

 

ଧର୍ମରାଜ ! ଆଜି ରିଲିଫ୍ ଦ୍ରବ୍ୟ ଚୋରୀ ମକଦ୍ଦମାରେ ମାନସବାବୁ ଦୋଷୀ ସାବ୍ୟସ୍ତ ହେବାକୁ ଯାଉଛନ୍ତି । କାରଣ ପୋଲିସ୍ ଲୋକେ ତାଙ୍କୁ ରିଲିଫ୍‍ଦ୍ରବ୍ୟ ତୋଷରପାତ କରିଥିବା ଅଭିଯୋଗରେ ଗିରଫ୍ କରିଥିଲେ । ଯାହାଫଳରେ କି ସିଏ ଆଜି ଜେଲ୍ ଖଟୁଛନ୍ତି ।

 

ଧର୍ମରାଜ ! ସେ ପ୍ରକୃତରେ ଦୋଷୀ ନୁହନ୍ତି । ଦୋଷୀ ହେଉଛନ୍ତି ହରି ମିଶ୍ରେ ଏବଂ ତାଙ୍କ ନାଗୁଆ ପାଇଟିଥାଳ କଣାବୁରୁନ୍ଦା ।

 

ହଜୁର ଧର୍ମରାଜ ! ହଜୁରଙ୍କ ଆଗରେ ଆମେ ମିଛ କହୁନୁ । ମନରୁ ଭାଙ୍ଗି କହୁନୁ । ଆଖିରେ ଦେଖିଛୁ । ଦେଖିବାବେଳେ ପ୍ରତିବାଦ କରି ତାଙ୍କର ପ୍ରତିରୋଧ କରିଛୁ । କିନ୍ତୁ ଆମର କେଡ଼େ ଜୀବ ଯେ ତାଙ୍କର ମୁକାବିଲା କରିପାରିଥାନ୍ତୁ ? ପ୍ରତିରୋଧ କରି ମାଡ଼ ଖାଇଛୁ । ମାଡ଼ବି ଦେଇଛୁ । କଣାବୁରୁଦାର ମାଡ଼ରେ ମୋ ବାଁ ହାତର ହାଡ଼ ଭାଙ୍ଗିଯାଇଛି ଏବଂ ମୋ ଠେଙ୍ଗା ମାଡ଼ରେ କଣାବୁରୁଦାର ଛାତି ପିଞ୍ଜରାର ତଳ ହାଡ଼ଟି ଭାଙ୍ଗିଯାଇଛି ।

 

ଧର୍ମରାଜ ! ଏହା କଦାପି ମିଛ ନୁହେଁ । ଆପଣ ଲୋକ ପଠାଇ ତଦନ୍ତ କରାନ୍ତୁ । ଦେଖିପାରିବେ ସବୁ ରିଲିଫ୍‍ଦ୍ରବ୍ୟ ଜମାହୋଇଛି ଉମାଶଙ୍କରବାବୁଙ୍କ ପୁରୁଣା ଖମାର ଘରେ ।

 

ଜଳିଆ ସାକ୍ଷୀ ଦେଇ ସାରିବାପରେ ବଳିଆକୁ ସାକ୍ଷୀ ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଲେ । ବଳିଆ କାଠ ଅଡ଼୍‍ଡ଼ାରେ ଛିଡ଼ା ହୋଇ କହିଲା–

 

ହଜୁର ଧର୍ମରାଜ ! ମୋର କିଛି କହିବାର ନାହିଁ । ଜଳିଆ ନାହାକ ଯାହା କହିଗଲେ ସବୁ ସତକଥା । ଏଥିରେ କାଣିଚାଏ ହେଲେ ମିଛ ନାହିଁ ।

 

ସ୍ତବ୍ଧ ଜନତା ପୁଣି କୋଳାହଳ ଆରମ୍ଭ କରିଦେଲେ । ସୁଲି, ଲକ୍ଷ୍ମୀ ଓ କେତୀ ମାନସକୁ ଟିକିଏ ଚାହିଁ ଆଉ ଟିକିଏ ଚାହୁଁଥିଲେ ବିଚାରପତିଙ୍କୁ । ବିଚାରପତିଙ୍କ ତୁଣ୍ଡରୁ ପଦୁଟିଏ ବାକ୍ୟ ଶୁଣିବାପାଇଁ ବ୍ୟଗ୍ର । ବ୍ୟଗ୍ର ତାଙ୍କ ଆଶାୟୀ ଇଚ୍ଛାର ଜୟ ହେଉ । ହେଉ, ରାୟ ତାଙ୍କପାଇଁ ମଙ୍ଗଳଦାୟକ ।

 

ବିଚାରପତି ସେଦିନ କୌଣସି ରାୟ ମକଦ୍ଦମାର ପ୍ରକାଶ ନ କରି ପୁନର୍ବିଚାର ପାଇଁ ତାରିଖ ଗଡ଼ାଇଦେଲେ ଏବଂ ମାନସକୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେବା ପାଇଁ ଅନୁମତି ପ୍ରଦାନ କଲେ ।

 

ମାନସକୁ କିଏ ଆଣିବ ଜାମିନ୍‍ରେ ?

 

ଓକିଲବାବୁ ତାଙ୍କ ତରଫରୁ ଜାମିନ୍‍ରେ ମାନସକୁ ଆଣିଲେ ।

 

କେତେଦିନର ମର୍ମନ୍ତୁଦ ବିଚ୍ଛେଦରେ ଭାଙ୍ଗିପଡ଼ିଥିବା ମନଗୁଡ଼ିକ ଯୋଡ଼ି ହୋଇଗଲେ କୋଟ୍ ବାରଣ୍ଡାରେ ।

 

ମାନସ ଫେରିଲା ଗାଁକୁ । ଗାଁକୁ ଫେରିଲେ ଲକ୍ଷ୍ମୀ, ସୁଲି ଓ କେତୀ । ଦୁଃଖ ତାଙ୍କୁ ଛାଡ଼ୁନି । ବିପଦ ପରେ ବିପଦ । ସମସ୍ୟାବହୁଳେ ଜୀବନକୁ ମାନସ ବେଖାତିର କରିଚାଲିଛି । ଦୁଃଖକୁ ଦୁଃଖ କି ସୁଖ ବୋଲି ମଣୁନି । ନିଜ ଜୀବନକୁ ପରପାଇଁ ଉତ୍ସର୍ଗ କରି ଦେଇଛି ।

 

ମାନସ ଶୁଣିଲା ଦାଶିଆକା ଥାନାରେ । ଥାନାରେ ଖବର ନେଲା, ଦାଶିଆକା ସେଠି ନାହିଁ । ଅଛି ଜେଲରେ । ନାରୀଧର୍ଷଣ ଅଭିଯୋଗରେ ତାକୁ ଗିରଫ୍‍ କରାଯାଇଛି ।

 

ଥାନାରୁ ଫେରିଆଶିଲା ମାନସ । ସନ୍ଦେହରେ ତା’ ମନ ଭରିଗଲା । ଅଣ୍ଡାଳି ହେଲା କିଏ ସେ ନାରୀ ? ଦାଶିଆକା ପକ୍ଷେ ଏହା କ’ଣ କେବେ ସମ୍ଭବ ?

 

ବିଚିତ୍ର ଦୁନିଆରେ ଅସମ୍ଭବ ବା କ’ଣ ? ଅଜବ କଥା କାନ ଶୁଶୁଛି । ଅଜବ ଘଟଣା ଘଟିଯାଉଛି । ଅନ୍ୟାୟ କଲା ଲୋକର ଉଜୁତି ହେଉଛି । ଧର୍ମ ଅରଜିବା ଲୋକର ବଡ଼ପୁଅ ମରୁଛି-

 

ବଣର ମଲ୍ଲୀ ବଣରେ ଫୁଟି ଦେବତାଙ୍କ ପୂଜାରେ ନ ଲାଗି ମଉଳି ଗଲେ ମଧ୍ୟ ତା’ର ସୁରଭି ବଣ ମଧ୍ୟରେ ଛପି ରହେନି । ମନ୍ଦମନ୍ଦ ସମୀରଣରେ ମିଶି ସୁଗନ୍ଧିତ କରି ପକାଏ କାହିଁ କେତେ ଦୂର ପର୍ଯ୍ୟନ୍ତ ।

 

କର୍ମର ପ୍ରଶଂସା ଯେତେଦୂର ବ୍ୟାପିଥାଏ, ତା’ଠାରୁ ବେଶୀଦୂର ବ୍ୟାପୀଯାଏ ଅପକର୍ମର ଦୁର୍ଗନ୍ଧ ।

ଯେତିକି ଲୋକ ମହତ କାର୍ଯ୍ୟର ପ୍ରଶଂସା କାନରେ ପକାନ୍ତି । ବେଶୀଲୋକ ନାକ ଟେକି ଗନ୍ଧ ବାରନ୍ତି ଅପକର୍ମର ଦୁର୍ଗନ୍ଧକୁ ।

 

ଘର ଇଶାଣ କୋଣରୁ ଆରମ୍ଭ କରି ଚାଷକ୍ଷେତ୍ର ପର୍ଯ୍ୟନ୍ତ ସବୁ ମହଲରେ ରତନି ହାଡ଼ିଆଣୀର ଆଲୋଚନ। ।

 

ରତନି ହରିଜନ ବସ୍ତିକୁ ବୋହୂ ହୋଇ ଆସିବା ଦିନଠାରୁ ଶାଶୁଶଶୁରଙ୍କ ଠାରୁ ନିଜ ଗୁଣ ବଳରେ ଆଦର ପାଇ ଆସୁଥିଲା । ରତନିର ସ୍ଵାମୀ ମଦନା ରତନିକୁ ଘରକୁ ନିଜର ସ୍ତ୍ରୀରୂପେ ଆଣିବା ଦିନଠାରୁ ନିଜକୁ ଧନ୍ୟ ମନେକରୁଥିଲା । ରତନି ଯୋଗୁଁ ମଦନାର ଘର ହସି ଉଠୁଥାଏ । ସେ ଘର ପାଇଟି ସାରି ଶାଶୁ ସହିତ ମିଶି ବାଉଁଶ ପାତିଆରେ କୁଲା, ଟୋକେଇ, ସିଗୁଡ଼ା ଓ ବାଉଁଶିଆ ଇତ୍ୟାଦି ବୁଣିଦିଏ । ମଦନା ଗାଁ ଗାଁ ବୁଲି ବିକି ଦେଇ ଚାଉଳ ପରିବା କିଣି ଆଣେ । କିଣିଆଣେ ରତନିପାଇଁ ନାଲି ଶାଢ଼ି, ସ୍ନୋ, ପାଉଡ଼ର ଓ ବାସନା ତେଲ । ଦୁହେଁ ଦୁହିଁଙ୍କପାଇଁ ଖୁବ୍ ମନ ଦିଆନିଆ । କିନ୍ତୁ ଦାଉ ସାଧିଲା ଭାଗ୍ୟ ।

 

ଭାଗ୍ୟର ବିଡ଼ମ୍ବନା ଯୋଗୁଁ ସେହି ବର୍ଷ ହଇଜାରେ ମଦନା ତା’ର ବାପା ବୋଉଙ୍କୁ ହରାଇଲା । ହରାଇଲା ପ୍ରବଳ ଝଡ଼ ବତାସରେ ଡେରି ହୋଇ ଠିଆ ହୋଇଥିବା ବାସ ବଖରାକ ।

 

ହଇଜା, ଝଡ଼ବତାସ, ବନ୍ୟା ଓ ମରୁଡ଼ିରେ ଭଲଲୋକବି ଦୋହଲି ଗଲେ । ମଦନା ହାଡ଼ି କେତେ ମାତର !

 

ଅନ୍ନ ଚିନ୍ତା ଚମତ୍କାର !

 

ପେଟପାଇଁ ସବୁନାଟ !

 

ଜୀବନ ବିକଳରେ ଲୋକେ ଗାଁ ଭୂଇଁ ଛାଡ଼ି ଆସାମ ଧାଇଁଲେ । କେତେ ଲୋକ ଗଲେ-। ଗାଁ ଖାଲି ପଡ଼ିଗଲା । କେତୁଟା ବୁଢ଼ାବୁଢ଼ୀ ଗାଁ ଦାଣ୍ଡରେ ହଲିଲେ । ଗୋରୁଗାଈମାନେ ଗୁହାଳେ ବନ୍ଧା ହୋଇ ହମ୍ବା ରଡ଼ି ଛାଡ଼ିଲେ । ଚାରିଆଡ଼େ ନିରାଶାର କରାଳ ଦୃଶ୍ୟ ଆଖି ଆଗରେ ପଡ଼ିଲା-। କାହା ଦୁଃଖ କେହି ବୁଝିବାକୁ ଆଗେଇ ଆସିଲେନି । ଭେଣ୍ଡା ପୁଅବି ଖାଇବା ବିନା ଅଳ୍ପ ଚିନ୍ତାରେ ସଳିତା ପାଲଟି ଗଲେ ।

 

ମଦନା କୁଆଡ଼େ କାମ ପାଇବନି । ରତନି ତିଆରିଥିବା ବାଉଁଶ କୁଲା, ଭୋଗେଇ, ଚିଡ଼େଇ ଓ ଟୋକେଇକୁ କେହି ପଇସା ଅଭାବ ଯୋଗୁଁ କିଣିଲେନି । ରୋଜଗାର ଘରେ ଛକି ପଡ଼ିଗଲା । ଦିନେ ଉପାସ ରହିଲା । ଆଉ ଦିନେ ରହିଲା । ତା’ପର ଦିନ ଉପରବେଳିଆ ହୋଇ ବାଟ କାଟିଦେଲା ପର ଦେଶକୁ ।

 

ମଦନା ଗଲାବେଳେ ରତନି କେତେ ନେହୁରା ହୋଇ କହିଲା ନ ଯିବାକୁ । ରତନିର ମନା ଘେନିଲାନି ମଦନା । ମଦନା ବାହାରିଯିବା ପାଇଁ ଉଦ୍ୟତ ହେଲାବେଳେ ରତନି ମଦନାର ଚରଣତଳେ ମଥା ନୁଆଁଇ ପାଦଧୂଳି ନେଇ ମଥା ଉପରକୁ ଉଠାଇବାବେଳେ ରତନି ଆଖିରେ ଜଳଟୋପା ଦେଖି ମଦନା କହିଥିଲା–

 

ଆଲୋ ରତନି ! କାନ୍ଦେନା । ମୁଁ ଆଜି ଯାଉଛି । କିଛିଦିନ ରହି ଫେରି ଆସିବି । ତୋତେ ଛାଡ଼ି କେବେ କ’ଣ ପରବାସରେ ରହିପାରିବି ?

 

ରତନି ଆଖିର ଜଳକୁ ମଦନା ପୋଛିଦେଲା ନିଜ ହାତରେ । ଗଣ୍ଡ ଦେଶରେ ସ୍ନେହବୋଳା ଚୁମାଟିଏ ଦେଇ ଘରୁ ଗୋଡ଼ କାଢ଼ିବା ପରେ ମଦନାର ଯିବାକୁ ରତନି ଚାହିଁରହିଲା । ଆଖି ଆଗରୁ ଲୁଚିଯିବା ପରେ ଆଖି ଫେରାଇ ଘରେ ପଶି ହୃଦୟକୁ ବୋଧ ଦେଇ ମାଡ଼ିମୁଡ଼ି ହୋଇ ରହିଲା ।

 

ମଦନା ଗଲା ଯାଜନ । ଗଲାବେଳେ ଦେଇଯାଇଥିଲା ଯାଜନରୁ ପାଇଥିବା ଦେଢ଼ଶ ଟଙ୍କା । ଦେଢ଼ଶ ଟଙ୍କାରେ ନିଜ ଗୁଜୁରାଣ ମେଣ୍ଟାଇଲା । ମଦନା ବିନା ରତନିର ଅସରନ୍ତି ଦିନଗୁଡ଼ିକ ବଡ଼ କଷ୍ଟରେ କଟୁଥାଏ । ତା’ ଯୌବନ ଲତାରେ ଲାଜଫୁଲଗୁଡ଼ିକ ଫୁଟି ଫୁଟି ଝଡ଼ି ପଡ଼ୁଥିଲେ ।

 

ଅସରନ୍ତି ଦିନ ରତନିର ସରିଲା ନାହିଁ । ଦଇବ ତାକୁ ବାମ ହେଲେ ।

 

ଯାଜନ ଯିବାର ପାଞ୍ଚ ଛ’ ମାସ ସରିକି ଡାକରେ ଟଙ୍କା ପଠାଇଲା ମଦନା । ରତନିର କୌଣସି ଅସୁବିଧା ନଥାଏ । କିଣିବିକି ଚଳିଯାଏ । ଚଳିଯାଏ ମନ ମଉଜରେ । କାହିଁରେ କିଛି ଅଭାବ ଅସୁବିଧା ହେଉ ନଥାଏ ।

 

ହରି ମିଶ୍ରଙ୍କର ନାଗୁଆକାରବାର ହରିଜନ ବସ୍ତିରେ । କଞ୍ଚାପଇସା ସେଠୁ ନଗଦ ନଗଦ ମିଳିଯାଏ । ବାଗ ଉଣ୍ଡି କାରବାର କଲେ ଭଲ ଲାଭ ହେବା ସଙ୍ଗେ ସଙ୍ଗେ ଘରକରଣା ନିମନ୍ତେ କଲିକତିଆ ମାଲମତାବି କିଛି ମିଳିଯାଏ ।

 

ଏ ଜିନିଷ ପାଇବାକୁ ହେଲେ ତୁଣ୍ଡରେ ତୁଣ୍ଡେ ଅଶ୍ରାବ୍ୟ ଗାଳି ସାଇତି ରଖିଥିବା ନିହାତି ଆବଶ୍ୟକ । ଆଜ୍ଞା ! ଆପଣ କହିଲେ ସେ କେଉଁଠି ଗଡ଼ାମୁହଁକୁ ଗଡ଼ନ୍ତି ନାହିଁ ବୋଲି ହରି ମିଶ୍ରେ ଅନେକଥର ଗାଁ ଦାଣ୍ଡରେ କଥା ଛଳରେ କଣ୍ଠ ଫଟେଇ କହନ୍ତି । ତାଙ୍କ ଭଉଣୀ, ସ୍ତ୍ରୀ ଆଉ ମା’ଙ୍କ ନାମରେ ପଦେଅଧେ ଖଟ୍ୱାଙ୍ଗ ପୁରାଣରୁ ଗାଇଦେଲେ ଅନାୟାସରେ ସେମାନେ ଫାଶରେ ପଡ଼ିଯାନ୍ତି ।

 

ହରି ମିଶ୍ରେ ଏଥିରେ ସମ୍ପୂର୍ଣ୍ଣ ପାରଙ୍ଗମ ତ ନୁହେଁ, ଓସ୍ତାତ ।

 

କାମ ଥିଲେ ଯିବେ । ନଥିଲେବି ଘେରାଏ ହରିଜନ ବସ୍ତିଆଡ଼ୁ ମାରିଦେଇ ଆସିବେ । ଅଭ୍ୟାସଟା ତାଙ୍କର ତାଙ୍କ ହେତୁ ପାଇବାଦିନୁ ରହି ଆସିଛି । ଛାଡ଼ିଦେବେ ବା କିପରି ? କାଳେ ସେମାନେ ହାତରୁ ଖସିଯାଇ ଅନ୍ୟ କାହା ଫାଶରେ ପଡ଼ିଯିବେ । ତେଣୁ ନିଜେ ଯୋଉଦିନ ଯାଇ ନ ପାରିବେ, ସେ ଦିନ କଣାବୁରୁନ୍ଦାକୁ ବାଗେଇ ଦେବେ ବୁଲି ଆସିବାକୁ ।

 

–ଦୋଳପୁନେଇଁ । ସମୟ ଦଶଟା ହେବ କି ନାହିଁ ।

 

ମିଶ୍ରେ କାମ ସାରି ଫେରୁଛନ୍ତି ବସ୍ତିରୁ ଅଧାଅଧି ହୋଇଛନ୍ତି । ତାଙ୍କର ଆଖି ହଳକ ଲାଗିଗଲା ରତନିଠି ।

 

ରତନି ପାଣି ହଳେ ଧରି ତାଙ୍କ ଆଗ ଦେଇ ଘର ଭିତରେ ପଶିଲା ।

 

ଠିଆହୋଇ ମିଶ୍ରେ ତା’ ଦେହରୁ ଛୁଟି ଆସୁଥିବା ମହକକୁ ଘ୍ରାଣେନ୍ଦ୍ରିୟରେ ବାରୁ ବାରୁ ଲୋଭ ଲାଗିଗଲା । ରତନିର ଚମ୍ପାକଳି ପରି ଗୋରା ତକତକ ଡଉଲ ଡାଉଲ ଯୌବନରେ ।

 

ହରି ମିଶ୍ରଙ୍କ ଲୋଳିତ ଚର୍ମରେ ନିଆଁ ଲାଗିଗଲା । ଦେହରେ ତାଙ୍କର ବିନ୍ଧ ହୋଇଗଲା କନ୍ଦର୍ପର ପଞ୍ଚବାଣ ।

 

ବାଘ ମାତିଲେ କି ଜଙ୍ଗଲ ପଶୁଙ୍କ ଠାବ ମିଳେ ?

 

ହରି ମିଶ୍ରଙ୍କ ମନ ରତନି ଦେହରେ ଲାଗିଗଲା ଯେ ଆଉ ଛାଡ଼ିଲାନି । ଘାରି ହେଲେ କିପରି ତା’ର ଅଙ୍ଗସଂଗ ଲାଭ କରିବେ । ଖିଆପିଆ ଛାଡ଼ିଦେଇ ଉପାୟ ପାଞ୍ଚି ଲାଗିଲେ । ଉପାୟ ପାଞ୍ଚି ପାଞ୍ଚି ପାଟିକୁ ଖାଦ୍ୟ ରୁଚିଲାନି । ଦେହରେ କଣ୍ଟା ଦୋହଲିଲା । ମିଶ୍ରଙ୍କର ଏ ଦୁର୍ଦ୍ଦଶା ଦେଖି କଣାବୁରୁନ୍ଦା କାନ୍ଦି ପକାଇଲା । ମିଶ୍ରଙ୍କ ମନର କଥା ଜାଣିବାପାଇଁ ମିଶ୍ରଙ୍କୁ ଢେରେ ବୁଝାଇଲା । ମିଶ୍ରେ ଲାଜରେ ପ୍ରଥମେ ପ୍ରଥମେ କଣାବୁରୁନ୍ଦାକୁ କହିଲେନି । କିନ୍ତୁ ପରେ କହିବାକୁ ବାଧ୍ୟ ହେଲେ-

 

କଣାବୁରୁନ୍ଦା ମିଶ୍ରଙ୍କୁ ବିରହ ବାଧା ଲାଗିଥିବା ଜାଣି ହସଟାଏ ହସିଦେଇ କହିଲା–

Unknown

 

ଆଜ୍ଞା ! ଇଏ ପୁଣି ଗୋଟାଏ ଚିନ୍ତା ? କେତେ ଭଲ ଝିଅଙ୍କୁ ମୁଁ ଭଳେଇ ଦେବା ଲୋକ-। ଆଖି ଝାଡ଼ିଦେଲେ ଝିଅମାନେ ପଛରେ ଗୋଡ଼ାଇବେ । ଆଉ ରତନି ହାଡ଼ିଆଣୀ ଆମକୁ ବଳେଇ ଯାଉଛି ?

 

ହେଇଚି ଆଜ୍ଞା । ମାସ ଦି’ଟା ସମ୍ଭାଳି ଯା, ଦେଖିବ ରତନି ତୁମ ପିଛା ଛାଡ଼ିବନି । ତେଣିକି ତୁମେ ତୁମର ଦେଖିଲା କାମ କରିବ ।

 

ଆଉ ଯାଜନରୁ ରତନି ପାଖକୁ ଟଙ୍କା ପଠାଇଲାନି ମଦନା ।

 

ରତନି ଡାକକୁ ଅନାଇ ଅନାଇ ଦିନ ସରିଲା । ବେଳକୁ ବେଳ ଅଭାବ ତାକୁ ମାଡ଼ି ବସିଲା । ଚଳିବାକୁ ରାହା ମିଳିଲାନି । ଢୋକେ ପିଇବାପାଇଁ କାହାର ସାହା ମିଳିଲାନି । ରାହା କି ସାହା ନ ପାଇ ଭୋକଉପାସରେ ଘରେ ପଡ଼ିଲା ।

 

ପେଟ ଭୋକକୁ ସମ୍ଭାଳିବା ଅସମ୍ଭବ ।

 

ଭୋକର ଦାଉରୁ ରକ୍ଷା ପାଇବାପାଇଁ ରତନି ଦିନେ ବସ୍ତିର ମଝିଦାଣ୍ଡରେ ମିଶ୍ରଙ୍କ ଗୋଡ଼ ତଳେ ପଡ଼ି ଭୋଭୋ କାନ୍ଦି କହିଲା–ସାଆନ୍ତେ ହଜୁରଙ୍କ ଚରଣ ଛୁଇଁ ନେହୁରା ହେଉଛି ଭୁଆସୁଣୀ ବୋହୂ ମୁଁ ହଜୁରଙ୍କର । କ’ଣ ମୁଁ ଝିଅ ନୁହେଁ ? ଏ ବୟସରେ ବାରଦୁଆରେ ଛିଡ଼ା ହୋଇ ଭିକ ମାଗିଲେ କ’ଣ ସୁନ୍ଦର ଦିଶିବ ? ମିଶ୍ରେ ଆଉ ଛୁଆଁ ଅଛୁଆଁ ନବାରି, ଗୋଡ଼ତଳୁ ରତନିର ଦୁଇଡ଼େଣାକୁ ଧରି ଉପରକୁ ଉଠାଇ ମୁହଁରେ ଚେନାଏ ହସ ଫୁଟେଇ କହିଲେ–

 

ଆଲୋ ରତନି । ତୋର ଆଜି ଏ କି ଦଶା ? ତୁତ ବେଶ୍ ଭଲରେ ଚଳୁଥିଲୁ । ଅଭାବ ଆଉ କ’ଣ ? ହଉ ହଉ ନେଏ ପାଞ୍ଚଟା ଟଙ୍କା । ଖାଇ ପିଇ ଜୀବନ ଧ । ତା’ପରେ ଘରଠି ଯାଇ ଦେଖାକଲେ କ’ଣ କିପରି କରିବା କଥା ହେବା ।

 

ହରି ମିଶ୍ରେ ବସ୍ତି ଭିତରୁ ବାହାରି ଗାଁ ମୁହାଁ ହେଲେ । ରତନି ଅନାଇଥିଲା ମିଶ୍ରଙ୍କୁ । ତା’ ଆଖିର ଅଶ୍ରୁବିନ୍ଦୁମାନେ ରତନିକୁ ପରିହାସ କରି ତଳକୁ ଖସି ପଡ଼ୁଥିଲେ । ଆଉ କହୁଥିଲେ, ରତନି-! ତୁ ହାରି ଯାଇଛୁ, ହାରେ ପଛେ ସିଆଡ଼ିକି ଗୋଡ଼ ବଢ଼ାନା । ସେ ବିଷବୃକ୍ଷର ଫଳକୁ ଆଶା କରେନା ।

 

ହରଷିଆ ମନରେ ଗାଁ ଭିତରେ ପଶିବା ପୂର୍ବରୁ କଣାବୁରୁଦା ମିଶ୍ରଙ୍କୁ ଦେଖି ଚେହେରାକୁ ବାରିଦେଲା । ମିଶ୍ରଙ୍କ ମନ ଖୁସି ଅଛି ବୋଲି ରହସ୍ୟଟା ବୁଝିବା ଉଦ୍ଦେଶ୍ୟରେ ପଚାରି ଦେଲା–ସାଆନ୍ତେ । ମାଛ ଥୋପ ଗିଳିଛି ତ ?

 

ଗିଳିବନି ? ହଇରେ ନଗିଳି ଯିବ କୁଆଡ଼େ ? ମିଶ୍ରଙ୍କ ହାବୁଡ଼ୁ ତ କେହି ଖସି ନାହାନ୍ତି । ଆଉ ସିଏ...

 

ହେଲେ ସାଆନ୍ତେ । ଫାନ୍ଦ ଫାନ୍ଦିଲା କିଏ ? ମୁଅ ଫାନ୍ଦରେ ଆପଣଙ୍କର ଶିକାର । ଦେଖିଲଟି କାମଟା କେମିତି ଦେଖେଇ ଦେଲି ।

 

ହରି ମିଶ୍ରେ ଦାନ୍ତ ନେଫିଡ଼େଇ କଣ୍ଠ ଭିତିରିଆ ଖଣ୍ଡିହସ ଅସ୍ପଷ୍ଟ ସ୍ଵରରେ ହସି କଣାବୁରୁନ୍ଦା ପିଠିରେ ହାତ ବୁଲେଇ ଆଶୀର୍ବାଦ କରି କହିଲେ–ହଇରେ ବୁରୁନ୍ଦା, କି ବିଦ୍ୟା ତୋତେ ଜଣା କିରେ ! କହିଲୁ କହିଲୁ କି ଫାନ୍ଦ ଫାନ୍ଦିଲୁ ?

 

ଫାନ୍ଦନୁହେଁ ଆଜ୍ଞା ଫାନ୍ଦ ନୁହେଁ । ବିଧିବଦ୍ଧ ମୁଣ୍ଡ ଖରଚ କାମ ଇଏ । ତା’ କରି ନଥିଲେ ସିଏ ପୋଷା ମାନି ନଥାନ୍ତା । ଜାଣିଲ ସାଆନ୍ତେ ! ଇମିତି ଗୋଟାଏ ଭାଷା ଲେଖିଦେଲି ଯେ ମଦନାକୁ, ମଦନାର ମନଟା ଏକାବେଳକେ ପିତା ହୋଇ ଯାଇଛି ରତନି ଉପରେ । ଆଉ କଲିକତିଆ କଲରାପତିଆ ନୋଟ୍ ଆସିବ ଯେ ସିଏ ମଥାରେ ନଡ଼ିଆ ତେଲ ମାରି ସଫା ଶାଢ଼ି ପିନ୍ଧି ଯୌବନ ଭାଉରେ ଗର୍ବ କରିବ ।

 

ସତରେ ବୁରୁନ୍ଦା ସେଇଆ ହୋଇଛି । ମୁଁ ଆଜି ହରିଜନ ବସ୍ତିର ମଝାମଝି ହୋଇଛି କି ନାହିଁ, ଅନାଏ ତ ମୋ ଗୋଡ଼ ହଳକ ଧରି ଭୋଭୋ କାନ୍ଦୁଛି ରତନି । ତାକୁ ଦେଖି ମୋ ଛାତି ଖାଲି ପଡ଼ିଲା ଉଠିଲା । କ’ଣ କହିବି ବୋଲି ପାଟିକୁ କଥା ଆସିଲାନି । ଯେତେବେଳେ ତା’ ଡେଣା ଯୋଡ଼ାକ ଧରି ଉଠାଇ ଦେଲି । କାହିଁ କହୁଚୁ ସେ କଥା, ମୋ ଦିହରୁ ଗୋଟାଏ ଅଧେ ଆନନ୍ଦିଆ ଚୁପୁଚୁପିଆ ଝାଳ ବୋହିଗଲା । କିଛି ନ କହି ପାଞ୍ଚଟା ଟଙ୍କା ଧରେଇ ଦେଇ ପରେ ଘରକୁ ଆସିବାକୁ କହିଛି ।

 

ସାଆନ୍ତେ ! ଭୁଲ ହୋଇଗଲା ସବୁ । ଶୀଘ୍ର ଯାଇ ମନା କରିଦେଇ ଆସ । ଏଠାକୁ ନ ଆସିବାପାଇଁ । ସେ ଏଠାକୁ ଆସିବାବେଳେ ଯଦି ସୁଲି ଅପାଙ୍କ ହାବୁଡ଼େ ପଡ଼େ ତେବେ ସବୁ ଅକାରଣ ହୋଇଯିବ ।

ହରି ମିଶ୍ରେ କଣାବୁରୁନ୍ଦା ବୋଲକୁ ସସମ୍ମାନେ ମାନି ରତନିକୁ ଠିକ୍ ଜାଗାକୁ ଯିବାକୁ କହିଦେଇ ଆସିଲେ ।

ଯେ ଥରେ ଅଗୁଳାରେ ପାଦ ପକାଏ, ଗୁଳା ଧରିବାବେଳକୁ ସେ ଅନେକ କିଛି ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଥାଏ ।

ନଷ୍ଟ ହେବାକୁ ଯାଉଛି ରତନି । ସେ ନଷ୍ଟ ହେବାକୁ ଇଚ୍ଛା ନ କଲେବି ପରିସ୍ଥିତି ତାକୁ ନଷ୍ଟ କରଉଛି । ଏଣେ ପେଟରେ ଦାଉ, ତେଣେ ଯୌବନର‌ ଜ୍ଵାଳା । ଦୁଇଟିରୁ କୋଉଟିକୁ ସେ ଆୟତ୍ତ କରିପାରୁନି । ଶାନ୍ତ କରାଇବାକୁ ଅକ୍ଷମ ।

ପେଟର ଦାଉକୁ ଘଡ଼ିଏକି ପହରେ ସମ୍ଭାଳି ହେବ, ମାତ୍ର ଯୌବନର କ୍ଷୁଧାକୁ ମୁହୂର୍ତ୍ତେବି ସମ୍ଭାଳ ହୁଏନି ।

ରତନିର ସାହା ନାହିଁ, ସାଥୀ ନାହିଁ ।

ହରି ମିଶ୍ରଙ୍କ କହିବାନୁସାରେ ଦ୍ଵାରସ୍ଥ ହେଲା । ମିଶ୍ରେ ଖାଇବାପାଇଁ ଚାଉଳ ପରିବା ଠାରୁ ଆରମ୍ଭ କରି ପଇସାପତ୍ରବି ଆସ୍ତେ ଆସ୍ତେ ଯୋଗାଇଲେ । ଅଭାବ ପଡ଼ିଲେ ରତନି ଆସି ଠିଆ ହୁଏ ହରି ମିଶ୍ରଙ୍କ ନିକଟରେ ।

 

ହରିମିଶ୍ରେ ଜାଣି ଜାଣି ବେଳେବେଳେ ଧରା ଦିଅନ୍ତିନି । ଭୋକରେ ଛାଟୁଆ ପାଟୁ ହୁଏ ରତନି । ଆଖି ବୁଲେଇ ବହୁତ ଖୋଜେ ମିଶ୍ରଙ୍କୁ ।

 

ସନ୍ଧ୍ୟା ହେବାର ଉପକ୍ରମ ଜଣାପଡ଼ୁଥାଏ । ଟିକିଏ ବେଳ ଅଛି । ସୂର୍ଯ୍ୟ ବୁଡ଼ି ସାରିଲେଣି-। ରତନି ଗଲା ମିଶ୍ରଙ୍କ ପାଖକୁ । ସେଦିନକୁ ମିଶାଇ ପାଞ୍ଚ ଦିନ ହେଲା ରତନି ପେଟରେ ଅନ୍ନ ପଡ଼ିନି । ମୁହଁ ଶୁଖିଯାଇଛି ।

 

ଛେଳିର ଚରିବାବେଳକୁ ବାଘର ଆହାରବେଳ ।

 

ମିଶ୍ରେ ରତନିକୁ ଦେଖି କୁଣ୍ଢାଇ କୋଳ କରି କହିଲେ, ଆଲୋ ରତନି ! ତୋ ମୁହଁ କାହିଁକି ଶୁଖିଯାଇଛି ? ଖାଇନୁ କି ? ନେ ନେ, କଟକ ଯାଇଥିଲି ଯେ ମିଠେଇ ଆଣିଥିଲି । ପୁଞ୍ଜାଏ ଖାଇଦେ ।

 

ମିଶ୍ରଙ୍କ କୋଳରେ ବସି ରତନି ଭଲମନ୍ଦକୁ ଘଟଣଅଘଟଣକୁ ନଜର ନ ଦେଇ ଭୋକ ବିକଳରେ ମିଠେଇ ପୁଞ୍ଜାକ ଖାଇସାରି କହିଲା–ସାଆନ୍ତେ ! କିଏ ଦେଖିବେ ଯଦି... ।

 

ଦେଖନ୍ତୁ ଦେଖିଲେ କ’ଣ କରିବେ ? କାହାର ବହପ କୁଳେଇବ ଏ ହରି ମିଶ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ? କଲେ କରନ୍ତୁ । ଭୟ କାହିଁକି ! ଆଲୋ ରତନି, ତୋପାଇଁ ପରା ମୁଁ ଅଛି ।

 

ପ୍ରତିବାଦ କରିବାକୁ ରତନିର ସାହସ ପାଇଲାନି । ନୀରବ ରଖିଛନ୍ତି ମିଶ୍ରେ । ତାଙ୍କ ମନ ଭାଙ୍ଗିଦେଲେ ପିଣ୍ଡର ପ୍ରାଣ ନାରଖାର ହେବ । ୟାଙ୍କୁ ଛାଡ଼ି ଆଉ କାହା ଦୁଆରେ ସେ ଯାଇ ଜାତି ଓ ମାନ ବିକିବ ।

 

ନୀରବ ରହିଲା ରତନି ।

 

କିଚିମିଚିଆ ଅନ୍ଧାରଗୁଡ଼ାକ ନେସି ହୋଇଥିଲା ସେ ଘରସାରା ।

 

ଅନ୍ଧାରରେ ନିଜ ଚରିତ୍ରକୁ ଚରିତାର୍ଥ କରିଦେଲେ ମିଶ୍ରେ ।

 

ସତୀର ସନ୍ତକ ଟିକକ ରତନିର ମଉଳିଗଲା । ହରି ମିଶ୍ରେ ମନ ଖୁସିରେ ଅଜାଡ଼ି ଦେଲେ ତା’ ଅଣ୍ଟିରେ ଚାଉଳ ।

 

ସେ ସମୟରେ ସାମୟିକ ଦେହ ଲାଳସା ଆଉ ଅଣ୍ଟିଏ ଚାଉଳପାଇଁ ବସ୍ତିର ଭାଇବତିଶା ଅଟକ କଲେ । ଛିଛାକରାରେ ରତନିର ମୁହଁ ତଳକୁ ନଇଁଗଲା । ବସ୍ତିର ମାଇପିମାନେ ତା’ ଶିରୀ ଦେଖିପାରୁ ନଥିଲେ । ସହଜେ ତ ତାକୁ କହିବା ସୁଯୋଗ ମିଳିଗଲା । ଶୁଖୁଆରୁ ପୋକ ଝାଡ଼ିଲା ଭଳି ଝାଡ଼ିଲେ । ଝିଙ୍ଗାସିଲେ । ସହିବା ଶକ୍ତିରୁ ଅତିକ୍ରମ ହେବରୁ ବସ୍ତି ଛାଡ଼ି ପଳେଇ ଯିବାକୁ ପ୍ରସ୍ତୁତ ହେଲା । ଦୁଃଖରେ ମ୍ରିୟମାଣ ହୋଇ ଅଭାଷା ଭାଷାରେ ଗାଳିଗୁଲଜ କଲା–ମଦନାକୁ ବାପା ମା’ଙ୍କୁ, ଚଉଦ ପୁରୁଷଙ୍କୁ, ଆଉ ତା’ର ଜନ୍ମ ବେଳାକୁ ।

 

ସଙ୍ଗ ନାହିଁ ।

 

ସମ୍ପଦ ନାହିଁ ।

 

ନାହିଁ ମାନ, ମହତ, ଇଜ୍ଜତ ।

 

ନିଘୋଡ଼ ନିଦରେ ଶୋଇଛନ୍ତି ବସ୍ତିବାଲାଏ ।

 

ରତନି ଗୋଡ଼ କାଢ଼ିଲା । ବସ୍ତି ପାର ହେଲା । ପହଞ୍ଚିଲା ମିଶ୍ରଙ୍କ ଦୁଆରେ । ସେ ଜାଣିଛି ମିଶ୍ର କେଉଁଠି ଶୁଅନ୍ତି ଏବଂ ସେ କେଉଁଠିକି ଯାଏଁ । ଝରକା ଖଡ଼ଖଡ଼ କଲା ମିଶ୍ରେ ଉଠିଲେ । ରତନିର କାହାଣୀ ପେଡ଼ି ଶୁଣୁ ଶୁଣୁ କହିଲେ–କ’ଣ କହଲୁ ?

 

କ’ଣ ଆଉ କହିବି ସାଆନ୍ତେ ? ତୁମ ରକ୍ତର ସନ୍ତାନ ମୋ ପେଟରେ ବଢ଼ୁଛି ।

 

ପ୍ରଥମେ ଆଖି ଖୋସିହୋଇଗଲା ମିଶ୍ରଙ୍କର । ଦକା ପଶିଗଲା ଛାତିରେ । ଭାବିଲେ ମୁଁ ଜାତିରେ ବ୍ରାହ୍ମଣ । ଛତିଶି ପାଟକରେ ରଜା । ହାଡ଼ିଆଣୀ ସହିତ ପ୍ରୀତି କରିବା କଥା ଜାଣିଲେ ରତନି କ’ଣ ଅଟକ ହୋଇଛି ଭାଇବତିଶାରେ, ମୋ ଅବସ୍ଥାବି ସେଇଆ ହେବ । ମୋ ଘରେ ବନ୍ଧୁ କେହି କରିବେନି । ସୁଲି ମୋର ଅଭିଆଡ଼ୀ ରହିଯିବ ।

 

ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଲା ।

 

ଅଳପ ସମୟ ଭିତରେ ବାଇଆ ବଳଦପରି ମୁଣ୍ଡ ଘାଉଁରେଇଲା ।

 

ମୁଣ୍ଡକୁ ଖଳ ବୁଦ୍ଧି ଶୀଘ୍ର ଜୁଟେ, କିନ୍ତୁ ସାଧୁ ବୁଦ୍ଧି ନୁହେଁ ।

 

ମିଶ୍ରଙ୍କ ମୁଣ୍ଡକୁ ବୁଦ୍ଧିଟାଏ ଆସିଯିବାରୁ ସାହସ ଭରି କହିଲେ–ଆଲୋ ରତନି ! ବିପଦବେଳେ ଏପରି ଭାଙ୍ଗିପଡ଼ିଲେ ହେବନି । ତୁ ଧୈର୍ଯ୍ୟ ଧର ପଡ଼ିରହି କାମକଲେ ସେ ଫସକେଇ ଯିବେ । ତୁଅର ଜିଣାକ ହେବ ।

 

ମିଶ୍ରଙ୍କ କଥାରେ ରତନି ମନ ବୁଝିଲାନି । କହିଲା ସାଆନ୍ତେ ! ମୋତେ, ଆଉ ପଙ୍କକୁ ପୂରାନ୍ତୁନି । ମୁଁ ନିରୀହା, ଅସହାୟା, ଦୁଃସ୍ଥା । ମୁଅ ଭଲମନ୍ଦକୁ ପଛରେ ମୋର କେହି ନାହାନ୍ତି । ମୋତେ ଛାଡ଼ିଦିଅ, ମୁଁ ପଳେଇବି । ପୁଣି ଯଦି କିଏ ଦେଖିବ ମୁହଁ ଧରି ରହି ହେବନି ।

 

ଆଲୋହେ ରତନି ! ତୁ ଜାତିରେ ହାଡ଼ିଆଣୀ । ପୁଣି ମାଇପି ଲୋକେ । କିଏ ତୋତେ ବୁଝାଇବ ? ତୋ ମୁଣ୍ଡରେ ଏ ଗହନିଆ ରାଜନୀତି କୁଆଡ଼ୁ ପଶିବ ? ସହରର ବଜାରକୁ ଯା ଦେଖିବୁ ମେଞ୍ଚଡ଼ ଟୋକିଗୁଡ଼ାକ ହଳହଳ ହୋଇ ଟୋକାଙ୍କୁ ସାଙ୍ଗରେ ଧରି ସମୁଦ୍ରକୂଳରେ ବୁଲୁଛନ୍ତି-। ରାତିଅଧଯାଏ କ୍ଳବ୍‌ରେ ବସି ଟୋକାଙ୍କ ସାଙ୍ଗରେ ନାଲିପାଣି ପିଉଛନ୍ତି । ସଭାରେ ଭାଷଣ ଦେଉଛନ୍ତି । ଆଉ ତୁ‌ ଏପରି ହଦେଇ ଯାଉଛୁ କାହିଁକି ? ମନରୁ ପଛକଥାକୁ ପୋଛି ଦେଇ ମୋ ବୋଲ କରେ, ଦେଖିବୁ ମୁଁ କିପରି ଧନ୍ଦା ଯୋଡ଼ି ଦଉଛି । ତୁ ମୋ କହିବା ଅନୁସାରେ କରିଦେଲେନା ତୁ ଯୋଉ ସତୀକି ଦେଇ ସତୀ ହୋଇଯିବୁ । ଆଲୋ ଭାବୁଛୁ କ’ଣ ? ସବୁ ମୁଣ୍ଡର ବିଦ୍ୟା । ଭିତରେ ପଶିଲେ ଜାଣିବୁ ।

 

ଆଲୋହେ ! ଛିଡ଼ା ହେଲୁ କାଇଁକିମ ?

 

ଆ । ପାଖକୁ ଆ ।

 

ପାଖକୁ ଗଲା ରତନି ।

 

ମିଶ୍ରେ କହିଲେ, କାଲି ରାତି ପାହିବାବେଳକୁ ତୁ ଥାନାରେ ଯାଇ ଏତକ ଦେଇ ଦିଏ ତୋତେ ଦାଶିଆକା ଜବରଦସ୍ତ ଅତ୍ୟାଚାର କଲା ।

 

ସାଆନ୍ତେ, ମୁଁ ପାରିବିନି ।

 

କାହିଁ ନ ପାରିବୁ ।

 

ମିଛ କଥା ।

 

କର୍କଶ ଗଳାରେ ମିଶ୍ରେ କହିଲେ, ତୁ ଯଦି ସତୀ ତୋ ଧନ୍ଦାରେ ମାତୁଥିଲୁ କାହିଁକି ? ଏ କଳିଯୁଗରେ ତୋ’ ପରି ସତୀ ଦୁନିଆକୁ ସତ୍ୟର ସନ୍ଧାନ ଦେଇ ଯୁଗଟାକୁ ନେଉଟାଇ ଦେବେ । ଯା ଯା । ମୁଁ ଯାହା କହୁଛି ତା’ କରେ, ନହେଲେ ତୋ ଭଲମନ୍ଦ ପାଇଁ ମୋତେ କହିବୁନି । ନ କଲେ ତୋ ଅବସ୍ଥା ବାରବଜେଇ ଦେବି ।

 

ରତନି ବିନା ଉପାୟରେ ରାଜି ହେଲା ମିଶ୍ରଙ୍କ ପ୍ରରୋଚନାରେ । ରାତି ପାହିବା ପୂର୍ବରୁ ଥାନାରେ ଏତଲା ଦେଲା ରତନି । ମିଶ୍ରେବି ସକାଳୁ ଯାଇ ରତନିକୁ ଥାନାବାବୁଙ୍କୁ ଭୋଗ ଲଗେଇ ତାଙ୍କ ମିଜାସ ଖୁସି କରେଇଦେଲେ ।

 

ଥାନାବାବୁ ଠିକ୍ ଉଦୁଉଦିଆ ଦିପହରେ ଦାରୋଗା ପଠାଇ ବାନ୍ଧି ଆଣିଲେ ଦାଶିଆକାକୁ-

 

ସମାଜ ସେବାରେ ମାନସ ନିଜେ ନିୟୋଜିତ ହୋଇ ନିୟୋଜିତ କରିଛି ସୁଲି, ଲକ୍ଷ୍ମୀ ଏବଂ କେତୀକୁ । ସେମାନେ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି । ମଥାନପୁର ହସି ଉଠୁଛି । ଖରାଦିନ ଶସ୍ୟକ୍ଷେତ୍ରରେ ଧାନ ଶିଷା ଓ ଗହମ କେଣ୍ଡାର ମୁଣ୍ଡମାଳ । ରବିଫସଲ କାହିଁରୁ କେତେ । ପରିବାପତ୍ର ଖାଇବା ଖର୍ଚ୍ଚ ତୁଲେଇ ବେଶ୍ କଞ୍ଚାପଇସା ପ୍ରତିଦିନ କାନିରେ ବନ୍ଧଉଛି । ନିତିଦିନ ବାଉରି ହାଣ୍ଡିରେ ପେଜ । କାମ ମିଳୁଛି । ଶସ୍ୟ ମିଳୁଛ । କେହି କାହା ଉପରେ ନିର୍ଭର କରୁନାହାନ୍ତି କି ଗୋଡ଼ ଭାଙ୍ଗି ନେଠେଇ ହୋଇ କେହି କାହାକୁ ହାତ ପତାଉ ନାହାନ୍ତି ।

 

ରାମରାଜ୍ୟ ପାଲଟି ଯାଇଛି ମଥାନପୁର ।

 

ହରିଜନ ବସ୍ତିର ଆଉ କୌଣସି ଲୋକ ବିଦେଶରେ ରହୁ ନାହାନ୍ତି । ସମସ୍ତେ ଫେରି ଘରେ ରହିଲେଣି । କାହିଁକି ବା ପରବାସକୁ ଯିବେ । ନିଜ ବାସରେ‌ ରହି ବେଶ୍ କଞ୍ଚାପଇସା ରୋଜଗାର କରିପାରୁଛନ୍ତି । ଅଯଥା ପିଲାମାଇପଙ୍କୁ ଘରେ ଫୋପାଡ଼ି ଦୂରଦେଶ ଯାଇ ଗୋହିରା ଖଟିବେ କାହିଁକି ?

 

ଜଳିଆ, ବଳିଆଙ୍କର ହୁଣ୍ଡାଗୁଣ୍ଡାପଣ ଭାଙ୍ଗିଗଲାଣି । ତାଙ୍କ ସ୍ଵପ୍ନ ସାର୍ଥକ‌ ହୋଇଛି । ତାଙ୍କ ପ୍ରଶଂସା ହରିଜନ ବସ୍ତି ସବୁରିଙ୍କ ତୁଣ୍ଡରେ ।

 

ମାଳୀକି ଅଡ଼ୁଆ ଛେଳି ।

 

ଚୋରକୁ ଅଡ଼ୁଆ ଚାନ୍ଦିନୀ ରାତି ।

 

ମିଶ୍ରଙ୍କୁ ଅଡ଼ୁଆ ତାଙ୍କ ଝିଅ ସୁଲି ଆଉ ମାନସ ।

 

କଣାବୁରୁନ୍ଦା ଓ ମିଶ୍ରେ ରକ୍ତ ଚାଉଳ ଚୋବେଇ ହେଲେ ତାଙ୍କ ଉପରକୁ । ବହୁବାର ତାଙ୍କ ଯୋଜନା ସବୁକୁ ବିଫଳ କରାଇବା ପାଇଁ‌ ଲୋକଙ୍କୁ ମତେଇଛନ୍ତି । ଲାଞ୍ଚ ଦେଇ କୁତ୍ସାରଟନା କରେଇଛନ୍ତି, ମାତ୍ର ସଫଳ ହୋଇ ନାହାନ୍ତି । ବରଂ ନିଜେ ନିନ୍ଦା ପାଇ ମୋଡ଼ିମାଡ଼ି ହୋଇ ଘରେ ରହିଲେ ।

 

ଚାରିଆଡ଼େ ରାସ୍ତା ବନ୍ଦ । ମିଶ୍ରଙ୍କ କୋଡ଼ି କୁଆଡ଼େ କାଟୁ କରୁନି‌ । ଅଭାବ ତ କାହାର ନାହିଁ, କିଏ ଆସିବ ତାଙ୍କ ଦୁଆରକୁ କରଜପାଇଁ, ଟଙ୍କାରେ ଟଙ୍କାଏ ସୁଧ ଦେବାକୁ । ତାଙ୍କ ହାକିମିର କରାମତି ଦେଖିବାକୁ । ତଥାପି ତାଙ୍କର କୁଟିଳ ମନ କାଁଭାଁ ଖେଳର ଲଗେଇ ଦେଉଛି ସମୟ ଏବଂ ସୁବିଧା ଦେଖି ।

 

ରତନି ତା’ ପାପର ପ୍ରାୟଶ୍ଚିତ୍ତ କରୁଥିଲା, କିନ୍ତୁ ସୁଲି ହାବୁଡ଼ରେ ପଡ଼ି ରକ୍ଷା ପାଇଗଲା । ସୁଲି ଆସିବାରେ ମୁହୂର୍ତ୍ତେ ବିଳମ୍ବ ହୋଇଥିଲେ ରତନି ଘଟର ପିଣ୍ଡ ଅନ୍ୟ ଘଟକୁ ଯାଇଥାନ୍ତା ।

 

ଚୋରୀ କରି ଭଦ୍ରଲୋକ ହାବୁଡ଼େ ପଡ଼ିଲେ ରକ୍ଷା ମିଳେ । ସେ ସାହା ହୁଅନ୍ତି । ମୁକ୍ତି ପାଇବାପାଇଁ ବାଟ ଦେଖାନ୍ତି ।

 

ସୁଲି ରତନିଠୁ ହାଲ୍ ହଇକତ ଶୁଣି ତାକୁ ବଳ ଦେଲା । ସମାଜରେ ତା’ର ସ୍ଥିତିପାଇଁ ବ୍ୟବସ୍ଥା କଲା । ମାନସ, ଲକ୍ଷ୍ମୀ, କେତୀ ଓ ସୁଲି ମଧ୍ୟରେ ଆଲୋଚନା ହେଲା । ଗାଁଗହଳିରେ ଏପରି ଅନେକ ଘଟଣା ଘଟୁଛି । ବୁଝାମଣାର ଅଭାବରୁ ସେମାନଙ୍କୁ ଦୁଃଖ ଏବଂ ନିର୍ଯାତନା ସହିବାକୁ ପଡ଼େ । ସମାଜ ସେମାନଙ୍କୁ ଭଲ ଆଖିରେ ଦେଖେନି । ନାକ ଟେକେ । ନିନ୍ଦା କରେ । ବାସନ୍ଦ କରି ଘରୁ ତଡ଼ାଏ । କେତେକ ଉପାୟ ନ ପାଇ ଦେହ ବିକି ରାସ୍ତା କଡ଼ରେ ପଡ଼ନ୍ତି । କେକେକ ଜହର ଖାଇ ଆତ୍ମହତ୍ୟା କରନ୍ତି । ମାନସ କହିଲା–ମଣିଷମାତ୍ରକେ ସ୍ଵାଭାବିକ । ସେ ଭୁଲ୍‌କୁ ସମାଜ ସୁଧାରି ନେବା ସମାଜର ପ୍ରଧାନ କର୍ତ୍ତବ୍ୟ ।

 

ରତନି ଯାହା କରିଛି ଅଭାବରେ ପଡ଼ି କରିଛି । ପର ଫାନ୍ଦରେ ପଡ଼ି ଇଜ୍ଜତ ସରିଛି । ସୁଲି ହରିଜନ ବସ୍ତିକୁ ଯାଇ ଡାକିଲା ଜଳିଆକୁ । ବଳିଆ ସହିତବି ଅନ୍ୟମାନଙ୍କୁ । ସେମାନଙ୍କୁ ପ୍ରଥମେ ସମାଜରେ ଦେଖାଇଥିବା କୁସଂସ୍କାର ସମ୍ପର୍କରେ ବୁଝାଇବା ପରେ ରତନି ବିଷୟ ଉତ୍ଥାପନ କଲା । ବସିବା ସ୍ଥାନରୁ ଖସିଗଲେ କେତେ । କେତେ ବସି ରହି ସୁଲିକୁ ରତନି ବିରୁଦ୍ଧରେ ବିଷ ଉଦ୍‌ଗାରିଲେ ।

 

ସୁଲି ବୁଝାଇଲା, ରତନି ତୁମ ବସ୍ତିର ବୋହୂ । ମଦନା ବସ୍ତିର ପୁଅ । ମଦନା ଆଜି ନାହିଁ-। କାଲିକି କାଲି ଆସିବ । ତା’ ସଂସାରକୁ ବଞ୍ଚେଇଥିଲେ ସେ ତୁମମାନଙ୍କ ସେବାରେ ନିଶ୍ଚୟ ଲାଗିବ । ଅବୁଝାକୁ ବୁଝାଇ ଦେବା ପାରିବାର ପଣ । ଦଣ୍ଡଦେଇ ରତନିକୁ ତୁମେ କି ଲାଭ ପାଇବ-? କି ଲାଭ ପାଇବ ସେ ଜୀବନ ହାରିଦେଲେ ।

 

ଗଲା ପୁତ୍ର ବାହୁଡ଼ି ଆସେନି, କଲା କର୍ମ ପଛକୁ ଫେରେନି । ରତନି ଯାହା କରିଛି ତାହା ଫେରିବନି । ସେ ତୁମର, ତୁମ ବସ୍ତିର ଇଜ୍ଜତ । ବୁଝିଲା ଜଳିଆ । ହଁ ଅପା ! ଆମ ଇଜ୍ଜତ ଆମେ ସାଇତି ରଖିବୁ କହୁ କହୁ ଅନ୍ୟମାନେ ତା’ରି କଥାକୁ ପାଳି ଧରିଲେ ।

 

ରତନିକୁ ସାଇଭାଇ ଏ ସହଯୋଗ କରି ତା’ ଘରେ ତାକୁ ସାଇତିଲେ । ଜଳିଆ ଓ ବଳିଆ ମୁଣ୍ଡରେ ଚିନ୍ତା ପଶିଲା । ଏଇପରି କେତେଦିନ ସାଇଭାଇଏ ସାହାଯ୍ୟ କରିବେ । ଦିନେ ପଚାରିବେ । ଆଉ ଦିନେ ପଚାରିବେ । ତା’ ପରଦିନକୁ‌ ମୁହଁମୋଡ଼ି ଘରେ ରହିବେ । ରତନିପାଇଁ ଅନ୍ୟ ବ୍ୟବସ୍ଥା ନିହାତି ଦରକାର ।

 

ସେମାନେ ରତନିପାଇଁ ରାସ୍ତା ତିଆରି କଲେ ।

 

ବିଦ୍ୟାର ଯୁଗେଯୁଗେ ଆଦର । ଆଜି ନହେଲେବି କେତେବେଳେ ହେଲେ ବିଦ୍ୟା ବିଦ୍ୟା ସାଧିଥିବା ଲୋକକୁ ସହାୟ ହେବ ।

 

ପିଲାଦିନେ ରତନି ମାଇନର ଖଣ୍ଡତ ଗାଁ ସ୍କୁଲ୍‍ରେ ପାସ୍ କରିଥିଲା, ଯାହାଫଳରେ କି ରତନି ମଥାନପୁର ହରିଜନ ବସ୍ତିରେ ଖୋଲାଯାଇଥିବା ପ୍ରାକ୍ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଭାବେ ନିଯୁକ୍ତି ପାଇଲା । ମାସିକ ବେତନ ଦୁଇଶହ ଟଙ୍କା ।

 

ରତନି ଆଉ ଶୁଣିଲାନି ତା’ ତତଲା ହାଣ୍ଡିର ସିଁସା ଶବ୍ଦ । ଥାଇତ ହୋଇ ମୁହଁ ପୋତି ଜନସେବାରେ ମନଦେଲା ।

 

ମଣିଷ ଥରେ କରିଥିବା ଅପକର୍ମକୁ ଲୁଚାଇବାକୁ ଯାଇ ଆହୁରି ଅନେକ ଅପକର୍ମ କରିବସେ । ଥରେ ମିଛ କହିଲେ ସେ ମିଛକୁ ଘୋଡ଼େଇବାକୁ ଜୀବନଯାକହିଁ ମିଛର ଆଶ୍ରୟ ନିଏ ।

 

ଉମାଶଙ୍କରବାବୁଙ୍କ ଅପକର୍ମକୁ ଘୋଡ଼ାଇବାକୁ ଚେଷ୍ଟାକରିବି ଶଶାଙ୍କ ଅନେକ ଅପକର୍ମ କରିଦେଲା, କିନ୍ତୁ ପରିସ୍ଥିତି ତା’ ପକ୍ଷେ ଅନୁକୂଳ ହେଲାନି ।

 

ଯୋଉ ଡାଳରେ ଗୋଡ଼ ଦେଲା, ସେ ଡାଳ ଛିଡ଼ିଲା । ଥରକୁଥର ହରି ମିଶ୍ରଙ୍କ ପ୍ରରୋଚନାରେ ପଡ଼ି ବିଷଧର ସାପ ଲାଞ୍ଚରେ ହାତ ମାରି ବହନ ଖାଇଲା । ଅନ୍ୟାୟର ଆକାଶକୁ ଟପିଗଲା ଶଶାଙ୍କ । ଟପିଗଲା ଉମାଶଙ୍କରବାବୁଙ୍କ ଅତ୍ୟାଚାରର ସୀମିତ ସୀମାକୁ । କେତେଦିନ ହୁରି ପଡ଼ିଗଲା, ଆତଙ୍କ ଖେଳିଗଲା, ଶଶାଙ୍କର ଅମାନୁଷିକ ଦମନଲୀଳାରେ ଅତିଷ୍ଠ ହୋଇ ପଡ଼ିଲେ ମଥାନପୁରବାସୀ ।

 

ଦୀପ ତା’ର ବହ୍ନିକୁ ପ୍ରଜ୍ଜ୍ୱଳିତ କରି ଯେତେ ଉପରକୁ ଶିଖା ଟେକେ ସେତିକି ତଳକୁ ଖସେଇ ଶିଖାକୁ ନିର୍ବାପିତ କରେ । ଦୁର୍ଦ୍ଦାନ୍ତ ମନର ଜ୍ଞାନ ସମୟକ୍ରମେ ପରିମାର୍ଜିତ ହୋଇଯାଏ । ଡାକୁ ସାଧୁ ପାଲଟେ । ଦୁଷ୍ଟ ଶିଷ୍ଟ ହୁଏ । ଅବୁଝା ବୁଝେ । ଆପେଆପେ ସଂଶୋଧନ ହୋଇଯାଏ । ସଂଶୋଧନ କରିବାକୁ ପଡ଼େ ନାହିଁ ।

 

ଶଶାଙ୍କ କି ଜଘନ୍ୟ କାମ ନ କରିଛି ?

 

ନବବିବାହିତା ଯୁବତୀର ହାତରୁ ଶଙ୍ଖା ତୁଟେଇଛି । ମଥାରୁ ସିନ୍ଦୂର ଲିଭାଇଛି । ପାଦ ଅଙ୍ଗୁଳିରୁ ଝୁଣ୍ଟିଆ ଫୋପଡ଼େଇଛି ।

 

ବିଳାସ ବ୍ୟସନରେ ଊର୍ଦ୍ଧ୍ଵରେ ରହି, ସ୍ଵାର୍ଥକୁ ସର୍ବସ୍ଵ କରି ପୋକମାଛି ମନେକରି ବାପ ପରି ଅନେକ ଲୋକଙ୍କୁ ଲୋକଲୋଚନ ଆଢ଼ୁଆଳରେ ହତ୍ୟା‌ କରିଛି । ନିରୀହା କୁଆଁରୀମାନଙ୍କୁ ପ୍ରଲୋଭନ ଦେଖାଇ ତାଙ୍କୁ ଭୋଗ କରି ବିପଥଗାମୀ କରାଇଛି ।

 

ମଣିଷ ମନରେ ଦେବତା ।

 

ନରରୂପୀ ନାରାୟଣ ।

 

ଶଶାଙ୍କ ହୃଦୟର ନାରାୟଣ ଅଚେତନ ଅବସ୍ଥାରୁ ଚେତା ଶକ୍ତି ଉଠିଲେ । ଶଶାଙ୍କ ତା’ ନିଜର ଭୁଲ ବୁଝିଲା । ସେ ଜାଣିଲା ସେ ଯାହା କରୁଛି ସବୁ ଭୁଲ । ଭୁଲ ବାଟରେ ଯାଇ ପାପ ଅର୍ଜନ କରୁଛି । ଦୁର୍ନାମର ବୋଝ ମୁଣ୍ଡରେ ବୋହୁଛୁ । ଗାଳି ଓ ନନ୍ଦା ଶୁଣୁଛି । ଶୁଣୁଛି କେତେକଙ୍କର ଅଭିଶାପ । ତୋ କୁଳ ବୁଡ଼ିଯାଉ । ତେତେ ସାପ ଖାଉ । ତୁ ଅଧାବୟସରୁ ଯା ।

 

ପାପ ମନର କାନ ତା’ର କେତେବେଳେ ଶୁଣୁ ନଥିଲା ପର ତୁଣ୍ଡର ଅଭିଶାପକୁ; କିନ୍ତୁ ଏବେ ସେ କାନ ଶୁଣିବାକୁ ନାପସନ୍ଦ କରୁଛି । ବିବେକ ତା’ର ମନା କରୁଛି ଘୃଣ୍ୟ କାର୍ଯ୍ୟ କରିବାକୁ-

 

ବିବେକ ବାଧା ଦେଲା ମନକୁ । ମନ ବୁଝିଲା । ମନ ଶଶାଙ୍କକୁ ଠିକ୍ ବାଟରେ ପାଦ ପକେଇ ଚାଲିବାକୁ ନିର୍ଦ୍ଦେଶ ଦେଲା ।

 

ଶଶାଙ୍କ ହୃଦୟରେ ଉଦୟ ହେଲା ଦୟା । ନମ୍ରତାର ସହିତ ଆଗ୍ରହରେ ଖୋଜି ବୁଲିଲା ମାନସକୁ । ସେ ଚାହିଁଲା ମାନସ ହେଉଛି ପ୍ରକୃତ ମଣିଷ । ମଣିଷ ତ ନୁହେଁ, ସାକ୍ଷାତ ଦେବତା । ସ୍ଥିର କଲା ମାନସ ସଙ୍ଗେ ସାଙ୍ଗ ହେବି । ତା’ ହାତ ସହିତ ହାତ ମିଳାଇବି । ଅଣ୍ଟା ଭିଡ଼ି ତାକୁ ସାହାଯ୍ୟ କରିବି ।

ମନରେ ଦୃଢ଼ତା ନ ଆସିଲେ ହୃଦୟରେ ସାହସ ଜମେନି !

ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା ।

ଶଶାଙ୍କ ମାନସକୁ ଦେଖାକରି ଭୁଲ ସ୍ଵୀକାର କରିବାବେଳେ ସୁଲି, ଲକ୍ଷ୍ମୀ ଓ କେତୀ ତା’ ପ୍ରତି ଭଲ ମନୋଭାବ ପ୍ରକାଶ ନ କରି ଭର୍ତ୍ସନା ଦେଲେ । ମାତ୍ର ସେ ନୀଳକଣ୍ଠ ସାଜି ଭର୍ତ୍ସନା ସବୁକୁ ଆକଣ୍ଠ ପାନକଲା । ସହିଲା । ବଳେ ବଳେ ମଙ୍ଗଳବାର ହୋଇ ମାନସ କାନ୍ଧ ସହିତ କାନ୍ଧ ଲଗାଇଲା ।

ସୁଲି ମନରେ ଯେଉଁ ସନ୍ଦେହର ବୁଢ଼ିଆଣୀ ଜାଲ ବସା ବାନ୍ଧିଥିଲା, ଶଶାଙ୍କ ଠକିବାକୁ ଓ ବିପଦରେ ପକାଇବାକୁ ତାଙ୍କ ପାଖକୁ ଆସିଛି, ସେ ସନ୍ଦେହର ଜାଲ ଛିଡ଼ିଛିଡ଼ି ଗଲା । ହସିଲେ । ସମସ୍ତେ ହସିଲେ । ହସିଲା ମାନସ । ହସିଲେ ସୁଲି, ଲକ୍ଷ୍ମୀ ଓ କେତୀ । ଦେଖି କାବା ହେଲେ ଶଶାଙ୍କକୁ ନାକ ଟେକି ଘୃଣା କରୁଥିବା ଲୋକମାନେ ।

ଶଶାଙ୍କ ପ୍ରତି ଆଗରୁ ରହିଆସିଥିବା ଆଚରଣ ଛାପା ଛପିଛପି ଲୁଚିଗଲା । ସୁଲି ମନରୁ-। ଲକ୍ଷ୍ମୀ କୌଣସି ପଛକଥା ତା’ ମନରେ ରଖେନି । କେତୀ ଓଦା କାନ୍ଥ । ସେ ପରଦୁଃଖରେ ଦୁଃଖିନୀ ଓ ପରସୁଖରେ ସୁଖିନୀ । ଦୁନିଆ ଭଲତ ସିଏ ଭଲ ।

 

ଶଶାଙ୍କ ଉମାଶଙ୍କରବାବୁଙ୍କୁ ବୁଝାଇ ଦେବାପରେ ସେ ପ୍ରକୃତ ସତ୍ୟାସତ୍ୟ ଅନୁଭବ କରିସାରିବା ପରେ ଅନୁତାପ କରି ପୁଅକୁ ସଦୁପଦେଶ ଦେଇ ମାନସକୁ ସାହାଯ୍ୟ କରିବାପାଇଁ କହୁଛନ୍ତି । ନିଜେବି ମାନସକୁ ଘରକୁ ଡାକି ନିଜର ଭୁଲ ସ୍ଵୀକାର କରିବା ସଙ୍ଗେ ସଙ୍ଗେ ଲୋକଙ୍କ ସେବାରେ ସେ କିପରିଭାବେ ଲାଗିପାରିବେ ସେ କଥା ମାନସକୁ ପ୍ରଶ୍ନ କରି କାର୍ଯ୍ୟ କରିବାକୁ ବାହାରି ପଡ଼ିଲେ ।

 

ଲୋକେ ଟୁପୁଟୁପୁ ହେଲେ । କୁହାକୁହି ହେଲେ ମାନସ ପାଗଳ ହୋଇଗଲା । ଖରାପ ହୋଇଗଲା । ନିଆଁ ସହିତ ଖେଳ ଖେଳୁଛି । କେତେବେଳେ ନିଆଁରେ ପଡ଼ି ମରିଯିବ । ସରିଯିବ । କେତେ କେତେ ଲୋକବି ମନା କରିଛନ୍ତି ବାପପୁଅ ହଳଙ୍କୁ ବିଶ୍ଵାସ ନ କରିବାପାଇଁ । କିନ୍ତୁ ମାନସ ସେମାନଙ୍କୁ ବୁଝାଇବାକୁ ଯାଇ କହିଛି–

 

ଆପଣମାନେ ଯାହା କହୁଛନ୍ତି ଠିକ୍ କହୁଛନ୍ତି । ମୋ ଉପକାର ପାଇଁ କହୁଛନ୍ତି । କିନ୍ତୁ କାହାକୁ କେବେ ସବୁବେଳେ ପାଇଁ ଭୁଲ ବୁଝିଲେ ଚଳିହୁଏନି । ଖାଲପଥରେ ଚାଲି ହୁଏନି କି ଗୋଟାଏ ଶିଙ୍ଗରେ ମାଟି ତାଡ଼ି ହୁଏନି । ସବୁବେଳ ପାଇଁ ତାଙ୍କର କ’ଣ ଅନ୍ଧାର ଶାସନ ଚାଲିଥିବ-? ତାଙ୍କ ଶାସନର ସୂର୍ଯ୍ୟ ଅସ୍ତ ହେବେନି ? ଲୋକମାନେ ଶାନ୍ତିରେ ନିଃଶ୍ଵାସ ମାରି ପାରିବେନି-? ଲୋକମାନେ ଅନ୍ଧାରରେ ପଡ଼ି ଅତିଷ୍ଠ ହେଉଥିବେ ?

 

ଲୋକେ ମନରେ ଲିଭେଇଲେ ମାନସ ଯାହା କହୁଛି ଠିକ୍ କହୁଛି । ଆଗର ଉମାଶଙ୍କରବାବୁ କି ଶଶାଙ୍କବାବୁ ଏ ନୁହନ୍ତି । ଏମାନେ ଏଇନା ଭାଗୀ ଲୋକଙ୍କ ଦୁଃଖସୁଖରେ । ମାନସ ବାଘ ଦି’ଟାକୁ ଜଙ୍ଗଲରୁ ଧରିଆଣି ଛେଳି ବନେଇ ରଖିଛି । ପୋଷା ମନେଇଛି । ଯାହା ବତାଉଛି ସେମାନେ ତାହା କରୁଛନ୍ତି ।

 

ଲୋକେ ବୁଝିଲେ । ଅତ୍ୟାଚାରୀ ବୁଝିଲେ । ବୁଝିଲା ଅବୁଝା । କିନ୍ତୁ ବିଷବୃକ୍ଷର ସଂଶୋଧନ ହୋଇପାରିଲା ନାହିଁ । ତା’ ବିଷ ଜ୍ୱାଳାରେ ମଥାନପୁରର ଟାଙ୍ଗରା ଟାଙ୍ଗିରେ ନିଆଁ ଜଳିଲା ।

 

ହରି ମିଶ୍ରେ ତାଙ୍କ ପାପକର୍ମକୁ ଲୁଚାଇ ରଖିବାପାଇଁ ବିଷବୃକ୍ଷ ସାଜି କଣାବୁରୁନ୍ଦାକୁ ସାଙ୍ଗରେ ଧରି ଆଗେଇଗଲେ ମିଥ୍ୟାବାଦୀ ବଦଳରେ ସତ୍ୟବାଦୀ ହେବାକୁ । ସୁନାପୁଅର ପରିଚୟ ଦେଇ ବାହାବା ନେବାକୁ ।

 

ମନର ପାପ ମନକୁ ଖାଇଗଲା । ଚିତ୍ତରେ ଭୟ ପଶିଲା । ଧରା ପଡ଼ିଯିବା ଭୟରେ ଫନ୍ଦିଫିକର ତିଆରି କଲେ ।

 

ଦୁଷ୍ଟ ଚିତ୍ତରେ ସୁବୁଦ୍ଧି ଉଦୟ ନ ହୋଇ ଉଦୟ ହେଲା ଖଳ ବୁଦ୍ଧି । ଯେଉଁମାନଙ୍କୁ ନେଇ ମାନସ ପ୍ରଶଂସା ପାଉଛି ସେମାନଙ୍କଦ୍ଵାରା ତାକୁ ବେଇଜତି କରାଇବାର ଉପାୟ ସ୍ଥିର କଲେ ।

 

ଆଖି ପଡ଼ିଲା ହରିଜନ ବସ୍ତି ଉପରେ । ମାନସକୁ ବେଶୀ ପରିମାଣରେ ସାହାଯ୍ୟ କରୁଛନ୍ତି ହରିଜନ ବସ୍ତିର ଲୋକମାନେ । ସେମାନେ ଭଲରେ ରହିବାରୁ ମିଶ୍ରଙ୍କର ରୋଜଗାର ପନ୍ଥା ବୁଡ଼ିଗଲା । ଯେଉଁମାନେ ଖଣ୍ଡେ ଦୂରରୁ ଆଜ୍ଞା କହି ହାତ ଟେକୁଥିଲେ, ସେମାନେ ବାଟରେ ଘାଟରେ ଦେଖିଲେ ଉପରକୁ ମୁହଁ କରି ଯାଉଛନ୍ତି ।

ଅସଲବେଳରେ ମିଶ୍ରଙ୍କୁ ପଟି ଚଢ଼ାଇଲେ ଉମାଶଙ୍କରବାବୁ ଓ ତାଙ୍କ ପୁଅ ଶଶାଙ୍କ । ପଛକୁ ଏକମାତ୍ର କଣାବୁରୁନ୍ଦା । ତା’ ଗୁଣଗାରିମା ହରି ମିଶ୍ରଙ୍କୁ ଅବଗତ ହୋଇଥିଲେ ମଧ୍ୟ ତା’ର ବିନା ସାହାଯ୍ୟରେ ୟାଙ୍କ ଖଳ ବୁଦ୍ଧିର ଜିଣାକ ହେବନି ।

ପରକୁ ହ‌ଇରାଣରେ ପକେଇ ଧନ ରୋଜଗାର କରିବା ମିଶ୍ରଙ୍କର ନୀତିଦିନିଆ ଅଭ୍ୟାସଗତ ବିଦ୍ୟା । ସମସ୍ତେ ମେଣ୍ଟ ବାନ୍ଧି ମଥାନପୁରକୁ ସୁନାପାଲଟାଇ ଦେବା ପରେ ମିଶ୍ରେ ଖାଲି ଖାଲି ଘରେ ବସିବାକୁ ଇଚ୍ଛା କଲେନି । ମୁଣ୍ଡର ବୁଦ୍ଧି ଖୁମ୍ପିଲେ । ମନଟା କିମିତିଆ କିମିତିଆ ଲାଗିଲା । ହାତଗୋଡ଼ ଅବେଇଖବେଲ ହେଲା ।

ଜାଗର ଅମାବାସ୍ୟା । ମହାଶିବ ରାତ୍ରି । ମହାଦେବଙ୍କ ମନ୍ଦିରରେ ପ୍ରଦୀପ ଜାଳି ଉପାସିଆମାନେ ଉଜାଗର ରହିଛନ୍ତି । ଗାଁଟା ନିଶୁନ ଜଣାପଡ଼ୁଥାଏ । ଯିଏ ଯୁଆଡ଼େ କତରା ଧରିଲେଣି । ଘରେ ସୁଲି ନାହିଁ କି ମାନସ ନାହିଁ । ଗେଲି ବୋଉବି ନାହିଁ । ସମସ୍ତେ ମହାଦେବଙ୍କ ମନ୍ଦିରରେ ଜାଗର ଜାଳୁଛନ୍ତି ।

ବୁହେ ରାତି ହେବ । ନିଦ ଭାଙ୍ଗିଗଲା ହରି ମିଶ୍ରଙ୍କର । ପାଖରେ ଶୋଇଛି କଣାବୁରୁନ୍ଦା-। ତା’ ଆଖିକୁବି ନିଦ ନାହିଁ । ମିଶ୍ରଙ୍କ ଖୁଜୁରୁବୁଜୁରୁ ବାରି କହିଲା–ସାଆନ୍ତେ ନିଦ ହୋଇନି କି-?

ନାହିଁରେ ବୁରୁନ୍ଦା ! ଯେତେ ଚେଷ୍ଟା କରୁଛି ଶୋଇବି ବୋଲି ଆଖିକୁ ଆଦୌ ନିଦ ଆସୁନି । କ’ଣ ଥିଲି, ଏଇନା କ’ଣ ହେଲି । ଏଇ କଥା ଭାବି ଭାବି ମୋ ଦେହ କ୍ଷୀଣ ହୋଇଯାଉଛି-। ହୃଦୟ କହି ହେଉଛି ।

 

କି କଥା କହୁଛନ୍ତି ସାଆନ୍ତେ ! ଆପଣ କ’ଣ ମୁଅ ମନକଥା ଜାଣିପାରୁଛନ୍ତି ? ହୃଦୟଟାକୁ ଯଦି ଚିରି ଦେଖାଇ ହୁଅନ୍ତା, ତାହାହେଲେ ମୁଁ ଦେଖାଇ ଦିଅନ୍ତି । ସେଇ ଦିନଠୁ ମୋ ହୃଦୟ ଖାଲି କାନ୍ଦୁଛି । ଆପଣଙ୍କ କଥା କିଏ ପଚାରେ ? ସେମାନେ ଯାହା କରିଦେଲେ ସେ କଥା ଭାବି ଭାବି ମୋ ମରମକୁ ତାଙ୍କ ଅମୋଘ ଅସ୍ତ୍ର ବିନ୍ଧି ପକାଉଛି । କରତି ହୋଇଯାଉଛି ।

 

କହିଲୁ ବୁରୁନ୍ଦା ! କି ଉପାୟ ତାଙ୍କପାଇଁ ଖଞ୍ଜିବା ?

 

ନ ଖଞ୍ଜି ତାଙ୍କୁ ସହଜରେ ଛାଡ଼ିଦେଲେ, ଓଲଟା ଦାସେ ଘୋଡ଼ା ଚଢ଼ିବେ । କଲେ ତ କେତେ ଘଟଣା ଘଟେଇ ଦେବା । ନ କଲେ ଯାଦୁ ମାଡ଼ିଲା

 

ପରି ଆମ ଉପରକୁ ବେଶୀ ବିପଦ ଲଦି ଦେବେ । ଯାହା ହେଉଛି ହେଉ ପଛେ ତାଙ୍କୁ ଗୁଡ଼ାଏ ଘାଣ୍ଟି ନ ଦେଲେ ହେବନି । ମୋର କରିବାର କିଛି ନାହିଁ । ମୁଁ ଆପଣଙ୍କର ଚାକିରିଆ । ଖଟିବି, ଖାଇବି । ମାସ ଶେଷରେ ଦରମା ପୁଞ୍ଜାକ ଠିକ୍‍ଭାବେ ମୋତେ ପଇଠ କଲେ ମୋର ସବୁ ଭଲ । ଏତେ ଅଡ଼ୁଆରେ ପଶିବା ମୋର କି ଆବଶ୍ୟକ ପଡ଼ିଛି । କେତେବେଳେ କୋଉ କଥା ହେବ, କିଏ କହିବ ? ଜାଣୁ ଜାଣୁ ମୋ ବେକକୁ ମୁଁ କାହିଁକି ହାଣ କୁରାଢ଼ି ସଜ କରିବି ? ଆପଣଙ୍କ ଖବର ଆପଣ ବୁଝନ୍ତୁ ।

 

ହରି ମିଶ୍ରଙ୍କ ଛାତି ଭିତରେ ସ୍ପନ୍ଦନ ବଢ଼ିଗଲା । ମୁହଁକୁ ତଳକୁ କରି ଘଡ଼ିଏ ବସିରହିଲେ-। ଦେହରୁ ବହୁଥାଏ ଝାଳ । ଝାଳରେ ସରସର ହୋଇ ଗାଧୋଇ ପଡ଼ିଲେଣି ସେତେବେଳକୁ-। ଶେଷରେ ଅଧୈର୍ଯ୍ୟ ହୋଇ ପଡ଼ି ହରି ମିଶ୍ରେ କହି ପକାଇଲେ–କିରେ ବୁରୁନ୍ଦା ! ଆଜି ତୁ ଏପରି ସ୍ଵର ବଦଳେଇ କଥା କହୁଛୁ କାହିଁକି ? ତୋତେ କିଛି ଅଣ୍ଟାଗୁଞ୍ଜା ଦେଇଦେଲେ କି-?

 

କିଏ ଦେବେ ସାଆନ୍ତେ ? କେହି ପଇସାଟିଏ ଦେବେନି । ସେମାନେ ଭଲଭାବରେ ଜାଣନ୍ତି ମୁଁ ଯେମନକୁ ଆପଣ ତେମନ । ମୁଁ ଆଣ୍ଠୁଏ ମହାପ୍ରସାଦରେ ପଶିଲେ ସୁଦ୍ଧା ସେମାନେ କଡ଼ାକରେ ମୋତେ ବିଶ୍ଵାସ କରିବେନି । ମୁଁ କାହିଁକି ଏପରି କହୁଛି, ସେକଥା ଆପଣ ଆଦୌ ଚିନ୍ତା କରୁ ନାହାନ୍ତି । ଉପରଠାଉରିଆଭାବେ ଯାହା ବୋଲି ତାହା କହିଦେଉଛନ୍ତି । କହିଲ ଦେଖି, ମୋ ପାଞ୍ଚ କୋଉଠି ଫେଲ୍ ମାରିଛି ? ମୋ ପାଞ୍ଚ ଏମିତି ସେମିତି ନୁହେଁ । ମାପିଚୁପି ପାଞ୍ଚିପୁଞ୍ଚି ମୁଁ ପାଞ୍ଚ କରିଥାଏ । ଏବେ କହିଲ ତମେ ଆପଣ ଗୋଟାଏ ପାଞ୍ଚ ଦେବି, କରିବକି ?

 

କାହିଁ ନ କରିବି କିରେ ବୁରୁନ୍ଦା ! ତୁଅ କଥା କେବେ ମୁଁ ତ ଭାଙ୍ଗିନି । କହିଲୁ କି ପାଞ୍ଚ ପାଞ୍ଚିଛୁ ?

 

ହେଇଚି ସାଆନ୍ତେ ! ସେମାନେ ଏବେ ଗୋଟାଏ କୋଠଚାଷ କରିଛନ୍ତି । ସେଇ କୋଠଚାଷ କରି ତୋନାଲ ମୋନାଲ । ଅଭାବ ମେଣ୍ଟି ଯାଉଛି ସେଇଥି ଯୋଗୁଁ । ଅଭାବ ପୂରଣ ହୋଇଯିବାରୁ ତୁମକୁ ଭୁଲିଗଲେ । ପାଖକୁ ଆସିଲେନି । ଆପଣଙ୍କଠୁ ଟଙ୍କା କି ଧାନ କରଜ ନେଲେନି । ଯାହା ଫଳରେ କି ଆପଣ ଗାଈ ଦୁହିଁଲା ପରି ଯୋଉ କଞ୍ଚାପଇସା ପାଉଥିଲେ ତାହା ବନ୍ଦ ହୋଇଗଲା । ତେଣୁ ତାଙ୍କୁ ପୁଣି ଭିକ ନଗାଇବାର ବ୍ୟବସ୍ଥା କରିଦେଲେ ପିଲାଙ୍କର ମଜା ଛାଡ଼ିଯିବ । ଗାଁ ଗଣ୍ଡା ଛାଡ଼ି ପିଲା ମାଇପଙ୍କୁ ଘରେ ପକେଇ ବାଟ କାଟିବେ କଲିକତା ଓ କାଳିମାଟିକି । ବେଶୀ କିଛି ପରିଶ୍ରମ କରିବାକୁ ପଡ଼ିବନି । ଅଳ୍ପ ପରିଶ୍ରମରେ କାମ ହାସଲ ହୋଇଯିବ । ଆପଣ ଆଉ ବସିଲେ କାହିଁକି ? ମୋ ପିଛା ଧରନ୍ତୁ । ତୁନିତାନେ‚ ଖସ୍‌ଖସ୍‌ କି ଫସ୍‌ଫସ୍‌ ହେବେନି । ମୁଁ ଯାହା କହିବି ଆପଣ ତାହା କରିବେ । ନ ପାରିବେ ଯଦି ନାହିଁ କରି ଦିଅନ୍ତୁ ।

 

ହଁ ହଁ ମୁଁ କରିବି । ଯେତେ କଷ୍ଟ ହେଲେବି କରିବି । ତାଙ୍କ ମୁହଁରେ କଳା ବୋଳିବି । ରାଣ୍ଡୀପୁଅ ଅନନ୍ତା ପଛରେ କୁକୁର ଲଗେଇ ଗାଁରୁ ତଡ଼ାଇବି । ବୁଝିଲୁ ବୁରୁନ୍ଦା; ୟା ନ କଲେ ମୋ ମନରେ ଶାନ୍ତି ନାହିଁ ।

 

ସାଆନ୍ତେ ! ଆପଣଙ୍କ ମନରେ ଶାନ୍ତି ନାହିଁ ଆପଣଙ୍କର ସ୍ଵାର୍ଥ ହାସଲ କରିବାପାଇଁ । ମୋର କି ଲାଭ ଅଛି ଆପଣଙ୍କ ବୋଲରେ ପଡ଼ି ବିପଦକୁ ମୁଣ୍ଡରେ ମୁଣ୍ଡେଇବି ? ନେଉଳ ବୋଲରେ ପଡ଼ି କିଆବାଡ଼ ଡେଇଁବି ?

 

ତୁ କ’ଣ ଚାହୁଁଛୁ ବୁରୁନ୍ଦା ! ଯାହା କହିବୁ ତାହା ଦେବି । କହିଲେ ତୁ ଧରିଥିବା ଜମି ପାଞ୍ଚମାଣକ ତୁଅ ନାଁରେ କରିଦେବି ।

 

କଣାବୁରୁନ୍ଦାର ପଞ୍ଚଆତ୍ମା ହରି ମିଶ୍ରଙ୍କ ପ୍ରତିଶ୍ରୁତିରେ ହସି ଉଠିଲା । ଡାକିଲା ମିଶ୍ରଙ୍କୁ । ଚାଲିଲା ଆଗେଆଗେ । ଅନ୍ଧାର । ମୁହଁକୁ ମୁହଁ ଦେଖାଯାଉନି । ଠେକାଖସା କଳେଇଗଦା ଧାଡ଼ିକି ଧାଡ଼ି ଦଶଧାଡ଼ି । ଗାଁଯାକ ଲୋକଙ୍କର କୋଠ ଚାଷର କଳେଇ ଗଦା ମରା ହୋଇଛି ଏକାଠି ।

 

ସାଆନ୍ତେ !

 

କ’ଣ କିରେ ।

 

ଠିଆ ହେଲେ କାହିଁକି ?

 

କ’ଣ କରିବି ?

 

ନିଅ ଧର ଏଇ ନିଆଁପେଡ଼ି । ସବୁ ଗଦାରେ ନିଆଁ ଲଗେଇ ଦିଅ । ଏତକ ସରିଗଲେ ପିଲାଙ୍କର ବଳେ ବଳେ ପୁଟି ମରିଯିବ । ଯିବେ କୁଆଡ଼େ । ତାଙ୍କ ବୋପା ଯିଏ ସିଏ ଆସି ଆପଣଙ୍କ ଗୋଡ଼ ତଳେ ପଡ଼ିବେ ।

 

ଅମାସିଆ ପରା ଦିନରେ ମିଶ୍ରଙ୍କ ବିବେକ ବାଧା ଦେଲାନି ଅମଳ କୁଳେଇ ଗଦାରେ ନିଆଁ ଲଗେଇ ନ ଦେବାକୁ । ହୁତୁହୁତୁ ହୋଇ ଜଳିଲା କଳେଇ ଗଦା । ନିମିଷକେ ପାଉଁଶ ପାଲଟିଗଲା । ଶହ ଶହ ଲୋକଙ୍କର ପରିଶ୍ରମର ଫଳ ବୃଥା ହୋଇଗଲା ।

 

ନିଆଁର ଶିଖା ଉପରକୁ ଜିଭ ଲହଲହ କରି ଉଠିଯିବାର ଦେଖି ଗାଁ ଗୋଟାକର ଲୋକ ପଳାଇ ଆସିଲେ ନିଆଁ ଛଡ଼ାଇବାକୁ, କିନ୍ତୁ ସମସ୍ତଙ୍କ ମୁହଁ ବିଷାଦରେ ଭରିଗଲା । ଖଳାରେ ମୁଣ୍ଡ କୋଡ଼ି କାନ୍ଦିଲେ । ଲୁହ ଗଡ଼ାଇଲେ ଆଖିରୁ । ସର୍ବନାଶ । ଗାଁ ଗୋଟାକର ଲୋକେ ଜମା ହୋଇଗଲେ ସେଇଠି । କେବଳ ନଥିଲେ ହରି ମିଶ୍ରେ ଏବଂ କଣାବୁରୁନ୍ଦା ।

 

କିଏ ଏ ସର୍ବନାଶ କଲା ? କୋଉ କୁଳବୁଡ଼ାର ହାତ ଚଳିଲା ଗରିବଗୁରୁବାଙ୍କ ତଣ୍ଟିରେ ଛୁରି ଦେବାକୁ ।

 

କିଏ କେତେ କଥା କହିଲେ । ଗାଳିଗୁଲଜ କଲେ । କିଏ କାହାକୁ ଦେଖିଛି ଯେ ଭରସିକିରି କାହା ନାଁ କହିବ । ଅନେକ ସନ୍ଦେହ କଲେ କଣାବୁରୁନ୍ଦା ଓ ହରି ମିଶ୍ରଙ୍କୁ, କିନ୍ତୁ କାହା ଜିଭରେ ହାଡ଼ ଅଛି ତାଙ୍କ ନାଆଁରେ ବଦନାମ କରିବାକୁ ।

 

ମାନସ ଭାଙ୍ଗିପଡ଼ିଲା, କିନ୍ତୁ ସାହସ ହରାଇଲାନି ।

 

ଲକ୍ଷ୍ମୀ, ସୁଲି ଓ କେତୀ ହତବାକ୍ ହୋଇ ଘଟନାସ୍ଥଳରେ କେବଳ ଛିଡ଼ା ହୋଇଥାନ୍ତି ନୀରବଦ୍ରଷ୍ଟା ହୋଇ । ସତେ ଯେପରି ତାଙ୍କ ପାଟିରୁ କିଏ କଥା କାଢ଼ି ନେଇଯାଇଛି ।

 

ଖରୁଆ ଲୋକେ ବୁହେ ଖର ବାହାର କରିଦେଲେ ଯିଏ କରିଛି ତାକୁ ମାରିବା ଧରିବା । ତାକୁ ଏ ଗାଁରୁ ତଡ଼ିବା । ଧୀରସ୍ଥିର ଲୋକମାନେ ସେମାନଙ୍କୁ ସମ୍ଭାଳି ନେଲେ । ରୁହ । ବୁଝିବା । କିଏ କରିଛି କିପରି ଜାଣିଲେଇ ଯେ କାହାକୁ କହିବା ?

 

ନିଆଁ ଲଗେଇ ଦେଇ ହରି ମିଶ୍ରେ ଓ କଣାବୁରୁନ୍ଦା ଗହୀର ମଝିରେ ଥିବା ମହାଦେବଙ୍କ ମନ୍ଦିରରେ ମିଛମିଛିଆ ବୈଷ୍ଣବ ସାଜି ଜାଗର ଜାଳିଲେ । ମନରେ ମନରେ ଆନନ୍ଦ । ହୃଦୟରେ ହୃଦୟେ ସାହସ । ଖଳ ବୁଦ୍ଧି ତାଙ୍କର ଠିକ୍ କାମ କରିଛି । ଗାଁ ଗୋଟାକର ସର୍ବନାଶ ହୋଇଛି ।

 

ପାହାନ୍ତିଆ ପ୍ରହରକୁ କଣାବୁରୁନ୍ଦା ମିଶ୍ରଙ୍କୁ ଧରି ଆସିଲା ସେଠାକୁ । ସେଠାରେ ଲୋକମାନେ ଛିଡ଼ା ହୋଇ କନ୍ଦାକଟା କରୁଛନ୍ତି । ନିସ୍ପୃହ ଦୃଷ୍ଟିରେ ସନ୍ଦେହ ଚକ୍ଷୁରେ ଅନାଇ ରହିଲେ ସମସ୍ତେ ହରି ମିଶ୍ରଙ୍କୁ । ଅନେକଙ୍କର ବିଶ୍ଵାସ ହରି ମିଶ୍ରଙ୍କର ଏ କୂଟ । ତାଙ୍କ ବ୍ୟତୀତ ଏ କୁକର୍ମ ଆଉ କେହି କରିବେ ନାହିଁ ।

 

ମିଶ୍ରେ ଲୋକଙ୍କ ଦୁଃଖରେ ଦୁଃଖ ପ୍ରକାଶ କରି କୁମ୍ଭୀର କାନ୍ଦଣା କାନ୍ଦିଲେ । ଝିଙ୍ଗାସି କହିଲେ–କଳିକାଳ ହେଲା । ଘୋର କଳିକାଳ ହୋଇଗଲା । ଏପରି ଘଟଣା ମୋ ଆଖି କେବେ ଦେଖି ନଥିଲା । ଅମାସିଆ ପରା ଦିନରେ ପୁଣି ଏ ଅଲକ୍ଷ୍ମୀ କାମ ! କିଏ ଏ କୁଳବୁଡ଼ା କାମ କଲା । ନା ନା । ଏ କାହାର ନୁହେଁ । ଅନ୍ୟାୟ ବଢ଼ିଗଲା । ଆଜିକାଲିର ଟୋକାଗୁଡ଼ାକ ଛୁଆଁ ଅଛୁଆଁ ମାନିଲେନି । ସାନ ବଡ଼ ମାନ୍ୟ ରଖିଲେନି । ବ୍ରାହ୍ମଣ ଚଣ୍ଡାଳ ସମସ୍ତଙ୍କୁ ସମାନ କଲେ । ଏକା ଖଲିରେ ଖୁଆଇଲେ । ଧରମ କୁଆଡ଼େ ସହିବ ? ଦେବକୁଟ ହୋଇଗଲା । ୟାଙ୍କ ଉଦୁବାର୍ଯ୍ୟକୁ ଦଇବ ସମ୍ଭାଳିଲେନି । ତାଙ୍କ ପରାକାଷ୍ଠା ସିଏ ଦେଖେଇ ଦେଲେ ।

 

ଆଲୋଚନାର ଅନ୍ତ ହେଲାନି । କେହି କାହାକୁ ଧୈର୍ଯ୍ୟ ଦେଇ ସ୍ଥିର ହୋଇ ପାରୁ ନଥିଲେ । ଅସହ୍ୟ ଅଶ୍ରୁସିକ୍ତ ଅବ୍ୟକ୍ତ ଯନ୍ତ୍ରଣା । ପେଟରେ ଲଣ୍ଠନ ନିଆଁର ତୀବ୍ର ଦରଜା ।

 

ଏତାଦୃଶ ବିପଦରେ ମାନସ କପାଳରେ ଚିକ୍‌ଚିକ୍‌ ହେଇ ଝାଳ ଗଜୁରି ଆସିଲା । ସେ କ୍ଳାନ୍ତ ହୋଇ ଆଉଜି ପଡ଼ିଲା ଶଶାଙ୍କ ଉପରକୁ । ଲୋଚାକୋଚା ହୋଇ ନଇଁଆସିଲା । ହୁଗୁଳା ଆଖିପତା ଦି’ଟା । ଅବଶ ହୋଇପଡ଼ିଲା ହାତଗୋଡ଼ । ହା’ ପଶିଗଲା ମନରେ ।

 

ସେ ଚିନ୍ତା ଛାଡ଼ି ବିସ୍ମୟରେ ଦଉଡ଼ି ଆସିଲେ ସମସ୍ତେ ମାନସ ପାଖକୁ । ଶଶାଙ୍କ କୋଳରେ ମାନସ ଚେତାଶୂନ୍ୟ ହୋଇ ପଡ଼ିଛି । ଛିଞ୍ଚାବିଞ୍ଚା କରି ସତେଜ କରାଇଲେ ମାନସକୁ । ଆଖି ମେଲାଇ ଅନାଇଲା । ମାନସ । ପାଖରେ ଆଉ ଅନ୍ୟମାନେ ଶୋକାତୁର ନୟନରେ ଚିଡ଼ା ହୋଇଛନ୍ତି ।

 

ଠରାଠରି ହୋଇ କଣାବୁରୁନ୍ଦା ଓ ହରି ମିଶ୍ରେ ଚାଲିଗଲେ ସେଠାରୁ । ତାଙ୍କ ମନ ଖୁବ୍ ଆନନ୍ଦ । ଆନନ୍ଦ ନ ହେବେ ବା କିପରି ? ଶତ୍ରୁକୁ ପରାସ୍ତ କରିଛନ୍ତି । ଗଡ଼ ଜିଣିଛନ୍ତି । ବିଷଧର ସର୍ପର ବିଷଦାନ୍ତକୁ ଭାଙ୍ଗିଛନ୍ତି ।

 

ଅକାଳ ଚଡ଼କ ।

 

ବେଡ଼ି ଉପରେ କୋରଡ଼ା ମାଡ଼ ।

 

ବିପଦ ପରେ ବିପଦ ଅସ୍ଥିର କରି ପକାଇଲା ମାନସକୁ । ସକାଳୁ ସକାଳୁ ଲକ୍ଷ୍ମୀ, ସୁଲି, କେତୀ ଓ ରତନି ଏକାଠି ହେଲେ ଖଳାରେ । ଦେଖି କେବଳ ମନଦୁଃଖ କରିବା ବ୍ୟତୀତ ତାଙ୍କର ଆଉ କରିବାର କିଛି ନଥିଲା । ମାନସଙ୍କୁ ବୁଝାଇଲେ । ମନରେ ତା’ର ସାହସ ପୂରାଇଲେ ।

 

ବିପଦବେଳେ ଭାଙ୍ଗିପଡ଼ିବା କାପୁରୁଷର ଲକ୍ଷଣ ।

 

ମାନସ ନିଜକୁ ନିଜେ ପ୍ରବୋଧନା ଦେଇ କିପରି ନିରୀହ ଲୋକମାନଙ୍କ ପୂର୍ବାବସ୍ଥା ଫେରାଇ ଆଣିବ ସେକଥା ଚିନ୍ତା କଲା ।

 

କଳେଇ ପୋଡ଼ି ରହସ୍ୟ ଲୁଚି ରହିଲାନି । ରତନି ସବୁ କହିଦେଲା । ସେ ଦେଖିଛି କଳେଇ ଗଦାରେ ନିଆଁ ଲାଗି ସାରିବା ପରେ କଣାବୁରୁନ୍ଦା ଓ ହରି ମିଶ୍ରେ ଗହୀର ମହାଦେବଙ୍କ ଆଡ଼େ ଧଇଁସଇଁ ହୋଇ ଧାଇଁଥିଲେ । ତାକୁ ଦେଖି ସେ ଦୁହେଁ ବାଟରେ ଥିବା ବଡ଼ ବରଗଛ ମୂଳେ ଲୁଚିଗଲେ । ରତନି ସେମାନଙ୍କୁ ଦେଖି କିଏ ସେ ବୋଲି ଦେଖିବାରୁ ଯିବାକୁ ମିଶ୍ରେ ଥରଥର ଗଳାରେ କହିଲେ–ହେ ରତନି ! ତୋ ଦାନ୍ତରେ କୁଟା ହେଉଛି । ଗୋଡ଼ ଧରୁଛି । ହାତ ଧରୁଛି । ନେହୁରା ହୋଇ କହୁଛି, ଆମ ନାଁ କହିବୁନି । ତୁ ଯାହା ମାଗିବୁ ଆମେ ତାହା ଦେବୁ । ତୋ ମନର ଓରିମାନା ମେଣ୍ଟାଇଦେବୁ ।

 

କିନ୍ତୁ ରତନି ଛାଡ଼ି ନଥିଲା ସେମାନଙ୍କୁ । ମୁହେଁ ମୁହେଁ କହିଥିଲା–ଅଳପେଇସା ତମ୍ପମୁହାଁ, ପରଘର ବୁଡ଼ା । ତୁ ଏଡ଼େ ବଡ଼ ଯୋଜନାରେ ନିଆଁ ଲଗାଇଛୁ । ଅମୃତଭାଣ୍ଡରେ ବିଷ ପକେଇଛୁ । ତୁଅ କୁଳରେ କେହି ପାଣି ଦେବାକୁ ନ ରୁହନ୍ତୁ । ମୁଁ କହିବିନି ? କାହିଁ କହିବିନି ? ମୁଅର ସର୍ବନାଶ କଲୁ, ସର୍ବନାଶ କଲୁ ଗାଁ ଗୋଟାକର । ସକାଳ ହେଉ ତୁଅ ମଜା ଦେଖିବି । ମୁଣ୍ଡ ଉପରେ ବସିବା ଲୋକ, ତୁ ଗୋଡ଼ ତଳକୁ ଆସିଲୁ; ତଥାପି ତୁଅ ମୁହଁରେ ଟିକିଏ ଲାଜ ନାହିଁ ।

 

ବୁରୁନ୍ଦା ଛାଡ଼ିଲାନି । ଶାଳୀ ମାଇକିନା କେତେ ଚାତୁରୀ ଦେଖାଉଛି କହି ରତନି ଦେହରୁ ଲୁଗା ମୁକୁଳା କରି ତା’ ହାତଗୋଡ଼ ବାନ୍ଧି ବରଗଛ ମୂଳେ ପକାଇ ଦେଲା । ସେତିକିରେ କଣାବୁରୁନ୍ଦାର ମନବି ବୁଝିଲା ନାହିଁ । ରତନି ପିଠିରେ ଉତ୍ତମମଧ୍ୟମ କରି ଥୋଡ଼େ ଥୋଇଦେଲା । ଏମାନଙ୍କ ପ୍ରତି ସିଏ ବା କ’ଣ କରିଥାନ୍ତା । ସହଜେ ତ ମାଇପି ଲୋକ । ତା’ ଭାଗ୍ୟ ପୋଡ଼ି ଯାଇଛି-। କପାଳ ଫାଟି ଯାଇଛି ।

 

ଅରକ୍ଷିତକୁ ଦଇବ ସାହା ହେଲା ପରି କଣାବୁରୁନ୍ଦା ଲୁଗା ଗଣ୍ଠି ଭଲଭାବରେ ପକାଇ ନଥିଲା । ରତନି ବିକଳରେ ଭିଡ଼ିମୋଡ଼ି ହେବାବେଳେ ଲୁଗାର ଗଣ୍ଠି ଫିଟିଯିବାରୁ ବନ୍ଧନରୁ ମୁକୁଳି ଗଲା ।

 

ରତନିଠାରୁ ଅଧ୍ୟାୟକ ଶୁଣି ସମସ୍ତଙ୍କ ଦେହରେ ହରି ମିଶ୍ର ଓ କଣାବୁରୁନ୍ଦା ପ୍ରତି ବିଷ ଚରିଗଲା । ସୃଷ୍ଟି ଉତ୍ତେଜନା । ମାରିବେ, ଧରିବେ, ଗାଁରୁ ତଡ଼ିଦେବା ପାଇଁ ମସୁଧା କଲେ ।

 

ସୁଲି ପାଲଟି ଯାଇଥାଏ କାଠ । କାହାକୁ କ’ଣ କହିବ କିଛି ଭାବି ପାରୁ ନଥାଏ । ବୋକୀଙ୍କ ପରି କେବଳ ଛିଡ଼ା ହୋଇ ଆଟୁମାଟୁ କରି ଅନାଉଥାଏ ଉପସ୍ଥିତ ଜନତାଙ୍କୁ । ପର ତୁଣ୍ଡରେ ନିଜ ବାପଙ୍କର ନିନ୍ଦା । ଏ ନିନ୍ଦା ମରିବାଠାରୁ ବଳକା ।

 

କାଲି ଯେଉଁ ରତନି ନିର୍ଯାତିତା ହୋଇ ବସ୍ତିରୁ ବାହାରି ଯାଇଥିଲା, ସେ ରତନି ଆଜି ବସ୍ତିର ମଉଡ଼ମଣି । ତା’ ହୃଦୟରେ ଅପୂର୍ବ ସାହସ ସଞ୍ଚୟ କରିଛି ଅନ୍ୟାୟର ପ୍ରତିବାଦ କରିବାକୁ । ନିଜେ ନିୟୋଜିତ କରିବାକୁ ସମାଜ ସେବାରେ । ଆଗାମୀ ଦିନର ବିପ୍ଳବରେ ଯେତେ ବାଧାବିଘ୍ନ ଆସିଲେବି ରତନି ଦଳିଚକଟି ଦୁର୍ଗମଚିରି ଲଙ୍ଘନ କରିବାପାଇଁ ଦୃଢ଼ ପରିକର ।

 

କେହି ଭାଙ୍ଗି ନ ପଡ଼ିବାପାଇଁ ପରାମର୍ଶ ଦେଲା ରତନି । ରତନି ଜାଣେ କେବଳ ମନ ଭାଙ୍ଗିବା ଓ ମେଳ ଫଟେଇବା ଉଦ୍ଦେଶ୍ୟରେ ଏତେ ଏତେ ଦୁର୍ଘଟଣା ଘଟାଉଛନ୍ତି ମିଶ୍ରେ ଓ କଣାବୁରୁନ୍ଦା । ମନ ଭାଙ୍ଗିଗଲେ, ମେଳ ଫାଟିଗଲେ ମାଛକୁ ଚିଲ ଝାମ୍ପିଲା ପରି ସେ ଆମର ଅନିଷ୍ଟ କରିବାକୁ ବାହାରି ପଡ଼ିବେ । ଶୋଷଣ କରିବେ । ବାରଣ ଓ ମାରଣାର ଫାଶ ବସାଇବେ ।

 

ମିଶ୍ରଙ୍କର ଅପକର୍ମକୁ ତୀବ୍ରଭାବରେ ଘୃଣା କଲା ସୁଲି । ନିଜର ବାପ ହେଲେ କ’ଣ ହେବ ? ଯିଏ ଅପକର୍ମ କରେ, ବାର ଜଣଙ୍କ ତୁଣ୍ଡରେ ସମାଲୋଚିତ ହୁଏ, ସେପରି ବାପକୁ ବାପ ବୋଲି ସ୍ଵୀକାର କରିବା ବିବେକ ବାଧା ଦିଏ । କ୍ଷତିଗ୍ରସ୍ତ ଲୋକଙ୍କ ଦୁର୍ଦ୍ଦଶା ଦେଖି ସୁଲି ମର୍ମାହତ ହୋଇ ଘରକୁ ଫେରିଗଲା ।

 

ମନର ବେଦନା ମନରେ ରଖି ଆଗପଛ କେତେକଥା ବିଚାର କଲା । ଶେଷରେ ସ୍ଥିର କଲା ବାପା ଯେଉଁ କ୍ଷତି କରିଗଲେ ତା’ର ଅଭାବ ମୋତେ ପୂରଣ କରିବାକୁ ହେବ । ଦୁଃଖୀ ଲୋକଙ୍କ ପେଟକୁ ଆହାର ଖଞ୍ଜିବାକୁ ପଡ଼ିବ ।

 

ମ‌ଉଳା ମନ ବ୍ୟଥିତ ହୃଦୟରେ ଯିଏ ଯାହାର ଘରକୁ ଫେରିଲେ । ଶଶାଙ୍କ, କେତୀ ଓ ଲକ୍ଷ୍ମୀ ଘରକୁ ନ ଫେରି ଫେରିଲେ ମିଶ୍ରଙ୍କ ଘରକୁ । ସାଙ୍ଗରେ ରତନି ଓ ମାନସ । ଆସି ଦେଖିଲେ ସୁଲି ମୁହଁ ମାଡ଼ି ପଲଙ୍କ ଉପରେ ପଡ଼ିଛି । କାନ୍ଦୁଛି । ଏମାନଙ୍କୁ ଦେଖି ବେଶୀ କାନ୍ଦିଲା । କାନ୍ଦି କାନ୍ଦି ବେଦମ୍‍ ହୋଇଗଲା ।

 

ରତନି ସୁଲିକୁ ବୋଧ ଦେଲା । ଲକ୍ଷ୍ମୀ ବିରକ୍ତ ହେଲା ସୁଲି ଉପରେ । ଅନ୍ୟମାନେ ବୁଝାଇଲେ । କିନ୍ତୁ କାହିଁରେ ସେ ବୁଝିଲା ନାହିଁ । ଏଡ଼େ ବଡ଼ ଦୁର୍ନାମ ଶୁଣି ଗେଲିବୋଉ ଜୋକ ମୁହଁରେ ଲୁଣ ଦେଲା ପରି ଲାଜ ଓ ଅପମାନ ଭୟରେ ପଡ଼ିରହିଥାନ୍ତି ଘର କୋଣରେ ।

 

ସୁଲି ପାଠୋଇ । ପାଠ ପଢ଼ିଛି ପାଞ୍ଚକଥା ଭାବିବାର ଜ୍ଞାନ ଅଛି । ପାଞ୍ଚ ଲୋକଙ୍କୁ ବୁଝାଇବାର ଗୁଣ ଅର୍ଜନ କରିଛି । କାହିଁକି କାନ୍ଦିବ ? କାନ୍ଦି କାନ୍ଦି ଆକତା ମାକତା ହୋଇଗଲେ କି ମୁଣ୍ଡ ପିଟି ବାଡ଼େଇ କଚାଡ଼ି ହୋଇ ମରିଗଲେ ଯାହା ଘଟି ଯାଇଛି ତାହା ଫେରି ଆସେନି । ସମସ୍ୟାର ସମାଧାନ ହୁଏନି ।

 

ସୁଲି ଆଉ କାନ୍ଦିବାକୁ ଚେଷ୍ଟା କଲାନି । ପଲଙ୍କ ଉପରେ ନିଜ ଶରୀରଟାକୁ ନ ପକେଇ ଉଠି ବସିଲା । ସମସ୍ତଙ୍କୁବି ପାଖକୁ ଡାକି ବସେଇ କହିଲା–ମାନସବାବୁ ! ଆମ ପଛେ ପଛେ ବିପଦ ଗୋଡ଼େଛି । ଏ ବିପଦକୁ ସମ୍ପଦ ବୋଲି ମଣିବାକୁ ହେବ । ଆମେ ଦୃଢ଼ ହୋଇ କାର୍ଯ୍ୟ କରିବାବୁ ପଡ଼ିବ ।

 

ଯାହାତ ଘଟି ଯିବାର ଘଟି ଗଲାଣି । ସବୁ ଲୋକଙ୍କୁ ଡାକ । ତାଙ୍କ ପରିଶ୍ରମର ଫଳ ମୁଁ ସେମାନଙ୍କୁ ଦେବି । ମୋ ବାପା କଳେଇ ଗଦାରେ ନିଆଁ ଲଗେଇଛନ୍ତି । ଦୁଃଖୀ ଲୋକଙ୍କ ବେକରେ କ୍ଷୁର ଦେଇଛନ୍ତି । ତାଙ୍କ ଅର୍ଜିତ ସମସ୍ତ ଧନକୁ ମୁଁ ଆଜି ସେଇ ଦୁଃଖୀ ଲୋକଙ୍କୁ ଅର୍ପଣ କରିବି ।

 

କିଛି ସମୟ ସମସ୍ତେ ନୀରବ ରହିବା ପରେ, ଶଶାଙ୍କ ସାମାନ୍ୟ ପଦୁଟିଏ କଥାରେ ସୂଚେଇ ଦେଲା, ଏହା କ’ଣ କେବେ ସମ୍ଭବ ? କ୍ଷତି ହୋଇଥିବା ସମ୍ପଦକୁ ଯେତେ ଚେଷ୍ଟା କଲେ ତୁମେ କ’ଣ ଦେଇ ପାରିବ ? ବରଂ ତା’ ନ କରି ଲୋକଙ୍କର ଏଇ ଦୁଃଖକୁ ମୋଚନ କରିବାପାଇଁ ଆସ ଆଉ ଏକ ଯୋଜନା ତିଆରି କରିବା ।

 

ସୁଲିର ମନ ମାନିଲା ନାହିଁ ଶଶାଙ୍କ କଥାରେ । ଡାକି ନେଇ ଘରର ଚାରିଆଡ଼େ ବୁଲାଇ ଦେଖାଇ ଦେଲା । ମିଶ୍ରେ ନିବୁଜ ରଖିଥିବା ଦଶ ମଳେଇ ଧାନ । ବୁଝେଇ ଦେଲା–ଏ ଧାନ ବାପାଙ୍କର ନୁହେଁ, ଏଇ ଗରିବ ଲୋକଙ୍କର । ତାଙ୍କରି ତଣ୍ଟି ଚିପି ବାପା ଏ ମଳେଇ ମଳେଇ ଧାନ ଜମା କରି ରଖିଛନ୍ତି । ଇଏ ଆଉ କାହା ସକାଶେ ରହିବ । ୟାକୁ ମୁଁ ସେଇମାନଙ୍କୁହିଁ ବିତରଣ କରିଦେବି ।

 

ସୁଲିର ଇଚ୍ଛା ବିରୁଦ୍ଧରେ କେହି କିଛି କହିପାରିଲେ ନାହିଁ ।

 

ଏକବାଗିଆଣୀ । ଯାହା ବୁଝିଥିବ ସେଇଆ । ଅନ୍ୟାୟ ତା’ର ମନକୁ ଛୁଏଁନି । ପାପ ତାକୁ ଗ୍ରାସ କରିପାରେନି । ସେ ଚାହେଁ ପଙ୍କରେ ପଶିବନି କି ଗୋଡ଼ ଧୋଇବନି ।

 

ତା’ର ଇଚ୍ଛା ବାପାଙ୍କ ପାପରହିଁ ସେ ପ୍ରାୟଶ୍ଚିତ୍ତ କରିବ । ଗରିବ, ଖଟିଖିଆ, ମେହନତୀ କରି ପେଟ ପୋଷୁଥିବା ଲୋକଙ୍କ ମୁହଁରୁ ତା’ ବାପା ଛଡ଼ାଇ ନେଇଥିବା ହସକୁ ସେ ଫେରାଇ ଦେବ ।

 

ଆଗୁଆହେଲା କେତୀ । ତା’ପଛକୁ ଅଣ୍ଟା ଭିଡ଼ି ବାହାରି ପଡ଼ିଲା ଲକ୍ଷ୍ମୀ । ଶଶାଙ୍କ ସେମାନଙ୍କ ସହିତ ଯୋଗ ଦେଲା । ମାନସ କେବଳ ନୀରବଦ୍ରଷ୍ଟାଭାବେ ବସି ଅତୀତର ସ୍ମୃତିକୁ ଏପଟ ସେପଟ କରି ଭାବିବା ସଙ୍ଗେ ସଙ୍ଗେ ବିଚାର କରୁଥାଏ ଭବିଷ୍ୟତର ସ୍ଵପ୍ନ । ଡେଙ୍ଗୁରା ପିଟିଲା ପରି କେତୀ ସହିତ ଲକ୍ଷ୍ମୀ ଓ ଶଶାଙ୍କ ମଥାନପୁରର ଘରେ ଘରେ କହିଦେଇ ଆସିଲେ–କାଲି ସକାଳୁ ସୁଲି ଅପା ଆପଣଙ୍କର ହୋଇଥିବା କ୍ଷ‌ତିର ଭରଣା ନିମନ୍ତେ ତାଙ୍କ ନିଜ ଅମାରରୁ ଧାନ ପ୍ରଦାନ କରିବେ । ତେଣୁ ଆପଣମାନେ ରାତି ପାହିବା ପୂର୍ବରୁ ସୁଲି ଅପା ଦୁଆରେ ହାଜର ହୋଇ ଏ ପ୍ରକାର ସୁଯୋଗରୁ ବଞ୍ଚିତ ନ ହେବାକୁ ଅନୁରୋଧ ରହିଲା ।

 

କାନକୁ କାନ ଟୁପୁଟୁପୁରେ ସବୁରି କାନରେ କଥା ପଡ଼ି ତୁଣ୍ଡକୁ ତୁଣ୍ଡ ଆଲୋଚନା ହେଲା–ହରି ମିଶ୍ରଙ୍କ ଝିଅ ସୁଲି ଅପା କାହିଁକି ଲୋକଙ୍କର ପୋଡ଼ି ଯାଇଥିବା କଳେଇର ଭରଣା ପୂରଣ କରିବେ ? ଗଲାତ ଗଲା ସଭିଙ୍କର ଗଲା । ଆଗରୁ ତ କେବେ ତାଙ୍କ ହୃଦୟ କାନ୍ଦି ନଥିଲା ଆମମାନଙ୍କ ପାଇଁ । ଏଥିରେ କିଛି ରହସ୍ୟ ଅଛି ।

 

ଆଲୋଚନା ଆଲୋଚନାରେ ରାତି ପାହିଲା । କେତେ ଲୋକ ସପକ୍ଷ ବିପକ୍ଷରେ ଯୁକ୍ତି ବଢ଼ାବଢ଼ି ହେଲେ । କିଏ କେତେ ପ୍ରକାରେ ମତ ପ୍ରଦାନ କଲେ, ମାତ୍ର ମାହାଳିଆ ଦ୍ରବ୍ୟ ଛାଡ଼େ କିଏ ? କହିବେ ସମସ୍ତେ କିନ୍ତୁ ହୃଦୟ ଖଟାଇ କାମ କରନ୍ତି କମ୍ ଲୋକ ।

 

କାଉ କା’ ନ କହୁ ନିର୍ଦ୍ଧାରିତ ଦିନ ଥାଟ ମାରିଲା ପରି ଲୋକେ ଠୁଳ ହୋଇଗଲେ ଆସି ମିଶ୍ରଙ୍କ ଦୁଆରେ । ଗହଳଚହଳରେ ଗାଁ ଦାଣ୍ଡ ଫାଟିଯାଉଛି । ସୁଲି ଲୋକକୁ ଦେଖି ଶୀଘ୍ର ଶୀଘ୍ର କାମ ତୁଟାଇ ଦେବାପାଇଁ ବ୍ୟସ୍ତ ହୋଇ କେତୀ, ଲକ୍ଷ୍ମୀ ଓ ଶଶାଙ୍କବାବୁଙ୍କୁ କହି ଲୋକମାନଙ୍କୁ ଧୈର୍ଯ୍ୟ ଧରି ବସିବାକୁ ଉପଦେଶ ଦେଇ ଘର ଭିତରେ ପଶିଲା । ଘର ଭିତରେ ଅମାର ଫିଟାଇବାକୁ ଯାଇ ସୁଲି ଯାହା ଦେଖିଲା ମନ ତା’ର ଫିକା ପଡ଼ିଗଲା । କ’ଣ କରିବ କିଛି ବୁଦ୍ଧି ଜୁଟିଲାନି ମୁଣ୍ଡକୁ । ତୋବା ପାଲଟି ଯାଇ ଥକ୍କା ମାରିଲା ପ୍ରାୟ ନିଚ୍ଛୁକଭାବେ କେତୀ ଓ ଅନ୍ୟମାନେ ଛିଡ଼ା ହୋଇ କେବଳ ଲକ୍ଷ୍ୟ କରୁଛନ୍ତି ଘଟିଯାଉଥିବା ଘଟଣାକୁ ।

 

–ଘରପୋଡ଼ି ବାସି ଶରଣ । ଗୋଟିଏ ବିପଦ ଘରୁ ଗୋଡ଼ ନ କାଢ଼ୁ ଆଉ ଗୋଟିଏ ବିପଦ ଆସି ଦୁଆରେ ଧକ୍କା ମାରୁଛି ।

 

ସୁଲି ଲୋକଙ୍କୁ ଧାନ ବିତରଣ କରିବ କ’ଣ ? ଅମାର ଦୁଆରେ ଦି’ ଦି’ଟା ତାଲାର ସମାବେଶ । କଟକିଆ ଗୁଣ୍ଡାମାନେ ଜଗି ରହିଛନ୍ତି ଅମାର ଦୁଆରକୁ । ଘରୁ ଦିନକ ଆଗରୁ ମିଶ୍ରେ କଣାବୁରୁନ୍ଦା କୁଆଡ଼େ ଯାଇଛନ୍ତି ଏପର୍ଯ୍ୟନ୍ତ ଫେରି ନାହାନ୍ତି । ସୁଲି କାହାକୁ କହି ଏ ସମସ୍ୟାର ସମାଧାନ କରିବ । ମିଶ୍ରେ ଥିଲେ ଅବା ଯାହା କରିବାକୁ ବଳ ପାଇଥାନ୍ତା । ଏବେ ବଡ଼ ଅଡ଼ୁଆରେ ପଡ଼ିଗଲା । ଲୋକଙ୍କୁ ଖାଇବାକୁ ଡାକି ତଡ଼ିଦେବା ନ୍ୟାୟ ହେଲା । କଥା କାଳକାଳକୁ ରହିଯିବ । ନିଜ ନାଆଁରେ ନିନ୍ଦା ରଟିବ ।

 

ମନରେ ସାହସ ଧରି ଅମାରକୁ ଜଗି ରହିଥିବା ଗୁଣ୍ଡାମାନଙ୍କୁ ବାପାଙ୍କ ଗୁଣ କୀର୍ତ୍ତି ସମ୍ପର୍କରେ ଅବହିତ କରାଇ ସାରିବାପରେ ସେମାନଙ୍କ ହୃଦୟରେ ସାଧୁ ଭାବ ଜନ୍ମିଲା । ସେମାନେ ଅମାର ଦୁଆର ଜଗିବେ କ’ଣ ଶାବଳ ଲଗାଇ ତାଲା ଭାଙ୍ଗି ଅମାର ଭିତରୁ ଧାନ କାଢ଼ିଲେ, କେତୀ ଲକ୍ଷ୍ମୀ ଓ ଶଶାଙ୍କ ଲୋକମାନଙ୍କୁ ବାଣ୍ଟିକୁଣ୍ଟି ବିଦାୟ କଲେ ।

 

ଯିଏ ଯାହାର ପ୍ରାପ୍ୟ ପାଇ ଖୁସି ମନରେ ଘରକୁ ଫେରିଲେ । ଅନ୍ୟମାନେବି କେହି ନାହାନ୍ତି ସୁଲି ପାଖରେ । ସୁଲି ଏକାଏକା ଘରେ । ମାନସ କାଲିଠାରୁ କଟକ ଯାଇଛି ଫେରିନି । ଦାଶିଆକାକୁ ଜେଲରୁ ଜାମିନ୍ ଆଣିବାପାଇଁ ଅନେକଥର ଓକିଲ ଦେଇ କାଗଜପତ୍ର ଦାଖଲ କଲାଣି, ମାତ୍ର ଜାମିନ୍ ମିଳୁନି । ମାମଲା ଚାଲିଛି । ଶେଷ ତାରିଖରେ ବୁଝାମଣା କରିବା ଉଦ୍ଦେଶ୍ୟରେ କଟକରେ ରହିଯାଇଛି ମାନସ ।

 

ସାକ୍ଷୀ ଗୁହା ପ୍ରମାଣ ଆଗରୁ ଦିଆସରିଛି । ରତନିକୁ କିପରି ମିଛରେ ମତାଇ ହରି ମିଶ୍ରେ କେସ୍‌ କରିଛନ୍ତି ଦାଶିଆକା ନାଁରେ ସେ କଥାବି ରତନି କୋଟ୍‍ରେ ହାକିମଙ୍କ ଆଗରେ ସାକ୍ଷୀ ଦେବାବେଳେ ବୟାନ କରିଛି । ତା’ ଅସରନ୍ତି ଦିନର ଅଙ୍ଗେ ଲିଭେଇବା କାହାଣୀ ହାକିମଙ୍କ ଆଗରେ କହିବାକୁ କୁଣ୍ଠା କରିନି ରତନି ।

 

ମିଶ୍ରେ ବହୁତ ବାଟ ଖୋଜିଲେ କୋଉ ଓକିଲବାବୁଙ୍କ ମାର୍ଫତ୍‍ରେ ହାକିମଙ୍କୁ ଅଣ୍ଟାଗୁଞ୍ଜା ଦେଇ ଦାଶିଆକାକୁ ସଜା ଖଟେଇବାକୁ । କିନ୍ତୁ ଯିଏ ଦୀନଦରିଦ୍ର ସେବାରେ ମନ ଦେଇଛି, ପରଦୁଃଖରେ ଆହା ପଦ କହୁଛି, ତା’ର କିଏବା କ’ଣ କରିବ ?

 

କିଛି ହେଲାନି ଦାଶିଆକାର ।

 

ସେ ନିର୍ଦ୍ଦୋଷରେ ମାମଲାରୁ ଖଲାସ ହେଲା ।

 

ମିଶ୍ରଙ୍କର ଚୁଗୁଲି ଚପଟ ଓ କଣାବୁରୁନ୍ଦାର କୂଟ କପଟ ସବୁ ହାର ମାନିଲେ ଦାଶିଆକା ପାଖରେ ।

 

ମାନସର ଆଉ କିଛି କାମପାଇଁ ଦିନେ କଟକରେ ରହିବାର ଥିଲା, କିନ୍ତୁ ଦାଶିଆକାର ମନ ଉଚ୍ଛନ୍ନ ହେଲା ଗାଁକୁ ଯିବାକୁ । ଭିଟାମାଟିର ମାୟା ତାକୁ ଅଥୟ କଲା । ଗାଁ ଭୂଇଁରେ ଆଖି ପକେଇ ଦେଇ ସେ ପବିତ୍ର ହେବାକୁ କାଉଳା କଲା ମାନସକୁ ।

 

ନିଜାମଉଦ୍ଦିନ–ଦିଲ୍ଲୀ ଉତ୍କଳ ଏକ୍‌ସପ୍ରେସ୍ ଡାକ ଛାଡ଼ିଲା କଟକ ରେଳ ଷ୍ଟେସନ୍ ପ୍ଲାଟ୍‍ଫର୍ମ୍‍ରେ । ଦାଶିଆକା ଓ ମାନସ ଟିକଟ କରି ଗାଡ଼ିରେ ବସିଲେ । ଗାଁ ପାଖ ଷ୍ଟେସନ୍‍ ହେଲା । ଗାଡ଼ି ଥାକିଲା । କେତେ ଲୋକ ଓହ୍ଲାଇଲେ ଓ କେତେ ଲୋକ ବସିଲେ । ଯିଏ ଯାହାର ଗାଁ ମୁହାଁ ହୋଇ ଦିଗେଇଲେ । ଦିଗେଇଲେ ନିଜ ଗାଁ ଆଡ଼େ ଦାଶିଆକା ଓ ମାନସ । ତାଙ୍କ ସାଙ୍ଗରେ ଆଉ ଜଣେ । ଦେହରେ ବଳ ନାହିଁ । ଅବସ୍ଥା କ୍ଷୀଣ ହୋଇଯାଇଛି । ପରିଷ୍କାରଭାବେ ଗଣି ହୋଇ ଯାଉଛି ତା’ ଛାତିର ପିଞ୍ଜରା କାଠି । ଚାଲିପାରୁନି, ଆଣ୍ଠୁରେ ଆଣ୍ଠୁ ବାଜୁଛି । ମୁଣ୍ଡରେ ମୁଣ୍ଡେ ଅଲରା କେଶ । ମୁହଁରେ ମୁହେଁ ଅପରିଷ୍କାର ଦାଢ଼ି । ନଖ ବଢ଼ିଛି ଆଙ୍ଗୁଳେ ଆଙ୍ଗୁଳେ । ଖଣ୍ଡିଏ ଯାହା ପିନ୍ଧିଛି ସେତିକି, ଅବଶିଷ୍ଟ ଶରୀରରେ ଫୁଙ୍ଗୁଳା, କନା ଖଣ୍ଡେବି ନାହିଁ ।

 

ଦାଶିଆକା ଓ ମାନସର ପିଛାଧରି ଘୁଷୁରି ଘୁଷୁରି ଯାଉଛି । ମାନସ ଚିହ୍ନିପାରୁନି, ଚିହ୍ନିପାରୁନି ଦାଶିଆକା । ସିଏବି ଚିହ୍ନି ଏମାନଙ୍କୁ କିଛି କହିପାରୁନି । ମାନସ ହୃଦୟରେ କାହିଁକି ଦୟା ହେଲା ଲୋକଟାର ଅବସ୍ଥାକୁ ଦେଖି । ସେ ଅନୁମାନ କଲା ଲୋକଟି ନିଶ୍ଚୟ ମଥାନପୁର ଯିବ I କିଏ କୋଉଠୁ ଆସୁଛି, କାହା ଘରକୁ ଯିବ ଜାଣିବା ସକାଶେ ପଚାରିଲା–କେଉଁଠିକି ତୁମେ ଯିବ କି-?

 

ଲୋକଟି କିଛି କହିପାରିଲାନି । କାବା କାବା ହୋଇଗଲା । ତୁଣ୍ଡ ଖନି ମାରିଗଲା । ଆଖିରୁ ଖସିପଡ଼ିଲା ଦୁଇ ଟୋପା ବିତୃଷ୍ଣାଭରା ଲୁହ । କୋହ ଉଠେଇ କାନ୍ଦି କାନ୍ଦି କହିଲା–ମାନସବାବୁ ! ଆପଣ ମୋତେ ଚିହ୍ନିପାରୁ ନାହାନ୍ତି ।

 

ଦାଶିଆକା ମୁହଁକୁ ନିରେଖି ଚାହିଁଲା । ବାରିସାରି କହିଲା–ମଦନା କିରେ ?

 

ହଁ ବାବୁ ! ମୁଁ ତମ ହରିଜନ ବସ୍ତିର ମଦନା । ବାବୁ ! ଗୋଟିଏ କଥା ପଚାରିବି ସତ କହିବେ ?

 

ଦାଶିଆକା କହିଲା–କାହିଁ କହିବୁନି !

 

ତା’ ଆଖିର ଲୁହ ପାଟିରେ ପଶୁଥିଲା । ଅବଶ ଗୋଡ଼ରେ ବଳ ସଂଗ୍ରହ କରି ଦାଶିଆକା ଓ ମାନସ ସହିତ ଆଗକୁ ଆଗକୁ ପାଦ ବଢ଼ାଉଥିଲା । ତା’ ମନର ଆବେଗ ତାକୁ କୁହାଇ ଦେଲା–ବାବୁ ! ଆପଣମାନେ ଏତେ ସାଆନ୍ତ ଥାଇ ରତନିକୁ ମୋର ପର ପୁଅ ସାଙ୍ଗେ ଛାଡ଼ିଦେଲ ?

 

ମାନସ ବିଚାର କଲା ମଦନା ଓ ରତନି ମଧ୍ୟରେ ଅବୁଝା, ବୁଝାମଣା ଯୋଗୁଁ ଘଟଣା ଏତେ ସରିକି ଚାଲିଯାଇଛି, ତେଣୁ ଏମାନେ ଦୁହେଁ ଏକାଠି ହେଲେ ଦାମ୍ପତ୍ୟ ଜୀବନରେ ତାଙ୍କର ଆହୁରି ଘନଘଟା ଉଦ୍ଭବ ହୋଇପାରେ । ତେଣୁ ମଦନାକୁ ମାନସ ଅନେକ କଥା ପଚାରିଲା । ଉତ୍ତର ପ୍ରତି ଉତ୍ତରେ ମଦନା ଅନୁଭବ କଲା । ଭୁଲ ଚିଠି ପାଇ ତା’ ସଂସାରକୁ ସେ ନିଜେ ଉଜାଡ଼ି ଦେଇଛି । ରତନିକୁ ଅନେକ କଷ୍ଟ ଦେଇଛି । ଯାହାଫଳରେ କି ସେ ବିପଦରେ ପଡ଼ି ଅବାଟରେ ପାଦ ବଢ଼େଇ ପାଦ ଖସେଇଛି । ରତନିର ଦୋଷ ନାହିଁ । ଦୋଷ କରିଛି ସେ ନିଜେ ।

 

ମାନସକୁ ଆଉ ଅଛପା ରହିଲା ନାହିଁ କାହିଁକି ଏବଂ କାହାପାଇଁ ଏମାନଙ୍କର ଦାମ୍ପତ୍ୟ ଜୀବନ ନାରଖାର ହେଲା । ନାରଖାର ହେଲା ରତନି । ଦୀର୍ଘ ସମୟ ମାଟି ମା’ର ମାୟା ଭୁଲିଯାଇ ମଦନା ପଡ଼ିରହିଲା କଲିକତାର କାଳିମାଟିରେ, ଆସାମର ଯାଜନ କାମର ।

 

ଯାହାପାଇଁ ରତନି ଆଖିରୁ ଲୁହ ଛପୁନି । ଯାହାଯୋଗୁଁ ମଥାନପୁରବାସୀଙ୍କ ମନରେ ଶାନ୍ତି ନାହିଁ, ସେ ଦୁହେଁ ଆଜି ମଥାନପୁର ଭୂଇଁରେ ପାଦ ଦେଇଛନ୍ତି ତେଣୁ ଆନନ୍ଦରେ ମଥାନପୁର ହସୁଛି । କିନ୍ତୁ କାନ୍ଦୁଛି ରତନି । କୋଉ ମୁହଁରେ ସେ ମଦନାକୁ ମୁହଁ ଦେଖାଇବ ? ତା’ର ସ୍ତ୍ରୀ ବୋଲି ତା’ ନିକଟରେ ଦାବି କରିବ । କୋଉ ସାହସରେ ସ୍ଵାମୀ ସୁହାଗିଆ ହୋଇ ତା’ର ନାଲି ଟୁକୁଟୁକୁ ଗାଲରେ ସରୁ ଚୁମାଟିଏ ଆଙ୍କି ଦେବା ସକାଶେ ଅନୁରୋଧ କରିବ ?

 

ଆଗରୁ ସ୍ଵାମୀପଣିଆକୁ ବେଖାତିର କରିଛି ରତନି । ମଦନାର ସ୍ତ୍ରୀ ହୋଇ ଆଗପଛ ବିଚାର ନ କରି ହରି ମିଶ୍ରଙ୍କୁ ଦେହ ବିକିଛି । ତା’ ଔରସରୁ ଜନ୍ମ ଦେଇଛି ଛୁଆ ।

 

ମଦନା ବାରଣ୍ଡାରେ ବସି ପଡ଼ିଲା । ତା’ରି ଘର । ସେ ଘରର ସୌରଭ ନାହିଁ । ଯୋଉ ଘରେ ବସି ସେ ହସଖୁସିରେ ଖେଳ ଗମାତ୍‍ରେ ଦିନ କଟେଇ ଦେଉଥିଲା, ସେ ଘରୁ ଲକ୍ଷ୍ମୀ ଛାଡ଼ି ଯାଇଛନ୍ତି । ଘରେ ଜହ୍ନ, ବାହାରେ ଜହ୍ନ । ଚାଳରେ ନଡ଼ା ନାହିଁକି ରୁଅ ନାହିଁ । ଆଖିକୁ ବିଶ୍ଵାସ କରିପାରିଲାନି । ତା’ ଘର ଏଇ । ଏଇ ଘରକୁ ସେ ଛାଡ଼ି ଯାଇଥିଲା । ଏଇ ଘରେ ସେ ଘରସଂସାର କରୁଥିଲା ।

 

ଘର କୋଣରେ ରତନି ଲାଜରେ ଲୁଚିଛି । ବାହାରେ ମଦନା । ଆଠ ମାସର ପୁଅଟା ଗୁରୁଣ୍ଡି ଗୁରୁଣ୍ଡି ଆସି ମଦନା କୋଳରେ ଭେଁଭେଁ ରଡ଼ି ଛାଡ଼ି ତା’ ମୁହଁକୁ ବିଲିବିଲି କରି ଅନଉଛି ।

 

ମଦନା ଦେଖିଲା ତାକୁ । କୋଳ କଲା । କଅଁଳିଆ ଗାଲରେ ତା’ର ବୋକ ଲଗାଇଲା । ମୁହଁର ଲାଜ ମୁହଁରେ ମାରି ଦେଇଛି । ମାନସ କହିବା ବେଳୁ । ବୁଝିବାର କିଛି ନଥିଲା । କେବଳ ବାକିଥିଲା ରତନିକୁ ବୁଝାଇବାକୁ । ବସ୍ତି ଭିତରେ ପଶିବା ପୂର୍ବରୁ ମାନସ ପାଖରେ ମଦନା ଶପଥ କରି କହିଥିଲା–ବାବୁ ! ମୋ ଭାଗ୍ୟ । ଭାଗ୍ୟଦୋଷରୁ ମୁଁ ଏତେ ଦଶା ଭୋଗ କଲି । ରତନିକି କାହିଁକି ଦୋଷ ଦେବି । ମୁଁ ଯଦି ମୋ ସ୍ତ୍ରୀକୁ ସମ୍ଭାଳି ନ ପାରିଲି, ଆଉ କିଏ ସମ୍ଭାଳି ଥା’ନ୍ତା ରତନିକି-। ସେ ଯାହା କଲେବି ମୋ ସ୍ତ୍ରୀ । ମୁଁ ଆପଣଙ୍କୁ କଥା ଦେଉଛି ତାକୁ ମୁଁ ଗ୍ରହଣ କରିବି । ହରି ମିଶ୍ରଙ୍କ ଔରସରୁ ଜନ୍ମ ନେଇଥିବା ପୁଅକୁ ମୋ ପୁଅ ବୋଲି ଘୋଷଣା କରିବି । କିନ୍ତୁ ବାବୁ ! ମୋ ରତନିକି ତ ଆପଣ ସାଇତି ରଖିଛନ୍ତି, କହିଲେ ଆଜ୍ଞା ! ମୋତେ ସେ ହତାଦର କରିବନି ତ-?

 

ମାନସ କହିଲା–ନା, ସେ ହତାଦର କରିବନି । ସେ ତୁମକୁ ସ୍ଵାମୀ ବୋଲି ମାନିବ, କିନ୍ତୁ ଏଣିକି ତୁମେ ସ୍ଵାମୀ ସ୍ତ୍ରୀର ସମ୍ପର୍କକୁ ନିବିଡ଼ କର । ପଛ ଘଟଣାକୁ ଭୁଲିଯାଇ ସୁଖର ସଂସାର କର-। ପର କୁହାକୁ କାନ ଦେଇ କଳି କରନା ।

 

ମଦନା କୋଳରେ ଛୁଆଟା ଆଗପରି କାନ୍ଦୁଛି । ମଦନା ବୁଝାଇ ବୁଝାଇ ବୁଝୁନି । କଅଁଳିଆ ହାତରେ ମଦନାର ଅଲରା ଅଲରା ବାଳଗୁଡ଼ାକୁ କୁତୁରାମୁତୁରା କରି ଭିଡ଼ୁଛି ।

 

ପୁଅର ନିର୍ଘାତିଆ କାନ୍ଦଣାରେ ରତନିର ମାତୃହୃଦୟ ଦହି ହୋଇଗଲା । କ’ଣ କରିବ ? ବିଚାରୀ ଲାଜ ଲାଗୁଛି ମଦନାକୁ ମୁହଁ ଦେଖାଇବାକୁ । ସମ୍ଭାଳି ପାରିଲାନି । ଘର ଭିତରୁ ବିଜୁଳି ବେଗରେ ଛୁଟି ଆସି ମଦନାର ପାଦ ହଳକ ଛୁଇଁ ଛାତି ଫଟା ଲୁହ ନିଗାଡ଼ିବାକୁ ଲାଗିଲା ଆଖିରୁ ।

 

ମଦନାର ପାଦ ଧୋଇବାକୁ ଜଳର ଆବଶ୍ୟକ ପଡ଼ିଲାନି । ରତନି ତା’ ଆଖିର ଜଳରେ ପରବାସୀ ସ୍ଵାମୀଙ୍କର ପାଦ ପଖାଳି ସମ୍ଭାଷଣ ଜଣାଇଲା ।

 

ବସ୍ତିର ମାଇପିମାନେ କେହି ଆସୁ ନଥାନ୍ତି ମଦନା ପାଖକୁ । କେବଳ କ’ଣ ହେଉଛି ବୋଲି କଣେଇ, ଟେରେଇ, ଆଡ଼େଇ ଆଡ଼େଇ ହୋଇ ଲକ୍ଷ୍ୟ କରୁଥାନ୍ତି ଦୁହିଁଙ୍କର ନାଟକୀୟ ଅଭିନୟକୁ । ରତନି ସମସ୍ତଙ୍କ ପାଇଁ ଅନେକ କିଛି କରୁଥିଲେ ମଧ୍ୟ ସାଇପଡ଼ିଶା ସ୍ଵଭାବ ଦୃଷ୍ଟିରୁ ଅନେକବେଳେ ଅନେକ ସ୍ତ୍ରୀ ତାକୁ ଭଲ ଚକ୍ଷୁରେ ଦେଖୁ ନଥିଲେ । ପଦ ପଦକେ ଖୁଣ୍ଟା ଦେଉଥିଲେ-

 

ରତନି କେବେ ସେ ସବୁ କହିବାକୁ ଦେହରେ ଧରିନି କି ଚଳିନି । ପରର ଉଲୁଗୁଣାରେ କଣ୍ଟାବାଡ଼ରେ ଲୁଗା ପକେଇ କଳି କରିନି । ବରଂ ସେମାନଙ୍କ ସହିତ ସଦ୍‌ଭାବ ଆଣିବାପାଇଁ ଚେଷ୍ଟା କରିଛି । ସଫଳ ହୋଇଛି ।

 

ମଦନା କିଛି ନ ଭାବି ପୁଅକୁ ଗୋଟାଏ କାଖରେ ଧରି ରତନି ହାତ ଧରି ଧରି ଘର ଭିତରକୁ ନେଇଗଲା । ବୋଧଦେଇ ବୁଝାଇଲା ରତନିକୁ । ଦୁହଁଙ୍କର ବୁଝାମଣାରେ ପୁଣି ହସି ଉଠିଲା ତାଙ୍କର ସଂସାର । ପର ଘଟଣାକୁ ପଛକୁ ପକେଇ ଦେଇ ଭବିଷ୍ୟତ ସଂସାରପାଇଁ ଗଢ଼ିଲେ ଆଶାର କୋଣାର୍କ ।

 

ଦାଶିଆକା ମୁକୁଳିଲା । ମଦନା ଫେରିଆସି ସଂସାର କଲା । ଶଶାଙ୍କ ବହୁ ଆଗରୁ ଜନସେବା କାର୍ଯ୍ୟରେ ମନ ଦେଉଛି । ସମସ୍ତଙ୍କର ଏକ ଅପୂର୍ବ ମିଳନ କିପରି କିପରି ଲାଗିଲା କଣାବୁରୁନ୍ଦାକୁ ।

 

ହରି ମିଶ୍ରଙ୍କ ଦେହରେ ଖୁଞ୍ଚି ହୋଇ ଯାଉଥାଏ । ସେମାନଙ୍କର କାର୍ଯ୍ୟକଳାପ ।

 

କଣାବୁରୁନ୍ଦା ଆଶା କରିଥିଲା ରତନିକୁ ମଦନା ଗ୍ରହଣ କରିବନି । ବସ୍ତିବାଲାଏ ଘଉଡ଼େଇବେ ।

 

କିନ୍ତୁ କଣାବୁରୁନ୍ଦା ପାଞ୍ଚ ଫେଲ୍ ମାରିଲା । ବସ୍ତିବାଲାଙ୍କୁ ମତାଇଲା ମଦନା ବିରୁଦ୍ଧରେ । ମଦନାକୁ ରତନି ବିରୁଦ୍ଧରେ ନାହିଁନଥିବା ଅପବାଦ ଉଠାଇ କହିଲା, କିଛି ହେଲାନି । କଇଁଚ ପରି ମୁହଁ ଖୋଳ ଭିତରେ ଭର୍ତ୍ତି କରି ଚୁପ୍ ମାରି ବସିପଡ଼ିଲା ।

 

କଥାରେ କହିଛି ବାଘ ବୁଢ଼ା ହେଲା ବୋଲି ଜଙ୍ଗଲରେ ଘାସ ଚରିବ ? କୌଣସିମତେ ସେ ପଡ଼ି ଉଠି ଶିକାରଟାଏ କରିବହିଁ କରିବ । ନ ହେଲାବେଳକୁ ମାଳି ଗଡ଼େଇ ଧର୍ମ ନାଆଁରେ ଦୁହାଟେକି ନିଜର କୃତ୍ୟ ଚଳାଇବ ।

 

ପ୍ରକୃତି ନ ମେଣ୍ଟେଇ ନ ପାରି ଦୁହେଁ ବିଜରା ହୋଇ ବାଡ଼େଇଛାଟି ହେଲେ, କିଛି କୁଆଡ଼ୁ ଉପାୟ ମିଳିଲାନି । ଘରଟା ଭିତରେ ପଶି ସଲାସୁତରା ହେଲେ । ପାଞ୍ଚ ପାଞ୍ଚିଲେ, ଫାଶ ବସାଇଲେ । କୋଉଥିରେ କିଛି ହୁଏନି । ଫସର ଫାଟିଯାଏ ।

 

ଅତିଷ୍ଠ ହୋଇ ପଡ଼ିଲେ ହରି ମିଶ୍ରେ । ବାଇବିଛୁ ହୋଇ ଗେରେଗେରେ ସେରେସେରେ ହେଲେ କଣା ବୁରୁନ୍ଦାକୁ ।

 

କଣାବୁରୁନ୍ଦାର ଯାଏଁ କେତେ ଆସେ କେତେ । ପରଧନରେ ମାମଲତି କରୁଛି । ପର ଚୂନାରେ ଚଟୁ ଚଲଉଛି । ତା’ର ଗୋଡ଼ରୁ ପଡ଼ୁଛିନା ହାତରୁ ପଡ଼ୁଛି । ମିଶ୍ରଙ୍କୁ ଖଳବୁଦ୍ଧିଟାଏ ବତେଇଦେଇ ପାଲାଟାଏ ଲଗାଇ ଦେଲେ ତାଙ୍କର ମନ ଖୁସି, ଇଆରବି ମନ ଖୁସି ।

 

କଣାବୁରୁନ୍ଦା ଗମ୍ଭିରି ଭିତରେ ପଶି ମନ ମୁନ ଯୋଡ଼ି ବସି ବସି ଭାବି ଭାବି ଦେହରୁ ବୁଦ୍ଧିଟାଏ ବାହାର କଲା । ଠିକ୍ କଲା ମିଶ୍ରଙ୍କୁ ଏଇ ପ୍ରସ୍ତାବଟା ଦେବ ।

 

ମୂଳୁ ମାରିଲେ ଯିବ ସରି, ଦେବଙ୍କ ପଙ୍ଗେ କିମ୍ପା କଳି ।

 

ଯୋଉ କଳିଟି ଯୋଗୁଁ ଏତେ କଳି, ସେଇ କଳିଟିକୁ ଦିଅଁଙ୍କ ସେବାରେ ଲଗାଇଦେଲେ ଅଳିଆ ତୁଟିବ । ସୁଲି ଅପା ସିନା ବାଡ଼ୁଅ ରହିବାରୁ ଏତେ ଧନ୍ଦା ଲାଗୁଛି । ତାକୁ ପରଗୋତ୍ରୀ କରିଦେଲେ କିଏ କାହିଁକି ଆଉ ଏଠାକୁ ଆସିବ । ଅଛି ମାନସ । ଅଇଁଠା ଚଟାଟାଏ । ସୁଲି ଗଲାପରେ ରହି ରହି କେତୁଟା ଦିନ ରହିବ । ତା’ପରେ ତା’ ବାଟ ସେ ବଳେ ଦେଖିବ । ମେଳ ଭାଙ୍ଗିଗଲେ ଫନ୍ଦାକୁ କିଏ ପଚାରିବ ।

 

ମିଶ୍ର ଟିକିଏ ଅରାଜି ହୋଇ କହିଲେ–ହଇରେ ବୁରୁନ୍ଦା ! ଶେଷରେ ତୁ ଏଇଆ କଲୁ । କି ବୁଦ୍ଧି ଦେଲୁ ଯେ ବିବେକ ବାଧା ଦେଉଛି କରିବାକୁ । ଆଉ କ’ଣ ଗୋଟେ ଭାବେ । ଏ କଥା ହେବନି ।

 

ସାଆନ୍ତେ ! ଆପଣ ହଦେଇ ଯାଉଛନ୍ତି କାହିଁକି ? ଯାହା ଭାବୁଛନ୍ତି ମୋତେ ଜଣା । ଆପଣଙ୍କ ହୃଦୟ ପଢ଼ିବା ଲୋକ । କୁନ୍ଥୁକୁନ୍ଥୁ ସୁନ୍ଥୁସୁନ୍ଥୁ ହୋଇ ମନା କଲେ ହାରିଯିବେ । ହାରିଯିବା ଅର୍ଥ ମରିଯିବା ସଙ୍ଗେ ସମାନ । ପଛଘୁଞ୍ଚା ନାହିଁ ବୀରର ଜାତକେ, ପଛଘୁଞ୍ଚା ଦିଅନ୍ତୁ ନାହିଁ । ଆଗେଇ ଯାଇ ସୁଲି ଅପାର ବରଘର ଯୋଗାଡ଼ କରିଦିଅନା, ଦେଖିବ କିପରି ହେଉଛି ପିଲାଙ୍କ ମାମଲତ । ଭାବି ଭାବି ଭାବୁଥିବେ ପୁଅପାତି ତ କିଛି ନାହିଁ । ସୁଲି ଅପାକୁ ପରଘରକୁ ନ ପଠେଇ ଜ୍ଵାଇଁ ପୁଅଟିକୁ ଘରକୁ ଆଣିଥାନ୍ତେ । କାଉଳା କାହିଁକି, ଆପଣ କ’ଣ ମରିଗଲେ ନା, କାଲି ପଅରି ମରିଯିବ ? ସୁଲି ଅପାକୁ ପରଘରକୁ ପଠେଇ ଦେଇ, ଏଠାରୁ ଏ ନାଚୁଆ ପିଲାଙ୍କ ନାଚ ମେଳ ଭାଙ୍ଗିଦେଇ ବର୍ଷ କି ଦି’ବର୍ଷ ପରେ ସୁଲି ଅପା ଆଉ ଜ୍ଵାଇଁପୁଅକୁ ଘରକୁ ଆଣିଲେ ତମର କୋଉ ଯଜ୍ଞ ମାରା ହୋଇଯାଉଛି ।

 

ଠିକ୍ କହିଛୁ ବୁରୁନ୍ଦା, ଠିକ୍ କହିଛୁ । ହଉ ଘରେ ବସିଲେ ଜ୍ଵାଇଁପୁଅ କ’ଣ ଘରକୁ ଆମର ମନକୁ ଆସିବ ? ଚାଲ କୋଉଠୁ କିପରି ଦେଖି ଯୋଗାଡ଼ କରିବା ।

 

ମିଶ୍ରେ ଗଲେ । କଣାବୁରୁନ୍ଦା ମୋଟା ଅଙ୍କର କିଛି ପକେଟରେ ପକେଇ ବାହାରି ପଡ଼ିଲେ ଜ୍ୱାଇଁ ପୁଅ ଅନ୍ୱେଷଣରେ । ଗେଲି ବୋଉର ଭାରି ମନ ଝିଅକୁ ହାତକୁ ଦି’ ହାତ କରି ଦେବାକୁ । ଝିଅ ଘିଅ । ବଢ଼ିଲା ଝିଅକୁ କାହିଁକି ଅଯଥା ସାଇତି ରଖିବେ ଘରେ ।

 

ମିଶ୍ରେ ଫେରିଲେ । ଯେତେ ପ୍ରସ୍ତାବ ଦେଖିଲେ କୋଉ ପ୍ରସ୍ତାବ ମନକୁ ପାଇଲାନି । ଯାହା ଘରକୁ ଗଲେ ଖାଲି ହଜାର ହଜାର ଭରି ଦାବି । ଝିଅର ରୂପଗୁଣ ଯେତେ ପ୍ରକାରେ ବର୍ଣ୍ଣନା କଲେବି କେହି ରାଜି ହେଲେନି । ବାଣ ଶୁଣି ଶୁଣି ଫିକା ପଡ଼ି ଧକ୍କା ଖାଇ ଶଙ୍କା ମନରେ ଘରମୁହାଁ ହେଲେ । ମୁହଁ ଶୁଖେଇ ଘରେ ବସିଲେ । ଗେଲି ବୋଉ ପଚାରିବାରୁ କିଛି କହିଲେନି । କେବଳ କହିଲେ କଣାବୁରୁନ୍ଦା ଆସୁ ବିଚାର କରିବା ।

 

କଣାବୁରୁନ୍ଦା ଘଟସୂତ୍ର ବେପାରରେ ଧୁରନ୍ଧର । କୋଉ ପୁଅ କୋଉ ଝିଅପାଇଁ ଠିକ୍ ହେବ । କିଏ କେଉଁଠି ଅଛି । କାହାକୁ କିପରି କହିଲେ ସେ ଭଳିବ, ସେ କାମ ପୂରାଦମ୍‌ରେ ଜଣା । ବୁଲି ବୁଲି ବର ଘର ଠିକ୍ କରି ଫେରିଲା ସେ । ଜ୍ଵାଇଁଟି ଡାକ୍ତର । ରୂପ ଚେହେରା କାହିଁରୁ କ’ଣ । ଯୋଉ ଝିଅ ହେଲେବି ଲୋଭେଇ ଯିବ ରୂପ ଚେହେରାକୁ ଦେଖି । ପ୍ରସ୍ତାବଟା ପକ୍କା କରିଦେଲା ମିଶ୍ରଙ୍କ ବିନା ମତରେ ।

 

କଣାବୁରୁନ୍ଦାର ଛାତି କୁଣ୍ଢେମୋଟ । ବାରତାଟା ଜଣାଇ ଦେଲେ ମିଶ୍ରଙ୍କ ଠାରୁ ଆଉ କିଛି ଝଡ଼େଇ ହେବ । ଗେଲି ବୋଉଠାରୁବି ହାତ ପୂରା କିଛି ମିଳିଯିବ । ଟେରେଇ ଟେରେଇ ଗୋଟାଏ ଆଖିରେ ଅନେଇ ଅନେଇ, ମିଶ୍ରଙ୍କୁ ଦେଖି ନ ଦେଖିଲା ପରି ଘରେ ପଶିଲା । ଦେହରୁ ସାର୍ଟ୍‍ଟା ଫୋପାଡ଼ି ଦେଇ ଓହୋ ହୋଇ ବସି ପଡ଼ିଲା ।

 

ମିଶ୍ରେ କଣା ବୁରୁନ୍ଦାକୁ ଦେଖି ପଛେ ପଛେ ଆସି ପଚାରିଲେ–କିରେ ବୁରୁନ୍ଦା ! ଏତେ ଡେରିରେ ଫେରିଲୁ କାହିଁକି ? ବୋଧେ ବିଳମ୍ବେ କାର୍ଯ୍ୟ ସିଦ୍ଧ ।

 

ହେବନି ? ମୁଁଟି । ଆଉ କିଏ ହୋଇଛି । ପକ୍କା ପ୍ରସ୍ତାବ ଆଜ୍ଞା ପକ୍କା ପ୍ରସ୍ତାବ । ଆପଣ ହଁଟାଏ ମାରିଦେଲେ ତାଙ୍କ ହୁଁ କଥା ମୁଁ ବୁଝିବି । ମୋତେ ସିଏ ବଳେଇବେନି । ତାଙ୍କ ଯୁ କଷି ଦେଇଛି । ଏପରି କହିଲି ଯେ ଓଲଟା ସେ ମୋତେ ଖୁସାମତ କଲେ ବିଭାଘରଟା ଶୀଘ୍ର ସାରି ଦେବାକୁ ।

 

–କୋଉଠି କିରେ ବୁରୁନ୍ଦା ?

 

କୋଉଠି ? କୋଉଠି ଆଉ ହେବ ? ନକଡ଼ି ଗାଁର ଛକଡ଼ି ଦାସଙ୍କ ପୁଅ ସୁରେନ୍ଦ୍ର ଦାସ । ଡାକ୍ତରୀ ପଢ଼ି ଡାକ୍ତର ହୋଇଛନ୍ତି ସରକାରୀ ଡାକ୍ତରଖାନାରେ । ଆପଣ ତ ନିଜେ ଜାଣନ୍ତି ଡାକ୍ତରଙ୍କ ଦରମା କେତେ ! ପୁଣି ଉପୁରି । କହିବି ଆଉ କ’ଣ ? କହିଲ କ’ଣ କରିବା ।

 

ଜିନିଷପତ୍ର ଦବାନବା କିଛିତ କହିଲୁନି ।

 

ଦବାନବା କିଛି ନାହିଁ । କେବଳ ତୁଳସୀ ପତ୍ର କନ୍ୟାଦାନ ।

 

ପ୍ରସ୍ତାବଟା ପକ୍କା କରିଦେଲୁନି ।

 

ମୁଁ କ’ଣ ଛାଡ଼ିଛି ।

 

ଦୁଃଖର ଦାବାନଳ ଲିଭିଗଲାଣି । ମଥାନପୁରର କାହା ଘର ଦୁଃଖର ଚିହ୍ନ ନାହିଁ, ବର୍ଣ୍ଣବି ଦେଖା ନାହିଁ । କେବଳ ଦୁଃଖ ଲକ୍ଷ୍ମୀ ବୋଉର । ହରି ମିଶ୍ରେ ତାକୁ ଠେଲି ଦେଇଛନ୍ତି ଦୁଃଖର ନର୍କକୁ-। ସୁଖର ଦ୍ଵାରରେ ଶହେ ଚଉରାଳିଶ ଜାରି କରିଛନ୍ତି । ଲୋକ ଜଗେଇ ଜୁର କରିଛନ୍ତି ସୁଖ ସଂସାରକୁ ।

 

ଜମି ନାହିଁ । ବାଡ଼ି ନାହିଁ । ବାସ ଘର ଥାଇବି କିଛି ନୁହେଁ । ବଖରାଏ ଘରକୁ ମା’ ଝିଅ ଦି’ ଜଣ । ଖାଇବା ଦୁଃଖ ନ କହିଲେ ଭଲ । ଲକ୍ଷ୍ମୀ ବୋଉର ହାତପାଆନ୍ତାର ସୁଖ ଓ ମୁହଁର ହସ ଦୁଃଖର ନଈରେ ଭାସିଯାଇଛି । ହୀନତାର ସୁଖର ଇଲାକା ଏବଂ ହୀନତାର ସୁଖଶିରୀ ଓ ଆଉ ସବୁ । ଆଉ ସବୁ ନିରୁପାୟ ଓ ନିରିମାଖି । ବର୍ଷା ଯେପରି ନଈ ସଙ୍ଗେ ବନ୍ଧୁ ବାନ୍ଧିବାକୁ ଆସେ, ସେହିପରି ଦୁଃଖ ଆସି ବନ୍ଧୁ ବାନ୍ଧିଛି ଲକ୍ଷ୍ମୀ ଏବଂ ଲକ୍ଷ୍ମୀ ବୋଉ ସହିତ । ଦୁଃଖର ନିବିଡ଼ ସମ୍ପର୍କ ସେମାନଙ୍କ ସହିତ । ଏମାନେ ଦୁଃଖରେ ଦହିହୋଇ ଲୋଚାକୋଚା ହୋଇ ପଡ଼ିଛନ୍ତି । ମନ୍ଥି ହୋଇ ଦୁଃଖ ଉପରେ ମୁନ୍ଦୁରା ଘୋଡ଼ାଇ ଦିଅନ୍ତି । ଲକ୍ଷ୍ମୀର ଇଚ୍ଛା ତାଙ୍କ ଦୁଃଖ କେହି ନ ଦେଖନ୍ତୁ । ତା’ ବଡ଼ବାପା ତାଙ୍କୁ ହଇରାଣ କରୁଛନ୍ତି ବୋଲି କେହି ନ ଜାଣନ୍ତୁ । କିନ୍ତୁ କିଏ ନ ଜାଣନ୍ତି । ଶୁଣନ୍ତୁ ଦରଦୀ ହୃଦୟର ବ୍ୟଥାତୁର କାହାଣୀକୁ ଘରର କାନ୍ଥବାଡ଼ମାନେ । ରିଲେ କରି ଦିଅନ୍ତି ବାହାର ଲୋକଙ୍କୁ । ଜଣକ ପରେ ଆଉଜଣେ । ଏଇପରି ଜାଣନ୍ତି ସମସ୍ତେ ।

 

ଗାଁ, ଘର, ଗୋଷ୍ଠୀ ଛଡ଼ା ଜୀବନଯାପନ କରୁଛି ଲକ୍ଷ୍ମୀ । ଆଣ୍ଠେଇ ପଡ଼ୁଥିବା ଚାଳ, ଭୁଶୁଡ଼ି ପଡ଼ିଥିବା କୂଅ, ଉପୁଡ଼ି ପଡ଼ିଥିବା ଗଛ ଓ ଆଣ୍ଠୁ ଉପରେ ଓଠ ଥୋଇ ବସି ରହିଥିବା ଘରଟା ଆଜି ଯେପରି ଅନେକ ଦିନ ପରେ ହଠାତ୍ ଗୋଡ଼ ଫରକଟେଇ ଛିଡ଼ା ହୋଇଛି ଏବଂ ଫଟା ମଇଳା ଗାମୁଛା ପଟକ କାନ୍ଧରୁ ଭିଡ଼ିଆଣି ଅଣ୍ଟାରେ କସି ଦେଇଛି, ସେ ମୁକାବିଲା କରିବ । ସେ ମୁକାବିଲା କରିଛି ଅନ୍ୟାୟର । ଅନ୍ୟାୟାର ସମାଧାନ କରିଛି । କରିବ ଲକ୍ଷ୍ମୀର ସମାଧାନ । ସମାଧାନ ଦରକାର । ବାପାଙ୍କୁ କହି ଲକ୍ଷ୍ମୀକୁ ତା’ ପ୍ରକୃତ ଭାଗ ଫେରାଇ ଦେବ ।

 

ସୁଲି ନିଛାଟିଆରେ କେତେଥର ଗଲାଣି ବାପାଙ୍କୁ କହିବାକୁ ଲକ୍ଷ୍ମୀ ଅପାର ପ୍ରକୃତ ଭାଗ ଦେଇଦେବାକୁ । ଫେରାଇଦେଇ ପାପରୁ ମୁକ୍ତ ହେବାକୁ । କିନ୍ତୁ ସାହସ ହେଉନି । ଛାତି ଧଡ଼ଧଡ଼ ହେଉଛି । ଦୁଷ୍ଟ କଣା ବୁରୁନ୍ଦା ଶୁଣିବ ଯଦି ଅର୍ଥକୁ ଅନର୍ଥକରି ବାପାଙ୍କୁ ଲଗେଇ ଯୁଟେଇ କହିବ । ସେ ଭଲମନ୍ଦ ବିଚାର ନ କରି ହିତାହିତ ଜ୍ଞାନ ଭୁଲିଯାଇ ଛିଣ୍ଡା ଚାଳଘରେ ହଡ଼ା ମାତିଲା ପରି ମାତିଯିବେ । ମେଣ୍ଢା ଗୁହାଳେ ନିଆଁ ଲଗାଇବାକୁ ତାଙ୍କୁ ବେଶୀ ସମୟ ଲାଗିବ ନାହିଁ । ପ୍ରାଣର ଭୟ ବାପାଙ୍କୁ । କ’ଣ ବୋଲି କ’ଣ କରିଦେବେ ବୋଲି ।

 

ସୁଲି ଅସ୍ଥିର ହୋଇ ଦିନେ ଏକାକୀ ପଦଚାରଣ କରୁ କରୁ ସ୍ଥିର କଲା–ଦୁନିଆରେ ଅସମ୍ଭବ କ’ଣ ? ଲକ୍ଷ୍ମୀ ଅପା କାହିଁକି ଭାଗ ପାଇବନି ? ମୁଁ ହକ୍‌କଥା, କହିବାକୁ କାହିଁକି ଭୟ କରିବି ବାପାଙ୍କୁ ଏବଂ ଅଇଁଠାଚଟା କୁକୁରଟାକୁ । ୟାତ ପୁଣି ସମ୍ଭବ ହୋଇପାରିଲା, ଯେଉଁ ଗାଁ ଗଣ୍ଡାର ଜହ୍ନିଫୁଲ, ତୋଫା ଫାଜିଲ ଜହ୍ନର ହସ, ପୋଖରୀର ନାଲି-ନୀଳ କଇଁ ଆଉ ଧୀର ପବନର ଲହଡ଼ି ଭାଙ୍ଗୁଥିବା ବଗପକ୍ଷିଆ କାଶତଣ୍ଡୀର ସୁଷମାକୁ ଉପଭୋଗ କରିବାକୁ କେହି ଜଣେ ଗାଁରେ ରହୁ ନଥିଲେ । ପେଟପାଟଣା ଧନ୍ଦାରେ ପରଦୁଆରେ ମୁଣ୍ଡ ବିକୁଥିଲେ । କିଏ କୁଆଡ଼େ ଯାଇ ଏତେ ବଡ଼ ଗାଁଟାକୁ ଜନଶୂନ୍ୟ କରି । ସେ ଗାଁ ଲୋକେ ତ ଆଉ କୁଆଡ଼େ ଯାଉ ନାହାନ୍ତି । ପର ଦୁଆରେ ମୁଣ୍ଡ ବିକୁ ନାହାନ୍ତି । ଗତର ଖଟୁ ନାହାନ୍ତି । ଭୋକ ଉପାସର ଆର୍ତ୍ତ ଚିତ୍କାର ଶୁଣାଯାଉନି ।

 

ସେ ଦିନ ସକାଳ ଉତୁରି କଅଁଳ ଗାଧୁଆ ବେଳ ଟପି ଖରାବି ଦେହ ମୁଣ୍ଡ ଛୁଇଁ ସବୁଦିନ ପାଇଁ ତଳକୁ ନଇଁ ଯାଇଥିଲା । ଆକାଶରେ ମେଘର ଇସାରା ନଥିଲା । କି ନିଛାଟିଆ ଖରାବେଳର ଟାଣ ଖରାରେ ହାଡ଼ ତାତିଯାଇ ମୁହଁ ପୋଡ଼ି ଯାଉ ନଥିଲା । ଚାହାଳି ଛୁଟିର ଚଗଲା ପିଲା କିଏ ଦାଣ୍ଡପିଣ୍ଡାରେ ବସି ବସ୍ତାନି ଫୋପାଡ଼ି ଟୁବ୍‌ରେ ବୁଡ଼ିଥିଲା ତ ଆଉ କିଏ ଯାଇ ଦଣ୍ଡାପାଟଳି ମୂଳେ ଝିଣ୍ଟିକା ଠାବ କରୁଥିଲା ।

 

ଶୃଙ୍ଖଳିତ ସମାଜ ଗଠନ ଦିଗରେ ବ୍ୟୟ ହେଉଥିବା ଦେହକଷ୍ଟିଆ ପରିଶ୍ରମରେ କାଳକ୍ରମେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ବିଶୃଙ୍ଖଳିତ ଜୀବନ ଦେଖାଯାଉନି ମଥାନପୁରର କୌଣସି ବ୍ୟକ୍ତି ବିଶେଷଙ୍କ ପାଖରେ ହରି ମିଶ୍ରେ ଓ କଣାବୁରୁନ୍ଦାକୁ ଛାଡ଼ି ।

 

ଲକ୍ଷ୍ମୀ ଯାଇଥିଲା ଆଉ ଫେରିନି ।

 

ସୁଲି କୌଣସି ଏକ କାର୍ଯ୍ୟରେ ଅପେକ୍ଷା କରିଛି ଲକ୍ଷ୍ମୀକୁ ।

 

କିନ୍ତୁ ଲକ୍ଷ୍ମୀର ଦେଖା ନାହିଁ । ଦିନେ ହେଲେ ଆଉ ଫେରିନି । ସୁଲି ଘରକୁ । ଦେଖା କରିନି ମାନସ ଓ ଦାଶିଆକାକୁ । ଧୁଡ଼ଧୁଡ଼ିଆ ଜୀବନ ନଡ଼କା ନଡ଼କା ଭାଗ୍ୟର ତାଡ଼ନାରେ ଉପସ୍ଥିତ ସମସ୍ୟା ସମାଧାନରେ ମଜ୍ଜିରହି କୁଆଡ଼ିକି ଯାଇପାରୁନି । କୌଣସି କଥା ମସ୍ତିଷ୍କରେ ସ୍ଥାନ ଦେଇ ସ୍ଥିର କରିପାରୁନି । ଖାଲି ସମସ୍ୟା ସମସ୍ୟା ଉପରେ ସମସ୍ୟା । ମଥା ଘୂରୁଛି । ମନ ଥରୁଛି । ହୃଦୟ କାନ୍ଦୁଛି । କେବଳ ଚିନ୍ତା କରୁଛି ନିଳାଦ୍ରିବିହାରୀଙ୍କୁ । ମନର ଦୁଃଖ ସବୁକୁ ଦୂର କରିବା ଉଦ୍ଦେଶ୍ୟରେ ମନେମନେ କାତର ନିବେଦନ କରୁଛି । ଅଳି କରୁଛି । ଝୁଣା ଧୂପ ଦେଇ ଭୂଇଁରେ ମଥା ଥୋଉଛି ।

 

କିନ୍ତୁ ହଟିଆ ଠାକୁର ହଟା ଲଗେଇଛି । ବିପଦରେ ପକାଇ ସମସ୍ୟାର ସମ୍ମୁଖୀନ କରାଇ ସଢ଼େଇ ସଢ଼େଇ ହନ୍ତସନ୍ତ କରି ମାରୁଛି । ଲକ୍ଷ୍ମୀ ଚିନ୍ତା କରି କରି ନିନ୍ଦୁଛି । ଜନମ ବେଳାକୁ ଗାଳି ଦେଉଛି ।

 

ବେଳେ ଥୋବରୀଙ୍କ ପରି କିଛି ନ ଭାବି ସ୍ଥିର ହୋଇ ଶୋଇ ରହୁଛି । ଯୌବନର ପରଶରେ ଉଙ୍କି ମାରୁଥିବା ତା’ ଦେହର କାଳିକା ସବୁକୁ ଗଣୁଛି, ଠିକ୍ କେହି ଜଣେ ବେଳାଭୂମି ଉପରେ ବସି ସାଗରର ଢେଉ ଗଣିଲା ପରି ।

 

ସେଦିନ ଶୋଇଛି ନିଘୋଡ଼ ନିଦ । ସତେ ଯେପରି ସେ ଶୋଇ ନଥିଲା ଅନେକ କାଳୁ । କୋତରା କଟକଟ ଶେଯ । ମୁଣ୍ଡରେ ତକିଆ ନାହିଁ, କାଠର ପିଢ଼ାଟେ । ସୁଲି ଦେଇଥିବା ଲୁଗା ଖଣ୍ଡକ ପିନ୍ଧିଛି । ସଫାବି ନାହିଁ ।

 

ସୁଲି ପଶିଲା ଦାଣ୍ଡଆଡ଼ୁ । ଘର ଅଗଣାରେ ଏପଟ ସେପଟ ହେଉଛି ଲକ୍ଷ୍ମୀ ବୋଉ ।

 

ଲକ୍ଷ୍ମୀ ବୋଉର ଆଖି ପଡ଼ିଲା ସୁଲି ଉପରେ । ଲକ୍ଷ୍ମୀ ବୋଉ କାନ୍ଦୁଛି । ଆଖିରୁ ଖସି ପଡ଼ୁଛି ଲୁହଟୋପା । ଲୁହ ଟୋପା ନୁହେଁତ ମୁକ୍ତା । ମୁକ୍ତାର କଣିକା ସମୂହ । ପେଟ ପଶିଯାଇଛି ଭିତରେ । ଖାଙ୍କା ପେଟ । ଆଖିରେ ସତେ ଯେମିତି ପଶିଯିବ ପୋଷେ ଚାଉଳ ।

 

ଆଖି ପିଛୁଳାକେ ଯାହା ଘଟିଗଲା ସୁଲି କେବଳ ଅନାଇଥିଲା ସେ ନାଟକ ଦେଖୁଛି କି ବାସ୍ତବ ଦୃଶ୍ୟ ତା’ ଆଖି ଆଗରେ ପ୍ରତୀୟମାନ ହେଉଛି ତାହା ସେ ଜାଣିପାରୁ ନଥାଏ ।

 

ଲକ୍ଷ୍ମୀ ବୋଉର ଆର୍ତ୍ତ ଚିତ୍କାର । ଖାଇବି । ତିନିଦିନ ହେଲା ଉପାସ । ଦେ ପାଣି ମୁନ୍ଦେ ମୋ ତୁଣ୍ଡରେ ଦେ ।

 

ସୁଲି ଛିଡ଼ା ହେବ କ’ଣ ? ଛିଡ଼ା ନ ହୋଇ ଘରକୁ ଝପଟି ଯାଇ ଭାତ ମୁଠାଏ ଆଣି ଲକ୍ଷ୍ମୀ ବୋଉ ତୁଣ୍ଡରେ ଦେଲା । ଲକ୍ଷ୍ମୀ ବୋଉ ମୁଠେ ଅନ୍ନ ଖାଇ ପେଟ ଥଣ୍ଡା କଲା । କଥା କହିବାକୁ ସକ୍ଷମ ହେଲା । କହିଲା ଆଠଦିନ ହେଲା ସେ କିପରି ହଇରାଣ ହେଉଛି ହରି ମିଶ୍ରେ ଓ କଣାବୁରୁନ୍ଦାଦ୍ଵାରା । ଚାରିଆଡ଼ ବନ୍ଦ । ବନ୍ଦ ଝାଡ଼ାପଦା । କୂଅ ପୋଖରୀ । ଦୋକାନ ବଜାର ।

 

ସୁଲି ଚିନ୍ତାକଲା ଖୁଡ଼ୀର ଦୁଃଖରେ ମୁଁ ସମବେଦନା ଜଣାଇଲେ ଖୁଡ଼ୀର କିଛି ଉପକାର ହେବନି । ଖୁଡ଼ୀ କି ବାପା ବାରମ୍ବାର ହଇରାଣ କରୁଛନ୍ତି । ତାଙ୍କର ପ୍ରକୃତ ପ୍ରାପ୍ୟ ଦେଉ ନାହାନ୍ତି । ତାଙ୍କର ନିହାତି ଆବଶ୍ୟକ ଭାଗ । ଭାଗ ପାଇଗଲେ ଦୁଃଖ ତାଙ୍କର ଛାଏଁ ମୋଚନ ହୋଇଯିବ । ସେମାନେ ସୁଖରେ ଚଳିବେ । ମୁହଁରେ ହସ ଫୁଟିବ ।

 

ସୁଲି କେତେ ସମୟ ଭାବିଲା । ବୁହେ ନୀରବ ରହିଲା । ଫେରିଗଲା ଘରକୁ । ଘରୁ ପାଞ୍ଚ ନଉତି ଚାଉଳ ଆଣି ଦେଇଗଲା ଖୁଡ଼ୀକୁ । ଆଉ କହିଗଲା–ଖୁଡ଼ୀ ! ମୁଁ ତାଙ୍କର ଝିଅ, ତୁମରବି ଝିଅ । ତୁମେ ଯେପରି ଲକ୍ଷ୍ମୀର ମା’ ମୁଅରବି ସେହିପରି । ମୋ ମା’ ପରି ତୁମେ ମୋର ମା’ । ତୁମେ ଧୈର୍ଯ୍ୟ ଧର । ସ୍ଥିର ରୁହ । ମୁଁ ଆଜି ତୁମର ଚରଣ ଛୁଇଁ ଜଗନ୍ନାଥଙ୍କ ରାଣ ଖାଇ ଯାଉଛି ନିଶ୍ଚୟ ତୁମର ଦୁଃଖ ମୋଚନ କରିଦେବି ।

 

ଅଶ୍ରୁଳ ନୟନରେ ସୁଲିକୁ ଅନେଇଥିଲା ଲକ୍ଷ୍ମୀ ବୋଉ ।

 

ସୁଲି ଝଡ଼ ବେଗରେ ପ୍ରତ୍ୟାବର୍ତ୍ତନ କଲା ଘରକୁ ।

 

ଚୁପିଚୁପିଆ ଅପରାହ୍ନ । ଝିପିଝିପି ବର୍ଷା ଲିପିଲିପି ହୋଇ ଭୂଇଁକୁ ସ୍ପର୍ଶ କରୁଛି । ଦେହଉଲୁସା ଶୀତରେ ଉଲୁସି ଉଠୁଛନ୍ତି କଣା ବୁରୁନ୍ଦା ଓ ହରି ମିଶ୍ରେ । କଥାବାର୍ତ୍ତାର ତାଳେ ତାଳେ ଆଗଉଛନ୍ତି ଆଗକୁ ଆଗକୁ । ମଥାନପୁରରେ ପାଦ ଦେବାରୁ ଆଉ ଅଳ୍ପ କେଇବାଟ ବାକିଥାଏ । ପାଦ କାଢ଼ି ହେଲାନି । ଦୁହିଁଙ୍କ ପାଦ ଲାଗି ରହିଲା ଭୂଇଁରେ । ଦେହ ପବନ ଓ ଝିପିଝିପି ବର୍ଷାରେ ଥରିଲା । ଥରିଲେ ଅସମ୍ଭବଭାବେ । ଗୋଡ଼ହାତ ଥରଥର ହେଲା । ଦାନ୍ତକୁ ଦାନ୍ତ ବାଜିଲା ।

 

ନେପଟିଆ ଚାଳଘର । ଘର ଭିତରେ ଦୁହେଁ ପଶି ଆଶ୍ରୟ ନେଲେ । ସେ ଘର କୌଣସି ଲୋକଙ୍କର ବ୍ୟବହାର ଘର ନଥିଲା । ଥିଲା କମାରଶାଳ । ସେଇଠି ଦୁହେଁ ଘଡ଼ିଏ ବସିଲେ । ଦିଘଡ଼ି ବସିଲେ । ଆଉ ପାଟି ବନ୍ଦ କରି ବସି ନ ପାରି କଥାବାର୍ତ୍ତା ଆରମ୍ଭ କରିଦେଲେ । କି କଥା ଅବା ସେ ହୁଅନ୍ତେ ? ଆରମ୍ଭ କରି ଦେଲେ କାହାର କ’ଣ କରିବେ ? କାହାକୁ କିପରି ହଇରାଣ କରିବେ । ସବୁଆଡ଼ୁ ତ ବାଟ ବନ୍ଦ । ମିଶ୍ରଙ୍କର ବଡ଼ ପରାମର୍ଶଦାତା କଣା ବୁରୁନ୍ଦା । ସେ ଆଉ ତାଙ୍କର ନାଗୁଆ ପାଇଟିଆଳ ନାହିଁ । ତା’ର ପ୍ରମୋସନ୍ ହୋଇଯାଇଛି ପରାମର୍ଶଦାତାକୁ ।

 

କଣାବୁରୁନ୍ଦାର ପରାମର୍ଶ ହରି ମିଶ୍ରଙ୍କର ବେଦର ଗାର । ସିଏ ଯାହା କହିବ ସବୁ ଠିକ୍ । ସତ କହିଲେ ଠିକ୍, ମିଛ କହିଲେବି ଠିକ୍ ।

 

କୁଣିଆ ଦେଖି ଫେରୁଛନ୍ତି । ମିଶ୍ରଙ୍କ ମନକୁ ପାଇଛି । ବରପକ୍ଷ ଯାହା ଯୌତୁକ ଦାବି କଲେ ମିଶ୍ରେ ହଁ ମାରିଛନ୍ତି । କଣାବୁରୁନ୍ଦା ତୁଣ୍ଡରେ ନ କହି ହଁ କହିଛି ମୁଣ୍ଡରେ ।

 

ବର୍ଷା ବର୍ଷୁଛି । ଝିପିଝିପି ପରିବର୍ତ୍ତେ ବର୍ଷାର ନାଦିଆକ ପର୍ବ ଖୁବ୍ ଜୋରରେ ଚାଲିଛି । ରାତିବି କେତେ ହୋଇଗଲାଣି । କୃତ୍ରିମ ରାଗ ପ୍ରକାଶ କରି କଣାବୁରୁନ୍ଦା କହିଲା–ଯାଇଁଲ ଆଜ୍ଞା ! ଆପଣଙ୍କ ସଙ୍ଗେ ଆଉ କୁଆଡ଼େ ଯାଇକରି ନାହିଁ । ଭଲମନ୍ଦ ବିଚାର ନାହିଁ । ଆଗପଛକୁ ଅନାଇଲନି । ଭଦ୍ରଲୋକଙ୍କ ପାଖେ ହଁଟାଏ କିପରି ମାରିଦେଲ ?

 

ଆଉ କ’ଣ କରନ୍ତି ? କିଏ ଦଉଚି ନା ନଉଚି । ହାତଗଣ୍ଠି ପୂର୍ବରୁ କ’ଣ କିଛି ଦିଆନିଆ ହୁଏ ? ଯାହା ହେବ ହାତଗଣ୍ଠି ପରେ । ମୋ ଝୁଅ ଅସୁନ୍ଦରୀ ହୋଇଥିଲେ ଭୟ କରନ୍ତି । ଝୁଅକୁ ଜ୍ଵାଇଁ ଥରେ ଦେଖିଲେ ଛାଡ଼ିବନି । ତା’ପରେ ଦେଖାଅଛି ।

 

ହରି ମିଶ୍ରଙ୍କଠୁ କଣାବୁରୁନ୍ଦା ଶୁଣି କହିଲା–ନାଇଁ ଆଜ୍ଞା ! ତା’ ନୁହେଁ । କଂଗ୍ରେସ ରାଜୁତି-। ଯୌତୁକ ପ୍ରଥା ବନ୍ଦ । ସରକାରଙ୍କର କଡ଼ାକଡ଼ି ଆଇନ । ଖାଲି ଏତିକି କାହିଁକି, ବାହାଘରବେଳେ ଯୌତୁକପାଇଁ ଯଦି ଉଇଁଟାଇଁ ହୁଅନ୍ତି ପିଲାଙ୍କୁ ଦେଖି ଦେବାନି । ଆପଣ ଦେଖିବେ ସେଦିନ ମୁଁ କେମିତି କାମଟାଏ ଦେଖାଇବି ।

 

ଥମିଗଲା ବର୍ଷା । ଦୁହେଁ ଚାଲିଲେ ଗାଁମୁହାଁ ହୋଇ । କାଦୁଆ ସରସର ପୁଚୁପୁଚିଆ ରାସ୍ତାରେ ପଚପଚ ହୋଇ ଗୋଡ଼ ପଡ଼ୁଥିଲା । ଗୋଡ଼ ଛାଟି ଫେରକାନି ନୋଚେଇ ପଶିଲେ ଘରେ-

 

ଘରର ଦାଣ୍ଡଘର ବଖରାରେ ଧିକ୍ ଧିକ୍ ହୋଇ ଜଳୁଛି ଲଣ୍ଠନ । ଶୋଇଛି ମାନସ । ଠିକ୍ ଗୋଟିଏ ରୁକ୍ଷ ପାହାଡ଼ । ଶାନ୍ତ କୋମଳ ଧରଣୀ ରାଣୀ ବକ୍ଷରେ ଆଶ୍ରୟ ନେଇଛି ଛୋଟ କଅଁଳିଆ ଶିଶୁଟି ପରି । ବିଦ୍ରୂପ ନୟନରେ ଚାହିଁ ନ ଚାହିଁଲା ସଦୃଶ ସେଠାରେ ଉଭାନ ହେଲେ ମିଶ୍ରେ ଓ କଣାବୁରୁନ୍ଦା ।

 

ମିଶ୍ରେ ଡାକିଲେ–ଗେଲିବୋଉ ! ଗେଲିବୋଉ !

 

ମଥାନପୁରରେ କେହି ଚେଇଁ ନଥିଲେ । ରାତି ବଢ଼ିବା ସଙ୍ଗେ ସଙ୍ଗେ ସେମାନେ ଆଶ୍ରୟ ନେଇ ଯାଇଛନ୍ତି ନିଦ୍ରାଦେବୀଙ୍କ କୋଳରେ । ଚେଇଁଥିଲେ କେବଳ ଗେଲି ବୋଉ । ମନରେ ତା’ର ଅନେକ ଦ୍ଵନ୍ଦ୍ୱ, ଅନେକ ଭାବନା । ସ୍ଵାମୀ ଓ ଝିଅର କାର୍ଯ୍ୟକଳାପରେ ସେ ଦହି ହୋଇଗଲେଣି ଓ ମନ୍ଥି ହୋଇଗଲେଣି । କେତେବେଳେ ଘରୁ ବାପ ଝିଅ ବା’ ବାସନା ତୁଟିଲାନି । ତାଙ୍କ ଦେହରୁ ଚିନ୍ତା ଗଲାନି ।

 

ମିଶ୍ରଙ୍କ ତୁଣ୍ଡ ଶୁଣି ଉତ୍ତର ଦେଲେ ଗେଲିବୋଉ । କହିଲେ ସନ୍ଧ୍ୟା ପ୍ରହରୁ ସୁଲି ମୁହଁ ମାଡ଼ି ଶୋଇଛି । ଏକାଜିଦ୍ କରିଛି ଲକ୍ଷ୍ମୀବୋଉକୁ ଭାଗଦିଅ । ନହେଲେ ଏ ଘରେ ମୁଁ ରହିବି ନାହିଁ କି ଅନ୍ନ ଛୁଇଁବି ନାହିଁ ।

 

ପିଲାଟା ଏତେ ଅଝଟ ? ତା’ର ଏ ଭାଗବଣ୍ଟରାରେ ଖେଳାଇବା ଉଚିତ ନୁହେଁ । ଆଜି ଅଛି କାଲି ଶାଶୁଘରକୁ ଚାଲିଯିବ । ତାକୁ ବୁଝାଇ ସୁଝାଇ ଖୁଆଇ ଦିଅ । ମୋ ମୁଣ୍ଡରେ ସେଗୁରା ପୂରାଅନା ଗେଲିବୋଉ । ଝିଅଟାକୁ ତୁମେ ବୁଝାଇ ପାରିଲନି ଯେ ଘରେ ନ ପଶୁ ଗୋଟାଏ ବିରାଟ ଅଭିଯୋଗ ଆଣି ମୋ ପାଖରେ ଥୋଇଦେଲ ?

 

ଗେଲିବୋଉ ରାଗରେ ପାଚିଗଲେ । ଆଖିରୁ ରକ୍ତ ଖସି ପଡ଼ୁଥାଏ । ସ୍ଵାମୀ ବୋଲି କିଛି କହିଲେନି । ତୁନି ହୋଇ ରହିଲେ । କେବଳ ଏତିକି କହିଲେ–ସୁଲିବି ଭୁଲ୍ କହୁନି । ଲକ୍ଷ୍ମୀ ବୋଉର କ’ଣ ଏ ଘରେ ଭାଗ ନାହିଁ ? ସେ ଏ ଘରକୁ ବୋହୂ ହୋଇ ଆସି ନଥିଲା ? ମୁଁ ସଫାସଫା କହୁଛି ତାଙ୍କ ଭାଗତକ ତୁରନ୍ତ ବରଗି ଦିଅ । ନହେଲେ ସେ ମା’ ଝିଅଙ୍କ ଲୁହ ନିଃଶ୍ୱାସରେ ଭସ୍ମ ହୋଇଯିବ ।

 

ମାଇକିନିଆ କଥାଗୁଡ଼ାଏ କୁହନା ଗେଲିବୋଉ । କୁହ ମନ ପସନ୍ଦିଆ କଥା । ତେଲ’ ପାଣିରେ କୋଉଠି ଘର ପୋଡ଼ିଲାଣି ? କିଏ ଅନ୍ୟଜଣକ ପ୍ରତି ଦୁଃଖ ପ୍ରକାଶ କଲେ ତା’ର କ’ଣ କିଛି କ୍ଷତି ହୋଇଯାଏ ? ସେ ପିଲାଳିଆ ଧନ୍ଦା ମନରୁ ପରିହାର କରି ଉଚିତ ଧନ୍ଦାରେ ମନ ଦିଅ । ଘରସଂସାର କରିବାକୁ ଚେଷ୍ଟା କର ।

 

ସେ ରାତିର ଆଲୋଚନା ସେତିକିରେ ଇତିହେଲା । ରାତି ପାହି ସକାଳ ହେଲା । ସୁଲି ଉଠିବା ପୂର୍ବରୁ ଅନ୍ୟମାନେ ଉଠି ସାରିଥିଲେ । ଗୋଟାଏ ଅଦୃଶିଆ ଘରେ ବସି ଟୁପୁଟୁପୁ ହୋଇ କଥା ହେଉଥିଲେ ହରି ମିଶ୍ରେ ଓ କଣା ବୁରୁନ୍ଦା ।

 

ବାସନା ବାରିଲେ । ସୁଲି ଉଠିବାର ସୁରାକ ପାଇ ଗେଲିବୋଉଦ୍ଵାରା ଡକାଇ ପଠାଇଲେ ସୁଲିକି । ସୁଲି ଆସି ମିଶ୍ରଙ୍କ ଆଗରେ ନୋଚିକାଚି ହୋଇ ଠିଆହେଲା ଲାଜୁଆ ଲାଜୁଆଭାବେ ।

 

ମିଶ୍ରେ ପିତାକୀୟ ଭଙ୍ଗୀରେ କହିଲେ–ଝିଅ ! ମୋତେ ବୟସ ଅନେକ ହୋଇଗଲଣି । ପାଚିଲା ଆମ୍ବ । କେତେବେଳେ ମୋତେ କୁଆ ଝାମ୍ପି ନେବ କିଏ କହିବ ? ବୁଢ଼ା ଘୁଣଖିଆ ବୃକ୍ଷଟା ଟିକିଏ ଜୋରିଆ ପବନରେ ଉପୁଡ଼ି ନ ପଡ଼ିବ ବୋଲି କାହିଁ ଆଶା କରିବା ? ତୋ ଚିନ୍ତା ମୋ ଗଳାକୁ ଧରିଛି । ତୋତେ ହାତକୁ ଦି’ ହାତ କରିଦେଲେ ମୋ ମନର ଓରିମାନା ମେଣ୍ଟିଯିବ । ହାରିମାନାକୁ ଜୟ କରିଯିବି ।

 

ସୁଲି ନୀରବ ।

 

ନୀରବ ମିଶ୍ରେ ।

 

କଣାବୁରୁନ୍ଦା କଣା ଆଖିକୁ ଏପଟ ସେପଟ କରି ଲକ୍ଷ୍ୟ କରୁଥିଲା ସୁଲିର ଆବଭାବକୁ ।

 

ବାରିର ଥୁଣ୍ଟା ସଜନାଗଛ ଆଗରେ ପେଚାଟା ବସି ରାବୁଛି । ଭୁକୁଛି କୁକୁରଟା ଗାଁମୁଣ୍ଡରେ । ପେଚାରାବ ଓ କୁକୁର ଭୁକା ବନ୍ଦ ହୋଇ ଆରମ୍ଭ ହେଲା ଗାଁ ଦାଣ୍ଡରେ ଗଉଡ଼ ପୁଅର ଡାକ–ଗାଈ ଫିଟାଅ, ଗାଈ । ସେ ଡାକରେ ଇତି ହେଲା । ଆରମ୍ଭ ହେଲା ମଧ୍ୟାହ୍ନର ଆଦ୍ୟ ପର୍ବ, ତଥାପି ସୁଲି ନୀରବ । ନୀରବ କୋଠରୀ ।

 

ମୁହୂର୍ତ୍ତର ବାୟୁ ପ୍ରବାହରେ ସାହସ ସଞ୍ଚୟ କରି ସାରିଥିଲା ସୁଲି । ସେ ଜବାବ ଦେବ ତା’ର ଜନ୍ମିତ ପିତାକୁ । ଜବାବ ଦେବ ।

 

ପ୍ରକୃତ ଜବାବ ଦେବ, ସତ୍ୟର ସନ୍ଧାନପାଇଁ ଓ ଅନ୍ୟାୟର ପ୍ରତିବାଦ କରି ।

 

କଣାବୁରୁନ୍ଦା ଓ ହରି ମିଶ୍ରଙ୍କ ଦୁର୍ବଳ ମନ ଦୁର୍ବଳ ହୋଇ ପଡ଼ିଥିଲା ସେଇ ମୁହୂର୍ତ୍ତରେ । ସେଇ ଘରେ ସେଇ ପରିସ୍ଥିତିରେ ।

 

ସଜଫୁଲ ପରି ତୋଫା ଫୁରୁଫୁରୁ ମୁହଁଟି ସିଧା କଲା ସୁଲି, ଅଗ୍ନି ବର୍ଷଣ ନୟନ ନିକ୍ଷେପ କଲା ମିଶ୍ରେ ଏବଂ କଣାବୁରୁନ୍ଦା ଉପରକୁ । ସେମାନେ ବାକ୍ୟହୀନ । ହାଲୁକା ତାଙ୍କର ସୁଖି ଗଲା ପରି ଜଣା ପଡ଼ୁଥିଲେ ।

 

ତୁଣ୍ଡ ଖୋଲି ପ୍ରତିବାଦ କରି ସୁଲି କହିଲା–ବାପା ! ମୁଁ ପରଗୋତ୍ରୀ ହେବାର ସମୟ ଅନେକ ବାକିଅଛି । ଏଇନା ନୁହେଁ । ତୁମେ ତୁମ ଅନ୍ୟାୟର ସଂଶୋଧନ ନ କରିବା ପର୍ଯ୍ୟନ୍ତ ମୁଁ ଏ ଘରୁ କୁଆଡ଼ିକି ହେଲେ ଗୋଡ଼ କାଢ଼ିବିନି ।

 

ତୁମେ ଆଉ ଲକ୍ଷ୍ମୀ ଅପା ଓ ଖୁଡ଼ୀକୁ ହରକତ୍‍ କରି ଜଳାଅନା ।

ତାଙ୍କ ଭାଗ ତାଙ୍କୁ ଦେଇ ଦିଅ । ସେ ସୁଖରେ ରୁହନ୍ତୁ । ତାଙ୍କ ସଂସାର ହସିଉଠୁ ।

ଘୋଟେଇ ଉଠିଲା ଘନଘୋଟିଆ ଆନ୍ଦୋଳନ ।

କଳେବଳେ କୌଶଳେ ସୁଲି ତା’ ବୁଦ୍ଧି ଖର୍ଚ୍ଚ କରି ଖୁଡ଼ୀ ଏବଂ ଲକ୍ଷ୍ମୀ ଅପା ତୁଣ୍ଡରେ ତା’ର ତୋରାଣି ମୁନ୍ଦାଏ ଦେବାର ବ୍ୟବସ୍ଥା କରି ଦେଉଥାଏ ।

ଦାଶିଆକା ଓ ମାନସ ଉମାଶଙ୍କରବାବୁଙ୍କ ପାଖେ ଏକଜିଦ୍ କରି ରଡ଼ି ବସିଛନ୍ତି, ସେ ସୁଲିକୁ ବୋହୂକରି ଘରକୁ ନିଅନ୍ତୁ ।

ଉମାଶଙ୍କରବାବୁ ହଁ ମାରିବାକୁ ବାଧ୍ୟ ହେଲେ । କାରଣ ସେ ଜଗନ୍ନାଥଙ୍କ ମହାପ୍ରସାଦ ଛୁଇଁ ନିୟମ କରିଥିଲେ ସୁଲି ସହିତ ଶଶାଙ୍କର ବିବାହ କରିବାକୁ ।

ଶଶାଙ୍କର ଆପତ୍ତି ନଥିଲା । କେବଳ ମୁରୁକି ମୁରୁକି ହସୁଥିଲା ମାନସ ଓ ଦାଶିଆକା ପ୍ରସ୍ତାବରେ । ତା’ର ଇଚ୍ଛା ପ୍ରକାଶ ପାଇ ଯାଉଛି ତା’ର ମୌନତାରୁ ।

ସୁଲିର କହିବାର କିଛି ନାହିଁ । ଆପତ୍ତି ନାହିଁ ଶଶାଙ୍କକୁ ବିବାହ କରିବାରେ । ସବୁ ଦିଗରୁ ସେ ବିଚାର କରିଛି ଶଶାଙ୍କହିଁ ତା’ପାଇଁ ଉପଯୁକ୍ତ ବର । କୋଉଥିରେ ଶଶାଙ୍କର ଅଭାବ ନାହିଁ । ଧନ ଯେପରି ଅଛି ସେଇପରିବି ଶେଉଳ ଚାଞ୍ଚଲା ପରି ଯୁଆନଟାଏ । ଟଣା ଟଣା ବିଶାଳ ଭୂରୁ । କୋଉ ଯୁବତୀ ଶଶାଙ୍କର ରୂପ ଦେଖି ଲୋଭେଇ ନ ଯିବ ।

ଠିକ୍ ହୋଇଗଲା । ଶଶାଙ୍କ ସହିତ ସୁଲିର ବିଭାଘର ହେବ । ମିଶ୍ରେ ଠିକ୍ କରିଥିବା ବର ଦରକାର ନାହିଁ ।

ସୁଲି ମିଶ୍ରଙ୍କୁ ମନା କରିଦେଲା ସେ ଠିକ୍ କରିଥିବା ବରକୁ ବିଭା ହେବାପାଇଁ, ମିଶ୍ରଙ୍କ ଆଗରେ । ମୁହେଁ ମୁହେଁ ।

ମିଶ୍ରେ ପାଚିଗଲେ । ଗୁମ୍ଫା ଭିତରେ ଥାଇ ରଡ଼ି ଛାଡ଼ିଲେ । ସୁଲିର ଅନିଷ୍ଟ କରିବାପାଇଁ କଣା ବୁରୁନ୍ଦା ବୋଲରେ ପଡ଼ି ବିଭିନ୍ନ ପ୍ରକାର ଖେଳ ଦେଖାଇଲେ । କିନ୍ତୁ କାଳବିଳମ୍ବ ନ କରି ମାନସ ଓ ଦାଶିଆକା ସୁଲି ସହିତ ଶଶାଙ୍କର ବିବାହ କରାଇ ଦେଲେ ।

ମିଶ୍ରେ ଶୀତଳ ହେଲେନି । କୁହୁଳିଲେ । କୁହୁଳି କୁହୁଳି ସାରା ଶରୀରରୁ ଧୂଆଁଳିଆ ବାଷ୍ପ ନିର୍ଗତ କରି ପାଉଁଶରେ ପରିଣତ ହେବାକୁ ବସିଲେ ।

ଏଇ ସମୟରେ ମାନସ ଚାଲିଗଲା ବିଭିନ୍ନ ପ୍ରଦେଶ ବୁଲିବା ଉଦ୍ଦେଶ୍ୟରେ । ସରକାରଙ୍କ ତରଫରୁ ସେ ଶ୍ରେଷ୍ଠ ସରପଞ୍ଚଭାବେ ପ୍ରଶଂସିତ ହୋଇଥିବାରୁ ଅନ୍ୟମାନେ ଗୌରବ ଅନୁଭବ କରୁଥିଲେ ।

ବାକି ରହିଲା ସୁଲିର ଶପଥ ।

ସେ ଖୁଡ଼ୀର ପାଦ ଛୁଇଁ ଜଗନ୍ନାଥଙ୍କ ରାଣ ଖାଇଛି ତାଙ୍କ ପ୍ରାପ୍ୟ ତାଙ୍କୁ ଫେରାଇ ଦେବାକୁ ।

 

ଏକାଠି କଲା ଦାଶିଆକା, କେତୀ ଓ ଅନ୍ୟମାନଙ୍କୁ । ମିଶ୍ରଙ୍କ ଉପରେ ଜୋର ଦେଲା ତାଙ୍କ ଭାଗ ତାଙ୍କୁ ଫେରାଇ ଦେବାକୁ । କିନ୍ତୁ ମିଶ୍ରେ ନାରାଜ । କଦାଚନ ସେ ତା’ କରିବେ ନାହିଁ ବୋଲି ବଦ୍ଧପରିକର ।

 

ଲକ୍ଷ୍ମୀ କିଛି କହୁ ନଥାଏ । ମଥାପାତି ସର୍ବଂସହା ଧରଣୀ ପରି ସହି ନେଉଥାଏ । ମାନସ ଏଠାରୁ ବାହାରକୁ ଚାଲିଯିବା ପରେ ଲକ୍ଷ୍ମୀ ଆହୁରି ଭାଙ୍ଗି ପଡ଼ୁଥାଏ ମାନସକୁ ନ ଦେଖି ।

 

ମନ୍ତ୍ରଣା ଯନ୍ତ୍ରଣା ମିଶ୍ରଙ୍କ କାନରେ ପୁଙ୍କି ଲାଗିଛି କଣାବୁରୁନ୍ଦା । ଇଆକଉ, ତା’ ସଫଳ ନ ହେବାରୁ ତା’ କର ବୋଲି ପରାମର୍ଶ ଦେଉଛି ସେ । ମିଶ୍ରେବି ସେଇଥିରେ ବାଈ ।

 

ଶଶାଙ୍କ ସୁଲିକୁ ବିବାହ କରିବାଠାରୁ ଏ ସମସ୍ୟାର ସମାଧାନ କରିବାକୁ ଆପ୍ରାଣ ଚେଷ୍ଟାକଲା । ମିଶ୍ରଙ୍କୁ ବହୁତ ବୁଝାଇଲା । କିଛି ବୁଝିଲେନି । ଗୋଟିଏ ଜିଦ୍ ମୁଁ ଭାଗ ଦେବିନି । ସେ ମୋ ଅଂଶର ଅଂଶୀଦାର ନୁହନ୍ତି ।

 

ଫଳ ଫଳିଲାନି । ଅଫଳ ଅଫଳରେ ସମୟ ଗଲା । ସୁଲିର ବୁଦ୍ଧି ଢୁକିଲାନି କିପରିଭାବେ ଖୁଡ଼ୀକୁ ଭାଗ ଦିଆଇବେ, କିନ୍ତୁ ବୁଦ୍ଧି ଯୁଟାଇ ଦେଲେ ଭଗବାନ ।

 

ଭଗବାନଙ୍କ ଆଶୀର୍ବାଦ ନହେଲେ କାହାର ସାଧ୍ୟ ନାହିଁ କିଛି ନିଜ ଇଚ୍ଛା ମତେ କରିଦେବାକୁ । ମିଶ୍ର ଏବଂ କଣା ବୁରୁନ୍ଦାକୁ ଦଇବ ସହିଲେ ନାହିଁ । କୋଟ୍‍ ରାୟ ଦେଲା କଣା ବୁରୁନ୍ଦା ଓ ହରି ମିଶ୍ରଙ୍କୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା, ସେମାନେ ନାରୀଧର୍ଷଣ, ଘରପୋଡ଼ି, ହତ୍ୟାକାଣ୍ଡ ଓ ଚୋରୀ ଡକାୟତିରେ ଅଭିଯୁକ୍ତ ହୋଇଥିବାରୁ ।

କେହି ରକ୍ଷା କରି ପାରିଲେନି ତାଙ୍କୁ । ଦିନେ ଭୋରୁ ଭୋରୁ ତାଙ୍କୁ ଧରି ନେଇଗଲେ ପୋଲିସ୍‍ବାଲା । ବାହ୍ୟଜଗତରୁ ସେମାନେ ବିଚ୍ଛିନ୍ନ ହୋଇ ରହିଗଲେ କାରାଗାରର ଠେକାଖସା ପାଚେରୀ ଭିତରେ ।

ଗେଲିବୋଉ ଅନେକ ଅନୁତାପ କଲେ ମିଶ୍ରଙ୍କ ବିଚ୍ଛେଦରେ । ଅନୁତାପବି କଲେ ସୁଲି ଓ ଶଶାଙ୍କ ।

ଗେଲିବୋଉ କାଳବିଳମ୍ବ ନ କରି କେତେକ ଜମିବାଡ଼ି ଆଉଯାଇ ଦେଲେ ଲକ୍ଷ୍ମୀ ବୋଉ ଆଡ଼େ ।

ମିଶ୍ରେ ରହିଲେ କାରାଗାରରେ ।

ମାନସ ଅବସ୍ଥାନ କରୁଛି କେରଳରେ । ଏପର୍ଯ୍ୟନ୍ତ ଓଡ଼ିଶାକୁ ଫେରିନି ।

ସୁଲି, ଦାଶିଆକା ଓ ଶଶାଙ୍କର ଉଦ୍ୟମରେ ଲକ୍ଷ୍ମୀ ଫେରି ପାଇଛି ତା’ ବାପାଙ୍କ ଅଂଶର ସମ୍ପତ୍ତି ବାଡ଼ି । ଭାତ ଖାଉଛି । ପେଟ ପୂରୁଛି, ମାତ୍ର ହୃଦୟ ଶାନ୍ତ ହେଉନି, ମନ ଶୀତଳ ହେଉନି ମାନସର ଅନୁପସ୍ଥିତିରେ । ତା’ର ମନର ଆକାଂକ୍ଷା ମେଣ୍ଟୁନି । ଲକ୍ଷ୍ମୀର ମନର ଭାବ ଜାଣି କେତୀ ଅନେକ ବୁଝାଉଛି ।

ବୁଝୁନି ସେ । ଅବୁଝା ଅବୁଝାରେ ଦିନ କାଟୁଛି । ଯିବାର କେତେ ଦିନ ହୋଇଗଲା । ଚିଠି ଖଣ୍ଡେବି ନାହିଁ । କେଉଁଠି ରହିଲେ ବେଉରାବି ଦେଲେନି । ଚିନ୍ତାରେ ଅବସ୍ଥା କ୍ଷୀଣ ହୋଇ ଯାଉଛି ଲକ୍ଷ୍ମୀର ।

ଲକ୍ଷ୍ମୀ ବୋଉର ମନ ସମ୍ଭାଳୁନି ଭୁଆସୁଣୀ ଝିଅକୁ ଘରେ ରଖିବାକୁ । ସୁଲି ଲକ୍ଷ୍ମୀଠାରୁ ସାତ ସାନ ହୋଇ ହାତକୁ ଦି’ ହାତ ହୋଇଗଲା । ଲକ୍ଷ୍ମୀ ବୋଉ ଆଗରେ ସିନ୍ଥିରେ ସିନ୍ଦୂର ଲଗାଇ ବୁଲିବାରେ ବେଶୀ ବାଧୁଛି । ନିନ୍ଦାରେ ମୁଣ୍ଡ ତଳକୁ ନଇଁ ଯାଉଛି । ମନ ତାଙ୍କର ଡହକବିକଳ ଲକ୍ଷ୍ମୀକୁ ଯେନ୍ ତେନ୍ ପ୍ରକାରେ ପରଘରରୁ ପଠାଇଦେବାକୁ ।

ସୁଲି, ଦାଶିଆକା, ଶଶାଙ୍କ ଓ କେତୀ ଅନେଇ ରହିଛନ୍ତି ମାନସକୁ । ମାନସ କେଉଁଦିନ ଆସିବ । ଆହୁରି ଅନେକ ଅନେକ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରାଯିବ ମଥାନପୁରରେ ।

କାରାଗାରରେ ମିଶ୍ରେ ରହି ରହି ଅନୁତାପ କଲେଣି କାହିଁକି ସେ ଆଜି କାରାଗାର ଭିତରେ କତା ପିଟୁଛନ୍ତି, ବାହା ଖଟେଇ କାମ କରୁଛନ୍ତି । ଡଙ୍କି ଭାତ ଖାଇ ଜୀବନଧାରଣ କରି ରହିଛନ୍ତି ଜେଲର୍ ଠାରୁ ନିର୍ଘାତିଆ ମାଡ଼ ଖାଇ ଖାଇ ।

କେରଳରେ ଏ କନ୍ଦିରୁ ସେ କନ୍ଦି ପର୍ଯ୍ୟନ୍ତ ତନ୍ନତନ୍ନ କରି ବୁଲୁଛି ମାନସ । ନିରୀକ୍ଷଣ କରୁଛି ସେମାନଙ୍କର ଚାଳିଚଳନ, ଢଙ୍ଗଢ଼ାଙ୍ଗ, ଆଚାର, ବ୍ୟବହାର ପୋଷାକ ପରିଚ୍ଛଦ ଇତ୍ୟାଦି ଇତ୍ୟାଦି ।

ସନ୍ଧ୍ୟା ହେଲେ ସହରସାରା ବୁଲୁଛି, କେତେ କେତେ ଝିଅ ଆଖିରେ ପଡ଼ୁଛନ୍ତି । ରୂପଲାବଣ୍ୟରେ ଭରପୂର । ସତେ ଯେପରି ସ୍ଵର୍ଗ ଇନ୍ଦ୍ର ସଭାରୁ ଓହ୍ଲାଇ ଆସିଛନ୍ତି ରମ୍ଭା ଉର୍ବଶୀ ।

 

କିନ୍ତୁ ମାନସ ଆଖିକୁ କେହି ଦେଖାଯାଉନାହାନ୍ତି ଲକ୍ଷ୍ମୀ ପରି । ଭୁଲିପାରୁନି ସେ ଲକ୍ଷ୍ମୀର ଅନାବିଳ ସ୍ନେହ । ମନେ ପଡ଼ୁଛି ତୁହାକୁ ତୁହା । ଆଖିରେ ନାଚୁଛି । ହୃଦୟ ତା’ ନାଆଁ ଧରି ଡାକୁଛି ଆ ପାଖକୁ ଆ । ତୋ ବିନା ମୁଁ ବଞ୍ଚି ପାରିବିନି । ଏ ଜଗତ ମିଛ । ଆଉ ଅନ୍ୟ ସମସ୍ତେ ମିଛ ତୁ ଏକାହିଁ ମୋପାଇଁ ସତ୍ୟ ।

 

କଲ୍ୟାଣ ଫେରିଲା ରୁମ୍‍କୁ । କାଲିକଟରୁ ସେଇ ପରିବାର କଲ୍ୟାଣ ତାଲିମ କେନ୍ଦ୍ର ତଳ ମହଲାରେ ତାଲିମ ପାଇବାକୁ ଆସିଥିବା ମହିଳା ଡାକ୍ତରମାନଙ୍କର ମଧୁର ପରସ୍ପରିଆ ଆଳାପ ବାଜୁଛି ମାନସ କାନରେ । କେତେ ଟାହିଟାପରା, ଥଟାତାମସା ।

 

ନିଜକୁ ଆୟତ୍ତରେ ରଖିପାରିଲାନି ମାନସ । ଲେଦର୍ ସୁଟ୍‌କେଶରୁ ବାହାର କଲା, ତା’ ନିଜର ନାଁ ଲେଖା ହୋଇଥିବା ଲେଟର ପ୍ୟାଡ଼୍ । କଲମ ଖୋଲି ପତ୍ର ଲେଖିଲା ଲକ୍ଷ୍ମୀ ପାଖକୁ ।

 

କାଲିକଟ

ତା ୨୦ । ୧୨ । ୮୨

 

ସ୍ନେହମୟୀ ଲକ୍ଷ୍ମୀ,

 

ସ୍ନେହ ନେବ । ମୁଁ କେରଳର କାଲିକଟ ନଗରୀରୁ ପତ୍ର ଲେଖୁଛି । ତୁମେ ଭାବୁଥିବ ମୁଁ ତୁମକୁ ମୋ ସ୍ନେହରୁ ବଞ୍ଚିତ କରିଛି, ତା’ ନୁହେଁ । ତୁମେ ମୋ ମନରେ ବାନ୍ଧି ଦେଇଥିବା ରଜ୍ଜୁଖଣ୍ଡକ କଦାପି ଛିଣ୍ଡାଇ ହେଉନି ଯେତେ ଚେଷ୍ଟା କଲେବି । ବେଶୀ କିଛି ଲେଖୁନି । ବିଷବୃକ୍ଷ ପ୍ରତି ସାବଧାନ ରହିବ । ନହେଲେ ବିଷବୃକ୍ଷର ଜ୍ଵାଳାରେ ପୋଡ଼ିପାଡ଼ି ପାଉଁଶ ହୋଇଯିବ । ରହିଲି ।

 

। ଇତି ।

ତୁମର ଶୁଭାନୁଧ୍ୟାୟୀ

ମାନସ–

 

ଲକ୍ଷ୍ମୀକୁ ଠିକ୍ ତିନିଦିନ ପରେ ଡାକଦେଲା ଡାକପିଅନ । ନେଳିଆ ଇନ୍‌ଲ୍ୟାଣ୍ଡ ଲେଟର-। ଚିହ୍ନା ଚିହ୍ନା ଅକ୍ଷର । ଲକ୍ଷ୍ମୀ ଚୁମା ପରେ ଚୁମା ଆଙ୍କି ଦେଲା ଚିଠି ଉପରେ । ଚିଠି ଖୋଲିଲା-। ପଢ଼ିଲା । ଥରେ ନୁହେଁ । ଦୁଇଥର ନୁହେଁ । ତିନି ତିନି ଥର ।

 

ସୁଲି ଧାଇଁ ଆସିଛି ଲକ୍ଷ୍ମୀ ପାଖକୁ । ଲକ୍ଷ୍ମୀ ଛିଡ଼ାହୋଇ ଚିଠି ପାଠ କରୁଛି । ଯେତେ ପଢ଼ିଲେବି ଶେଷ ହେଉନି । ବାରମ୍ବାର ପଢ଼ୁଛି । ଲକ୍ଷ୍ମୀ ଛିଡ଼ା ହୋଇ ଚିଠି ପଢ଼ୁଥିଲେବି ଲକ୍ଷ୍ୟ ପଡ଼ୁନି ସୁଲି ଉପରେ ।

 

ସୁଲି ଲକ୍ଷ୍ୟ କଲା–ଲକ୍ଷ୍ମୀ ଅନ୍ୟମନସ୍କ । ଛିଡ଼ା ହୋଇ ଲାଭ ନାହିଁ । ଲକ୍ଷ୍ମୀ ଅପା ଚିଠି ନିଅ କହି, ହାତକୁ ଚିଠିଟି ବଢ଼ାଇ ଦେଇ ଫେରି ଆସିଲେ ।

 

ଲକ୍ଷ୍ମୀ ଏ ଚିଠି ବନ୍ଦ କରି ସେ ଚିଠି ପଢ଼ିଲା । ଚିଠି ତା’ର ନୁହେଁ ସୁଲିର । ଚିଠିରେ ଲେଖାଥିଲା–

 

ବ୍ରହ୍ମପୁର ଜେଲ

ତା ୧୯ । ୧୨ । ୮୧

 

କଲ୍ୟାଣୀୟା ସୁଲି,

 

ସୁକଲ୍ୟାଣ ସୁବାଞ୍ଛିତ । ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଚରଣେ ଶରଣ । ଗାଁ ମଙ୍ଗଳାଙ୍କୁ କୋଟିଏ ଦଣ୍ଡବତ । ଲେଖିବାର କାରଣ ଏହିକି ଜୀବନରେ ଭିଆଇଥିବା କାଣ୍ଡ ଯୋଗୁଁ ମୁଁ ଆଜି ଏ ଅବସ୍ଥାରେ ଜେଲ ଭୋଗୁଛି । ଯାହାକି କଷ୍ଟ ପାଉଛି ତାହା ଚିଠିରେ ଲେଖି ହେଉନି । କାହିଁକି ବା ନ ଭୋଗିବି ? ମୋ ପରି ବିଷବୃକ୍ଷର ବିଷ ଜ୍ଵାଳାରେ ଅନେକ ସଧବା ନାରୀ ବିଧବା ହେଉଛନ୍ତି ସତୀ କନ୍ୟା ଅସତୀ ହୋଇଛନ୍ତି । କିଏ ଜମିବାଡ଼ି, ଘରଦୁଆର ହରାଇ ବଡ଼ଦାଣ୍ଡରେ ବସିଛନ୍ତି । ମୋପାଇଁ ଏ ଦଣ୍ଡ କିଛି ନୁହେଁ । ତେଣୁ ତୋତେ ମୋ ପାପର ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ । ଲକ୍ଷ୍ମୀକୁ ତା’ ଭାଗ ଜମିବାଡ଼ି ଫେରାଇ ଦେବୁ ଏବଂ କହିବୁ ମୋ ଭଳି ବିଷବୃକ୍ଷର କାର୍ଯ୍ୟକଳାପକୁ ଯେପରି ସେମାନେ ମନରେ ନ ଧରିବେ । ସ୍ଵାମୀଙ୍କ ସେବା କରି ଭଲରେ ଚଳିବୁ । ରହିଲି ।

 

। ଇତି ।

ତୋର ଶୁଭକାଂକ୍ଷୀ ବାପା

–ବିଷବୃକ୍ଷ

Image